ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବୀମା ନଥିଲେ ପେଟ୍ରୋଲ ନାହିଁ:

0

ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବୈଧ ତୃତୀୟ ପକ୍ଷ ବୀମା ନଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ନଦେବା ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପାଇଲଟ୍ ପ୍ରକଳ୍ପ ଦିଲ୍ଲୀରୁ ଆରମ୍ଭ କରାଯାଇପାରେ ବୋଲି ବୁଧବାର ଅଦାଲତ କହିଛନ୍ତି। ଜଷ୍ଟିସ୍‌ ସଞ୍ଜୟ କାରୋଲ ଓ ଜଷ୍ଟିସ୍‌ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର କିଛି ଆଶଙ୍କା ରହିଥିବା କେନ୍ଦ୍ରର ଆଇନଜୀବୀ ଅଦାଲତଙ୍କୁ ଜଣାଇଥିଲେ। ତେଲ ବିପଣନ କମ୍ପାନୀଗୁଡ଼ିକୁ ଡିଲରମାନଙ୍କ ସହ ଆଲୋଚନା କରି ଏନେଇ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ସେ କହିଥିଲେ। ତେବେ ଖଣ୍ଡପୀଠ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ ସ୍ପଷ୍ଟ ଭାବେ କହିଛନ୍ତି।

ଅଗଷ୍ଟ ୪ରେ ସୁପ୍ରିମକୋର୍ଟ ପ୍ରଥମେ ଏହି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ମତରେ, ବୀମା ସ୍ଥିତି ସହ ଇନ୍ଧନ ବିକ୍ରିକୁ ଯୋଡ଼ିଲେ ବୀମା ନଥିବା କିମ୍ବା ପଞ୍ଜୀକରଣ ସମ୍ବନ୍ଧୀୟ ଅନିୟମିତତା ଥିବା ଗାଡ଼ି ଚିହ୍ନଟ କରିବା ସହ ମାଲିକମାନଙ୍କୁ ବୈଧ ବୀମା କରାଇବାକୁ ପ୍ରୋତ୍ସାହିତ କରାଯାଇପାରିବ।
ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ ଯେ ଦେଶରେ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବୈଧ ବୀମା ବିନା ଚାଲୁଛି। ୩୦.୪୮ କୋଟି ଗାଡ଼ି ମଧ୍ୟରୁ ପ୍ରାୟ ୧୬.୫୪ କୋଟି ଗାଡ଼ିର ବୀମା ନଥିବା ତଥ୍ୟ ଅଦାଲତ ଉଲ୍ଲେଖ କରିଥିଲେ। ଏଭଳି ସ୍ଥିତିରେ ଦୁର୍ଘଟଣାରେ ପୀଡ଼ିତଙ୍କୁ କ୍ଷତିପୂରଣ ପାଇବାରେ ବିଳମ୍ବ ହେଉଥିବା ନେଇ ମଧ୍ୟ କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି।

ଏହି ବ୍ୟବସ୍ଥାରେ ପ୍ରଯୁକ୍ତିର ବ୍ୟବହାର କରାଯିବାର ସମ୍ଭାବନା ରହିଛି। ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା ମାଧ୍ୟମରେ ଗାଡ଼ିର ବୀମା ସ୍ଥିତି ଯାଞ୍ଚ କରି ଅନିୟମିତ ଗାଡ଼ି ବିରୋଧରେ ଇ-ଚାଲାଣ କରାଯାଇପାରେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ରେ ହେବ। ସେତେବେଳେ କେନ୍ଦ୍ର ସରକାରଙ୍କୁ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ସମୟସୀମା ସହିତ ଏକ ସ୍ପଷ୍ଟ ପ୍ରସ୍ତାବ ଦେବାକୁ କୁହାଯାଇଛି।

Leave A Reply

Your email address will not be published.