ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ତୁଳନା ହେଲାଣି, ରାହୁଲ ନା ବରୁଣ କିଏ ପ୍ରଭାବୀ?

0

ନୂଆଦିଲ୍ଲୀ: ବିଜେପି ଛାଡି କଂଗ୍ରେସକୁ ଆସିବେ କି ବରୁଣ ଗାନ୍ଧୀ? ଏମିତି ଏକ ପ୍ରସଙ୍ଗ ଉପରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ ଲଖମିପୁର ଖେରି ଘଟଣାରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ କିଏ ତାଙ୍କୁ ବିଜେପି ଛାଡିବାକୁ ଆହ୍ବାନ ଦେଇଛି ତ ଆଉ କିଏ କଂଗ୍ରେସରେ ଯୋଗଦାନ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏପରିକି ‘କଂଗ୍ରେସକୁ ସ୍ବାଗତ’ ସଂକ୍ରାନ୍ତ ଖବରକୁ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା। ଏହାକୁ ନେଇ କଂଗ୍ରେସ କିଛି ବରିଷ୍ଠ ନେତାଙ୍କୁ ଇତିମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଛି।

କିନ୍ତୁ କେଉଁଠି ନା କେଉଁଠି ଭାରତ ରାଜନୀତିରେ ବରୁଣ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି। ରାଜୀବ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ସଂଜୟ ଗାନ୍ଧୀଙ୍କ ପୁଅ ବରୁଣଙ୍କ ମଧ୍ୟରେ ଲୋକେ ତୁଳନାତ୍ମକ ଚିତ୍ର ଆଙ୍କିଲେଣି। ଗାନ୍ଧୀ ପରିବାରର ଏହି ଦୁଇ ଦାୟଦଙ୍କ ରାଜନୈତିକ ଭବିଷ୍ୟତ ନେଇ ରାଜନୈତିକ ରଣନୀତିକାରମାନେ ତର୍ଜମା ଆରମ୍ଭ କରିଦେଲେଣି। ସୋନିଆଙ୍କ ଆଶୀର୍ବାଦରେ ରାହୁଲ ଯେଭଳି କ୍ଷମତାର ଶୀର୍ଷରେ ତୁରନ୍ତ ପହଞ୍ଚିଲେ ଓ ଖସିଲେ; ବରୁଣଙ୍କୁ ନେଇ ସେମିତି କିଛି ଘଟିନାହିଁ। ତାଙ୍କ ରାଜନୈତିକ ଜୀବନ କିନ୍ତୁ ଅନେକ ଉତ୍ଥାନ ଓ ପତନ ମଧ୍ୟରେ ଆଗକୁ ବଢୁଛି। ଆଗକୁ କିଏ ପ୍ରଭାବଶାଳୀ ସାବ୍ୟସ୍ତ ହେବେ? କିଏ ଗାନ୍ଧୀ ପରିବାରର ନାଁ ରଖିବେ?

ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ଯେବେ ଦଳର ସଭାପତି ଥିଲେ, ସେବେ ବରୁଣ ଗାନ୍ଧୀ ୨୦୦୯ ମସିହାରେ ପ୍ରଥମ ଥର ପାଇଁ ପିଲିଭିଟ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଲୋକସଭାକୁ। ୧୯୮୯ ମସିହାରୁ ଏହି ଆସନରୁ ତାଙ୍କ ମାଆ ସଂସଦକୁ ନିର୍ବାଚିତ ହୋଇ ଆସୁଥିଲେ। ପରେ ବରୁଣ ୨୦୧୪ରେ ସୁଲତାନପୁର ଏବଂ ପୁଣି ଥରେ ପିଲିଭିଟ୍ ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି।

ବରୁଣଙ୍କୁ ରାଜନୈତିକ ଜୀବନରେ ପ୍ରଥମ ଝଟକା ସେବେ ହିଁ ମିଳିଥିଲା, ଯେବେ ତାଙ୍କୁ ପ୍ରଥମ ସଫଳତା ମିଳିଲା। ୨୦୦୯ ମସିହାରେ ପିଲିଭିଟରେ ଗୋଟିଏ ସଭାରେ ସାଂପ୍ରଦାୟିକ ମନ୍ତବ୍ୟ ଦେଇ ସେ ଅତି ବିବାଦରେ ଫସିଥିଲେ। ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା ଓ ତତ୍କାଳୀନ ଉତ୍ତରପ୍ରଦେଶ ସରକାର ମାୟାବତୀ ତାଙ୍କ ନାମରେ ଏନଏସଏ ଲଗାଇ ଦେଇଥିଲେ। ସେ କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ନ୍ୟାୟିକ ହେପାଜତକୁ ଯାଇଥିଲେ। ପରେ ସୁପ୍ରିମକୋର୍ଟ ଏହି ଘଟଣାରେ ଅତ୍ୟନ୍ତ କଟୁ ସମାଲୋଚନା କରିବା ସହିତ ମାୟାବତୀ ସରକାରଙ୍କୁ ନିର୍ଦେଶ ଦେଇଥିଲେ ଯେ ବରୁଣଙ୍କ ବିରୋଧରେ ଏନଏସଏ ଲାଗିପାରିବ ନାହିଁ। ଦୀର୍ଘ ୧୯ଦିନ ଧରି ଜେଲ ହାଜତରେ ରହିବା ପରେ ତାଙ୍କୁ ମୁକ୍ତି ମିଳିଥିଲା।

ବରୁଣଙ୍କୁ ଯେବେ ୨୯ ବର୍ଷ ହୋଇଥିଲା, ସେବେ ରାଜନୈତିକ ରଣନୀତିକାରମାନେ ତାଙ୍କ ସଂପର୍କରେ ଏକ ବଡ ଭବିଷ୍ୟବାଣୀ କରିଥିଲେ। ତାହା ହେଲା ସେ ଯୁବ ହିନ୍ଦୁ ଭୋଟରଙ୍କ ମନର ମଣିଷ ହେବାର କ୍ଷମତା ରଖନ୍ତି। ୨୦୧୧ ମସିହାରେ ବରୁଣ ଜାତୀୟ ରାଜନୀତିରେ କମ୍ପନ ବି ସୃଷ୍ଟି କରିଥିଲେ। ଯେତେବେଳେ ଦୁର୍ନୀତି ବିରୋଧରେ ଆନ୍ନା ହଜାରେ ଆନ୍ଦୋଳନକୁ ଓହ୍ଲାଇଲେ, ଅରବିନ୍ଦ କେଜ୍ରିଓ୍ବାଲ ଗର୍ଜନ ତର୍ଜନ କରୁଥିଲେ, ସେବେ ବରୁଣ ଏହାକୁ ଖୋଲା ସମର୍ଥନ କରିଥିଲେ।

କେବଳ ସେତିକି ନୁହେଁ, ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟାଦେଶକୁ ରାହୁଲ ଚିରି ଫିଙ୍ଗିଦେଇଥିଲେ, ସେବେ ବରୁଣ ହିଁ ପ୍ରଥମ ନେତା ଥିଲେ ଯିଏ ତତ୍କାଳ ଗର୍ଜନ କରି ଏହାକୁ ବିରୋଧ କରିଥିଲେ। ବରୁଣଙ୍କ ଏଭଳି ଆଭିମୁଖ୍ୟ ତାଙ୍କୁ ଭାରତ ରାଜନୀତିରେ ତୁରନ୍ତ ପରିଚିତ କରାଇ ଦେଇଥିଲା। ୨୦୧୩ ମସିହାରେ ଆଉ ଗୋଟିଏ ପ୍ରସଙ୍ଗ ତାଙ୍କୁ ଆଲୋଚନାକୁ ଆଣିଥିଲା। ସେବେ ବରୁଣ ତାଙ୍କର ପାଣ୍ଠିକୁ ଶତ ପ୍ରତିଶତ ଖର୍ଚ୍ଚ କରିବାରେ ଏକମାତ୍ର ସାଂସଦ ଭାବେ ଉଭା ହୋଇଥିଲେ। ସେହିବର୍ଷ ବିଜେପିର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯିବା ସହିତ ପଶ୍ଚିମବଙ୍ଗ ଦାୟିତ୍ବ ଦିଆଯାଇଥିଲା।

କିନ୍ତୁ ବରୁଣ ୨୦୧୩ରେ ଗୋଟିଏ ମସ୍ତବଡ ଭୁଲ କରିବସିଥିଲେ। ଯେବେ ବିଜେପିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ସପକ୍ଷରେ ବାତାବରଣ ସୃଷ୍ଟି କରାଯାଉଥିଲା, ସେବେ ସେ ରାଜନାଥ ସିଂହଙ୍କୁ ଖୋଲା ପ୍ରଶଂସା କରିଥିଲେ। ରାଜନାଥ ହିଁ ବିଜେପିରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଦାବିଦାର ବୋଲି କହିଥିଲେ ବରୁଣ। ତାଙ୍କର ଆଉ ଏକ ଭୁଲ୍ ଥିଲା ଯେବେ ସେ ୨୦୧୪ ମସିହାରେ କୋଲକାତାରେ ମୋଦୀଙ୍କ ଗୋଟିଏ ସଭାରେ ଉପସ୍ଥିତ ଲୋକଙ୍କ ସଂଖ୍ୟାକୁ ନେଇ ଭିନ୍ନ ମତ ରଖିଥିଲେ। ସେବେ କୁହାଯାଇଥିଲା ଯେ ୨ଲକ୍ଷ ଲୋକଙ୍କର ଏହି ସଭାରେ ସମାଗମ ହୋଇଛି। ବରୁଣ ସାମ୍ନାକୁ ଆସି କହିଥିଲେ ୪୫ରୁ ୫୦ହଜାର ଲୋକ ଏହି ବୈଠକରେ ଉପସ୍ଥିତ ଥିଲେ।

ଏହାର ପରବର୍ତ୍ତୀ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ବ ନେଇଥିଲେ ଓ ଅମିତ ଶାହ ସଭାପତି ଭାବେ କାର୍ଯ୍ୟ ଜାରି ରଖିବା ପରେ ତାଙ୍କ ବରୁଣଙ୍କ ପାଇଁ ଅଡୁଆ ବଢିଥିଲା। ବିଜେପିରେ ତାଙ୍କର ଗ୍ରହଣୀୟତା ହ୍ରାସ ପାଇଥିଲା। ଉତ୍ତର ପ୍ରଦେଶ ରାଜନୀତିିରେ ସକ୍ରିୟ ହୋଇ ଆସୁଥିଲେ ବରୁଣଙ୍କୁ ଦ୍ବିତୀୟ ଝଟକା ଲାଗିଥିଲା। ଅମିତ ଶାହଙ୍କ ସଭାପତି ସମୟରେ ତାଙ୍କୁ ଦଳର ସାଧାରଣ ସଂପାଦକ ପଦବି ହରାଇବାକୁ ପଡ଼ିଥିଲା।

ତଥାପି ୨୦୧୭ ମସିହାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ତାଙ୍କର ଉତ୍ତରଣ ହେଲା। କେନ୍ଦ୍ରୀୟ ନେତୃତ୍ବ ଏହାକୁ ଭଲ ଆଖିରେ ନେଇନଥିଲେ। ସେ ସମୟରେ ସେ ଏକ ବିଶାଳ ରାଲି କରି ନିଜର ପତିଆରା ପ୍ରଦର୍ଶନ କରିଥିଲେ। ସଂପ୍ରତି ଲଖମିପୁର ଖେରି ମାମଲାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ସହିତ ଚାଷୀଙ୍କୁ ହତ୍ୟା ଅଭିଯୁକ୍ତଙ୍କୁ ଦଣ୍ଡିତ କରିବା ଲାଗି ତାଙ୍କର ମତ କେନ୍ଦ୍ରୀୟ ନେତୃତ୍ବଙ୍କୁ ଆହୁରି କ୍ଷୁବ୍ଘ କରିଛି। ଦଳର ୮୦ଜଣିଆ ଶୀର୍ଷ କମିଟି ତାଲିକାରେ ତାଙ୍କର ନାମ ନାହିଁ, ଅର୍ଥାତ୍ ବାଦ୍ ଦିଆଯାଇଛି। ଆଉ ଏବେ ତାଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରିବା ଆରମ୍ଭ କଲାଣି ବୋଲି କେହି କେହି ମତ ରଖୁଛନ୍ତି।

ସଂପ୍ରତି ବରୁଣଙ୍କୁ ଜାତୀୟ କାର୍ଯ୍ୟକାରିଣୀରୁ ବିଦା ହେବା ପ୍ରସଙ୍ଗରେ ଗଣମାଧ୍ୟମ ଯେବେ ପ୍ରଶ୍ନ ପଚାରିଲା, ତାଙ୍କର ମନ୍ତବ୍ୟ ଆଉ ଏକ ଭିନ୍ନ ସଙ୍କେତ ଦେଇଛି। ସେ କହିଛନ୍ତି ଯେ ଗତ ପାଞ୍ଚବର୍ଷ ଧରି କାର୍ଯ୍ୟକାରିଣୀରେ ଯୋଗଦେଇନାହିଁ। ଏଣୁ ମୁଁ ଏହି କମିଟିରେ ଥିଲି ବୋଲି କେବେ ଭାବିନି। ଏଣୁ ଆଜି ସେଠାକୁ ମନୋନୀତ ନ ହେବା ମୋ ପାଇଁ କିଛି ବି ଫରକ ରଖେନାହିଁ।

ଦୀର୍ଘ ୧୭ ବର୍ଷ ଧରି ବିଜେପିରେ ରହିବା ପରେ ବରୁଣ ଏବେ ଦଳରେ କୋଣଠେସା ହୋଇଯାଇଛନ୍ତି। ସେପଟେ ରାହୁଲ ମାଆ ସୋନିଆଙ୍କ ପ୍ରଭାବରେ ନିଜକୁ ନେତା ବୋଲି ଦାବି କରୁଥିଲେ ହେଁ ଦଳରେ କୌଣସି ପଦ ପଦବିରେ ନାହାନ୍ତି। ଦଳର ଶୀର୍ଷ ନେତୃତ୍ବ ମଧ୍ୟରୁ ଗୋଟିଏ ଗୋଷ୍ଠୀ ତାଙ୍କୁ ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି। କଂଗ୍ରେସ ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯିବା ପଛରେ ବି ତାଙ୍କର ଅଧିକ ଭୁଲ ବୋଲି ଗୋଟିଏ ଚର୍ଚ୍ଚା ହେଉଛି।

ଆଗକୁ ଦେଖିବାକୁ ହେବ, ରାହୁଲ ନା ବରୁଣ କିଏ ଗାନ୍ଧୀ ପରିବାରକୁ ଆଗକୁ ନେବେ, କେଉଁ ପ୍ଲାଟଫର୍ମରେ।

Leave A Reply

Your email address will not be published.