ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଶା ଗୋଟିଏ ପରେ ଗୋଟିଏ ବନ୍ୟାର ସାମ୍ନା କରୁଥିବା ବେଳେ ଗତ ୧୫ ଦିନରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ବନ୍ୟା କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ରିପୋର୍ଟ ଆଧାରରେ ପ୍ରଭାବିତଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୪ଟି ଜିଲ୍ଲାର ୧୫୪ଟି ବ୍ଲକ୍, ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨,୮୫୫ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ସେହିପରି ସହରାଞ୍ଚଳର ୨୦୯ଟି ୱାର୍ଡରେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩୬୬ଟି ଗାଁରୁ ପର୍ଯ୍ୟାୟକ୍ରମେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ଏଠାରେ ୭ ଲକ୍ଷ ୨୬ ହଜାର ୪୪୧ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ୩୧ଟି ସ୍ଥାନରେ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟାରେ ପ୍ରାୟ ୭୯ ହଜାର ୮୨୪ ହେକ୍ଟର ଚାଷଜମି ଏବଂ ୫,୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତଙ୍କୁ ୯୦.୫ କ୍ୱିଣ୍ଟାଲ ଚାଉଳ, ୩୫୬.୩ କ୍ୱିଣ୍ଟାଲ ଗୁଡ଼ ଏବଂ ୮,୭୦୮ଟି ପଲିଥିନ ଯୋଗାଇ ଦିଆଯାଇଛି। ବିଭିନ୍ନ ଜିଲ୍ଲାକୁ ପ୍ରାଥମିକ ଭାବେ ୧୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆହୁରି ୨୬ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି। କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ କିଛି ଜିଲ୍ଲାରୁ ଆସିସାରିଥିବା ବେଳେ ଅନ୍ୟ ଜିଲ୍ଲାର ରିପୋର୍ଟ ମଧ୍ୟ ସଂଗ୍ରହ କରାଯାଉଛି। କୃଷି ବିଭାଗର ସହାୟତାରେ କ୍ଷୟକ୍ଷତି ଆକଳନ କରାଯାଇ ଏହାକୁ କ୍ୟାବିନେଟରେ ଆଲୋଚନା କରାଯିବ। ଚାଷୀଙ୍କୁ ସ୍ୱଳ୍ପମିଆଦି ଧାନ ବିହନ ଯୋଗାଇବା ସହ ପନିପରିବା ଚାଷୀଙ୍କ ପାଇଁ ମଧ୍ୟ ଅଧିକ ସହାୟତା ଦିଆଯିବ।
କୃଷି, ସମବାୟ ଓ ପଶୁସମ୍ପଦ ବିଭାଗ ମାଧ୍ୟମରେ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଛି। କ୍ଷତିର ପରିମାଣ ଅନୁଯାୟୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ। କୌଣସି ଯୋଗ୍ୟ ପ୍ରଭାବିତ ବ୍ୟକ୍ତି ସହାୟତାରୁ ବଞ୍ଚିତ ହେଲେ ନିକଟସ୍ଥ ପଞ୍ଚାୟତ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଜଣାଇପାରିବେ। ଏବେ ସୁଦ୍ଧା କୌଣସି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବାର ଯୋଜନା ନଥିବା ମନ୍ତ୍ରୀ କହିଛନ୍ତି। ଆବଶ୍ୟକତା ଅନୁଭବ ହେଲେ କେନ୍ଦ୍ର ସରକାରଙ୍କୁ ଅଧିକ ସହାୟତା ମଗାଯିବ। ଆଗକୁ ଲଘୁଚାପ ଯୋଗୁଁ ପୁଣି ବର୍ଷା ଓ ବନ୍ୟାର ଆଶଙ୍କା ଥିବାରୁ ପ୍ରଶାସନକୁ ସଜାଗ ରଖାଯାଇଛି।