ଭୁବନେଶ୍ବର: ୧୯୯୮ ମସିହାରେ ସୀତାରାମ କେଶରୀ ଯେବେ କଂଗ୍ରେସ ସଭାପତି ଥିଲେ, ସେବେ ସମଗ୍ର ଭାରତ ବର୍ଷର ରାଜନୈତିକ ମହଲ, ଏପରିକି ଖୋଦ୍ କଂଗ୍ରେସ ନେତାଙ୍କ ଭିତରେ ଗୋଟିଏ ଭୟ ସୃଷ୍ଟି ହୋଇଥିଲା ଯେ ଦଳ ବିଲୁପ୍ତ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। କଂଗ୍ରେସ କର୍ମୀମାନେ ବ୍ୟଥିତ ହୋଇପଡ଼ିଲେ ଓ ଥୋକାଏ ନେତା ଅଧୈର୍ଯ୍ୟ ହୋଇ ଦଳବଦଳ କରିଦେଲେ। ଏ ଆଶଙ୍କା ବି ପ୍ରକାଶ ପାଇଥିଲା ଯେ ବୋଧହୁଏ କଂଗ୍ରେସ ମୁକ୍ତ ଭାରତ ଦେଖିବାର ଦିନ ଆଉ ବେଶୀ ସମୟ ବାକି ନାହିଁ।
ହଠାତ୍ ସୋନିଆ ଗାନ୍ଧୀ ସାମ୍ନାକୁ ଆସିଲେ ଓ ନିର୍ବାଚନ ପ୍ରଚାରରେ ପାଦ ଦେଇ ଦଳର କ୍ୟାଡରମାନଙ୍କୁ ସକ୍ରିୟ କରିବାକୁ ଚେଷ୍ଟା କରିଥିଲେ। ସେ ସମୟରେ କଂଗ୍ରେସକୁ ଜଣେ ସର୍ବମୟ କର୍ତ୍ତାଙ୍କର ଆବଶ୍ୟକତା ଥିଲା, ଯାହା ଉପରେ ସାରା ଭାରତର କଂଗ୍ରେସ କ୍ୟାଡ଼ର ଭରସା କରିପାରୁଥିବେ। ସେ ସମୟର କଥା କଂଗ୍ରେସ ନେତାମାନେ ଭୁଲିନଥିବେ। ସେବେ ସ୍ଥିତି ଏମିତି ହୋଇଥିଲା ଯେ ସୋନିଆ ଠିକ୍ ସେ ଭାଷଣ ଦେଇପାରୁନଥିଲେ କିମ୍ବା ପ୍ରତିପକ୍ଷ ଦଳର ରାଜନୈତିକ ନେତାମାନଙ୍କୁ ତେରଚ୍ଛା ବାଣ ମାରିବାର ଦକ୍ଷତା ତାଙ୍କର ନଥିଲା। ଭାରତବର୍ଷର ଅନେକ ନେତା ତାଙ୍କୁ ପରିହାସ କରିଥିଲେ, ବିରୋଧୀ ବି ତାଙ୍କୁ ହାଲୁକା ଭାବେ ନେଇଥିଲେ।
ପରିଣାମ କିନ୍ତୁ ଭୟଙ୍କର ହେଲା। ଦଳକୁ ସଂଗଠିତ କରି ସୋନିଆ ସରକାର ଗଠନ କଲେ ଓ ନିଜେ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରି ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ହାତରେ କ୍ଷମତା ଟେକିଦେଇ ସାରା ଭାରତ ବର୍ଷରେ ନିଜ ପାଇଁ ଗୋଟିଏ ସ୍ଥାନ ପକ୍କା କରିଦେଲେ। ଉପା-୧ ଓ ଉପା-୨ ସରକାର ଜରିଆରେ କଂଗ୍ରେସ ୧୦ବର୍ଷ ଧରି କ୍ଷମତାରେ ରହିଲା।
ସେବେଠାରୁ କଂଗ୍ରେସ ଶିବିର ନେହେରୁ-ଗାନ୍ଧୀ ପରିବାର ଉପରେ ଆଉ ଟିକିଏ ଅଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଯଦିଓ ରାହୁଲ ଗାନ୍ଧୀ ମନମୋହନ ସିଂହ ସରକାରର ବିଲ୍ ଚରିବା ପରଠାରୁ ଦଳକୁ ଗ୍ରହଣ ଲାଗିଛି, ତଥାପି ବିଜେପି ପରେ ଦେଶର ସବୁଠାରୁ ବଡ଼ ଦଳ ଭାବେ ଆଜି ବି କଂଗ୍ରେସ ରହିଛି।
ପୁଣି ଥରେ କଂଗ୍ରେସ ବିଂଶ ଶତାଦ୍ଦୀର ଶେଷ କେଇବର୍ଷ ସ୍ଥିତିକୁ ଫେରିଆସିଛି। ଦଳର ଶୀର୍ଷ ନେତୃତ୍ବ କାହା ହାତରେ ରହିବ, ସେ ଦ୍ବନ୍ଦ୍ବ ଦୂର ହୋଇନାହିଁ। ଅନେକ ବରିଷ୍ଠ ନେତା ପୂର୍ବଭଳି ଟୀକା-ଟିପପଣୀ ଦେଉଛନ୍ତି। ଏହା ସତ୍ତ୍ବେ ଆଉ କିଛି ଆଶା କରୁଛନ୍ତି ଯେ କଂଗ୍ରେସ ଦଳ ସଂଗଠିତ ହେବାକୁ ବେଶୀ ସମୟ ଲାଗିବ ନାହିଁ। ଚାଷୀ ବିଲ୍ ପ୍ରତ୍ୟାହାର ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ଶୁଣାଇବା ପରେ ଦେଶରେ ଏହି ସଫଳତାର ସିଂହଭାଗ ଚାଷୀ ବା କୃଷକଙ୍କୁ ଯାଉଥିଲେ ବି ଏହି ମହଲ କଂଗ୍ରେସର ଅବଦାନକୁ ସ୍ମରଣ କରୁଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ କଂଗ୍ରେସର ଭବିଷ୍ୟତକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି। ଏକଥା ସତ ଯେ ସୋନିଆଙ୍କ ଠାରେ ଥିବା ସାହସ ରାହୁଲଙ୍କ ଠାରେ ଦେଖିବାକୁ ମିଳୁନାହିଁ। ଏହା ସତ୍ତ୍ବେ କଂଗ୍ରେସର ଶେଷ ସମୟ ଆସିନାହିଁ ବୋଲି ଠୋସ୍ ଭାବେ କୁହାଯାଇପାରିବ। ଗାନ୍ଧୀ ପରିବାରର ସୋନିଆ, ରାହୁଲ ଓ ପ୍ରିୟଙ୍କାକୁ ବାଦ୍ ଦେଲେ ଯେଉଁ ବଡ ସଂପତ୍ତି କଂଗ୍ରେସ ପାଖରେ ଅଛି, ତାହା ହେଲା ଦଳରେ ତଥାପି କିଛି ତୁଙ୍ଗ ନେତା ସକ୍ରିୟ ଅଛନ୍ତି,ଯେଉଁମାନେ ଭାରତ ରାଜନୀତିର ଗଣିତ ବୁଝନ୍ତି। ଏ କେ ଆଣ୍ଟୋନିଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଦେଶରେ ବରିଷ୍ଠ ନେତାମାନେ କଂଗ୍ରେସ ପାଇଁ ଆଜି ମଧ୍ୟ ଗୋଟିଏ ଗୋଟିଏ ଖୁଣ୍ଟ ହୋଇ ରହିଛନ୍ତି। ରାଜସ୍ଥାନ ତାର ଉଦାହରଣ ହୋଇପାରେ। ଦିଗବିଜୟ ସିଂହ, କମଳନାଥ, ଗୁଲାମ ନବୀ ଆଜାଦ, କପିଲ ଶିବଲ, ପି ଚିଦାମ୍ବରମଙ୍କ ଭଳି ନେତାଙ୍କ ସାମର୍ଥ୍ୟ ଅଛି।
ଓଡ଼ିଶା କଥାକୁ ମଧ୍ୟ ଏ ଦୃଷ୍ଚିରୁ ବିଚାର କରାଯାଇପାରେ। କଂଗ୍ରେସ କେତେ ପ୍ରତିଶତ ଭୋଟ ପାଇଲା ବା ରାଜ୍ୟରେ କେତେ ସିଟ୍ ହାସଲ କଲା, ତାହା ଗୋଟିଏ କଥା। କିନ୍ତୁ ଯେଉଁ ଅନ୍ୟ ପ୍ରସଙ୍ଗ ସଂପର୍କରେ ରାଜନୈତିକ ମହଲ ଠାରିବାକୁ ଚାହାନ୍ତି, ତାହା ହେଲା ଅନୁଭବୀ ନେତାଙ୍କ ସଂଖ୍ୟା ଆଜି ବି କଂଗ୍ରେସ ଦଳରେ ଅଧିକ ରହିଛି। ଏଣୁ ବିଜେଡି ଯଦି ସାମାନ୍ୟ ଦୁର୍ବଳ ହେବା ଅନୁଭବ କରାଯାଏ, ତେବେ ତାର ଫାଇଦା ବିଜେପି ଅପେକ୍ଷା ତୁରନ୍ତ କଂଗ୍ରେସ ହାତକୁ ଯିବାର ଭୟ ରହିଛି। ଏହାକୁ କେହି ହାଲକା ଭାବେ ନେବା ଉଚିତ୍ ନୁହେଁ।
ସଂପ୍ରତି ରାଜ୍ୟ ରାଜନୀତିରେ ଯେତେ ବଡ ପ୍ରସଙ୍ଗ ଦେଖାଯାଉଛି, ସେଥିରେ ସରକାରଙ୍କୁ ବେଶୀ ବିପଦ କଂଗ୍ରେସ ଶିବିରରୁ ଆସୁଛି। ଏକଥା ସତ ଯେ ସଂଗଠିତ ଭାବେ ନଥିବା କାରଣରୁ ସେମାନେ ଏହାର ଲାଭ ନେଇପାରୁନାହାନ୍ତି। ବିଜେପିକୁ ଫାଇଦା ଯାଉଛି। ଅର୍ଥାତ୍ ଅତି ସରଳ ଭାବେ କହିଲେ, କଂଗ୍ରେସ ଦଳର ସକ୍ରିୟତା ହାର ବିଜେପି ଠାରୁ ଅଧିକ ରହିଛି। ଦଳ କିନ୍ତୁ ଗୁରୁତର ଆର୍ଥିକ ଦୁୃଃସ୍ଥିତି ଭିତରକୁ ଫସିଯାଇଥିବା କାରଣରୁ ବିଜେଡି ବା ବିଜେପିକୁ ମୁକାବିଲା କରିବା ସ୍ଥିତିରେ ନାହିଁ।
ଏହା ସତ୍ତ୍ବେ ଅନୁଧ୍ୟାନ କଲେ ଦେଖାଯାଉଛି ଯେ ବିଜେପି ଯେତିକି ନିର୍ବାଚନମଣ୍ଡଳୀରେ ସକ୍ରିୟ ଅଛି, କଂଗ୍ରେସ ତା ଠାରୁ ଢେର୍ ପଛରେ ନାହିଁ। ବରଂ ଉପକୂଳ ଜିଲ୍ଲାର କିଛି ଆସନରେ କଂଗ୍ରେସ ବଢ଼ୁଥିବା ଲକ୍ଷ୍ୟ କରଗଲାଣି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି। ଉତ୍ତର ଓଡ଼ିଶାରେ ଦଳ ପୁଣି ଥରେ ମୁଣ୍ଡ ଟେକିଲାଣି। ନିକଟରେ ମାହାଙ୍ଗାରେ ଡାକ୍ତର ଚେଲ୍ଲାକୁମାରଙ୍କ ସଭା ସହତ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରସଙ୍ଗକୁ ଦଳ ସାମ୍ନାକୁ ଆଣିବା, ତା ପରଦିନ କୋର୍ଟ ନିର୍ଦେଶ ପ୍ରକାଶ ପାଇବା ଏବଂ ବାଲେଶ୍ବର ଜିଲ୍ଲାରେ ନବଜ୍ୟୋତି ପଟ୍ଟନାୟକ କରିଥିବା ଦୁଇ ଦୁଇଟି ସମାବେଶ ହେଉ କି ପ୍ରଦୀପ ମାଝୀ ଯିବା ପରେ ତାରା ବାହିନୀପତିଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ସଭାକୁ ନିରେଖି ଦେଖିଲେ ଏକଥା ବୁଝାପଡୁଛି। କଂଗ୍ରେସରୁ ଅନେକ ଟାଣୁଆ ନେତା ଛାଡି ଚାଲିଯିବା, ଦଳ ସାଂଘାତିକ ବିପର୍ଯ୍ୟୟ ପରେ ମଧ୍ୟ ସଭାମାନଙ୍କରେ ହଜାର ହଜାର ସଂଖ୍ୟାରେ କର୍ମୀ ଏକାଠି ହେବା, ଗୋଟିଏ ଭଲ ସଙ୍କେତ ବୋଲି କୁହାଯାଇପାରେ।