ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ନିର୍ମଳ, ଜଗନ୍ନାଥଙ୍କ ପାଇଁ କାହାର ଏତେ ପ୍ରେମ ଝରୁଛି?

0

ଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି

ଗାଁ ଗାଁରେ ସରକାରଙ୍କ ବିରୋଧର ଅସନ୍ତୋଷ ବଢିଲାଣି

ଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଥମିବାର ନା ଧରୁନି

ନିର୍ମଳ ଓ ଜଗନ୍ନାଥ ନୈତିକତା ମୁଣ୍ଡାଇ ନିଜ ଆଡୁ ଇସ୍ତଫା ଦେଉନାହାନ୍ତି

ରାଜ୍ୟ ସରକାରଙ୍କ ବଡ ବାଡୁମାନଙ୍କର ଗେହ୍ଲାପୁଅ ଥିଲେ କି ନିର୍ମଳ

ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିସନ ସଂସ୍ଥାଟି ବଦନାମ ହୋଇଗଲା

୨୦୧୯ ନିର୍ବାଚନ ପୂର୍ବରୁ ନିର୍ମଳ ବଡଚଣା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଘଟଣାର ତଦନ୍ତ ଇଡି କରୁ କି ଭିଜିଲାନ୍ସ, ତାହା ବହୁତ ବଡ଼ ପ୍ରସଙ୍ଗ ନୁହେଁ। ଯେଉଁ କଥାଟି ଏବେ ଓଡ଼ିଶାର ଘରେ ଘରେ ଆଲୋଚନା ହେଉଛି, ତାହା ହେଉଛି, ରାଜ୍ୟ ସରକାରଙ୍କ କର୍ମଚାରୀ ନିଯୁକ୍ତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଥିବା ଷ୍ଟାଫ୍ ସିଲେକ୍ସନ କମିସନ ସମ୍ପୂର୍ଣ୍ଣ ସନ୍ଦେହ ଭିତରେ। ବିରଞ୍ଚି ସାହୁ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ ବି ଏହା ଯଥେଷ୍ଟ ନୁହେଁ। କାରଣ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କର ଅଭୟ ଆଶୀର୍ବାଦ ରହିଥିବା କାରଣରୁ ବିରଞ୍ଚି ଭଳି ଜଣେ ସାଧାରଣ କର୍ମଚାରୀ ଏଠାରେ ବର୍ଷ ବର୍ଷ ଧରି ରାଜୁତି କରି ଆସୁଥିଲେ ଓ ସରକାରୀ ନିଯୁକ୍ତିକୁ ବାଟବଣା କରୁଥିବା ଅଭିଯୋଗ ଆସିଛି। ଏଥିସହିତ ଏହି ଗୋଟିଏ କଥା ଏବେ ଷ୍ଟାଫ୍ ସିଲେକ୍ସନ କମିସନର ଭାବମୂର୍ତିକୁ ଜାଳିପୋଡି ଦେଇଛି। କମିସନ ପୂରା ବଦନାମ୍।

ହେଲେ ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି, ଷ୍ଟାଫ୍ ସିଲେକ୍ସନ କମିସନର ଅଧ୍ୟକ୍ଷ ନିର୍ମଳ ମିଶ୍ର ଏବଂ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କର ସାମାନ୍ୟତମ ନୈତିକତା ବୋଲି କିଛି ନାହିଁ। ଅନ୍ୟଥା ସରକାର ଅକଳରେ ପଡିସାରିଲା ପରେ ପଦବିରୁ ଇସ୍ତଫା ଦେବା ଲାଗି ସେମାନେ କୁନ୍ଥ କୁନ୍ଥ କାହିଁକି? ଅନ୍ୟପକ୍ଷରେ ଯେଉଁ କଥାଟି ଆହୁରି ଆନ୍ଦୋଳିତ କରୁଛି, ତାହା ହେଲା ରାଜ୍ୟ ଭିଜିଲାନ୍ସ ବିଭାଗ ଉଭୟ ଅଧ୍ୟକ୍ଷ ଏବଂ ସଦସ୍ୟଙ୍କୁ ଏହି ଘଟଣାରେ କେବେ ପଚରାଉଚରା କରିବ? ରାଜ୍ୟ ସରକାର ସେମାନଙ୍କୁ ଏହି ପଦବିରୁ ହଟିବା ଲାଗି ସଙ୍କେତ କାହିଁକି ଦେଉନାହାନ୍ତି? କିଏ ଓ କାହିଁକି ରାଜ୍ୟ ସରକାରଙ୍କ ଏହି ଅଙ୍ଗଟି ବିଶ୍ବସନୀୟତା ହରାଉ ବୋଲି ଚାହୁଁଛନ୍ତି? ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ପଛଘୁଞ୍ଚା କାହିଁକି ଦେଉଛନ୍ତି? ଏମିତି ମାଳ ମାଳ ପ୍ରଶ୍ନ ଏବେ ସବୁ ମହଲକୁ ଆନ୍ଦୋଳିତ କରୁଛି।

ଓଡ଼ିଶାରେ ଏହି ପ୍ରସଙ୍ଗଟି ଏଭଳି ରୂପ ନେବାରେ ଲାଗିଛି ଯେ ଗାଁ ଗଣ୍ଡା ସବୁଠି ଏବେ ଏହାକୁ ନେଇ ଆଲୋଚନା ଚାଲିଛି। କାରଣ ଗାଁ ଗଣ୍ଡାର ସବୁ ପାଠପଢା ପିଲା ଯେବେ ପ୍ରଥମେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରନ୍ତି, ତାଙ୍କ ଦୃଷ୍ଟି ଷ୍ଟାଫ୍ ସିଲେକ୍ସନ କମିସନ ଉପରେ ହିଁ ନିବଦ୍ଧ ଥାଏ। କେବଳ ସେତିକି ନୁହେଁ, ସେମାନଙ୍କ ଅଭିଭାବକମାନେ ମଧ୍ୟ ଏହି ସଂସ୍ଥା ସଂପର୍କରେ ଜାଣିଥାନ୍ତି। ଏଣୁ କମିସନର ଏହି କେଳେଙ୍କାରୀ ସବୁ ପରିବାରରେ ପହଞ୍ଚି ସାରିଲାଣି। ଓଡ଼ିଶା ଭଳି ଗୋଟିଏ ରାଜ୍ୟ, ଯେଉଁଠାରେ ବେକାରୀ ବା ବେରୋଜଗାରି ହାର ଜାତୀୟ ହାର ଠାରୁ ଢେର୍ ଉପରେ ରହିଛି, ସେଠାରେ ନିଯୁକ୍ତି କ୍ଷେତ୍ରରେ କେଳେଙ୍କାରୀ ଅର୍ଥ ଏହା ଅତ୍ୟନ୍ତ ଜଘନ୍ୟ ଏବଂ ଗୁରୁତର ବି। ଏହାକୁ ରାଜ୍ୟ ସରକାର ଅନ୍ୟ କୌଣସି କେଳେଙ୍କାରୀ ବା ଦୁର୍ନୀତିର ସମକକ୍ଷ ବା ସେଭଳି ଏକ ଘଟଣା, ଆପେ ହଟିଯିବ ବୋଲି ଭାବିବା ଅନୁଚିତ୍। ବରଂ ଏହା ରାଜ୍ୟ ସରକାରଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଧିକ ରଖୁଛି।

ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ରାଜ୍ୟ ସରକାର ଯଦି ତୁରନ୍ତ ଏସବୁ ନିଯୁକ୍ତି କମିସନଙ୍କ କ୍ଷେତ୍ରରେ କଠୋର ପଦକ୍ଷେପ ନ ନିଅନ୍ତି, ତାହା ଗମ୍ଭୀର ରୂପ ନେଇପାରେ। ରାଜନୈତିକ ଦଳ ଏହି ପ୍ରସଙ୍ଗରେ ଆନ୍ଦୋଳନ କରନ୍ତୁ ଅଥବା ନିରବ ରୁହନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ। କାରଣ ସାଧାରଣ ଲୋକଙ୍କ ପାଖରେ ପ୍ରସଙ୍ଗଟି ଅତି ସହଜରେ ପହଞ୍ଚି ଯାଇ ସାରିଲାଣି। ଯୁବ ବର୍ଗ ଏଥିରେ ଅତ୍ୟନ୍ତ ଅସନ୍ତୋଷ ଝାଡୁଛନ୍ତି। ସାମାଜିକ ଗଣମାଧ୍ୟମରେ ଆସୁଥିବା ପ୍ରତିକ୍ରିୟା ମଧ୍ୟରୁ ଗୋଟିଏ ବି ସରକାରଙ୍କ ସପକ୍ଷରେ ନାହିଁ।

ଯେଉଁ ଦୁଇ ଜଣ ଅଧିକାରୀ ଏବେ କମିସନରେ ଅଧ୍ୟକ୍ଷ ବା ସଦସ୍ୟ ଅଛନ୍ତି, ଏମାନେ ଅବସର ପରେ ନିଯୁକ୍ତି ପାଇଛନ୍ତି। ୨୦୧୯ ନିର୍ବାଚନରେ ନିର୍ମଳ ମିଶ୍ର ବଡ଼ଚଣା ନିର୍ବାଚନମଣ୍ଡଳୀରେ ଶାସକ ଦଳର ପ୍ରାର୍ଥୀ ହେବେ ବୋଲି ଗୋଟିଏ ଚର୍ଚ୍ଚା ଜୋର ଧରିଥିଲା। ଅର୍ଥାତ୍ ତାଙ୍କର ରାଜନୀତି କରିବାର ଇଚ୍ଛା ଥିଲା। ଏଭଳି ଜଣେ ବ୍ୟକ୍ତିଙ୍କୁ ସରକାର ନିଯୁକ୍ତି କମିସନରେ ବସାଇଲେ କେମିତି? କେବଳ ସେତିକି ନୁହେଁ, ଏତେ ଘଟଣା ଘଟିବା ପରେ ରାଜ୍ୟ ସରକାର ସେମାନଙ୍କୁ (ଉଭୟ ନିର୍ମଳ ଏବଂ ଜଗନ୍ନାଥ)ଙ୍କୁ ଯେଉଁଭଳି ଭାବେ ନିରାପତ୍ତା ଯୋଗାଇ ଦେଇ ଏଯାଏ ବରଦାସ୍ତ କରିଛନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଲକ୍ଷ ଲକ୍ଷ ଲୋକଙ୍କ ଭାବନା, ବିଚାର ବନାମ ଦୁଇ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଥଇଥାନ ଚିନ୍ତା ମଧ୍ୟରୁ ସରକାର କାହା ପକ୍ଷ ନେଉଛନ୍ତି, ତାହା ଉପରେ ଏବେ ସମୁଦାୟ ଘଟଣାର ଦିଗ ନିର୍ଣ୍ଣୟ କରୁଛି।

ଏଠାରେ ଉଲ୍ଲେଖଥାଉକି, ସେ କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଏମାନେ ସମସ୍ତେ ଏବେ ଅବସରପରେ ଯେଭଳି ପୁନଃ ନିଯୁକ୍ତିରେ ମାତିଛନ୍ତି, ତାହାକୁ ନେଇ ଗୋଟିଏ ବିତର୍କ ମୁଣ୍ଡ ଟେକିଲାଣି। ଏହାଦ୍ବାରା ଯୁବ ବର୍ଗ ବା ଅନେକ ଅଯୋଗ୍ୟ ସବୁବେଳେ ବଞ୍ଚିତ ହୋଇ ଆସୁଛନ୍ତି। ହେଲେ ସରକାରମାନେ କିନ୍ତୁ ବେଫିକର ଥିଲେ। ଏବେ ଷ୍ଟାଫ୍ ସିଲେକ୍ସନ କମିସନ ପ୍ରସଙ୍ଗ ପରେ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ବଢିଯାଇଛି। ସମୁଦାୟ ପ୍ରସଙ୍ଗଗୁଡିକ ଏବେ ଚର୍ଚ୍ଚା ଭିତରକୁ ଆସିଛି, ଯାହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ବଡ ପ୍ରସଙ୍ଗ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Leave A Reply

Your email address will not be published.