ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସାବଧାନ! ଏବେ ସବୁ ଅସନ୍ତୁଷ୍ଟିଆ ଏକାଠି ହେବେ

0

ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ଦୂରତା କମିବାରେ ଲାଗିଛି। କେନ୍ଦ୍ର ସରକାର ଆଖିବୁଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ ପ୍ରଶଂସା କରିବାରେ କାର୍ପଣ୍ୟ ଦେଖାଉନାହାନ୍ତି। କେନ୍ଦ୍ର ସହିତ ଉତ୍ତମ ସାମଞ୍ଜସ୍ୟ ରଖି ଶାସନରେ ଗୋଟିଚାଳନା କରୁଛନ୍ତି ରାଜ୍ୟ ସରକାର। ସାଧାରଣ ନିର୍ବାଚନ ପରବର୍ତୀ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ଏଭଳି ସମୀକରଣ ବେଶ୍ କିଛି ଦିନ ଚର୍ଚ୍ଚାର ବିଷୟ ଥିଲା। ଏବେ ଏହା ଏକ ପ୍ରସଙ୍ଗ ହୋଇ ଆଉ ନାହିଁ। ବରଂ ଉଭୟ ଗୋଟିଏ ରାସ୍ତାରେ ଗଲାଭଳି ଅନେକ ସମୟରେ ସଙ୍କେତ ମିଳୁଛି।

ସେପଟେ ରାଜ୍ୟ କଂଗ୍ରେସ ସୁପ୍ତ ଅବସ୍ଥାକୁ ଚାଲିଗଲାଣି। ହାତଗଣତି କିଛି ନିର୍ବାଚନମଣ୍ଡଳୀ ଛାଡିଦେଲେ ଅନ୍ୟସ୍ଥାନରେ ଦଳ ରାଜନୈତିକ କାର୍ଯ୍ୟକ୍ରମରେ ବି ନାହିଁ। ନିର୍ବାଚନ ପରବର୍ତୀ ସମୟରେ ଯେଉଁ ବିପର୍ଯ୍ୟୟ ଦେଖା ଦେଇଥିଲା, ସେଥିରୁ ଦଳ ମୁକୁଳିବା ପାଇଁ ଚେଷ୍ଟା କରିବା ପରିବର୍ତେ ଏଭଳି ଶିଥିଳ ପଡିଯାଇଛି, ଯେମିତି ନିର୍ବାଚନ ଲଢିବା ଲାଗି ଆଉ ନେତା, କର୍ମୀ କାହାର ଜୋସ୍ ନାହିଁ।

୨୦୨୨ ପ୍ରଥମାର୍ଧରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଅର୍ଥାତ୍ ଆଉ ଦୁଇ ବର୍ଷ ସମୟ ରହିଛି। ଏହି ସମୟ ମଧ୍ୟରେ ପୌର ନିର୍ବାଚନ ସରିବ। ଯାହା ସୂଚନା ମିଳୁଛି, ଆସନ୍ତାବର୍ଷ ପ୍ରଥମାର୍ଧରେ ବିଭିନ୍ନ ପର୍ଯ୍ୟାୟରେ ପୌର ନିର୍ବାଚନ କରାଯିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ସେହିଭଳି ସମବାୟ ନିର୍ବାଚନ ଲାଗି ମଧ୍ୟ କ୍ଷେତ୍ର ପ୍ରସ୍ତୁତ ହେଲାଣି। ଅର୍ଥାତ୍ ପୌର ଓ ସମବାୟ ନିର୍ବାଚନକୁ ବର୍ଷେ ସମୟ ନାହିଁ ବୋଲି କୁହାଯାଇପାରେ।

ଗୋଟିଏ ପଟେ ତୃଣମୂଳସ୍ତରର ତିନିଟ ବଡ଼ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ରାଜ୍ୟର ପ୍ରମୁଖ ତିନି ଦଳର ଆଚରଣ ଓ କାର୍ଯ୍ୟଶୈଳୀ ରାଜନୈତିକ କର୍ମୀ, ନେତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ରାଜ୍ୟ ଶାସନରେ ଥିବା ବିଜେଡି ଓ କେନ୍ଦ୍ରରେ ସରକାର କରୁଥିବା ବିଜେପି କର୍ମୀ ଉଭୟ ପରସ୍ପରକୁ ସନ୍ଦେହ ଆଖିରେ ଦେଖିବା ଆରମ୍ଭ କଲେଣି। ଉପରସ୍ତରରେ ଚାଲିଥିବା ରାଜନୀତି ତଳସ୍ତରର କର୍ମୀଙ୍କ ମଗଜକୁ ଭେଦ କରିପାରୁନି। ବାସ୍ତବରେ ଉଭୟ ଆଗକୁ ମେଣ୍ଟରେ ରହିବେ ନା ପ୍ରାକ୍ ନିର୍ବାଚନ ରଣନୀତିରେ ପୁଣି ମୁହାଁମୁହିଁ ସ୍ଥିତିକୁ ଆସିବେ, ତାହା ଏମାନଙ୍କୁ ଚିନ୍ତାରେ ପକାଇଛି। କିନ୍ତୁ ନା ବିଜେପି ନା ବିଜେଡି କେଉଁଠାରୁ ଭବିଷ୍ୟତ କାର୍ଯ୍ୟ ଯୋଜନା ସଂପର୍କରେ କିଛି ବି ସୁରାକ କର୍ମୀ ପାଇପାରୁନାହାନ୍ତି।

କଂଗ୍ରେସର ଅନ୍ତଃକନ୍ଦଳ କାରଣରୁ ଭୋଟ ବିଭାଜନ ହୋଇ ପଞ୍ଚାୟତ ନିର୍ବାଚନ ବେଳେ ଥୋକାଏ ବିଜେପି ଆଡକୁ ଚାଲିଯାଇଥିଲା। ହେଲେ ସବୁ ଭୋଟ ବିଜେପି ରଖିପାରିଲାନି। ସାଧାରଣ ନିର୍ବାଚନରେ କିଛି ବିଜେଡି ହାତେଇଲା। ଏହା ସତ୍ତ୍ବେ କଂଗ୍ରେସ ବିଗୁଡିଛି ସିନା ଘର ସଜାଡିବାର ନାଁ ଧରୁନି। ଏବେ ଉଭୟ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରୁ କେତେ ନେତା ଓ କର୍ମୀଙ୍କୁ ନିଜ ଆଡକୁ ଟାଣିଆଣିବେ, ସେ ନେଇ ରଣନୀତି ନିର୍ଧାରଣ କରିବା କଥା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। କିନ୍ତୁ ଉଭୟଙ୍କ ଆଚରଣରେ ଏହାର ସାମାନ୍ୟତମ ଝଲକ ସୁଦ୍ଧା ଦେଖିବାକୁ ମିଳୁନାହିଁ।

ବିଶ୍ବର ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞ କହିଛନ୍ତି, ସେ ଉତ୍ସବ କି ହେଉ କି ମହୋତ୍ସବ, ବିପଦ ହେଉ କିମ୍ବା ବିପର୍ଯ୍ୟୟ, ରାଜନୈତିକ ବ୍ୟକ୍ତିକୁ ସବୁଥିରୁ ରାଜନୀତିର ଛୁଙ୍କ ମହ ମହ କମ୍ପେ। ସେଥିରୁ ତାକୁ ଆଗକୁ ଯିବା ଲାଗି ଜୋସ୍ ମିଳେ। କିନ୍ତୁ ଓଡ଼ିଶାରେ…।

ମାରାତ୍ମକ କରୋନା ଏବେ ରାଜ୍ୟର ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଏହାକୁ ମୁକାବିଲା କରିବା ଲାଗି ଦିନରାତି ଏକ କରିଦେଇଛନ୍ତି। କେଉଁଠି ନା କେଉଁଠି ଏକଥା ବାରି ହେଉଛି ଯେ ବିଜେଡି ନବୀନଙ୍କ ଭାବମୂର୍ତିକୁ ଫୋକସ କରୁଛି, ବିଜେପି ମୋଦୀଙ୍କର। ଉଭୟ ନିଜ ନିଜର ବ୍ରାଣ୍ଡିଂ ପାଇଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହଁନ୍ତି। ହେଲେ ପ୍ରଶ୍ନ ଉଠୁଛି, ତୃଣମୁଳସ୍ତରରେ ହେବାକୁ ଥିବା ଏସବୁ ନିର୍ବାଚନ ଲାଗି ଉଭୟ ଦଳର ଯୋଜନା ବେଶୀକିଛି ପ୍ରଭାବ ହେବନାହିଁ। କାରଣ ଯିଏ ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି, ଯେତେ ପ୍ରଭାବ ରଖନ୍ତୁ ପଛେ ଯଦି ତୃଣମୂଳସ୍ତରରେ ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ରାସ୍ତା କାଢିନପାରିବେ, ଗାଁ ମାମଲତକାରଙ୍କ ସହିତ ସମନ୍ବୟ ରକ୍ଷା କରିବାରେ ଅସମର୍ଥ ହେବେ, ତେବେ କୌଣସି ଗଣିତ କାମ ଦେବନାହିଁ।

ବିଜେଡି ଭିତରେ ଥିବା ଅନ୍ତଃକନ୍ଦଳ ଇତିମଧ୍ୟରେ ବହୁଗୁଣିତ ହୋଇଛି। ଦଳର ଗୋଷ୍ଠୀବାଦ ନବୀନଙ୍କ ପାଇଁ ଯୋଡି ହୋଇଥିଲା ସିନା ଏବେ କିନ୍ତୁ ବିଧାୟକ ବା ବିଧାୟକ ପ୍ରାର୍ଥୀଙ୍କ ଲାଗି କାହିଁକି ସେମାନେ ସ୍ବାଭିମାନକୁ ଜଳାଞ୍ଜଳି ଦେବେ? ଅର୍ଥାତ୍ ଏହା ଯେ ଆଁ ନ ମେଲାଇବ ସେକଥା କହିହେବ ନାହିଁ। ପୁଣି ସଦ୍ୟ ସମାପ୍ତ ଦଳର ନିର୍ବାଚନରେ ଥୋକାଏ ଅସନ୍ତୁଷ୍ଟ ଅଛନ୍ତି। ଯୋଜନା କାର୍ଯ୍ୟାନ୍ବୟନରେ ଶାସକ ଦଳର ନେତାଙ୍କର ପ୍ରଭାବ ହ୍ରାସ ପାଇଥିବା କାରଣରୁ ସବୁ ଅଞ୍ଚଳରେ କେଁ କାଁ ଆରମ୍ଭ ହୋଇଗଲାଣି। ଏସବୁରେ ମଲମ ଲଗାଇବା ପାଇଁ ଗତ ୧୧ମାସ (ନିର୍ବାଚନ ସରିବା ପରେ) ମଧ୍ୟରେ କେହି ଥରୁଟିଏ ଉଦ୍ୟମ କରିନାହାନ୍ତି। ଦଳର ରାଜନୈତିକ କାର୍ଯ୍ୟକ୍ରମ ଏକରକମ ଠପ୍ ହୋଇଯାଇଥିବା କାରଣରୁ ଆଭ୍ୟନ୍ତରୀଣ କନ୍ଦଳ ସଂପର୍କିତ ଖବର ମଧ୍ୟ ସୁପ୍ରିମୋଙ୍କ ଯାଏ ପହଞ୍ଚିବାର ବାଟ ନାହିଁ। ଏବେ ପୁଣି ସରକାର କରୋନା ପଛରେ ପଡିଥିବା କାରଣରୁ, ଏସବୁ ପ୍ରତି ଧ୍ୟାନ ଦେବା ସମ୍ଭବ ନୁହେଁ।

ବିଜେପି ସ୍ଥିତି ତା ଚାହିଁ ଗମ୍ଭୀର। ଦଳକୁ ଲୋକେ ବିଶ୍ବାସକୁ ନେଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସାଇଥିଲେ। ହେଲେ ଦଳ ସାଧାରଣ ଲୋକଙ୍କ କୌଣସି ଗୋଟିଏ ସ୍ବାର୍ଥକୁ ଆଳ କରି ଏଯାଏ ସରକାରଙ୍କୁ ଘେରିବା ଦେଖାଗଲାନି। ପୁଣି ଥୋକାଏ ନେତା ଦଳ ବାଡ଼ ଡେଇଁ ଗେରୁଆ ପିନ୍ଧି ଗତ ନିର୍ବାଚନରେ ଟିକେଟ୍ ଆଶା କରିଥିଲେ। ପାଇନାହାନ୍ତି ବୋଲି ଗାଁ ଓ ଵାର୍ଡରେ ଥିବା କର୍ମୀଙ୍କୁ ମେଳ କରି ପଞ୍ଚାୟତ ଓ ପୌର ନିର୍ବାଚନରେ ପାନେ ଦେବା ଲାଗି ମନସ୍ଥ କରିଛନ୍ତି। ସେମାନଙ୍କ ସହିତ ନିର୍ବାଚନ ପରେ କେହି ଥରୁଟିଏ ବି ଆଲୋଚନା କରିନାହାନ୍ତି କି କ୍ଷତରେ ମଲମ ଲେପାଯାଇନି। ଏପଟେ ରାଜ୍ୟ ସରକାରଙ୍କୁ ଖୋଲା ପ୍ରଶଂସା କରୁଥିବା କାରଣରୁ ନିର୍ବାଚନ ସମୟରେ ଦଳ ସରକାରଙ୍କୁ ଘେରିଲେ ତାହା ଲୋକଙ୍କୁ ପ୍ରଭାବିତ କରିବ ନାହିଁ। ଆହୁରି ବଡ଼ କଥା ହେଲା, ଏଠାରେ ବି ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ଗୋଷ୍ଠୀକୁ ଅଣଦେଖା କରାଯାଇଥିବା ଅଭିଯୋଗ ଉଠିଛି।

ଏହା ସତ୍ତ୍ବେ କଂଗ୍ରେସ ଏଥିରୁ ଫାଇଦା ନେଇପାରିବ ନାହିଁ, ଏକଥା ଅପ୍ରିୟ ହେଲେ ବି ସତ। ହେଲେ ଯେଉଁ ଗୋଟିଏ ବିପଦ ଦ୍ବାର ଦେଶରେ ଠକ୍ ଠକ୍ କରିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି, ତାକୁ ହାଲକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ, ବୋଲି ରାଜନୈତିକ ପଣ୍ଡିତମାନେ ହିସାବ କରୁଛନ୍ତି। ସେମାନଙ୍କ ଆକଳନ କହୁଛି, ଅସନ୍ତୁଷ୍ଟିଆଙ୍କୁ ନେଇ ସମସ୍ତଙ୍କ ଅଜାଣତରେ ସବୁ ନିର୍ବାଚନମଣ୍ଡଳୀରେ ଗୋଟିଏ ତୃତୀୟ ପ୍ରଭାବଶାଳୀ ଗୋଷ୍ଠୀ ଏହି ତିନିଟି ନିର୍ବାଚନ ଅଳିନ୍ଦରେ ଆପେ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏମାନେ ଆର୍ଥିକ ଦୃଷ୍ଟିରୁ ବା ଆଦର୍ଶଗତ କାରଣରୁ କେତେ ପ୍ରଭାବୀ ହେବେ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍। କିନ୍ତୁ ସାଂଗଠନିକସ୍ତରରେ ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ପ୍ରତି ବିପଦ ହୋଇପାରନ୍ତି। କଂଗ୍ରେସକୁ ଚତୁର୍ଥ ସ୍ଥାନକୁ ଠେଲି ଦେଇ ଏଭଳି ଗୋଷ୍ଠୀ ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ ହେବା ପଛରେ ଆଉ ଗୋଟିଏ ସମୀକରଣ କାମ ଦେବ, ତାହା ହେଲା, ବି ରାଜ୍ୟ ରାଜନୀତିରେ ଅନେକ ଛାମୁଆ ନେତା ବାହାରେ ଅପେକ୍ଷା କରିଛନ୍ତି, ଯେଉଁମାନେ କି ଏଭଳି ଶକ୍ତିକୁ ଇନ୍ଧନ ଦେବାର ସାମର୍ଥ୍ୟ ରଖନ୍ତି। ଏମାନେ କଂଗ୍ରେସରେ ଅଛନ୍ତି, ବିଜେଡି ଓ ବିଜେପି ଭିତରେ ରହି ଦଳକୁ ଶକ୍ତିହୀନ କରିଦେଇପାରନ୍ତି।

ନେତୃତ୍ବ କେବେ ହେଜିବେ କେଜାଣି?

Leave A Reply

Your email address will not be published.