ବେଙ୍ଗାଲୁରୁ: କର୍ଣ୍ଣାଟକ କୁମାରସ୍ୱାମୀ ସରକାର ଟଳମଟଳ ସ୍ଥିତିରେ । ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଧମକ ଦେଇଛନ୍ତି । ଚେତାବନୀ ଦେଇ କଂଗ୍ରେସକୁ କହିଛନ୍ତି, ଯଦି ବିଧାୟକମାନେ ସୀମା ଭିତରେ ନ ରହନ୍ତି, ତେବେ ସେ ପଦତ୍ୟାଗ କରିବାକୁ ପଛାଇବେ ନାହିଁ । କୁମାରସ୍ୱାମୀଙ୍କ ଏଭଳି ମନ୍ତବ୍ୟ କଂଗ୍ରେସ ଶୀର୍ଷସ୍ତରରେ କମ୍ପନ ସୃଷ୍ଟି କରିଛି । ଗୋଟିଏ ପଟେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଅଭିଯାନ ରଖିଥିବା ବେଳେ ଅନ୍ୟପଟରେ ଭାଗୁଆଳି ସରକାରରେ ଦଳର ବିଧାୟକମାନଙ୍କ ବ୍ୟବହାର ନେତୃତ୍ୱ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
ସିଦ୍ଧରମେୟାଙ୍କ କ୍ୟାମ୍ପର କିଛି ବିଧାୟକ ସରକାର ବିରୋଧରେ ମନ୍ତବ୍ୟ ଦେଇ ଆସୁଛନ୍ତି । ଏପରିକି କୁମାରସ୍ୱାମୀ ବି ତାଙ୍କ ଟାର୍ଗେଟରେ ଅଛନ୍ତି । ରବିବାର ବିଧାୟକ ଏସ ଟି ସୋମାଶେଖର କହିଥିଲେ ଯେ ସରକାର ଗଠନର ୭ମାସ ପରେ ବି ରାଜ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ସେହିଭଳି ଆଉ କିଛି କଂଗ୍ରେସ ବିଧାୟକ ସିଦ୍ଧରମେୟାଙ୍କୁ ତାଙ୍କ ନେତା ଓ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ ।
ଏସବୁ ଘଟଣାକୁ ନେଇ କୁମାରସ୍ୱାମୀ କ୍ଷୁବ୍ଧ ହୋଇଥିବା ଜଣାପଡିଛି । ସେ କହିଛନ୍ତି ଯେ କଂଗ୍ରେସ ବିଧାୟକମାନେ ଯଦି ଏହିଭଳି ମନ୍ତବ୍ୟ ଦେବା ଜାରି ରଖନ୍ତି, ତେବେ ସେ ପଦତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି ।
କଂଗ୍ରେସ କିନ୍ତୁ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କର୍ଣ୍ଣାଟକ ଦାୟିତ୍ୱରେ ଥିବା ପ୍ରଭାରୀ କେ ସି ବେଣୁଗୋପାଳ ପ୍ରଦେଶ କଂଗ୍ରେସ କମିଟିକୁ ଏଥିରେ ହସ୍ତକ୍ଷେପ କରିବା ଲାଗି ନିର୍ଦେଶ ଦେଇଛନ୍ତି । ବିଧାୟକ ସୋମାଶେଖରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ କହିଛନ୍ତି । ଯଦି ତାଙ୍କ ଉତ୍ତର ସନ୍ତୋଷଜନକ ନ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି ସଙ୍କେତ ଦିଆଯାଇଛି । କୌଣସି ପରିସ୍ଥିତିରେ ଦଳରେ ବିଶୃଙ୍ଖଳାକାରୀଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଦେଇଛି ।
ପ୍ରମୁଖ ଖବର
ଆଇଏଏସ୍ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ