ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ପାଇକ ବିଦ୍ରୋହ ପ୍ରସଙ୍ଗରେ କେଁ ପଶିଲା

0
  • ଜେଏମ୍‌ଏମ୍‌ କହିଲା ଆଦିବାସୀଙ୍କ ସଂଗ୍ରାମ ଆଗ, ପାଇକ ବିଦ୍ରୋହ ନୁହେଁ
  • ବିଶେଷଜ୍ଞ ନିଯୁକ୍ତି ଦେଇ ଆଦିବାସୀଙ୍କ ଇତିହାସ ଓ ଅସ୍ମିତାର ପର୍ଯ୍ୟାଲୋଚନା କର

ଭୁବନେଶ୍ବର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଆଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ସ୍ଥିତିକୁ ଆସିଗଲେଣି। ସଂସଦରେ କେନ୍ଦ୍ର ସରକାର ଓଡ଼ିଶାର ଏହି ଦାବିକୁ ସ୍ବୀକୃତି ନ ଦେବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଥିଲା। ବିଜୁ ଜନତା ଦଳ ଆଉ ପାଦେ ଆଗକୁ ଯାଇ ରାଜରାସ୍ତାରେ ବିକ୍ଷୋଭ କରିଛି। ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପ ଆଣି ପାରିତ କରିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ଠିକ୍ ଏମିତି ସମୟରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀତନା ସଂଗ୍ରାମ ମାନ୍ୟତା ଦିଆଯିବ କି ନାହିଁ, ସେ ନେଇ ରାଜ୍ୟ ଭିତରୁ କେଁ ଉଠିଲାଣି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଛି।

ମୟୂରଭଂଜର ଜେଏମଏମ ଯୁବ ସଭାପତି ଅର୍ଜୁନ ମୁର୍ମୁ ପ୍ରେସ ବିବୃତି ଜାରି କରି କହିଛନ୍ତି ଯେ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋଚନା ବେଳେ ଆଦିବାସୀଙ୍କ ଇତିହାସକୁ ସମସ୍ତେ ଭୁଲି ଯାଉଛନ୍ତି। ପାଇକ ବିଦ୍ରୋହ ପ୍ରଥମେ ହୋଇନଥିଲା। ଏହାର ଯଥେଷ୍ଟ ପୂର୍ବରୁ ସଂଗ୍ରାମୀ ରଘୁନାଥ ମହତୋଙ୍କ ନେତୃତ୍ଵରେ ୧୭୬୯-୧୮୩୨ ମସିହା ଯାଏ ଏକ ବଡ ଆନ୍ଦୋଳନ ହୋଇଥିଲା। ଏହାକୁ ସମସ୍ତେ ଚୁହାଳ ବିଦ୍ରୋହ ବୋଲି ଜାଣନ୍ତି। ବେଶ୍ ଲମ୍ବା ସମୟ ଧରି ଚାଲିଥିବା ଏହି ଚୁହାଳ ବିଦ୍ରୋହରେ ଇଂରେଜଙ୍କ ସହ ଲଢ଼େଇ କରି ହଜାର ହଜାର ସଂଖ୍ୟାରେ ଆଦିବାସୀ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ।

ଶ୍ରୀ ମୁର୍ମୁ ଆହୁରି କହିଛନ୍ତି ଯେ ବାବା ତିଲକା ମାଝୀଙ୍କ ନେତୃତ୍ଵରେ ୧୭୮୧-୧୭୮୫ ମସିହା ଯାଏ ସଂଗଠିତ ହୋଇଥିଲା ମୁକ୍ତି ସଂଗ୍ରାମ। ଏହାକୁ ବି କେହି ସ୍ବୀକୃତି ଦେବାକୁ ଚାହୁଁନାହାନ୍ତି। ଆହୁରି ପରିତାପର ବିଷୟ ହେଉଛି ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଉକ୍ତ ସଂଗ୍ରାମ ଓ ଆଦିବାସୀଙ୍କ ବୀରତ୍ଵର କଥା ଉଠାଉନାହାନ୍ତି। ଜାଣିଶୁଣି ଆଦିବାସୀଙ୍କ ଅସ୍ମିତାକୁ ଆଘାତ ଦିଆଯାଉଛି। ତେଣୁ ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ କରିବା ଲାଗି ସେ ଦାବି ରଖିବା ସହିତ ଏକଥା ବି କହିଛନ୍ତି ଯେ ଆଦିବାସୀଙ୍କ ଇତିହାସକୁ ପର୍ଯ୍ୟାଲୋଚନା କରାଯାଉ। ଏଥିସହିତ ଚୁହାଳ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ କରାଯାଉ ବୋଲି ଶ୍ରୀ ମୁର୍ମୁ ଦାବି କରିଛନ୍ତି।

ଜେଏମଏମର ଏଭଳି ମତ ପରେ ସମୁଦାୟ ପ୍ରସଙ୍ଗଟି ଏବେ ଅଧିକ ବିବାଦୀୟ ହୋଇପଡ଼ିଛି। ଏହି ପ୍ରସଙ୍ଗକୁ ନେଇ ଆଗକୁ ରାଜନୈତିକ ଆନ୍ଦୋଳନ କରାଯାଇପାରିବ କି ନାହିଁ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। କାରଣ ଆଦିବାସୀ ଭୋଟବ୍ୟାଙ୍କ ଅସନ୍ତୁଷ୍ଟ ହେବାର ସମ୍ଭାବନା ଅଧିକ। ଆଗକୁ ଦେଖିବାକୁ ହେବ ଯେ ରାଜନୈତିକ ଦଳ ଓ ବିଶେଷଜ୍ଞ ଏହା ଉପରେ କି ମତ ରଖୁଛନ୍ତି।

Leave A Reply

Your email address will not be published.