ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ମାଡିଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶାକୁ ଅଧିକ ବିପଦ

0

ଭୁବନେଶ୍ବର: ମେ’ ମାସରେ ଉତ୍ତର ଉପକୂଳରେ ଧ୍ବଂସର ତାଣ୍ଡବ ରଚନା କରିଥିଲା ଅତି ଭୀଷଣ ବାତ୍ୟା ୟାସ୍। ୪ମାସ ପରେ ପୁଣି ଗୋଟିଏ ବାତ୍ୟା ଭୟ ସୃଷ୍ଟି ହୋଇଛି। ବାତ୍ୟା ଆତଙ୍କରେ ରାଜ୍ୟବାସୀ ଏବେ ପୁିଣି ଆତଙ୍କିତ ହୋଇପଡିଛନ୍ତି। କାହିଁକି ନା ମାଡି ଆସୁଛି ବାତ୍ୟା ଗୁଲାବ୍। ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଇତିମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇସାରିଛି। ଆସନ୍ତା ୬ ଘଣ୍ଟାରେ ଏହା ବାତ୍ୟାର ରୂପ ନେଇପାରେ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ‘ଗୁଲାବ’ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୧୮ ତିତଲି ବାତ୍ୟା ଓ ଘଟିଥିବା କ୍ଷୟକ୍ଷତିକୁ ନଜରରେ ରଖି ପ୍ରସ୍ତୁତି କରିବା ଲାଗି ଜିଲ୍ଲାପାଳମାନଙ୍କୁ ଏସ୍ଆରସି ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ୨୬ ସନ୍ଧ୍ୟାରେ ଏହା ଗୋପାଳପୁର ଦେଇ ଆଗକୁ ବଢିବ ଓ କଳିଙ୍ଗପଟନମ୍ ପାଖରେ ସ୍ଥଳଭାଗ ଛୁଇଁବ।ଏଣୁ ରବିବାର ଓ ସୋମବାର ବର୍ଷାର ପରିମାଣ ଅଧିକ ରହିବ। ଏଣୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମାଞ୍ଚଳରେ ଥିବା ଜିଲ୍ଲାକୁ ସତର୍କ କରାଯାଇଛି। ଏସବୁ ଅଞ୍ଚଳରେ ଥିବା ନଦୀରେ ବନ୍ୟା ଆସିପାରେ। ଉପକୂଳରେ ମଧ୍ୟ ବର୍ଷା ହେବ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଇତିମଧ୍ୟରେ ଲଘୁଚାପ କ୍ଷେତ୍ରଟି ଗଭୀର ଅବପାତରେ ପରିଣତ ହୋଇ ୧୪ କିମି ବେଗରେ ଆଗକୁ ମାଡି ଆସୁଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ଗୋପାଳପୁରଠୁ ୪୭୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ ପୂର୍ବକୁ ରହିଛି। କଳିଙ୍ଗପଟ୍ଟନମର ପୂର୍ବରେ ଏବେ ୫୪୦ କିମି ଦୂରରେ ଏବେ ଏହା ଅବସ୍ଥିତ। ସ୍ଥଳଭାଗ ଅତିକ୍ରମ କଲା ସମୟରେ ପବନର ବେଗ ୭୦ରୁ ୯୦ କିଲୋମିଟର ମଧ୍ୟରେ ରହିବ। ବିଶାଖପାଟଣାରୁ କଳିଙ୍ଗପଟ୍ଟନମ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ପରେ ବର୍ଷା ଆରମ୍ଭ ହୋଇଯିବ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୬ ତାରିଖରେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଗଞ୍ଜାମ, ରାୟଗଡ଼ା,ଗଜପତି ଭଳି ୪ ଜିଲ୍ଲାରେ ପ୍ରବଳରୁ
ଅତି ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖ ପର୍ଯ୍ୟନ୍ତ ସମୂଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି ଏସଆରସି ଜିଲ୍ଲାପାଳଙ୍କ ସହ ଭିସି (ଭିଡଓ କନଫରେନ୍ସିଂ) ଜରିଆରେ ବୈଠକ କରି ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସାମୁଦ୍ରିକ ଝଡ ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଶ୍ରୀ ଜେନା ସତର୍କ କରାଇବା ସହିତ ବନ୍ୟା, ଜଳବନ୍ଦୀ, ଭୂସ୍ଖଳନ, ପବନ କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।

ବାତ୍ୟା ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ଯେକୌଣସି ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଅଛୁ। ପାହାଡିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଉଛି। ସମୁଦ୍ର କୂଳ ନଯିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ୨ ଦିନ ପାଇଁ ସମୁଦ୍ର କୂଳକୁ କାହାକୁ ଛଡାଯିବନାହିଁ। ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନ ସ୍ଥାନାନ୍ତର କରାଯିବ। ସ୍କୁଲ, ବାତ୍ୟା,ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଉଛି। ଏନଡିଆରଏଫ ଓ
ଓଡ୍ରାଫ ଟିମକୁ ସଜାଗ ରଖାଯିବ।

ବାତ୍ୟା ତିତିଲି ସମୟରେ ଯେଉଁ ସବୁ ଅଂଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ସେସବୁ ଅଂଚଳକୁ ବେଶି ଧ୍ୟାନ ଦିଆଯାଉଛି। ପ୍ରବଳ ବର୍ଷା ହେବାକୁ ଥିବାରୁ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ବାତ୍ୟାକୁ ନଜର ରଖି ଗଜପତି ଜିଲ୍ଲାରେ ସମସ୍ତ ସରକାର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଦର ମହକୁମା ନଛାଡିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.