ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାଗ ନେବା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ୍ ଅଯୋଗ୍ୟ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍। ଅଯୋଗ୍ୟ ଘୋଷିତ ହେବା ଶୁଣିବା ପରେ ସେ ବେହୋସ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଜଳୀୟ ଅଂଶ କମିଯିବାରୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ତରଳ ଖାଦ୍ୟ ଦିଆଯାଇଛି। ତେବେ ନିଶ୍ଚିତ ପଦକ ଦୌଡରେ ଥିବା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଆଜି ଲାଗିଥିଲା ଶକ୍ତ ଝଟକା। ମହିଳା ୫୦ ବର୍ଗରେ କୁସ୍ତିରେ ମାତ୍ର ଶହେ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗତକାଲି ସେ ସେମିଫାଇନାଲ ରାଉଣ୍ଡ ଜିତି ଫାଇନାଲକୁ ଯାଇଥିଲେ। ସେମିଫାଇନାଲରେ କ୍ୟୁବାର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ଆଜି ରାତିରେ ଫାଇନାଲ ମୁକାବିଲା ଥିଲା। ହେଲେ ତାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସ କମିଟି ଅଯୋଗ୍ୟ ଘୋଷଣା କରି ସାରାଦେଶକୁ ସ୍ତବ୍ଧ କରିଦେଇଛି। ଆଜି ଜିତିଥିଲେ ଭିନେଶ ସ୍ୱର୍ଣ୍ଣ ଏବଂ ପରାସ୍ତ ହୋଇଥିଲେ ରୌପ୍ୟ ପଦକ ଜିତିଥାନ୍ତେ । ହେଲେ ଦେଶ ତଥା ଭିନେଶଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଛି।