ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ତିନି ପ୍ରମୁଖ ଦେବୀ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

0

ଭୁବନେଶ୍ବର; ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମାଙ୍କର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି । ମାଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । । ୫ଟି ଉପକ୍ରମରେ ଏହି ଯୋଜନା କାର୍ୟ୍ୟକାରୀ ହେବ । ପୂର୍ତ୍ତ ବିଭାଗର ପର୍ୟ୍ୟଟନସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି । ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲାର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି । ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ । ୫ଟି ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ ଖାଣ୍ଡେଲାଇଟ ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ । ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ କିଓସ୍କ, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବ ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି । ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ । ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ ୫-ଟି ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି । ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ୟ୍ୟ ସଂପାଦନ କରିବ ।

ଖୋର୍ଦ୍ଦା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ । ୧୩୫୨ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସର କେନ୍ଦ୍ର ହୋଇ ରହିଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ , ଯାତ୍ରୀ ଙ୍କ ସୁବିଧା, ଯାତ୍ରା ପଡିଆ ସହିତ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ ।

ଏହି ତିନି ଗୋଟି ପୀଠର ବିକାଶ ଯୋଜନାକୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.