ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ!

0

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ନିଷ୍ପ୍ରଭ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦ୍ରୁତ କମୁଥିବା କାରଣରୁ ଯେଉଁ ଗୋଟିଏ ସିଦ୍ଧାନ୍ତରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପହଞ୍ଚିଲେଣି; ତାହା ହେଲା ବିଶେଷ କୌଣସି ପରିସ୍ଥିତି ସୃଷ୍ଟି ନ ହେଲେ ଆସନ୍ତା ଦିନମାନଙ୍କରେ ଯେଉଁ ନିର୍ବାଚନ ହେବ, ସେଥିରେ ବିଜେଡି-ବିଜେପି ଦୁଇଦଳ ମଧ୍ୟରେ ସିଧାସଳଖ ଲଢେଇ ହେବ। ଆହୁରି ସରଳ ଭାବେ କହିଲେ; ଯିଏ ବିଜେଡିରୁ ମୁହଁ ଫେରାଇବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ ଭୋଟ ଦେବେ ଓ ଠିକ୍ ବିପରୀତ ଭାବେ ଯେଉଁମାନେ ବିଜେପି ପ୍ରତି ଅନାଗ୍ରହ ପ୍ରଦର୍ଶନ କରିବେ, ସେମାନେ ବିଜେଡି ସପକ୍ଷରେ ମତଦାନ କରିବେ। ଏହାଦ୍ବାରା ନିର୍ବାଚନଗୁଡିକ ଅଧିକ ସମ୍ବେଦନଶୀଳ ହୋଇପଡ଼ିବ। ଏଭଳି କ୍ଷେତ୍ରରେ ରାଜନୈତିକ ଦଳମାନେ ଅଧିକ ସତର୍କ ରହିବା ବିଧେୟ।

ଏକଥା ଆଉ କିଏ ବୁଝୁ କି ନ ବୁଝୁ। ବିଜେଡି କିନ୍ତୁ ବୁଝିଛି। ନିର୍ବାଚନର ଯଥେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ବଡ ଫ୍ଲାଗସିପ୍ ଯୋଜନା ଘୋଷଣା ପୂର୍ବକ ଜନମତକୁ ନିଜ ସହିତ ଯୋଡି ରଖିବା ଲାଗି ଉଦ୍ୟମରତ ଅଛନ୍ତି। ସାଧାରଣ ଲୋକଙ୍କ ସହିତ ଯୋଡି ହୋଇଥିବା ଦୁଇଟି ବଡ କ୍ଷେତ୍ର ଶିକ୍ଷା ଓ ସ୍ବାସ୍ଥ୍ୟକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟମାସ ୧୫ ତାରିଖରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଓ ୧୮ ତାରିଖରେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ସ୍ବରୂପ ସ୍ମାର୍ଟ କ୍ଲାସ୍ ରୁମ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଧରି ପହଞ୍ଚୁଛନ୍ତି। ନିକଟରେ ବଲାଙ୍ଗୀର ଯାଇଥିଲେ, ଏହା ପୂର୍ବରୁ କଳାହାଣ୍ଡିରେ ଦଳ ଜଳସେଚନ ପ୍ରକଳ୍ପ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ଛଳରେ ଏଭଳି ଗୋଟିଏ ପରିବେଶ ବା ରାଜନୈତିକ କାର୍ଯ୍ୟକ୍ରମ ବିଜେଡି ଓ ସରକାରଙ୍କ ପକ୍ଷରୁ କରାଯାଇଥିଲା, ଯାହା ଅତୀତରେ ଭାରତ ଇତିହାସରେ ସମ୍ଭବତଃ କେବେ ହୋଇନଥିବ।

ହେଲେ ନବୀନ ଯେତିକି ପରିମାଣର ଲୋକପ୍ରିୟତା ଗୋଟାଉଛନ୍ତି, ତାଙ୍କ କ୍ୟାବିନେଟ୍ ସହଯୋଗୀ ବା ମନ୍ତ୍ରୀମାନେ ସେସବୁକୁ ଦଳଚକଟି ମାଟିରେ ମିଶାଇବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏବେ ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲା ଓ ନିର୍ମାଣାଧୀନ ଷ୍ଡାଡିୟମରୁ ଅଧା ପୋଡା ଶବ ଜବତ ହେବା ଏବଂ ଏହି ସଂସ୍ଥାର ମାଲିକ ଗୋବିନ୍ଦ ସାହୁ ଫେରାର, ପୁଣି ଗିରଫଦାରି ପ୍ରସଙ୍ଗଟି ନବୀନଙ୍କ ଭାବମୂର୍ତି ପ୍ରତି ବଡଧରଣର ବିପଦ ଆଣିଛି। କାରଣ ଏହି ପ୍ରସଙ୍ଗଟି ସହିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଡି ହୋଇଗଲେଣି। ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ଏହାକୁ ନେଇ ହଲ୍ଲାବୋଲ୍ ଆରମ୍ଭ କରିଥିବା ବେଳେ ଗଣମାଧ୍ୟମରେ ପରୀ ହତ୍ୟାକାଣ୍ଡ ସହିତ ବିବାଦକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡର ମାମଲା ସହିତ ବିବାଦକୁ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା, ସୌମ୍ୟରଂଜନ ହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖଙ୍କ ନାମ ଉପରେ ପୁଣି ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେବଳ ସେତିକି ନୁହେଁ, ମାଧବୀଲତା ଠାରୁ ଆରମ୍ଭ କରି ବେବିନା, କୁନ୍ଦୁଲି ମାମଲା, ଇତିଶ୍ରୀ ମୃତ୍ୟୁ ଆଦି ସବୁ ପ୍ରସଙ୍ଗକୁ ଏବେ ମମିତା ମାମଲା ପୁଣି ଥରେ ତାଜା କରିଦେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବୃଦ୍ଧିରେ ଆଦୌ ସହାୟକ ବା ଭାଗୀଦାର ନଥିବା ମନ୍ତ୍ରୀମାନେ ଯେବେ ତାଙ୍କ ସରକାରର ସବୁ ଭଲ କାମକୁ ଏଭଳି ଢଙ୍ଗରେ ବିଗାଡିଦେଉଛନ୍ତି, ଏହାକୁ ଖୋଦ୍ ବିଜେଡି ନେତାମାନେ ବି ବରଦାସ୍ତ କରିପାରୁନାହାନ୍ତି। ନବୀନ ପ୍ରେମୀ ତ ରାଗି ଖପ୍ପା। ବିଜୁ ଜନତା ଦଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲେଣି। ମମିତା ମାମଲାରେ କ୍ୟାପଟେନଙ୍କ ସଂପୃକ୍ତି ଅଛି କି ନାହିଁ, ତାହାର ଆପାତତଃ ପ୍ରମାଣ ବି ମିଳିନାହିଁ। ତଥାପି ମନ୍ତ୍ରୀ ସେଠାକୁ ବାରମ୍ବାର ଯିବା ଚର୍ଚ୍ଚାକୁ ବଳ ଦେଇଛି। ସେହିଭଳି ପରୀ ମାମଲାରେ ଅରୁଣଙ୍କ ଭୂମିକା ନେଇ ତଦନ୍ତକାରୀ ସଂସ୍ଥା କୌଣସି ପ୍ରମାଣ ପାଇନାହାନ୍ତି। ଅଥଚ ତତ୍କାଳୀନ ସରପଞ୍ଚ ସୌମ୍ୟରଂଜନଙ୍କ ସହିତ ତାଙ୍କର ବାର୍ତ୍ତାଳାପ ସଂକ୍ରାନ୍ତ ଅଡ଼ିଓ ଭାଇରାଲ୍ ହେବା ପରେ ସେ ଏହି ଚର୍ଚ୍ଚା ଭିତରକୁ ନିଜେ ହିଁ ଧସେଇ ପଶିଛନ୍ତି। ମାହାଙ୍ଗା ଘଟଣାରେ ପ୍ରତାପଙ୍କ ନାମ ଏତଲାରେ ରହିଥିଲା, ଏଣୁ ଚର୍ଚ୍ଚା ହେବା ସ୍ବାଭାବିକ। ସେହିଭଳି ସୌମ୍ୟମାମଲାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କର କୌଣସି ପ୍ରତ୍ୟକ୍ଷ ଭୂମିକା ନଥିଲେ ବି ଯେହେତୁ ସେ ଜଙ୍ଗଲ ବିଭାଗ ଦାୟିତ୍ବରେ ଅଛନ୍ତି ଓ ତାଙ୍କ ଡିଏଫଓଙ୍କୁ ନେଇ ସାଧାରଣରେ ଅସନ୍ତୋଷ ଉଠିଲା, ଏଣୁ ସେ ଚର୍ଚ୍ଚାରୁ ବାହାରିପାରିଲେ ନାହିଁ।

ବିଜେଡିର ଗୋଟିଏ ବର୍ଗର ମତ ହେଉଛି, କୌଣସି ମନ୍ତ୍ରୀଙ୍କର କିଛି ବି ଭୂମିକା ନଥାଇ ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମ ସେମାନଙ୍କୁ ଅଯଥାରେ ଟାଣୁଛନ୍ତି। ଯଦି ସରକାର ସେମାନଙ୍କ ଚାପରେ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ବଦଳାଇବେ ବା କାଢିବେ, ତେବେ ସେମାନେ ଆହୁରି ଉତ୍ସାହିତ ହେବେ ଓ ଅକଥା କଥାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବେ।

ହେଲେ ଅନ୍ୟ ଗୋଟିଏ ମତ ବି ଆସୁଛି ଯେ ମନ୍ତ୍ରୀମାନଙ୍କର ନାମ ଆସୁଛି କାହିଁକି? ମୁଖ୍ୟମନ୍ତ୍ରୀ ବାରମ୍ବାର ତାଗିଦ୍ କରିବା ପରେ ବି ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସର୍ବନିମ୍ନ ସୁଧାର ଆସୁନି। ରାଜନୀତି ବା ସରକାରର ଲୋକପ୍ରିୟତା ଲୋକଙ୍କ ଭାବନା, ଅନୁଭବ ଓ ଅନୁମାନ ଉପରେ ହିଁ ପର୍ଯ୍ୟବେସିତ। ଏହି ନେତାଙ୍କର ଭୁଲ୍ ତ୍ରୁଟି କାରଣରୁ ସବୁ ବୋଝ ନବୀନ ପଟ୍ଟନାୟକଙ୍କ ସରକାର ମୁଣ୍ଡାଉଛନ୍ତି। ଏବେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଯେଭଳି ପରିବେଶ ବିଜେଡି ସୃଷ୍ଟି କରିଥିଲା, ତାହାକୁ ମମିତା ମାମଲା ପୋଡି ଖାଇଦେଲା। ଏଣୁ ନବୀନ ପଟ୍ଟନାୟକ ନିଜ ସରକାରର ଭାବମୂର୍ତ୍ତିର ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବାକୁ ହେବ।

ଏଠାରେ ଉଲ୍ଲେଖଥାଉକି, ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି। ଓଡ଼ିଶା ରାଜନୀତିରେ ଦୁଇଟି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ବୋଲି ଧରିନିଆଯାଏ। ତାହା ହେଲା ଶ୍ରୀଜଗନ୍ନାଥ ଏବଂ ତାଙ୍କୁ ନେଇ ଘଟୁଥିବା ଘଟଣା ଏବଂ ଦ୍ବିତୀୟଟି ହେଲା ଅପରାଧ, ବିଶେଷକରି ମହିଳା ସୁରକ୍ଷା। ଉଭୟ ପ୍ରସଙ୍ଗ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖୁଥିବା ପରିପ୍ରେକ୍ଷୀରେ ଏବେ ମୁଖ୍ୟମନ୍ତ୍ରୀ ଚାପରେ ରହିବା ସ୍ବାଭାବିକ। କାରଣ ଏହି ଅପରାଧ ସଂକ୍ରାନ୍ତ ମାମଲା ହିଁ କଂଗ୍ରେସକୁ ତଳିତଳାନ୍ତ କରିଛି ଓ ଓଡ଼ିଶାରେ ଶୋଚନୀୟ ସ୍ଥିତିକୁ ଟାଣିନେଇଛି। ଯଦି ଉଠୁଥିବା ବିରୋଧାତ୍ମକ ମତକୁ ଚାପିଦେବାରେ ବି ସରକାର ସକ୍ଷମ ହୁଅନ୍ତି, ତଥାପି ମଧ୍ୟ ଏହା ସାଧାରଣରେ ସୃଷ୍ଟି ହୋଇସାରିିଥିବା କ୍ଷତିକୁ ଭରଣା ପାଇଁ ଯଥେଷ୍ଟ ନୁହେଁ। ଏଭଳିସ୍ଥଳେ ନବୀନଙ୍କୁ ନିଜ ନିକଟରୁ ଅତି ବିବାଦୀୟ ତତ୍ତ୍ବମାନଙ୍କୁ ଦୂରେଇବାକୁ ହେବ, ଅନ୍ୟଥା ତାଙ୍କ ପ୍ରତି ସର୍ବାଧିକ ଭଲପାଇବା ଥିବା ସତ୍ତ୍ବେ ତାଙ୍କ ମନ୍ତ୍ରୀ, ନେତାଙ୍କ ଆଚରଣ ଲାଗି ଲୋକ ମୁହଁ ଫେରାଇ ନେଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Leave A Reply

Your email address will not be published.