ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବିହାରରେ କାକା-ପୁତୁରା ଖେଳ

0
  • ବିଜେପିକୁ ଝଟ୍‌କା ଦେଲେ ନୀତିଶ
  • ଏନ୍‌ଡିଏ ଛାଡ଼ିଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା
  • ତେଜସ୍ବୀଙ୍କ ସହ ହାତ ମିଳାଇଲେ ନୀତିଶକୁମାର
  • ୭ଦଳ ସହ ୧୬୪ ବିଧାୟକଙ୍କ ସମର୍ଥନ ରହିଛି
  • ବୁଧବାର ପୁଣି ଶପଥ ଗ୍ରହଣ କରିପାରନ୍ତି
  • ବିଜେପି କହିଲା ନୀତିଶ ଜଣେ ବିଶ୍ବାସଘାତକ

ପାଟନା: ଯେଉଁ ସମୟରେ ମହାରାଷ୍ଟ୍ରରେ ବିଜେପି ପାଦ ସୁଦୃଢ କଲା, ଠିକ୍ ସେହି ସମୟରେ ବିହାରରେ ପଦ୍ମକୁ ଶାସନ କ୍ଷମତାରୁ ଦୂରକୁ ଫିଙ୍ଗିଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏକ ନାଟକୀୟ ଘଟଣା କ୍ରମରେ ଜେଡିୟୁ ନେତା ନୀତିଶ କୁମାର ଆଜି ଅପରାହ୍ନରେ ଏନ୍‌ଡିଏ ସହିତ ଖାଲି ସଂପର୍କ ଛିନ୍ନ କଲେ ତା’ ନୁହଁ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ଜନତା ଦଳର ହାତ ଧରିଲେ। ଆହୁରି ବଡ଼ କଥା ହେଲା, ଅଲ୍ପ କିଛି ଘଣ୍ଟା ମଧ୍ୟରେ ଉଭୟ ନୀତିଶ ଓ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ହାତ ମିଳାଇ ରାଜ୍ୟପାଳ ଫଗୁ ଚୌହ୍ବାନଙ୍କ ନିକଟରେ ସରକାର ଗଠନ ପାଇଁ ଦାବି କରିଛନ୍ତି। ତେଜସ୍ବୀ ସମ୍ମତି ପ୍ରକାଶ କରିଛନ୍ତି ଯେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହେବେ ଓ ସମ୍ଭବତଃ ଅଷ୍ଟମ ଥର ପାଇଁ ଶ୍ରୀ କୁମାର ପୁଣି ପଦ ଓ ଗୋପନୀୟତାର ଶପଥ ନେବେ। ଉଭୟ ନେତା ଦାବି କରିଛନ୍ତି ଯେ ସେମାନଙ୍କ ନିକଟରେ ଏବେ ୭ଟି ରାଜନୈତିକ ଦଳର ସମର୍ଥନ ରହିଛି ଏବଂ ୧୬୪ ଜଣ ବିଧାୟକଙ୍କୁ ନେଇ ନୂଆ ସରକାର ଗଠନ ହେବ।
ଆଜି ଅପରାହ୍ନରେ ନୀତିଶ ଗଣମାଧ୍ୟମକୁ କହିଥିଲେ ଯେ ଜେଡିୟୁ ବୈଠକରେ ହୋଇଥିବା ଆଲୋଚନା ଆଧାରରେ ତଥା ଦଳର ନେତାଙ୍କ ନିଷ୍ପତ୍ତି ଅନୁସାରେ ସେ ଏନ୍‌ଡିଏ ସହିତ ସଂପର୍କ ତୁଟାଉଛନ୍ତି। ଏହା ପରେ ଯାଇ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଯାଇଥିଲେ।ଏଠାରେ ଉଲ୍ଲେଖଥାଉକି, ରାଜଭବନରୁ ବାହାରି ନୀତିଶ ତେଜସ୍ବୀ ଘରକୁ ଯାଇ ତାଙ୍କୁ ସାଙ୍ଗରେ ନେଇ ପୁଣି ରାଜ୍ୟପାଳଙ୍କୁ ଭେଟିଥିଲେ ଓ ସରକାର ଗଠନ ଦାବି କରିଥିଲେ।

ସେହିଭଳି ତେଜସ୍ବୀ ଯାଦବ କହିଛନ୍ତି ଯେ ଏବେ ବିହାରରେ କାକା-ପୁତୁରା ସରକାର ଚାଲିବ। ନୀତୀଶଙ୍କୁ ଜନମତ ମିଳିଛି ଏବଂ ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ। ହେଲେ ତାଙ୍କ ପାଖରେ ଗୃହ ବିଭାଗ ରହିବା ସମ୍ଭାବନା ଅଧିକ। ଯଦିଓ ତାଙ୍କ ଦଳର ସଂଖ୍ୟା ଅଧିକ ଓ ଆର୍‌ଜେଡି କର୍ମୀମାନେ ଚାହାନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କିନ୍ତୁ ଏମିତି ହେବନି। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ବ୍ୟସ୍ତ ନାହିଁ ବୋଲି ତେଜସ୍ବୀ ଗଣମାଧ୍ୟମକୁ କହିଛନ୍ତି।
ଉଭୟ ନୀତିଶ ଓ ତେଜସ୍ବୀଙ୍କ ସହିତ ସିପିଆଇ, ସିପିଆଇ(ଏମଏଲ)ର ସମସ୍ତ ବିଧାୟକ ଆଜି ୧୦ ସର୍କୁଲାର ରୋଡ୍‌ ସ୍ଥିତ ଆର୍‌ଜେଡି ବୈଠକରେ ଯୋଗ ଦେଇଥିଲେ। ନୀତୀଶ ପ୍ରଥମ ଥର ପାଇଁ ୨୦୦୦ ମାର୍ଚ୍ଚ ୧ରେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ୨୦୦୫ରେ ଦ୍ବିତୀୟ ଥର, ୨୦୧୦ରେ ତୃତୀୟ ଥର, ୨୦୧୫ରେ ଚତୁର୍ଥ ଥର, ସେହି ୨୦୧୫ରେ ପଞ୍ଚମ ଥର, ୨୦୧୭ରେ ଷଷ୍ଠ ଥର ଏବଂ ୨୦୨୦ ନଭେମ୍ବରରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ।

ଅନ୍ୟପକ୍ଷରେ ବିଜେପିକୁ ଆଜିର ଘଟଣା ଜବରଦସ୍ତ ଝଟ୍‌କା ଦେଇଛି। ଦଳର କିଛି ନେତା କହିଛନ୍ତି ଯେ ଏକଥା ଆଗକୁ ସେମାନେ ଅନୁମାନ କରୁଥିଲେ। ନୀତିଶଙ୍କ ହାବଭାବ ବି ସେମିତି ଥିଲା। ନୀତିଶଙ୍କୁ ଗତକାଲି ଗୃହ ମନ୍ତ୍ରୀ ଅମିତ ଶାହ ଫୋନ୍ କରିଥିଲେ ହେଁ କୌଣସି ଲାଭ ହୋଇନଥିଲା। ଏଥିସହିତ ବିଜେପି ଏବେ ତାର ପ୍ରସ୍ତୁତି ଆରମ୍ଭ କରିଛି। ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରମୁଖ ବିଭିନ୍ନ ଗୋଷ୍ଠୀ ସହିତ ଘନ ଘନ ଆଲୋଚନା କରୁଛନ୍ତି। ଏଥିସହିତ ବିଜେପି ନୀତିଶ କୁମାରଙ୍କୁ ବିଶ୍ବାସଘାତକ ବୋଲି କହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ପୁଅ ଚିରାଗ ବିହାରରେ ମେଣ୍ଟ ଭାଙ୍ଗିଥିବାରୁ ସାନି ନିର୍ବାଚନ ହେବା ଉଚିତ ବୋଲି ମତ ଦେବା ସହିତ ରାଷ୍ଟ୍ରପତି ଶାସନ ସପକ୍ଷରେ ମତ ରଖିଛନ୍ତି। ତେବେ ଖୁବ୍ ଶୀଘ୍ର କଂଗ୍ରେସ ବି ଏହି ସରକାରରେ ସାମିଲ ହେବ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.