ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ

0

ଭୁବନେଶ୍ବର: ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ଘଟିଥିବା ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ପୁଲିସ ଦୁଇ ଜଣ ନାବାଳକ ସ୍କୁଲ ଛାତ୍ରଙ୍କୁ ନିଜ ହେପାଜତକୁ ନେଇଛି। ସେମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଏବଂ ଅନ୍ୟ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ବୋଲି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ ମଙ୍ଗଳବାର ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ କୃଷ୍ଣ ପ୍ରସାଦ ପାଢ଼ୀ ବିଏସ୍‌ସି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଏବଂ ସେ ଜଣେ ଯୁବତୀଙ୍କୁ ହଇରାଣ କରୁଥିବା ଅଭିଯୋଗ ଥିଲା। ଅଟକ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ସେହି ଯୁବତୀଙ୍କ ସମ୍ପର୍କୀୟ। ଏହାକୁ ନେଇ ପ୍ରାୟ ଏକ ବର୍ଷ ଧରି ବିବାଦ ଚାଲିଥିଲା ଏବଂ ଶେଷରେ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଯାଇଥିବା ପୁଲିସ କହିଛି।

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ମୁଖା ପିନ୍ଧି ଲଙ୍କା ଗୁଣ୍ଡ ଓ ଲୁହା ରଡ୍‌ ଧରି କୃଷ୍ଣଙ୍କ ଘରକୁ ଯାଇଥିଲେ। ଘଟଣାର ଆଠ ଦିନ ପୂର୍ବରୁ ସେମାନେ କୃଷ୍ଣଙ୍କୁ ତାଗିଦ କରିବାକୁ ଯାଇଥିବା ବେଳେ କୃଷ୍ଣ ସେମାନଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଦୁଇ ନାବାଳକ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।
ଗତ ରବିବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଅଭିଯୁକ୍ତମାନେ କୃଷ୍ଣଙ୍କ ଘର କବାଟ ବାଡ଼େଇଥିଲେ। କୃଷ୍ଣ କବାଟ ଖୋଲିବା ପରେ ସେମାନେ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। କୃଷ୍ଣଙ୍କ ଚିତ୍କାର ଶୁଣି ତାଙ୍କ ବାପା ହିମାଂଶୁ ପାଢ଼ୀ ଏବଂ ଭଉଣୀ ତାପସୀ ଧାଇଁ ଆସିଥିଲେ। କୃଷ୍ଣଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଘଟଣା ପରେ କୃଷ୍ଣ, ହିମାଂଶୁ ଓ ତାପସୀଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ କୃଷ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କ ବାପା ହିମାଂଶୁ ପାଢ଼ୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଗୁରୁତର ଆହତ ତାପସୀ ଏବେ ମଧ୍ୟ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.