ପଶ୍ଚିବମଙ୍ଗ: ଜାଲ ଦସ୍ତଖତ ମାମଲାରେ ପଶ୍ଚିମବଙ୍ଗର ରାଜନୀତି ଆହୁରି ସରଗରମ ହୋଇଛି। ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟସ୍ଥିତ ବାସଭବନରେ ସିଆଇଡି ଚଢ଼ାଉ କରିଥିବା ବେଳେ ୩୦ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍ରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ତଦନ୍ତକାରୀ ଦଳ ପହଞ୍ଚିଛି।
ସୂଚନା ଅନୁସାରେ, ନିର୍ବାଚନ ପରେ ପଶ୍ଚିମବଙ୍ଗ ବିଧାନସଭାରେ ଦାଖଲ ହୋଇଥିବା ଏକ ସରକାରୀ ଦସ୍ତାବେଜରେ ଅନେକ ବିଧାୟକଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ଅଭିଯୋଗ ଆସିଥିଲା। ଖୋଦ ତୃଣମୂଳ କଂଗ୍ରେସର କିଛି ବିଧାୟକ ଏନେଇ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା ଏବଂ ସିଆଇଡି ତଦନ୍ତ ଆରମ୍ଭ କରିଥିଲା।
ନିର୍ବାଚନରେ ପରାଜୟ ପରେ ଟିଏମସି ପକ୍ଷରୁ ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଥିଲା। ଏହା ପାଇଁ ୭୮ ଜଣ ବିଧାୟକଙ୍କ ସମର୍ଥନପତ୍ର ବାଚସ୍ପତିଙ୍କ ନିକଟରେ ଦାଖଲ ହୋଇଥିଲା। ତେବେ ଟିଏମସି ବିଧାୟକ ରିତବ୍ରତ ବାନାର୍ଜୀ ଏହି ସମର୍ଥନପତ୍ରରେ ଥିବା କିଛି ଦସ୍ତଖତ ଜାଲିଆତି ବୋଲି ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲେ ମଧ୍ୟ ପରେ ପ୍ରାୟ ୬୦ ଜଣ ବିଧାୟକ ତାଙ୍କୁ ସମର୍ଥନ କରି ଅଲଗା ଗୋଷ୍ଠୀ ଗଠନ କରିଥିଲେ ଏବଂ ରିତବ୍ରତଙ୍କୁ ବିରୋଧୀ ଦଳ ନେତା ଭାବେ ବାଛିଥିଲେ।
ଏହି ମାମଲାରେ ପଚରାଉଚରା ପାଇଁ ମମତା ବାନାର୍ଜୀଙ୍କୁ ପୂର୍ବରୁ ତିନିଥର ସମନ ଜାରି କରାଯାଇଥିଲା। ମଙ୍ଗଳବାର ତାଙ୍କୁ ଭବାନୀ ଭବନସ୍ଥିତ ସିଆଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ତେବେ ସେ ହାଜର ନହେବା ପରେ ତଦନ୍ତକାରୀ ସଂସ୍ଥା ସିଧାସଳଖ ତାଙ୍କ ବାସଭବନକୁ ପହଞ୍ଚିଥିବା ଜଣାପଡ଼ିଛି। ତଦନ୍ତରେ ସହଯୋଗ ନକଲେ ସିଆଇଡି ଆଇନଗତ ପଦକ୍ଷେପ ନେଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।