ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଶକ୍ତି ବଢ଼ାଇଲେଣି ମମତା, ଓଡ଼ିଶା ଉପରେ ବି ଆଖି

0

ନୂଆଦିଲ୍ଲୀ: ଧୀରେ ଧୀରେ ପଶ୍ଚିମବଙ୍ଗରୁ ପାଦ ବାହାର କରି ତୃଣମୂଳକ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅନ୍ୟସବୁ ରାଜ୍ୟରେ ପାଦ ରଖିବାକୁ ଯୋଜନା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରାଣାସୀ ଏବଂ ମୁମ୍ବାଇ ଉପରେ ବି ତାଙ୍କର ଆଖି ପଡ଼ିିଛି। ମେଘାଳୟରେ ପୂର୍ବତନ ବିଧାୟକ ମୁକୁଲ ସାଙ୍ଗାମାଙ୍କ ସହିତ ୧୨ କଂଗ୍ରେସ ବିଧାୟକ ତୃଣମୂଳ କଂଗ୍ରେସରେ ଯୋଗଦେବା ସହିତ ମମତାଙ୍କ ଏଭଳି କାର୍ଯ୍ୟ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଓଡ଼ିଶାରେ ମଧ୍ୟ କଂଗ୍ରେସ ଓ ବିଜେପିର ଗୋଟିଏ ଗୋଷ୍ଠୀ ଏବଂ ଅସନ୍ତୁଷ୍ଟ ବିଜେଡି ନେତାମାନେ ମମତାଙ୍କ ସହିତ ହାତ ମିଳାଇବାକୁ ଇତିମଧ୍ୟରେ ଦୁଇଟି ବୈଠକ କରିସାରିଥିବା ସୂଚନା ମିଳୁଛି।

ଅନ୍ୟପକ୍ଷରେ ମମତା ଏଥର ଦିଲ୍ଲୀ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ରୋକଠୋକ୍ ମନା କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ କିନ୍ତୁ ସାକ୍ଷାତ କରିଛନ୍ତି। ଆସନ୍ତାବର୍ଷ କୋଲକାତାରେ ହେବାକୁ ଥିବା ବ୍ୟାବସାୟିକ ସମ୍ମିଳନୀରେ ଯୋଗଦେବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ମମତା କହିଛନ୍ତି ଯେ ସୋନିଆଙ୍କୁ ପ୍ରତି ଥର କାହିଁକି ଭେଟିବି? ଏହା ସାମ୍ବିଧାନିକ ବାଧ୍ୟବାଧକତା ନୁହେଁ। ମମତାଙ୍କ ଏଭଳି ମନ୍ତବ୍ୟ କେଉଁଠି ନା କେଉଁଠି ସୂଚାଉଛି ଯେ ବିଜେପିକୁ ହଟାଇବା ଲାଗି କଂଗ୍ରେସ ରଣନୀତି ଉପରେ ସେ ଆଦୌ ଖୁସି ନାହାନ୍ତି।

ମମତା ଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ଲାଗି କ୍ଷେତ୍ର ସୃଷ୍ଟି ହେଉଛି। ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ନିର୍ବାଚନ ହେଉଛି। ଏଠାରେ ଦଳ ଏଯାଏ ମୁଣ୍ଡ ଖେଳାଇନାହିଁ। କିନ୍ତୁ ଯଦି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଚାହିଁବେ, ତେବେ ତାଙ୍କ ଲାଗି ଟିଏମସି ପ୍ରଚାର କରିବ। ସଂପ୍ରତି ଗୋଆ ଓ ହରିୟାଣାରେ ଟିଏମସି ଦଳ ଗଠନ ଆରମ୍ଭ କରିଛି। ବର୍ତ୍ତମାନ ପାଇଁ କିନ୍ତୁ ଏହା ଭଲ ହେବ ଯେ ଆଞ୍ଚଳିକ ଦଳଗୁଡିକ ସଶକ୍ତ ହୋଇ ବିଜେପି ବିରୋଧରେ ଯୁଦ୍ଧ କରନ୍ତୁ। ଯେଉଁମାନେ ଆମକୁ ପ୍ରଚାରରେ ସହଯୋଗ ଲାଗି ଆମନ୍ତ୍ରଣ କରିବେ, ଆମେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ମମତା ବ୍ୟାବସାୟିକ ସମ୍ମିଳନୀ ଲାଗି ଆସନ୍ତା ଡିସେମ୍ବର ୨ ତାରିଖରେ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ସେଠାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶରଦ ପାଓ୍ବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଥାଉକି, ଟିିଏମସି ତାର ଶକ୍ତି ବୃଦ୍ଧି କାର୍ଯ୍ୟକ୍ରମରେ ଆଉ ପାଦେ ଆଗକୁ ଯାଇ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସ ମ୍ୟାନ କୀର୍ତ୍ତି ଆଜାଦ୍, ରାହୁଲ ଗାନ୍ଧୀଙ୍କ ପୂର୍ବତନ ସହାୟକ ଅଶୋକ ତନଓ୍ବାର, ଜେଡିଯୁ ରାଜ୍ୟସଭା ସାଂସଦ ପବନ ବର୍ମାଙ୍କୁ ଦଳରେ ମିଶାଇଛି। କୀର୍ତ୍ତି ଆଜାଦଙ୍କ ସହିତ ତାଙ୍କ ପତ୍ନୀ ପୁନମ ଏବଂ ପୁଅ ମଧ୍ୟ ତୃଣମୂଳରେ ସାମିଲ ହୋଇଛନ୍ତି। ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ସୁଶ୍ରୀ ବାନାର୍ଜୀଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟଙ୍କ ସାକ୍ଷାତକାର ସମୟର ଫଟୋ ଟିଏମ୍‌ସି ନିଜ ଟ୍ବିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛି। ଏହି ସାକ୍ଷାତ ପରେ କୁହାଯାଉଛି, ଏବେ ସୁବ୍ରମଣ୍ୟମ୍‌ ସ୍ବାମୀ ତୃଣମୂଳରେ ସାମିଲ ହେବାକୁ ଯାଉଛନ୍ତି। ଏଥିସହିତ ଗୀତିକାର ଜାଭେଦ ଅଖତର ଏବଂ ରାଜନୈତିକ କାର୍ଯ୍ୟକର୍ତ୍ତା-ସ୍ତମ୍ଭକାର ସୁଧୀନ୍ଦ୍ର କୁଲକର୍ଣ୍ଣି ମଧ୍ୟ ମମତାଙ୍କ ସହ ଅଲଗା ଅଲଗା ସାକ୍ଷାତ କରିଛନ୍ତି।

Leave A Reply

Your email address will not be published.