ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇମେଲ୍ ମାଧ୍ୟମରେ ଆସିଥିବା ଏହି ଧମକରେ ଜାମନଗର ହାଉସ୍, ଝାଣ୍ଡେୱାଲାନ୍ ମନ୍ଦିର ସମେତ ଅନେକ ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ଇମେଲ୍ ଯୋଗେ ବୋମା ଧମକ ମିଳିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ବିଚାରପତି, ଓକିଲ, କର୍ମଚାରୀ ଓ ଅନ୍ୟମାନଙ୍କୁ ପରିସରରୁ ବାହାର କରାଯାଇ ଶୁଣାଣି ସ୍ଥଗିତ କରାଯାଇଥିଲା।
ବମ୍ ସ୍କ୍ୱାଡ୍ ଓ ସ୍ନିଫର ଡଗ୍ଙ୍କ ସହାୟତାରେ ହାଇକୋର୍ଟ ପରିସରରେ ବ୍ୟାପକ ତଲାସୀ କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି। ଧମକଟି ମିଥ୍ୟା ହୋଇଥିବା ଆଶଙ୍କା ଥିଲେ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ରହିଛନ୍ତି। ପୁଲିସର ବୈଷୟିକ ଦଳ ଇମେଲ୍ ପ୍ରେରକଙ୍କୁ ଚିହ୍ନଟ କରିବା ସହ ଧମକ ପଛରେ ଥିବା ଉଦ୍ଦେଶ୍ୟର ତଦନ୍ତ କରୁଛି। ସ୍ୱାଧୀନତା ଦିବସ ପୂର୍ବରୁ ଏକାଧିକ ସ୍ଥାନକୁ ଏଭଳି ଧମକ ମିଳିବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି।