ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

କିଏ ଲାଭରେ ରହିଲେ; ଅପରାଜିତା ନା ବିଜେଡି

0

ଭୁବନେଶ୍ବର: ଆଚାର୍ଯ୍ୟ ବିହାର ଛକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀ ଏବଂ ବିଜେଡି ମୁହାଁମୁହିଁ ହେବା ପରେ ରାଜନୀତି ସରଗରମ ହୋଇଯାଇଛି। ଶୁକ୍ରବାର ଦିନତମାମ ଏହି ମାମଲାକୁ ରାଜନୈତିକ ମହଲ ଦିନତମାମ ଲକ୍ଷ୍ୟ କରିଥିଲେ। ଦେଖାଯାଇଥିଲା, ଦୁଇ ଜଣ ଯୁବକଙ୍କୁ ପୁଲିସ ବାନ୍ଧିଥିଲା। ସାଂସଦ ସାମ୍ବାଦିକ ସମ୍ମିଳନୀ କରିଥିଲେ, ପରେ ବିଜେପି ରାଜ୍ୟ ସଭାପତି ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସମର୍ଥନ କରି ବିଜେଡି ବିରୋଧରେ ବର୍ଷିଥିଲେ। କେବଳ ସେତିକି ନୁହେଁ, ଭୁବନେଶ୍ବର ଜିଲ୍ଲା ସଭାପତି ରାଜରାସ୍ତାକୁ ଆସି ମମିତା, ମାଧବୀଲତା ଠାରୁ ଆରମ୍ଭ କରି ବିଜେଡି ବିରୋଧରେ ଥିବା ସବୁ ନାରୀ ନିର୍ଯ୍ୟାତନାକୁ ଏକାଠି କରି ରାସ୍ତାକୁ ଓହ୍ଲାଇଥିଲେ। ସେପଟେ ବିଜେଡି ବି ସାମ୍ବାଦିକ ସମ୍ମିଳନୀ କରିଥିଲା। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଦଳ ଏହି ଘଟଣାରେ ସାଂସଦଙ୍କ କାର୍ଯ୍ୟର କଡ଼ା ସମାଲୋଚନା କରିଥିଲା।

ହେଲେ ପର୍ଯ୍ୟବେକ୍ଷକ ମହଲ ଯେଉଁ ଗୁରୁତ୍ବପୂର୍ଣ୍ଣ ଦିଗଟି ସଂପର୍କରେ ଏବେ ଉଲ୍ଲେଖ କରୁଛନ୍ତି, ତାହା ହେଲା ବିଜୁ ଜନତା ଦଳ କେଉଁଠି ନା କେଉଁଠି ନିର୍ବାଚନ ପୂର୍ବରୁ ବିଜେପିକୁ ସକ୍ରିୟ କରିବାରେ ଲାଗିଛି। ବିଜେଡିର କ୍ଷତି କରି ଗୋଟିଏ ଗୋଷ୍ଠୀ କାହିଁକି ଏଭଳି କରୁଛନ୍ତି, ଏହା ପଛରେ ଦଳର କି ଯୁକ୍ତି ଅଛି, ତାହା କାହାକୁ ବୁଝାପଡୁନାହିଁ।

ରାଜନୈତିକ ମହଲର କହିବା କଥା ହେଲା, ଅପରାଜିତା ଯଦି ଆଚାର୍ଯ୍ୟବିହାରରେ ସେଦିନ ବୈଠକ କରିଥାନ୍ତେ, ତେବେ କୌଣସି ଗଣମାଧ୍ୟମରେ ଏହି ଖବର ଆସିବା ତ ଦୂରର କଥା, ଅବଶିଷ୍ଟ ଭୁବନେଶ୍ବର ଜାଣିବାର ସୁଯୋଗ ନଥିଲା। ଅତି ବେଶରେ ଆଠ ଦଶ ଧା଼ଡି ଏହି ପ୍ରସଙ୍ଗରେ ଲେଖାଯାଇପାରିଥାନ୍ତା। କାରଣ ସାଂସଦ ନିୟମିତ ବ୍ୟବଧାନରେ ଏଭଳି କାର୍ଯ୍ୟକ୍ରମ କରୁଥିଲେ, ଯାହାକୁ ଗଣମାଧ୍ୟମ ବହୁଦିନରୁ ଅଣଦେଖା କରିଆସିଥିଲା। ଏବେ କିନ୍ତୁ ଯାହା ଘଟିଲା, ସେଥିରେ ପୂରା ବିଜେପି ଶୁକ୍ରବାର ସରକାର ବିରୋଧରେ ମାତିଗଲା। କେବଳ ସେତିକି ନୁହେଁ, ବିଜେଡିର ଅତି ସମ୍ବେଦନଶୀଳ ମହିଳା ପ୍ରସଙ୍ଗକୁ ସେମାନେ ଉଠାଇ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ। ଏମିତିରେ ସାଂସଦ ଲୋକଙ୍କ କଥା ଶୁଣୁନାହାନ୍ତି ବୋଲି ଯେଉଁ ମୂଳ ଅଭିଯୋଗଟି ଥିଲା, ତାହା ଆଉ ପ୍ରସଙ୍ଗ ଭିତରେ ରହିଲା ନାହିଁ। ବରଂ ଆଇନଶୃଙ୍ଖଳା ମୁଖ୍ୟ କଥା ହୋଇଗଲା।

ବିଜେଡି ମଧ୍ୟ ଏହାର ଯେଭଳି ପ୍ରତିଜବାବ ଦେବା କଥା ଦେଖାଗଲା ନାହିଁ। ଏମିତିରେ ବି ନବୀନଙ୍କ ଭଳି ବିଜେପିରେ ସେଭଳି କେହି ମୁଣ୍ଡ ନାହାନ୍ତି, ଯାହାକୁ ଧରି ସେମାନେ ଗେରୁଆ ଦଳର କିଛି କ୍ଷତି କରିପାରିବେ। ଏଣୁ ସ୍ବାଭାବିକ ଭାବେ ବିଜେପି କେବଳ ଅପରାଜିତାଙ୍କୁ ସମାଲୋଚନା କଲେ ଓ ବିହାର ସହିତ ତୁଳନା କରି ଦଳ ଓଡ଼ିଆ-ଅଣଓଡ଼ିଆ ପ୍ରସଙ୍ଗ ଆଣିଲା, ଯାହା ବିଜେପି ଅପେକ୍ଷା ବିଜେଡିର କ୍ଷତି କରିବା ଭଳି ଗୋଟିଏ ପ୍ରସଙ୍ଗ। ଦ୍ବିତୀୟତଃ, ପୂର୍ବରୁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅପରାଜିତାଙ୍କ ସଂପର୍କ କାହାକୁ ଆଉ ଅଛପା ନାହିଁ। ଉଭୟ ଏକାଠି ଭୁବନେଶ୍ବରରେ ଢେର୍ ବର୍ଷ କାମ କରିଛନ୍ତି ଓ ସାଙ୍ଗ ହୋଇ ବୁଲିଛନ୍ତି। ଏଣୁ ଶ୍ରୀ ଜେନାଙ୍କ ସ୍ବରରେ ସେଭଳି ଦମ୍ଭ ରହୁନି। ତୃତୀୟତଃ ଅନନ୍ତଙ୍କ ଗୋଷ୍ଠୀ ଯିଏ, ସେମାନେ ବି ଗୋଟିଏ ସମୟରେ ଅପରାଜିତାଙ୍କର ନିଜର ଥିଲେ। ଏଣୁ କିଛି ନେତା ଏଘର ମାଉସୀ, ସେଘର ପିଉସୀ ହେଉଛନ୍ତି, ଯାହା ସାଂସଦଙ୍କର ବଳ। ବିଜେଡି ହାରିବା ଏ ଆସନ ହାରିବା ପଛରେ ଅନେକ କାରଣ ମଧ୍ୟରୁ ଏହା ଗୋଟିଏ। ଅତଏବ ବିଜେଡି ପାଇଁ ଏହି ପ୍ରସଙ୍ଗ ଆଦୌ ଲାଭଦାୟକ ହେବ ନାହିଁ ବା ହେବାର ନାହିଁ।

ବରଂ ଏୟା ହେଲା ଯେ ବିଜେପି ଓ ଅପରାଜିତାଙ୍କ ଗୋଷ୍ଠୀ ଅଲଗା ଥିଲେ। ବିଜେପିର କୌଣସି କାର୍ଯ୍ୟକ୍ରମରେ ଅପରାଜିତା ସାମିଲ ହେଉନଥିଲେ। ଗୋଟିଏ ବାର୍ତ୍ତା ଚାଲିଯାଇଥିଲା ଯେ ଅପରାଜିତା ଦଳ ସହିତ ନାହାନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ଓ ଅପରାଜିତାଙ୍କ ଭିତରେ ଦୂରତା କମିଗଲା। ଆହୁରି ଲାଭ ହେଲା ଯେ ଅପରାଜିତା ସବୁବେଳେ ବିବାଦରୁ ଫାଇଦା ଗୋଟାଇ ଆସିଛନ୍ତି। ଏଣୁ ତାଙ୍କୁ ଚର୍ଚ୍ଚା ଲାଗି ଖୋରାକ ମିଳିଗଲା। ଏବେ ସେ ନବୀନଙ୍କ ବିରୋଧରେ ଭୁବନେଶ୍ବର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ଏବଂ ସଂସଦ ପର୍ଯ୍ୟନ୍ତ ସବୁଠି ଗର୍ଜନ ତର୍ଜନ କରିବେ। ଏହାର ପ୍ରଭାବ ଭୋଟ ଉପରେ କେତେ ପଡ଼ିବ ତାହା ଅଲଗା କଥା, ମାତ୍ର ନବୀନଙ୍କ ସଂପର୍କରେ ଏକ ଭଲ ଆଲୋଚନା ଆଦୌ ହେବ ନାହିଁ। ଏକଥା ବିଜେଡି ନେତାମାନେ କିଭଳି ହେଜିପାରିଲେ ନାହିଁ, ତାହା ବୁଝିହେଉନାହିଁ।

ଏଠାରେ ଉଲ୍ଲେଖଥାଉକି, ଗୁରୁବାର ରାତିରେ ଆଚାର୍ଯ୍ୟ ବିହାରରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତା ପରେ ଗତକାଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ଓଡ଼ିଶା? ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ଓ ଅରାଜକତା କାହାକୁ ଦରକାର ନାହିଁ। ୨୯ ନଭେମ୍ବରରେ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ସେ ଉଠାଇବେ ବୋଲି କହିଛନ୍ତି। ଏହି ଆଳରେ ମମିତା ପ୍ରସଙ୍ଗ ଅଯଥାରେ ସଂସଦ ପର୍ଯ୍ୟନ୍ତ ଯିବାର ଭୟ ରହିଲା।

ଗତକାଲିର ଗଣ୍ଡଗୋଳ ପାଇଁ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସିଧାସଳଖ ଅପରାଜିତାଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ସ୍ଥାନୀୟ ବସ୍ତିର ମହିଳାମାନଙ୍କୁ ସାଂସଦ ତାଙ୍କର ନିଜସ୍ଵ ଗୁଣ୍ଡା ବାହିନୀ ଲଗାଇ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ କଲେ। ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ମିଶିବା ପାଇଁ ଏବଂ ଲୋକଙ୍କୁ ସାମ୍ନା କରିବାକୁ ସେ ଏତେ ଡରୁଛନ୍ତି କାହିଁକି? ଅପରାଜିତା ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାକୁ ବିହାର ଭଳି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।

କଂଗ୍ରେସ ଅତ୍ୟନ୍ତ ଚତୁରତାର ସହିତ ଏହି ପ୍ରସଙ୍ଗରେ ନିରବ ରହିଛି।

Leave A Reply

Your email address will not be published.