ଭୁବନେଶ୍ବର: ଗତ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇ ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ କଂଗ୍ରେସର ପ୍ରଦୀପ ମାଝୀ। ମାସ ତିରିଶଟାରେ ସବୁକିଛି ବଦଳିଯାଇଛି। ଶତ୍ରୁ ଏବେ ମିତ୍ର। ପରସ୍ପର ବିରୋଧରେ ବିଷୋଦଗାର ନାହିଁ। ବରଂ ମିଳିତ ଭାବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ସବୁ ଭଲକାମର ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି।
ବରୀ ନିର୍ବାଚନମଣ୍ଡଳୀରେ ବି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୯ ନିର୍ବାଚନରେ ବିଜେପିରୁ ବିଶ୍ବରଂଜନ ମଲ୍ଲିକ ଏବଂ ବିଜେଡିର ସୁନନ୍ଦା ଦାସଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଲଢେଇ ହୋଇଥିଲା। ବିଶ୍ବ ହାରିଲେ, ସୁନନ୍ଦା ଜିତିଲେ। ସମୟ ଗଡ଼ିଗଲା, ରଣନୀତି ଏବଂ ସ୍ବର ମଧ୍ୟ ବଦଳିଗଲା। ବିଶ୍ବ ଏବେ ବିଜେଡି କ୍ୟାମ୍ପରେ। କେବଳ ସେତିକି ନୁହେଁ, ସୁନନ୍ଦାଙ୍କ ସହିତ ମିଶି ସେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସପକ୍ଷରେ ସବୁ ଭଲ କଥା କହିବେ।
ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ଧୀରେ ଧୀରେ ଉଷ୍ଣ ହେବାରେ ଲାଗିଛି। ଏଥିସହିତ ସମୟ ସହିତ ବଦଳୁଥିବା ପରିସ୍ଥିତି ସଂପର୍କରେ ମଧ୍ୟ ଓଡ଼ିଶା ରାଜନୀତିରେ ଅନେକ ନୂଆ କଥା ରେକର୍ଡ ହେବାରେ ଲାଗିଛି। ରାଜନୀତିରେ ସବୁ ସମ୍ଭବ ବୋଲି ଯେଉଁ କଥା କୁହାଯାଉଥାଏ, ତାହାର ଉଦାହରଣ ଓଡ଼ିଶାରେ ଅନେକ।
୨୦୧୯ ବେଳକୁ ଓଡ଼ିଶାରେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ ଟକ୍କର ଚାଲିଥିଲା। ତୃତୀୟ ସ୍ଥାନରେ ଥିଲା କଂଗ୍ରେସ। କିନ୍ତୁ ବିଜେଡିର ରଣନୀତିକାରମାନଙ୍କ ଗୋଟିଚାଳନାରେ ବିରୋଧୀ ଶିବିର ଏବେ ଧ୍ବସ୍ତ ପ୍ରାୟ ଅବସ୍ଥାରେ। ବିଜେପି ନେତାଙ୍କର ଗର୍ଜନ ଆଉ ଶୁଭୁନି କି ରାଜରାସ୍ତାରେ ସରକାର ବିରୋଧରେ କମ୍ପନ ନାହିଁ। କେଉଁଠି ନା କେଉଁଠି ବୁଝିହେଉଛି, ରାଜନୀତିର ଶଗଡ ଗୁଳା ବାହାରକୁ ଚାଲିଆସିଛି ବିଜେପିର ଚକ। ଆଉ ସେଥିରୁ ଅନେକ ନେତା ଚାଲିଆସି ଏବେ ବିଜେଡି ଶିବିରରେ।
ସଂପ୍ରତି ପଞ୍ଚାୟତ ନିର୍ବାଚନର ଚିତ୍ର ବୟାନ କରୁଛି ଯେ ବିଜେଡି ପ୍ରଚାର, ରଣନୀତି ସବୁଠାରୁ ଢେର୍ ଆଗରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରା କମିବ କଣ, ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ନବୀନଙ୍କ ନାଆରେ ପାର ହେବା ପାଇଁ ସବୁ ଦଳର ନେତାମାନଙ୍କ ଭିତରେ ଗୋଟିଏ ପ୍ରତିଯୋଗିତା ଯେମିତି ଚାଲିଛି। ଏହାର ଫାଇଦା ନେଇ ଅନେକ ନେତା ଏବେ ରାତାରାତ ବିନା ସର୍ତ୍ତରେ ବିଜେଡିରେ ଲମ୍ଫ ପ୍ରଦାନ କରୁଛନ୍ତି। ସେ ମଧ୍ୟରୁ କିଛି ନେତାଙ୍କ ଆଖି ୨୦୨୪ ବିଧାନସଭା ଉପରେ ରହିଛି। ଏମାନଙ୍କୁ ଏବେ ଫୁଲଦମରେ ବିଜେଡି ପଞ୍ଚାୟତ ନିର୍ବାଚନରେ ପ୍ରୟୋଗ କରି ସେମାନଙ୍କର ଦକ୍ଷତା ପରୀକ୍ଷା କରୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଥିବା ନେତାଙ୍କ ମୁହଁରେ ବିଜେଡିର କଥା କେତେ ଅଧିକ ଶୁଭୁଛି ନା ସେମାନେ ନିରବ ରହି କେବଳ ଫାଇଦା ଅପେକ୍ଷାରେ ଅଛନ୍ତି, ଏସବୁର ହିସାବ ନିକାଶ ଚଳାଇଛନ୍ତି ବିଜେଡିର ବଡପଣ୍ଡାମାନେ।
ଏସବୁ କାରଣରୁ ଗତ ନିର୍ବାଚନରେ ପରସ୍ପର ବିରୋଧରେ ଲଢୁଥିବା ଅନେକ ନେତା ଏବେ ନବୀନଙ୍କ ପ୍ଲାଟଫର୍ମରେ ଏକାଠି ବସି ପରୀକ୍ଷା ଦେବାକୁ ଅଣ୍ଟାଭିଡ଼ିଛନ୍ତି। ରାଜ୍ୟର ପାଖାପାଖି ଅଧାରୁ ଅଧିକ ଆସନରେ ଏକଥା ଶୀର୍ଷସ୍ତରରେ ଦେଖାଯାଉଛି, ତୃଣମୂୂଳସ୍ତରରେ ଆଉ ଟିକେ ଅଧିକ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ