ଭୁବନେଶ୍ବର: ଅଟୋ ଚାଳକଙ୍କ ହଙ୍ଗାମା ଘଟଣାକୁ ନେଇ ପରିବହନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଘଟଣା ସମ୍ପର୍କିତ ପ୍ରାୟ ୪୦୦ଟି ଅଟୋ ଜବତ କରାଯାଇଥିବା ଅତିରିକ୍ତ ପରିବହନ କମିଶନର ସୂଚନା ଦେଇଛନ୍ତି। ଜବତ ଅଟୋଗୁଡ଼ିକର ପରମିଟ ରଦ୍ଦ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।
ପରିବହନ ବିଭାଗ ଅନୁସାରେ, ଜବତ ଗାଡ଼ିଗୁଡ଼ିକର ଫିଟନେସ୍, ବୀମା କିମ୍ବା ଟିକସ ବକେୟା ଥିଲେ ନିୟମ ଅନୁଯାୟୀ ଚାଲାଣ କଟାଯିବ। ଏଥିସହ ଜବତ ଗାଡ଼ି ସମ୍ପର୍କରେ ଅଟୋ ଚାଳକ ଓ ମାଲିକଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇଛି। ସମ୍ପୃକ୍ତ ଅଟୋ ମାଲିକମାନଙ୍କୁ ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ କୁହାଯାଇଛି। ମାଲିକଙ୍କ ଉତ୍ତର ସନ୍ତୋଷଜନକ ନହେଲେ ସମ୍ପୃକ୍ତ ଅଟୋର ପରମିଟ ରଦ୍ଦ କରାଯିବ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି। ଏହି ପଦକ୍ଷେପ ମାଧ୍ୟମରେ ନିୟମ ଉଲ୍ଲଂଘନ କରୁଥିବା ଓ ହଙ୍ଗାମାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।