ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

0

ମାଲକାନଗିରି: ମାଲକାନଗିରିର ଜଙ୍ଗଲରେ ମାଆଙ୍କ ସହ କାଠ ଓ ମହୁଲ ଫୁଲ ସଂଗ୍ରହରୁ ଆରମ୍ଭ ହୋଇଥିବା ଜୟନ୍ତୀ ବୁରୁଡ଼ାଙ୍କ ଯାତ୍ରା ଏବେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ‘କୌନ ବନେଗା କରୋଡ଼ପତି’ ମଞ୍ଚରେ ପହଞ୍ଚିଛି। ଦେଶର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସ୍ଥାନ ପାଇଥିବା ଜୟନ୍ତୀ ଥିଲେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ। ମାଲକାନଗିରିର ଆଦିବାସୀ ସମାଜ ପାଇଁ କାମ କରି ‘ଜଙ୍ଗଲ ରାଣୀ’ ଭାବେ ପରିଚିତ ଜୟନ୍ତୀଙ୍କର କେବିସିରେ ଯୋଗଦେବା ଦୀର୍ଘଦିନର ସ୍ୱପ୍ନ ଥିଲା। ଅନେକଥର ଚେଷ୍ଟା କରିବା ପରେ ଶେଷରେ ସେ କେବିସି ମଞ୍ଚରେ ପହଞ୍ଚିଥିଲେ। ଯଦିଓ ସେ ଚର୍ଚ୍ଚିତ ‘ହଟ୍ ସିଟ୍‌’ରେ ବସିବାର ଶେଷ ପର୍ଯ୍ୟାୟ ପାର କରିପାରିନଥିଲେ, ଦେଶର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଚୟନ ହେବା ଓ ଜାତୀୟ ମଞ୍ଚରେ ମାଲକାନଗିରିକୁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଛି।

ଜୟନ୍ତୀ କହିଛନ୍ତି, ଅମିତାଭ ବଚ୍ଚନଙ୍କୁ ଭେଟିବା ଏବଂ ଦେଶର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସହ ମିଶିବା ତାଙ୍କ ପାଇଁ ବିଶେଷ ଅନୁଭବ ଥିଲା। ହଟ୍ ସିଟ୍‌ରେ ବସିବାର ସ୍ୱପ୍ନ ଏଥର ପୂରଣ ହୋଇନଥିଲେ ମଧ୍ୟ ଭବିଷ୍ୟତରେ ପୁଣି ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି। କୋୟା ଆଦିବାସୀ ପରିବାରରେ ଜନ୍ମିତ ଜୟନ୍ତୀ ୧୧ ଭାଇଭଉଣୀଙ୍କ ମଧ୍ୟରୁ ନବମ। ମାଲକାନଗିରିର ସେରପଲ୍ଲୀ ଗାଁରେ ତାଙ୍କ ପିଲାଦିନ କଟିଥିଲା। ମାଆଙ୍କ ସହ ଜଙ୍ଗଲରୁ କାଠ ଓ ମହୁଲ ଫୁଲ ସଂଗ୍ରହ କରିବା ସହ ଗାଈ ଚରାଇବା ଥିଲା ତାଙ୍କ ଦୈନନ୍ଦିନ ଜୀବନର ଅଂଶ। ଆରମ୍ଭରେ ପାଠପଢ଼ା ପ୍ରତି ତାଙ୍କର ବିଶେଷ ଆଗ୍ରହ ନଥିଲା। ଗାଁର ଏକମାତ୍ର ବିଦ୍ୟାଳୟରେ ନାମ ଲେଖାଇବା ପରେ ଦୁଇଜଣ ଶିକ୍ଷକଙ୍କ ପ୍ରେରଣା ତାଙ୍କ ଜୀବନର ମୋଡ଼ ବଦଳାଇଦେଇଥିଲା। ଶେଷରେ ନିଜ ଶ୍ରେଣୀର ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକମାତ୍ର ଝିଅ ଭାବେ ସେ ଦଶମ ଶ୍ରେଣୀ ପରୀକ୍ଷାରେ ସଫଳ ହୋଇଥିଲେ। ପରେ ସାମ୍ବାଦିକତା କ୍ଷେତ୍ରକୁ ଆସି ଜୟନ୍ତୀ ମାଲକାନଗିରିର ଆଦିବାସୀ ସମାଜର ସମସ୍ୟା ଓ ଜୀବନଯାପନକୁ ଲୋକଲୋଚନକୁ ଆଣିଥିଲେ। ବିଶେଷକରି ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳା ଓ ସମୁଦାୟର ସମସ୍ୟାକୁ ସାମ୍ବାଦିକତା ଓ ସାମାଜିକ ମାଧ୍ୟମ ଜରିଆରେ ସେ ଉଠାଇଛନ୍ତି।

ଆଦିବାସୀ ସମାଜ ଓ ସାମାଜିକ କାର୍ଯ୍ୟ ପାଇଁ ଜୟନ୍ତୀ ଏକାଧିକ ସମ୍ମାନ ପାଇବା ସହ ତାଙ୍କ ଜୀବନଯାତ୍ରା ଫୋର୍ବସ୍ ଇଣ୍ଡିଆରେ ମଧ୍ୟ ସ୍ଥାନ ପାଇଛି।
ଜୟନ୍ତୀ କହିଛନ୍ତି, “ମାଲକାନଗିରି ଓ ଏହାର ଆଦିବାସୀ ସମାଜକୁ ପ୍ରତିନିଧିତ୍ୱ କରି ଜାତୀୟ ମଞ୍ଚରେ ଆମ ପରିଚୟକୁ ନେଇପାରିବା ମୋ ପାଇଁ ଗର୍ବର ବିଷୟ।”
ଜଙ୍ଗଲରୁ ସାମ୍ବାଦିକତା ଏବଂ ସାମାଜିକ ସେବା ପର୍ଯ୍ୟନ୍ତ ଜୟନ୍ତୀଙ୍କ ଯାତ୍ରା ଏବେ କେବିସି ମଞ୍ଚରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଶିକ୍ଷା, ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ତାଙ୍କୁ ଜାତୀୟ ପରିଚୟ ଦେଇଛି।

Leave A Reply

Your email address will not be published.