ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ନବୀନଙ୍କୁ ଦଳୀୟ ନେତାଙ୍କ ରିପୋର୍ଟ କାର୍ଡ ଦେବେ ପର୍ଯ୍ୟବେକ୍ଷକ

0

ଆଜିଠୁ ୩୩ ସାଗଂଠନିକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ତିନି ଦିନ ଧରି ଚାଲିବ ସମୀକ୍ଷା, ଜଣ ଜଣ କରି ୧୧ଜଣ ପର୍ଯ୍ୟବେକ୍ଷକ ସୁପ୍ରିମୋଙ୍କୁ ଦେବେ ତଥ୍ୟ

ଭଲ କରିଥଲେ ପୁରସ୍କୃତ କରିପାରନ୍ତି ନବୀନ, ଖରାପ ପ୍ରଦର୍ଶନକାରୀଙ୍କୁ ବି ମିଳିପାରେ ଦଣ୍ଡ

ବିଜେଡି ରାଜନୀତିରେ କମ୍ପନ, ନୂଆ ଓ ପୁରୁଣା ନେତା ଉଭୟ ନିଜ ସପକ୍ଷରେ ମତ ପାଇଁ ଲବି କରୁଛନ୍ତି

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ କେଉଁ ନିର୍ବାଚନମଣ୍ଡଳୀରେ ସବୁଠାରୁ ବେଶୀ ବିଶୃଙ୍ଖଳା ଦେଖାଗଲା?କେଉଁ ଅଞ୍ଚଳରେ ବିଧାୟକଙ୍କ ପତିଆରା କ୍ଷୁଣ୍ଣ ହୋଇସାରିଲାଣି? କେଉଁ ଆସନରେ ଭୋଟରଙ୍କ ଆସ୍ଥାଭାଜନ ହୋଇପାରୁନାହାନ୍ତି ଶାସକ ଦଳ ନେତା? ଦଳର ଶୃଙ୍ଖଳା ବାହାରକୁ ଯାଇ କେଉଁମାନେ କାମ କଲେ? ସର୍ବୋପରି ବିରୋଧୀ ଦଳ କେଉଁ ରଣନୀତି ଆପଣାଉଛନ୍ତି ଓ ଆଗକୁ କିଭଳି ବଢ଼ିବାକୁ ଯୋଜନା କରୁଛନ୍ତି?

ଏମିତି କିଛି ପ୍ରଶ୍ନ କାର୍ଡ ଧରି ଆଜିଠାରୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ୩୩ ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରିବେ। ତିନି ଦିନ ଧରି ହେବାକୁ ଥିବା ଏହି ଆଲୋଚନା ବେଳେ ନବୀନ ଜଣେ ଜଣେ ପର୍ଯ୍ୟବେକ୍ଷକଙ୍କୁ ଗୋଟିଏ ସମୟରେ ଭେଟିବେ ଓ ତାଙ୍କ ଠାରୁ ବିଶଦ ତଥ୍ୟ ସଂଗ୍ରହ କରିବେ। ପ୍ରତିଦିନ ୧୧ଜଣ ପର୍ଯ୍ୟବେକ୍ଷକଙ୍କୁ ଭେଟିବା ଲାଗି ଯୋଜନା ହୋଇଛି।

ନବୀନ ଜାଣିବାକୁ ଚାହୁଁଛନ୍ତି ଯେ ଯେଉଁଠାରେ ନିର୍ବାଚନ ଭଲ ହୋଇଛି, ତାହା କେଉଁ କାରଣ ପାଇଁ ହୋଇଛି, ଯେଉଁଠାରେ ଖରାପ ହେଲା ସେଥିପାଇଁ କିଏ ଦାୟୀ ତାର ତଥ୍ୟ ତାଙ୍କର ଦରକାର। ଏହି ତଥ୍ୟ ହାସଲ କରିବା ପରେ ସେ ବିଜେଡି ସଂଗଠନ ଓ ସରକାରର ମନ୍ତ୍ରିମଣ୍ଡଳରେ ବଡ ପରିବର୍ତ୍ତନ କରିବେ ବୋଲି ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି। ତାଙ୍କର କହିବାନୁସାରେ, ୨୦୨୪ ନିର୍ବାଚନ ପାଇଁ ବିଜେଡି ନକ୍ସା ପ୍ରସ୍ତୁତି ଆରମ୍ଭ କରିଛି। ଏବେଠାରୁ ପ୍ରତି ନିର୍ବାଚନମଣ୍ଡଳୀର ଚିତ୍ର ଦେଖି ଆବଶ୍ୟକ ନିଷ୍ପତ୍ତି ନେବେ ହାଇକମାଣ୍ଡ।

ବିଫଳ ପର୍ଯ୍ୟବେକ୍ଷକ ମଧ୍ୟ ବଦଳିବେ। ପଞ୍ଚାୟତରେ ଭଲ କାମ କରିଥିବା କିଛି ନେତାଙ୍କୁ ଦଳ ବିଭିନ୍ନ ସଂଗଠନ ଓ ନିଗମରେ ପଦପଦବି ଦେଇ ପୁରସ୍କୃତ କରିବ। ସେହିଭଳି ମନ୍ତ୍ରିମଣ୍ଡଳରୁ କିଛି ବରିଷ୍ଠଙ୍କୁ ସାଂଗଠନିକ କାର୍ଯ୍ୟ ପାଇଁ ଆଣିବ ଓ ଅପେକ୍ଷାକୃତ ଅଧିକ ଯୁବକ ଏବଂ ମହିଳା ନେତାଙ୍କୁ ନେଇ ନବୀନ ବାକି ସମୟ ସରକାର ଚଳାଇବେ। ଏସବୁ ଦୃଷ୍ଟିରୁ ଏହି ବୈଠକକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି।

ପର୍ଯ୍ୟବେକ୍ଷକଙ୍କ ସହିତ ଏହି ଆଲୋଚନାକୁ ନେଇ ବିଜେଡି ଆଭ୍ୟନ୍ତରୀଣ ମହଲରେ କିନ୍ତୁ କମ୍ପନ ସୃଷ୍ଟି ହେଲାଣି। କାହାର ସିସିଆର୍ କିଭଳି ଲେଖିବେ ପର୍ଯ୍ୟବେକ୍ଷକ, ଭଲ କହିବେ କିମ୍ବା ନବୀନଙ୍କୁ ମନ୍ଦ ଜଣାଇବେ, ତାହା ସେମାନଙ୍କୁ ବିବ୍ରତ କଲାଣି। ଏଣୁ ସେମାନଙ୍କ ସପକ୍ଷରେ ଯେଭଳି ଗୋଟିଏ ସକାରାତ୍ମକ ଆଭିମୁଖ୍ୟ ରହେ, ସେଥିପାଇଁ ଅନେକ ଲବି ଆରମ୍ଭ କରିଛନ୍ତି। ସେହିଭଳି ଯେଉଁମାନେ ଆସନ୍ତା ନିର୍ବାଚନରେ ନୂଆ କରି ବିଧାନସଭା ନିର୍ବାଚନ ପାଇଁ ମନ ବଳାଇଛନ୍ତି, ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନଙ୍କ ପରିଶ୍ରମ ସଂପର୍କରେ ହାଇକମାଣ୍ଡଙ୍କୁ ଜଣାଇବାକୁ ସେମାନେ ଚାପ ପ୍ରୟୋଗ କରୁଛନ୍ତି।

Leave A Reply

Your email address will not be published.