ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଖେଳଘର ଭାବନି, ନିୟମ ଭାଙ୍ଗିଲେ ବନ୍ଧାହେବ

0
  • ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ନେଇ କଠୋର ହେଲେ ସରକାର
  • ସଙ୍ଗରୋଧ ଅବଧି ବଢିବ, ୨ ହଜାର ଟଙ୍କା ଆଉ ମିଳିବନାହିଁ
  • ବସ୍ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ନିୟମ ମାନୁନାହାନ୍ତି

ଭୁବନେଶ୍ବର: ଓଡ଼ିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳାକୁ ରାଜ୍ୟ ସରକାର ଆଜି କଠୋରତାର ସହିତ ଗ୍ରହଣ କରିଛନ୍ତି। ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ସଙ୍ଗରୋଧ ବା କ୍ବାରାଣ୍ଟିନ୍ ଏକ ଖେଳଘର କଥା ନୁହେଁ। ଏହା ଆଇନଗତ ବ୍ୟବସ୍ଥା। ଯେଉଁମାନେ ଫେରିବା ଲାଗି ନିଜକୁ ପଞ୍ଜୀକୃତ କରୁଛନ୍ତି, ସେମାନେ ସମ୍ମତି ପ୍ରକାଶ କରିଛନ୍ତି ଯେ ୧୪ ଦିନ ସଙ୍ଗରୋଧରେ ରହିବେ। ଯେଉଁ କିଛି ଲୋକ ଏଥିରେ ବ୍ୟତିକ୍ରମ କରୁଛନ୍ତି, ଆଇନ ମାନିବାକୁ ପ୍ରସ୍ତୁତ ନୁହଁନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାତଗଣତି କିଛି ଲୋକଙ୍କ ପାଇଁ ୨ମାସ ଧରି ରାଜ୍ୟର କୋଟି କୋଟି ଲୋକଙ୍କ ତ୍ୟାଗ, ହଜାର ହଜାର କର୍ମଚାରୀଙ୍କ ପରିଶ୍ରମ ଓ ରାଜ୍ୟର ସମ୍ମାନକୁ ତୁଚ୍ଛ କରାଯିବ ନାହିଁ। ଏସବୁ ବ୍ୟକ୍ତିଙ୍କୁ ଦୂରରେ (ଆବଶ୍ୟକସ୍ଥଳେ ଜିଲ୍ଲା ବାହାରେ) ସଙ୍ଗରୋଧରେ ରଖାଯିବ, ସେମାନଙ୍କ ସଙ୍ଗରୋଧ ଅବଧି ବୃଦ୍ଧି ହେବ, ତାଙ୍କୁ ସରକାରଙ୍କ ପ୍ରାପ୍ୟ (୨ହଜାର ଟଙ୍କା) ମିଳିବ ନାହିଁ, ଆଉ ଗିରଫ କରାଯିବ।

୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ସ୍ଥାନରେ ପ୍ରବାସୀଙ୍କୁ ଧରି ଫେରୁଥିବା ବସ୍ ଦୁର୍ଘଟଣା ହେବା, ଗଞ୍ଜାମ ବେଗୁନିଆପଡାରେ ସଙ୍ଗରୋଧରେ କେନ୍ଦ୍ରରୁ କିଛି ଲୋକ କବାଟ ଭାଙ୍ଗି ଚାଲିଯିବା ଘଟଣାରେ ସରକାର ଭୀଷଣ ବିରକ୍ତ ହେବା ସହିତ ଏଭଳି ପଦକ୍ଷେପ ନେଇଛନ୍ତି। କୌଣସି ପରିସ୍ଥିତିରେ କାହା ସହିତ ବର୍ତମାନ ସାଲିସ ହୋଇପାରିବନାହିଁ ବୋଲି ରୋକଠୋକ୍ ଜଣାଇ ଦିଆଯାଇଛି।

ମୁଖ୍ୟସଚିବ କହିଥିଲେ, ବିଶୃଙ୍ଖଳା ଘଟାଇ ଶ୍ରମିକମାନେ ନିଜ ସ୍ବାସ୍ଥ୍ୟ ପ୍ରତି ବିପଦ ଆଣୁଛନ୍ତି। ଏହା ସହିତ ପରିବାର ଓ ସମାଜ ପାଇଁ ବି। ଏ କ୍ଷେତ୍ରରେ ସରପଞ୍ଚଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି। ସେମାନେ ଏସବୁ ତଦାରଖ କରିବେ। ସ୍ବାସ୍ଥ୍ୟ ପ୍ରୋଟକଲ୍ ପାଳନ ହେଉଛି କି ନାହିଁ, ତାହା ବି ଦେଖିବେ। କୌଣସି ସମସ୍ୟା ହେଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓଙ୍କ ସହିତ କଥା ହେବେ। ସରକାର ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦେଶନାମା ଇତିମଧ୍ୟରେ ଜାରି କରିସାରିଛନ୍ତି। ଏସବୁ ଉଲ୍ଲଂଘନ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ଶ୍ରୀ ତ୍ରିପାଠୀ ଆଜି କହିଥିଲେ, କିଛି ବସ୍ ନିୟମ ମାନୁନାହାନ୍ତି। ସେମାନଙ୍କ ଷ୍ଟିକରରେ ଯେଉଁ ରୁଟ୍ ଚାଟ୍ ଦିଆଯାଇଛି, ତାହାକୁ ଉଲ୍ଲଂଘନ କରି ଅନ୍ୟ ରାସ୍ତାରେ ଆସୁଛନ୍ତି। କିଛି ବସ୍ ପାସ୍ ନାହିଁ। ଆଉ କେତେକ ଅନୁମତିଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଛନ୍ତି। ଏହି ତିନିଟି ଯାକ କ୍ଷେତ୍ରକୁ ସରକାର ଗୁରୁତର ସହିତ ବିଚାର କରି ଆସୁଛନ୍ତି। ଯେଉଁ ବସ ଷ୍ଟିକରରେ ଦିଆଯାଇଥିବା ରୁଟ ଚାଟ୍ ମାନିବେ ନାହିଁ, ସେମାନଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ହେବ। ବସ ଜବତ ହୋଇପାରେ। ସେହିଭଳି ଯେଉଁମାନେ ଅଧିକ ଲୋକ ନେଇ ଆସୁଛନ୍ତି, ସେମାନଙ୍କୁ ଦୂରରେ ସଙ୍ଗରୋଧ କରାଯିବ। ସଙ୍ଗରୋଧ ଅବଧି ବଢିବ। ବିନା ପାସରେ ଆସିଥିଲେ, ସୀମାର ୧୨ଟି ଯାକ ଗେଟରେ ପ୍ରବେଶ ଅନୁମତି ମିଳିବ ନାହିଁ। ତାଙ୍କୁ ପୁଣି ଫେରିବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଓଡ଼ିଶା ସରକାର ଉଦାରତା ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ୪ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ଯେଉଁମାନେ ଆସୁଛନ୍ତି ନିଜସ୍ବ ଉଦ୍ୟମରେ ସେମାନଙ୍କ ପାଇଁ ବି ଯଥୋଚିତ ଉଦ୍ୟମ ହେଉଛି। ଏହା ସତ୍ତ୍ବେ କିଛି କ୍ଷେତ୍ରରେ ବ୍ୟତିକ୍ରମ ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଲେଣି।ଏଭଳି ସ୍ଥିତି ଅନ୍ୟ ସ୍ଥାନରେ ହେବା ପୂର୍ବରୁ ସରକାର ଆଜି କଠୋର ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.