ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଓମିକ୍ରନର ନୂଆ ଲକ୍ଷଣ ସାମ୍ନାକୁ ଆସିଲା

0

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହେବା ପରେ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି। ଏ ସଂପର୍କରେ ଜଣାପଡିବା ପରେ ବିଟ୍ରେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ତତ୍ପରତା ଦେଖାଇଛନ୍ତି। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ନେବାକୁ କୁହାଯାଇଛି। ବିଟ୍ରେନ୍ ସ୍ବାସ୍ଥ୍ୟ ସଚିବ ପାଦେ ଆଗକୁ ଯାଇ କହିଛନ୍ତି ଯେ ଓମିକ୍ରନର ଗତି ଏତେ କ୍ଷୀପ୍ର ଯେ ଦୁଇ ତିନି ଦିନରେ ସଂକ୍ରମଣ ଦୁଇଗୁଣ ହୋଇଯାଉଛି। ନଭେମ୍ବର ୨୭ରେ ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିଲା। ଏହାପରଠାରୁ ବ୍ରିଟେନ୍‌ରେ ସଂକ୍ରମଣ ବଢ଼ି ଚାଲିଛି।

ଏପଟେ ମହାରାଷ୍ଟ୍ରରେ ପୁଣି ୨ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି। ଏମାନେ ଦୁବାଇରୁ ଫେରିଥିଲେ। ସେମାନେ କରୋନା ଟିକାର ୨ଟି ଯାକ ଡୋଜ୍‌ ନେଇ ସାରିଥିଲେ ହେଁ ଓମିକ୍ରନ ତାଙ୍କୁ ସଂକ୍ରମିତ କରିବାରେ ସକ୍ଷମ ହୋଇଛି। ତେବେ ଏଯାଏ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିସହ ମହାରାଷ୍ଟ୍ରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ଓ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ‌ଦେଶରେ ଗତ ୨୪ ଘଣ୍ଟାରେ ୭,୩୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୯୧,୪୫୬କୁ ବୃଦ୍ଧି ପାଇଛି।

ସବୁଠାରୁ ଉଦବେଗଜନକ କଥା ହେଲା, ଦାନ୍ତ ବିନ୍ଧା ଲକ୍ଷଣରୁ ଜଣକ ଠାରେ ଓମିକ୍ରନ ଚିହ୍ନଟ ହୋଇଛି। ନିଜ ପରିବାର ସହ ଗତ ନଭେମ୍ବର ୨୪ରେ ନାଇଜେରିଆରୁ ଫେରିଥିବା ଗୋଟିଏ ୧୨ ବର୍ଷର ଝିଅର ଦାନ୍ତରେ ଯନ୍ତ୍ରଣା ଅନୁଭବ ହୋଇଥିଲା।ଡାକ୍ତର ତାଙ୍କୁ ଆରଟିପିସିଆର୍ କରିବାକୁ ପରାମର୍ଶ ଦେଇଥିଲେ ଓ ପରେ ଜଣାପଡ଼ିଲା ଯେ ତାଙ୍କୁ କୋଭିଡ୍ ହୋଇଛି। ଏହାର ଜିନ୍ ଅନୁଶୀଳନ କରିବାରେ ତାହା ଓମିକ୍ରନ ପ୍ରଜାତି ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ଘରର ଅନ୍ୟ ସଦସ୍ୟଙ୍କର ପ୍ରଥମ ଟେଷ୍ଟ୍ ନେଗେଟିଭ ଆସିଥିଲା। ଏବେ ସମସ୍ତେ ଓମିକ୍ରମ୍ ରେ ସଂକ୍ରମିତ ଥିବା ଜାଣିବାକୁ ପାଇଛନ୍ତି। ପରିବାରର ଅନ୍ୟ ୫ ଜଣଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ ମଧ୍ୟ ଅଛନ୍ତି। ସମସ୍ତଙ୍କ ଠାରେ କୌଣସି ଲକ୍ଷଣନଥିବା ଯୋଗୁଁ ତାଙ୍କୁ ଘରେ ରଖି ଚିକିତ୍ସା କରାଯାଉଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ଓମିକ୍ରନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିନ୍ତା ବ୍ୟକ୍ତ କରିଛନ୍ତି। ହେଲେ ଆଶ୍ବାସନା ଦେବା ସହିତ କହିଛନ୍ତି ଯେ ଓମିକ୍ରନ ସହ ଲଢ଼ିବାକୁ ଦିଲ୍ଲୀ ପ୍ରସ୍ତୁତ ଅଛି। କେବଳ ସେତିକି ନୁହେଁ, ଆବଶ୍ୟକ ପଡିଲେ ଦିଲ୍ଲୀରେ ଲକଡାଉନ ଫେରିବ ବୋଲି ବି ସେ ସତର୍କ କରାଇ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତି ଏଭଳି ହୋଇନାହିଁ ବୋଲି ଶ୍ରୀ କେଜ୍ରିଓ୍ବାଲ କହିଛନ୍ତି। ସେହିଭଳି ଶୀତଦିନ ଛୁଟି ସାରିବା ପରେ ସ୍କୁଲ ଗୁଡିକ ଖୋଲିବା ନେଇ ବିଚାର କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାର ଏବେ ସୁଦ୍ଧା ୧୪୦.୨୮ କୋଟି ଡୋଜ୍ ଟିକା ପ୍ରଦାନ କରିଛନ୍ତି। ଏଥିରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ନିକଟରେ ୧୭.୮୩ କୋଟି ବଳକା ଏବଂ ଅବ୍ୟବହୃତ ହୋଇ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଓଡ଼ିଶାରେ ୮୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ଦ୍ବିତୀୟ ଡୋଜ କ୍ଷେତ୍ରରେ ଏହାର ପରିମାଣ ୫୪ ପ୍ରତିଶତ ରହିଛି। ମୟୂରଭଞ୍ଜ, କନ୍ଧମାଳ ଓ କଟକ ଜିଲ୍ଲାରେ ପ୍ରଥମ ଡୋଜ୍ ଟିକାକରଣ କମ୍ ରହିଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ରାଜ୍ୟରେ ଏ ପର୍ଯ୍ୟନ୍ତ ୩ଲକ୍ଷ ୯୧ହଜାର ୧୪୦ ଗର୍ଭବତୀ ମହିଳା ଟିକା ନେଇ ସାରିଲେଣି। ରାଜ୍ୟରେ ଯୁବ ବର୍ଗରେ ୮୨ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୯୦ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇଛନ୍ତି। ମୋଟ ୪କୋଟି ୬୨ଲକ୍ଷ ୫୦ହଜାର ୮୮୨ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ ଏବେ ୪୫ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ ରହିଛି।

Leave A Reply

Your email address will not be published.