ଭୁବନେଶ୍ବର: ଶୁକ୍ରବାର ଦିନ ଅବକାରୀ ବିଭାଗ ବାଲେଶ୍ବର ଜିଲ୍ଲାରୁ ୧୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ତିନି ଦିନ ତଳେ ପୁଲିସ ସେହି ଜିଲ୍ଲାରୁ ୫୦ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ଅଗଷ୍ଟ ତୃତୀୟ ସପ୍ତାହରେ ସ୍ପେସାଲ ଟାସ୍କ ଫୋର୍ସ ଜଳେଶ୍ବର ନିକଟରୁ ପାଖାପାଖି ଅଢେଇ କେଜି ବ୍ରାଉନସୁଗାର ଜବତ କରିଥିଲା। ଏହାର ଅଳ୍ପ କେଇ ଘଣ୍ଟା ପରେ ଭୁବନେଶ୍ବରରେ ପୁଲିସ ୨୭୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା।
ଏମିତି ତାଲିକା ଦେଉଥିଲେ ଲମ୍ବି ଚାଲିଥିବ। ଅଧିକାଂଶ ଦିନ ରାତି ପାହିଲା ବେଳକୁ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍, ପୁଲିସ ଓ ଅବକାରୀ ବିଭାଗ ଯେଭଳି ବ୍ରାଉନସୁଗାର ଜବତ କରୁଛନ୍ତି, ତାହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ଉଭୟ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବ୍ୟାପକ ବ୍ରାଉନସୁଗାର କାରବାର ଚାଲିଛି। ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନିଶା ବ୍ୟବସାୟୀମାନେ ପ୍ରତି ଦିନ କୋଟି କୋଟି ଟଙ୍କାର ନିଶା କାରବାର କରୁଛନ୍ତି। ପୂରା ରାକେଟ୍ ଯେମିତି ଏବେ ଓଡ଼ିଶାରେ ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଅଛନ୍ତି, ସେହିଭଳି ଏକ ଧାରଣା ହେଲାଣି। ବାଲେଶ୍ବର ଠାରୁ ଭୁବନେଶ୍ବର, ପୁରୀ ଯାଏ ଏମାନେ ଏବେ ମାତି ଉଠିଛନ୍ତି।
କେବଳ ଯେ ଉତ୍ତର ବା ଉପକୂଳ ଓଡ଼ିଶାରେ ନିଶା କାରବାର ବୃଦ୍ଧି ପାଇଛି ତା ନୁହେଁ, କନ୍ଧମାଳରୁ କୋରାପୁଟ ଯାଏ ଗଞ୍ଜେଇ ଚାଷ ଏବଂ ପଶ୍ଚିମ ଓଡ଼ିଶାରେ ବ୍ୟାପକ ପରିମାଣରେ କଫ୍ ସିରଫ୍ (ନିଶା ପାଇଁ) କାରବାର ଚାଲିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ବଲାଙ୍ଗୀର ଜିଲ୍ଲାରେ ଗତବର୍ଷ ପାଖାପାଖି ୧୮୦୦ରୁ ଅଧିକ ବୋତଲ୍ କଫ୍ ସିରଫ ଜବତ ହୋଇଥିବା ବେଳେ ଏହା ପରଠାରୁ ଆଉ ସେଭଳି ବଡ ଧରଣର ରେଡ୍ ହୋଇନାହିଁ। ଏସବୁ ପ୍ରମାଣ କରିଦେଲାଣି ଯେ ଓଡ଼ିଶା ଏବେ ନିଶାମାଫିଆଙ୍କ କବଳକୁ ଠେଲି ହୋଇଗଲାଣି। ରାଜ୍ୟ ସରକାରଙ୍କ ବିଭିନ୍ନ ଓ୍ବିଙ୍ଗ୍ ତନାଘନା କରୁଥିଲେ ହେଁ କିଛି ବ୍ୟକ୍ତିଙ୍କ ସହିତ ସଲାସୁତୁରାରେ ହେଉ କିମ୍ବା କୌଣସି ଅଜଣା ଶକ୍ତି ଦ୍ବାରା ବଳବାନ୍ ହୋଇ ଏହି ବେପାରୀମାନେ ଏବେ ଓଡ଼ିଶାରେ ବେଧଡକ ନିଶା କାରବାର କରୁଛନ୍ତି, ଏକଥାକୁ ଅସ୍ବୀକାର କରିହେବ ନାହିଁ।
ନିକଟରେ ଆସିଥିବା ଏକ ତଥ୍ୟ ବୟାନ କରୁଛି ଯେ ୨୦୨୦ ପରଠାରୁ ପ୍ରାୟ ୧୨୨ କୋଟି ଟଙ୍କାର ବେଆଇନ୍ ବା ନିଷିଦ୍ଧ ନିଶା ଜବତ ହେଲାଣି। ଯଦି ଜବତ ପରିମାଣ ଏତେ, ତେବେ କାରବାର ପରିମାଣ ଏହାର କେଇଗୁଣ ହୋଇଥିବ, ତାହା ଯେ କେହି ଅନୁମାନ ଲଗାଇପାରିବ। ଅବକାରୀ ବିଭାଗ, ପୁଲିସ କଥା ଛାଡ, କେବଳ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଏତିକି ପରିମାଣର ନିଶା ଜବତ କଲାଣି। ପାଖାପାଖି ୩୮ କିଲୋଗ୍ରାମ୍ ବ୍ରାଉନସୁଗାର ଏବଂ ୮୪ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛନ୍ତି। ୧୦୦ରୁ ଅଧିକ ମାଫିଆଙ୍କୁ ସେମାନେ ଗିରଫ କରିବା ପରେ ବି କାରବାର ଥମୁନି କିମ୍ବା ଏହାର ପ୍ରଭାବ କମିବା ଭଳି ମନେ ହେଉନାହିଁ।
ଗୋଟିଏ ପଟେ ନୂଆ ଓଡ଼ିଶା ଗଠନ ଲାଗି ରାଜ୍ୟ ସରକାର ସଂକଳ୍ପ ନେଇ ବିକାଶର ରାସ୍ତା ଖୋଲୁଥିବା ବେଳେ ଅନ୍ୟପଟେ ନିଶା ମାଫିଆ ସକ୍ରିୟ ହେବା ଘଟଣାକୁ ହାଲୁକା ଭାବେ ନେଇହେବ ନାହିଁ। ଏହି ଗୋଷ୍ଠୀ ଓଡ଼ିଶାକୁ ତଳିତଳାନ୍ତ କରିଦେବା ସମ୍ଭାବନା ଅଧିକ। ହେଲେ ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗ ଠାରୁ ଆରମ୍ଭ କରି ପୁଲିସ ବିଭାଗ ଏସବୁ ମାମଲାର ମୂଳଯାଏ ପହଞ୍ଚି ପାରୁନାହିଁ କାହିଁକି? କାହିଁକି ଗିରଫ ହୋଇପାରୁନାହାନ୍ତି କିଙ୍ଗ୍ପିନ୍। କାହା ବଳରେ ସେମାନେ ବଳୀୟାନ୍?
ଗଞ୍ଜେଇ କଥା ନ କହିବା ଭଲ। ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶା ଏବେ ଏହାର ଚରାଭୂଇଁ ପାଲଟିଛି। ଓଡ଼ିଶାରୁ ଗଞ୍ଜେଇ ନୂଆଦିଲ୍ଲୀ, ହାଇଦ୍ରାବାଦଠାରୁ ଆରମ୍ଭ କରି ଛତିଶଗଡ, ମୁମ୍ବାଇ ପ୍ରମୁଖ ସହର ଯାଏ ଯାଉଥିବା ସଂକ୍ରାନ୍ତରେ ମାଳ ମାଳ ଅଭିଯୋଗ ଏବେ ଦେଶର ବିଭିନ୍ନ ଥାନାରେ ରହିଛି। ନିକଟରେ ବିଶିଷ୍ଟ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓଡ଼ିଶାର ଗଞ୍ଜେଇ ଭଲ ବୋଲି ମତ ଦେଇ ଚହଳ ସୃଷ୍ଟି କରିଥିଲେ। କୋରାପୁଟ ଠାରୁ କନ୍ଧମାଳ ଯାଏ ମାଓବାଦୀଙ୍କ ପାଖରେ ଅର୍ଥ ଠୁଳ କରିବାରେ ଏହି ଗଞ୍ଜେଇ ବି ଏକ ବଡ ମାଧ୍ୟମ ହୋଇଛି। କିଛି ଗଛ ନଷ୍ଟ କରିଦେବା, ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରି ପୁଲିସ କିନ୍ତୁ ଅଟକିଯାଉଛି। ଏହି ରାକେଟର ଚେର କେଉଁଠି ତାହା ଠାବ ହୋଇପାରୁନି।
ସବୁଠାରୁ କୌତୂହଳର କଥା ହେଲା, ପୁଲିସ ଏତେ ଗଞ୍ଜେଇ ନଷ୍ଟ କଲୁ, ସେତେ ଗଞ୍ଜେଇ ନଷ୍ଟ କଲୁ ବୋଲି ଗୋଟିଏ ତଥ୍ୟ ଦେଇ ଗଣମାଧ୍ୟମରେ ବାହାଦୁରୀ ନେଇଛନ୍ତି। କିନ୍ତୁ ତା ପରବର୍ଷ ଠିକ୍ ସେତିକି ବା ତା ଠାରୁ ଅଧିକ ଗଞ୍ଜେଇ ଜବତ ହେଉଛି ବା ନଷ୍ଟ ହେଉଛି। ଅର୍ଥାତ୍ ଅପରାଧୀମାନେ ଏ କ୍ଷେତ୍ରରେ ପୁଲିସକୁ ଆଦୌ ଡରୁନାହାନ୍ତି। କିଛି କ୍ଷେତ୍ରରେ ପୁଲିସର ଭୂମିକା ମଧ୍ୟ ସାମ୍ନାକୁ ଆସୁଛି। ତା ଉପରେ ବି ପୁଲିସ ମୁଖ୍ୟାଳୟ ଯେଭଳି କାର୍ଯ୍ୟାନୁଷ୍ଠାନ ନେବା କଥା ତାର ନଜିର ନାହିଁ।
ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ, ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଥରୁଟିଏ ଏ ସଂକ୍ରାନ୍ତରେ ବୈଠକ କଲେଣି କି? ସରକାରଙ୍କ ବାମ ହାତ କଣ କରୁଛି, ଡାହାଣ ହାତ ଜାଣିପାରୁନି। ଏଣୁ ଏହାର ଫାଇଦା ମାଫିଆ ନେବେନି ତ ଆଉ କିଏ ନେବ?