ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଡ଼ିଶା ରଣନୀତି ବଦଳାଇବ ବିଜେପି

0

୨୦୨୦ ମାର୍ଚ୍ଚ ସୁଦ୍ଧା ଦଳ ସଶକ୍ତ ହେବ
କେନ୍ଦ୍ରରେ ମଧ୍ୟ ବଢିବ ଧର୍ମେନ୍ଦ୍ରଙ୍କ ପଆରା

ଭୁବନେଶ୍ୱର: ଗୁରୁବାର ପ୍ରକାଶ ପାଇଥିବା ବିଜେପୁର ରାୟକୁ ନେଇ ବିଜେଡି ଉତ୍ସବ ପାଳୁଛି । ଓଡ଼ିଶା ବିଧାନସଭା ଇତିହାସରେ କୌଣସି ପ୍ରାର୍ଥୀ ୯୭ ହଜାର ୯୯୦ ଭୋଟରେ ପୂର୍ବରୁ ବିଜୟ ଲାଭ କରିନଥିଲେ । ହେଲେ ଏହି ଖବର ବିଜେପି ଶୀର୍ଷସ୍ତରକୁ ଦୋହଲାଇ ଦେଇଛି । ଲୋକସଭା ନିର୍ବାଚନରେ ୩୮ ପ୍ରତିଶତ ଭୋଟ ପାଇଥିବା ବିଜେପି ବିଜେପୁର ଫଳାଫଳ ପରେ ରଣନୀତି ବଦଳାଇବା ସମ୍ଭାବନା ସୃଷ୍ଟି ହେଲାଣି । ଏମିତି ଯେ ନିର୍ବାଚନ ପରେ ବିଜେଡି ସହିତ ବାନ୍ଧିଥିବା ସଂପର୍କ ନେଇ ସେମାନେ ଆଉଥରେ ସମୀକ୍ଷା କରିପାରନ୍ତି । ବିଜେଡିର ଜଣେ ଶୀର୍ଷସ୍ତରର ନେତୃତ୍ୱର କଥାକୁ ଯଦି ବିଶ୍ୱାସ କରାଯାଏ, ତେବେ ଖୁବ୍‍ ଶୀଘ୍ର ବିଜେପି ଓଡ଼ିଶା ଆଭିମୁଖ୍ୟ ବଦଳାଇବ । ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପୂର୍ବସ୍ଥିତିକୁ ଦଳ ଫେରିଆସିବ । ପ୍ରମୁଖ ବିରୋଧୀ ଦଳର ଭୂମିକା ନେବ ଓ ସରକାରଙ୍କୁ ପୂର୍ବ ଭଳି ପ୍ରତି କଥାରେ ଘେରିବ । ଅନ୍ୟଥା ଓଡ଼ିଶା ଦଖଲ ସ୍ୱପ୍ନରେ ରହିଯାଇପାରେ, ଏକଥା କେନ୍ଦ୍ରୀୟ ନେତୃତ୍ୱ ହେଜିଲେଣି ।

ବିଜେପିର ଦିଲ୍ଲୀ ସୂତ୍ରକୁ ସୂଚାଉଛି, ଉପ ନିର୍ବାଚନ ଓ ସଦ୍ୟ ସମାପ୍ତ ଦୁଇଟି ବିଧାନସଭା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଆଦୌ ଖୁସି କରିନାହିଁ । ଏଣୁ ସେମାନେ ଖୁବ୍‍ ଶୀଘ୍ର ସାଂଗଠନିକ ସ୍ତରରେ କସରତ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ଓଡ଼ିଶା କ୍ଷେତ୍ରରେ ବିଜେପି ଭିନ୍ନ ଏକ ଆଭିମୁଖ୍ୟ ଗ୍ରହଣ କରି ସୁଯୋଗ ଅପେକ୍ଷାରେ ଥିଲା । ମାତ୍ର ଉପନିର୍ବାଚନରେ ପାଖାପାଖି ୧୫ ହଜାର ଭୋଟ କମିଯିବା ଏକ ସଙ୍ଗିନ୍‍ ଘଟଣା । ଗୋଟିଏ ପଟେ କଂଗ୍ରେସ ସଂଗଠନ ଭୁଶୁଡିବାକୁ ବସିଥିବା ବେଳେ ଅନ୍ୟପଟରେ ଯଦି ବିଜେପି ଦୁର୍ବଳ ସ୍ଥିତିକୁ ଚାଲିଆସେ, ତେବେ ବିଜେଡି ବିରୋଧୀ ଭୋଟ ଭିନ୍ନ ଏକ ସମୀକରଣ ସୃଷ୍ଟି କରିବ । ଆଉ ତାହାଯଦି ଆଞ୍ଚଳିକ ଦଳ ଗଠନ ପାଇଁ ସୁଯୋଗ ସୃଷ୍ଟି କରେ, ତେବେ ହରିୟାନା ଭଳି ପରିସ୍ଥିତି ହୋଇପାରେ । ଏଣୁ ବିଜେଡିକୁ ଆଉ ସୁଯୋଗ ନ ଦେଇ ୨୦୨୦ ସୁଦ୍ଧା ଦଳ ଓଡ଼ିଶାରେ ପୁରୁଣା ସ୍ଥିତିକୁ ଫେରିଆସିବା ଲାଗି ଚିନ୍ତା ଆରମ୍ଭ କରିଛି । ଆସନ୍ତା ସଭାପତି ନିର୍ବାଚନକୁ ସେହି ଧାରାରେ ଦଳ ଆଗେଇ ନେବାର ସମ୍ଭାବନା ଅଧିକ ।

ଉଲ୍ଲେଖଯୋଗ୍ୟ, ବିଜେଡି ସହିତ ମେଣ୍ଟ ଭାଙ୍ଗିବା ପରେ ଓଡ଼ିଶା ବିଜେପିକୁ ଏତେ ବାଟ ଆଣିବା ପଛରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜୟ ମହାପାତ୍ର ଓ ପରବର୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଉଲ୍ଲେଖନୀୟ ରହିଛି । ସଂପ୍ରତି କେନ୍ଦ୍ର ସରକାରରେ ଶ୍ରୀ ପ୍ରଧାନ ଉଲ୍ଲେଖନୀୟ ସ୍ଥାନରେ ଅଛନ୍ତି । ତାଙ୍କୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । କେବଳ ସେତିକି ନୁହେଁ, ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ସଭାପତିଙ୍କ ଅତି ନିକଟତମ ଏକଥା ଯେ କେହି ସ୍ୱୀକାର କରିବେ । ଶ୍ରୀ ପ୍ରଧାନଙ୍କ ଭୂମିକା ଜାତୀୟ ରାଜନୀତିରେ ଖୁବ୍‍ ଶୀଘ୍ର ଆହୁରି ବଢିବ । ଏମିତି ଯେ କେନ୍ଦ୍ରୀୟ ବିଜେପିର ତୃତୀୟ ସ୍ଥାନରେ ପହଞ୍ଚିବାକୁ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏପରିସ୍ଥଳେ ଓଡ଼ିଶାରେ ପ୍ରଭାବୀ ସଂଗଠନ କରିବା ଏକ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ଏଣୁ ଶ୍ରୀ ପ୍ରଧାନଙ୍କୁ ବିଶ୍ୱାସକୁ ନେଇ ବିଜେପି ଆଗକୁ ସଂଗଠନ ବଢାଇବ ଓ ତାଙ୍କ ସହିତ ଯୋଗାଯୋଗ ଆଧାରରେ ହିଁ ରଣନୀତି ନିର୍ଧାରଣ ହେବ ବୋଲି ସୂଚନା ମିଳିଛି । ବିଜୟ ମହାପାତ୍ରଙ୍କୁ ରାଜ୍ୟ ସଭାପତି କରିବା ଲାଗି ଗୋଟିଏ ପକ୍ଷ ଚାହୁଁଥିଲେ ହେଁ, ଦଳ ତାଙ୍କୁ ଏହି ଦାୟିତ୍ୱ ନ ଦେଇ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖିବା ସହିତ ସଂଗଠନ ଅଭିବୃଦ୍ଧି ପ୍ରକ୍ରିୟାରେ ଅସ୍ତ୍ର କରିପାରେ ବୋଲି ସୂଚନା ମିଳୁଛି । ଖୁବ୍‍ ଶୀଘ୍ର ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ ବୈଠକ ହୁଏ, ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ଏହି ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.