ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସରକାରୀ ବାବୁମାନେ ସବୁ ଆଇନକୁ ଦଳିଚକଟି ଦେବେ କି?

0

କୋଭିଡ୍ ଗାଇଡ୍ ଲାଇନରେ ବିଚିତ୍ର ବ୍ୟବସ୍ଥା, ଏଣେ ରାତ୍ରିକାଳୀନ କର୍ଫ୍ୟୁ, ସେଣେ ଯାତ୍ରାକୁ ଅନୁମତି

ଯାତ୍ରା, ଫିଲ୍ମ ହଲରେ ଶତାଧିକ ବସିପାରିବେ: ରାଜନୈତିକ, ସାମାଜିକ ସଭା ପାଇଁ କିନ୍ତୁ ନିର୍ଦିଷ୍ଟ କଟକଣା

ପ୍ରଶାସନ କଟକଣା ଜାରି କରିବା ବେଳେ ଦେଖାଉଥିବା ତତ୍ପରତା ଲୋକ ଭାଙ୍ଗିବା ବେଳେ ନାହିଁ କାହିଁକି?

ବଡବଡିଆଙ୍କ ଉପସ୍ଥିତିରେ ପୁରୀରେ କର୍ଫ୍ୟୁ ଓ ସୁପ୍ରିମକୋର୍ଟ ନିର୍ଦେଶ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ବି ଚୁପ୍

ରାଜ୍ୟରେ କ’ଣ ଦୁଇ ପ୍ରକାର ଆଇନ ଚାଲିବ?ଗୋଟିଏ ନିରୀହ ଜନସାଧାରଣଙ୍କ ଲାଗି, ଆଉ ଗୋଟିଏ ବଡବଡିଆଙ୍କ ପାଇଁ??

ଭୁବନେଶ୍ବର: ସକାଳ ୬ରୁ ରାତିି ୮ ଯାଏ ସବୁ ଖୋଲା। କୋଭିଡ୍ ସ୍ଥିତିକୁ ଦେଖି ଜୁଲାଇ ୩୧ ତାରିଖ ଅର୍ଥାତ୍ ଗତକାଲି ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଏଭଳି ନିର୍ଦେଶାବଳୀ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦସ୍ତଖତରେ ଏହା ପ୍ରକାଶ କରାଯାଇଛି। ଅର୍ଥାତ୍ ଆଜିଠାରୁ ଏହି ନୂଆ କଟକଣାରେ ରାଜ୍ୟ ମାସେ ପର୍ଯ୍ୟନ୍ତ ରହିବ।

ଏଥିରେ ଜୀବନ ଜୀବିକାକୁ ଲକ୍ଷ୍ୟ ରଖି ସରକାର କହିଛନ୍ତି ଯେ ଯାତ୍ରା, ରଙ୍ଗମଞ୍ଚ ସବୁକିଛି ଖୋଲିପାରିବ, କିନ୍ତୁ କଟକଣାରେ। ଅନ୍ୟ ସବୁ ନିର୍ଦେଶନାମା ଅଳ୍ପ ବହୁତେ ବୁଝି ହେଉଛି। ହେଲେ ଏହି ନିର୍ଦେଶନାମା କିଭଳି କାର୍ଯ୍ୟକାରୀ ହେବ, ତାହା କେହି ବୁଝିପାରୁନାହାନ୍ତି। ସାରା ରାତି ଯେବେ କର୍ଫ୍ୟୁ ଭିତରେ ଓଡ଼ିଶା ଥିବ, ସେବେ ଯାତ୍ରା କିଭଳି ଅନୁଷ୍ଠିତ ହେବ। ରଙ୍ଗମଞ୍ଚରେ ଲୋକେ ଆଇନର ଧଜିଆ ଉଡାଇବାକୁ ସରକାର କିଭଳି ଅନୁମତି ଦେଇଦେଲେ?

ରାତି ୮ଟା ପରେ ଯଦି କର୍ଫ୍ୟୁ ବଳବତ୍ତର ଥିବ, ସେବେ ଲୋକ କଣ କର୍ଫ୍ୟୁ ଭାଙ୍ଗି ରାସ୍ତାକୁ ଓହ୍ଲାଇବେ ଓ ଯାତ୍ରା ଦେଖି ଯିବେ? କେତେ ଲୋକ ଯିବେ, ତାହା ବଡ଼ କଥା ନୁହେଁ, ଆଇନକୁ ଖୋଲାଖୋାଲି ଭାଙ୍ଗିବା ଲାଗି ସରକାର ନିଜେ ଅନୁମତିଟିଏ କିଭଳି ଦେଲେ, ତାହା ହଜମ ହେଉନାହିଁ। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦସ୍ତଖତରେ ଜାରି ଏହି ନିର୍ଦେଶ ବିପର୍ଯ୍ୟୟ ପରିଚାଳନା ଆଇନ ସହିତ ଯୋଡି ହୋଇ ରହିଛି। ଏହି ନିୟମ ଯିଏ ଉଲ୍ଲଂଘନ କରିବ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏବେ ଯାତ୍ରା ଦେଖିବାକୁ ଯେଉଁମାନେ ଯିବେ, ସେମାନଙ୍କ ବିରୋଧରେ ସରକାର ମକଦ୍ଦମା କରିବେ ନା ତାଙ୍କ ପାଇଁ ଏହି ଆଇନ ଲାଗୁ ହେବ ନାହିଁ?

ଏହି ବ୍ୟବସ୍ଥାରେ ଥିବା ଅନ୍ୟ ଗୋଟିଏ ଅସଙ୍ଗତି ବି ତାଜୁବ୍ କରୁଛି। ରାଜ୍ୟ ସରକାର ଫିଲ୍ମ ହଲରେ ଗୋଟିଏ ରୁଦ୍ଧ କୋଠରୀରେ ୫୦ ପ୍ରତିଶତ ଲୋକଙ୍କୁ ବସିବାକୁ ଅନୁମତି ଦେଲେ। ଯାତ୍ରା, ରଙ୍ଗମଞ୍ଚରେ ବି। ଅନୁରୂପ ଭାବେ କୋଭିଡ୍ କଟକଣା ଭିତରେ ସିନେମା ହଲ୍ ଖୋଲିବାକୁ ବି କୁହାଗଲା। ଏସବୁ ସ୍ଥାନରେ କଟକଣା ଭିତରେ ଶହ ଶହ ଲୋକ ଯେବେ ଏକାଠି ହେବେ, ସେବେ ରାଜନୈତିକ ଓ ସାମାଜିକ ସମ୍ମିଳନୀକୁ ମନା କିଆଁ? ଯାତ୍ରା ପଡିଆରେ ଗୋଟିଏ ଗୋଟିଏ ଥରରେ ଶହ ଶହ ଲୋକ ଏକାଠି ହୁଅନ୍ତି। ୫୦ ପ୍ରତିଶତ ହେଲେ ବି ଶତାଧିକ ଲୋକ ବେଶ୍ କେଇ ଘଣ୍ଟା ଧରି ଏକାଠି ବସିବେ। ସେବେ ରାଜନୈତିକ ସଭାରେ ଓ ସାମାଜିକ ସଭାରେ ବସିଲେ, କଣ କରୋନା ମାଡିଯିବ କି? କେବଳ ସେତିକି ନୁହେଁ, ଫିଲ୍ମ ହଲରେ ବି ତ ବସିବେ ନା?ସେଠି ଯଦି କରୋନା ହେବନାହିଁ ବୋଲି ରାଜ୍ୟ ସରକାରଙ୍କ ହୃଦବୋଧ ହେଉଛି, ତେବେ ରାଜନୈତିକ ଓ ସାମାଜିକ ସଭାରେ ନିର୍ଦିଷ୍ଟ ସଂଖ୍ୟକ ଲୋକର କଟକଣା କାହିଁକି?

ଏମିତିରେ ବି ରାଜନୈତିକ ନେତା ଓ ସଭାମାନଙ୍କରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଇନର ଉଲ୍ଲଂଘନ ହେଇଚାଲିଛି। ରାଜ୍ୟ ସରକାର ଏହି ଆଇନ ଭାଙ୍ଗିଥିବା କେତେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ଯଦି ରାଜନୈତିକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସାହସ ସରକାରୀ ବାବୁମାନଙ୍କର ନାହିଁ, ଏହି ଆଇନ, ନାଲିଆଖି, କାର୍ଯ୍ୟାନୁଷ୍ଠାନ କେବଳ ସାଧାରଣ ଓ ନିରୀହ ଲୋକଙ୍କ ପାଇଁ କି? ରାଜ୍ୟରେ କଣ ଦୁଇ ପ୍ରକାର ଆଇନ ଚାଲିବ? ଯଦି ନା, ଆଇନ ଭାଙ୍ଗିଥିବା କେତେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?

ବୃକ୍ଷରୋପଣ ଠାରୁ ଆରମ୍ଭକରି ରାଜନୈତିକ ସମୀକ୍ଷା ଆଳରେ ନେତା, ସାମାଜିକ ସଂଗଠନ ଖୋଲାମେଲା ଆଇନ ଫାଙ୍କୁଛନ୍ତି। ସମୁଦାୟ ପ୍ରଶାସନ ସେମାନଙ୍କୁ ଏସବୁ ପ୍ରତି ଆଖିବୁଜି ଦେଇଛି। ଯଦି ଆଇନ ଅନୁପାଳନରେ ସ୍ବଚ୍ଛତା ରକ୍ଷା କରିବାରେ ସରକାରଙ୍କର ଆନ୍ତରିକତା ନାହିଁ, ତେବେ ଲାଗୁ କରୁଛନ୍ତି କାହିଁକି? ଗୋଟିଏ କଠୋର ଆଇନକୁ ଭାଙ୍ଗିବାକୁ ସୁଯୋଗ ଦେଇ ସରକାର କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି? ବିପର୍ଯ୍ୟୟ ପରିଚାଳନା ଆଇନ ଭାଙ୍ଗିବା ଦୋଷାବହ ନୁହେଁ, ଏମିତି କି? ଅନ୍ୟଥା ନିରବ ସମର୍ଥନ କାହିଁକି?କାହିଁକି ସେ ଆଇନକୁ ସରକାର ପ୍ରତ୍ୟାହାର କରୁନାହାନ୍ତି, ଯଦି କଟକଣାରେ ଲଗାଇପାରିବେ ନାହିଁ।

ଏଠାରେ ଉଲ୍ଲେଖଥାଉକି, ପୁରୀ ରଥଯାତ୍ରାରେ କର୍ଫ୍ୟୁକୁ ଖୋଲା ଉଲ୍ଲଂଘନ କରାଗଲା। ଏମିତି ଉଦାହରଣ ଆଗରୁ କେବେ କେଉଁଠି ହୋଇନଥିବ। ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ କେହି ଏହି ନିୟମକୁ ମାନିଲେ ନାହିଁ ବରଂ ଦଳିଚକଟି ଦେଲେ। ସେଠି ଅନ୍ୟ ଗୋଟିଏ ବଡ ନିର୍ଦେଶନାମା ବି ବଳବତ୍ତର ରହିଛି। ତାହା ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦେଶ। ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଦେଉଥିବା ଆଦେଶନାମାରେ ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି କିଭଳି କଟକଣା ରହିବ।

ମୁଖ୍ୟସଚିବ, ଡିଜିଙ୍କ ଠାରୁ ଆରମ୍ଭ କରି ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଯେବେ ଦୁଇ ଦୁଇଟି ନିର୍ଦେଶନାମାର ପାଳନ କରାଗଲାନାହିଁ, ସେବେ ବରିଷ୍ଠ ପଦାଧିକାରୀମାନେ ସଚିବାଳୟରେ ବସି କଣ କରୁଛନ୍ତି? କାହାକୁ ଓ କେଉଁ ଆଇନକୁ ସୁରକ୍ଷା ଦେବା ପାଇଁ ସେମାନେ ସେଠି ବସିଛନ୍ତି? ଯଦି ଆଇନ ଭଙ୍ଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ପ୍ରଶାସନ ପଛଘୁଞ୍ଚା ଦେଲା, ସେବେ ସଚିବାଳୟର ବଡ ବାବୁମାନେ ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କାହିଁକି? ସ୍ବତନ୍ତ୍ର ରିଲିଫ୍ କମିସନର ଜାରି କରିଥିବା ତାଙ୍କ ଆଦେଶନାମା କିଭଳି ପାଳନ କରାଗଲା, ତାହାକୁ ଥରେ ଯାଞ୍ଚ କରିବେନି? ତାହାର ସମୀକ୍ଷା ହେବନି? ଯଦି ଏସବୁ ହେବନି, ସେବେ ଖାଲି ଦୋଷ ଛଡାଇବା ପାଇଁ ଆଇନ କାହିଁକି ଲାଗୁ ହେଉଛି?

ଯେଉଁ ପ୍ରଶ୍ନଟି ଆମକୁ ସବୁଠାରୁ ବେଶୀ ଆନ୍ଦୋଳିତ କରୁଛି, ତାହା ହେଲା, ଜଣେ ଇସ୍କନ ଭକ୍ତ ଆଇନକୁ ଭାଙ୍ଗୁଥିବା ସଂକ୍ରାନ୍ତରେ ୟୁଟ୍ୟୁବରେ ସମୁଦାୟ ଦେଶକୁ ଜଣାଇଲେ। ପ୍ରଶାସନର ସୁରକ୍ଷା ବଳ ଭିତରେ ଯେବେ ଏ ଘଟଣା ଘଟିଲା, ସେବେ ବାବୁମାନେ ଚୁପ୍ ବସିବେ? ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କଣ କାର୍ଯ୍ୟାନୁଷ୍ଠାନ ନେବାକୁ ଅସମର୍ଥ? କିଏ ସେହି ବାବୁମାନେ ଯିଏ ସଂପୃକ୍ତ ଇସ୍କନ ଭକ୍ତଙ୍କୁ ଅନୁମତି ଦେବା ଲାଗି ବାଟ କାଢିଲେ?ପ୍ରଶାସନ ବା ରାଜନୀତିରେ ସେ ମୁଣ୍ଡିଆଳମାନେ କିଏ, ଯିଏ ସଙ୍ଗୀତଜ୍ଞ, ଖଣିମାଲିକ ଆଦିଙ୍କ ଆଇନ ଉଲ୍ଲଂଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ସଙ୍କେତ ଦେଇଛନ୍ତି? ଏସବୁ ଚେହେରା ତ ରାଜ୍ୟ ସାମ୍ନାକୁ ଆସିବା ଦରକାର। ହାତଗଣତି କିଛି ଲୋକଙ୍କ ପାଇଁ କଣ ସବୁକିଛି ମାଫ୍?

ଯଦି କେହି ଚାପ ପକାଇନାହାନ୍ତି, ପୁରୀ ପ୍ରଶାସନ କାହିଁକି ଚୁପ୍ ବସିଛି। ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି, ସେମାନଙ୍କ ବିରୋଧରେ ତେବେ କାହିଁକି ପଦକ୍ଷେପ ନିଆଯିବ? ବିଶ୍ବ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାମ୍ନାରେ ବି ପ୍ରଶାସନ ଦି’ ପ୍ରକାର ଭୂମିକାରେ ରହିବ?ସେଠି ବି ଗୋଟିଏ ଦୃଢ ମନୋବଳ ଧରି ପ୍ରଶାସନ ନିଜ ଆଇନକୁ ପାଳନ ଲାଗି ଆଗ୍ରହ ଦେଖାଇବନି?

ଆଇନର ଧାରକୁ ଦୁର୍ବଳ କରୁଥିବା ସରକାରୀ ବଡବାବୁମାନେ ଦାୟୀ ନା ଆଇନ ସଂପର୍କରେ ନ ଜାଣି ଭାଙ୍ଗୁଥିବା ଲୋକ ଦୋଷୀ?

Leave A Reply

Your email address will not be published.