ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୨୮/୦୧: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି । ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା ଦେଉଛି ଏବଂ ଭବିଷ୍ୟତରେ ଏହା ଆଣ୍ଠୁ ପ୍ରତ୍ୟାରୋପଣର ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଭାରତର ପ୍ରତିଷ୍ଠିତ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ୱାବଧାନରେ ସମ୍‌ରେ ଏହି ଅସ୍ତ୍ରୋପଚାର କରାଯାଇଛି ।
ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ଯେ କୌଣସି ଅସ୍ତ୍ରୋପଚାରରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକ୍ରିୟା ସଠିକ୍ ହେବା ଦରକାର ଏବଂ ରୋଗୀ ପାଇଁ ଆରାମଦାୟକ ହେବା ଆବଶ୍ୟକ ।

ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀରେ ସଠିକତା ଓ ଆଣ୍ଠୁ ଚାରିପଟେ ଥିବା ସୂକ୍ଷ୍ମ କୋଷିକାଗୁଡ଼ିକର ଭାରସାମ୍ୟ ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରୋବୋଟିକ୍ ସର୍ଜରୀରେ ଏହା ସମ୍ଭବ ହୋଇପାରୁଛି ବୋଲି ସମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ।
ପାରମ୍ପରିକ ପ୍ରକ୍ରିୟାରେ ହେଉଥିବା ଅସ୍ତ୍ରୋପଚାର ସଫଳ ହୋଇଥାଏ କିନ୍ତୁ ସବୁ ରୋଗୀ ଏଥିରେ ଖୁସି ହୋଇନଥାନ୍ତି । କିନ୍ତୁ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ରୋବୋଟିକ୍ ଅସ୍ତ୍ରୋପଚାର ମାଧ୍ୟମରେ ବିଶେଷଜ୍ଞମାନେ ସଠିକ୍‌, ଭାରସାମ୍ୟ ରକ୍ଷା କରି ଉତ୍କୃଷ୍ଟ ଧରଣର ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରୁଛନ୍ତି । ଏହି ପ୍ରକ୍ରିୟାରେ ସୂକ୍ଷ୍ମ କୋଷିକା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ଏବଂ ଅସ୍ତ୍ରୋପଚାର ପରେ ରୋଗୀଟି ଖୁବ୍ ଶୀଘ୍ର ନିଜର ଦୈନନ୍ଦିନ ଜୀବନକୁ ଫେରିଯାଇପାରେ । ଏହା ଦ୍ୱାରା ପ୍ରକ୍ରିୟାଟି ଠିକ୍ ଭାବରେ ହୋଇଥାଏ, ରୋଗୀକୁ କମ୍ କଷ୍ଟ ହୋଇଥାଏ ଏବଂ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ ।

ପୂର୍ବ ତୁଳନାରେ ବର୍ତମାନ ଯୁବବର୍ଗଙ୍କର ଅଧିକ ମାତ୍ରାରେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ ହେଉଛି ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ।
ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ପାରମ୍ପରିକ ଅସ୍ତ୍ରୋପଚାର ଠାରୁ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ଖର୍ଚ୍ଚ ମାତ୍ର ୧୦ ରୁ ୧୫ ପ୍ରତିଶତ ଅଧିକ ହୋଇଥାଏ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ହେଉଥିବା ଅସ୍ତ୍ରୋପଚାରରେ ମନୁଷ୍ୟକୃତ ଭୁଲର ମାତ୍ରା କମିଯିବ । ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାସ କହିଛନ୍ତି ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଇଥିବା ରୋଗୀଟି ୩ ରୁ ୪ ବର୍ଷ ହେବ କଷ୍ଟ ଅନୁଭବ କରୁଥିଲେ । ଅଧିକାଂଶ ଲୋକ କଷ୍ଟ ପାଉଥିବା ସତ୍ୱେ ଅସ୍ତ୍ରୋପଚାର ଅପେକ୍ଷା ଔଷଧ ଉପରେ ଅଧିକ ନିର୍ଭର କରିଥାନ୍ତି । ତେବେ ଯେତେବେଳେ ଔଷଧ କାମ କରେ ନାହିଁ ଏଭଳି କ୍ଷେତ୍ରରେ ଚିକିତ୍ସା କଷ୍ଟକର ହୋଇ ପଡିଥାଏ ।

ଆଣ୍ଠୁ ସମସ୍ୟା ଏବଂ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ଏହି ପ୍ରକ୍ରିୟା ଏବଂ ଏହାର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଦାସ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ପ୍ରଫେସର (ଡାକ୍ତର) ସତ୍ୟପ୍ରସନ୍ନ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.