ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୨୮/୦୧: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି । ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା ଦେଉଛି ଏବଂ ଭବିଷ୍ୟତରେ ଏହା ଆଣ୍ଠୁ ପ୍ରତ୍ୟାରୋପଣର ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଭାରତର ପ୍ରତିଷ୍ଠିତ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ୱାବଧାନରେ ସମ୍‌ରେ ଏହି ଅସ୍ତ୍ରୋପଚାର କରାଯାଇଛି ।
ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ଯେ କୌଣସି ଅସ୍ତ୍ରୋପଚାରରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକ୍ରିୟା ସଠିକ୍ ହେବା ଦରକାର ଏବଂ ରୋଗୀ ପାଇଁ ଆରାମଦାୟକ ହେବା ଆବଶ୍ୟକ ।

ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀରେ ସଠିକତା ଓ ଆଣ୍ଠୁ ଚାରିପଟେ ଥିବା ସୂକ୍ଷ୍ମ କୋଷିକାଗୁଡ଼ିକର ଭାରସାମ୍ୟ ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରୋବୋଟିକ୍ ସର୍ଜରୀରେ ଏହା ସମ୍ଭବ ହୋଇପାରୁଛି ବୋଲି ସମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ।
ପାରମ୍ପରିକ ପ୍ରକ୍ରିୟାରେ ହେଉଥିବା ଅସ୍ତ୍ରୋପଚାର ସଫଳ ହୋଇଥାଏ କିନ୍ତୁ ସବୁ ରୋଗୀ ଏଥିରେ ଖୁସି ହୋଇନଥାନ୍ତି । କିନ୍ତୁ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ରୋବୋଟିକ୍ ଅସ୍ତ୍ରୋପଚାର ମାଧ୍ୟମରେ ବିଶେଷଜ୍ଞମାନେ ସଠିକ୍‌, ଭାରସାମ୍ୟ ରକ୍ଷା କରି ଉତ୍କୃଷ୍ଟ ଧରଣର ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରୁଛନ୍ତି । ଏହି ପ୍ରକ୍ରିୟାରେ ସୂକ୍ଷ୍ମ କୋଷିକା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ଏବଂ ଅସ୍ତ୍ରୋପଚାର ପରେ ରୋଗୀଟି ଖୁବ୍ ଶୀଘ୍ର ନିଜର ଦୈନନ୍ଦିନ ଜୀବନକୁ ଫେରିଯାଇପାରେ । ଏହା ଦ୍ୱାରା ପ୍ରକ୍ରିୟାଟି ଠିକ୍ ଭାବରେ ହୋଇଥାଏ, ରୋଗୀକୁ କମ୍ କଷ୍ଟ ହୋଇଥାଏ ଏବଂ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ ।

ପୂର୍ବ ତୁଳନାରେ ବର୍ତମାନ ଯୁବବର୍ଗଙ୍କର ଅଧିକ ମାତ୍ରାରେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ ହେଉଛି ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ।
ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ପାରମ୍ପରିକ ଅସ୍ତ୍ରୋପଚାର ଠାରୁ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ଖର୍ଚ୍ଚ ମାତ୍ର ୧୦ ରୁ ୧୫ ପ୍ରତିଶତ ଅଧିକ ହୋଇଥାଏ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ହେଉଥିବା ଅସ୍ତ୍ରୋପଚାରରେ ମନୁଷ୍ୟକୃତ ଭୁଲର ମାତ୍ରା କମିଯିବ । ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାସ କହିଛନ୍ତି ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଇଥିବା ରୋଗୀଟି ୩ ରୁ ୪ ବର୍ଷ ହେବ କଷ୍ଟ ଅନୁଭବ କରୁଥିଲେ । ଅଧିକାଂଶ ଲୋକ କଷ୍ଟ ପାଉଥିବା ସତ୍ୱେ ଅସ୍ତ୍ରୋପଚାର ଅପେକ୍ଷା ଔଷଧ ଉପରେ ଅଧିକ ନିର୍ଭର କରିଥାନ୍ତି । ତେବେ ଯେତେବେଳେ ଔଷଧ କାମ କରେ ନାହିଁ ଏଭଳି କ୍ଷେତ୍ରରେ ଚିକିତ୍ସା କଷ୍ଟକର ହୋଇ ପଡିଥାଏ ।

ଆଣ୍ଠୁ ସମସ୍ୟା ଏବଂ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ଏହି ପ୍ରକ୍ରିୟା ଏବଂ ଏହାର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଦାସ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ପ୍ରଫେସର (ଡାକ୍ତର) ସତ୍ୟପ୍ରସନ୍ନ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.