କଟକ: କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଗିରଫ ହୋଇଛନ୍ତି। ମଙ୍ଗଳାବାଗ ଥାନା ପୁଲିସ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୀନେଶ ରାଉତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ମେଡିକାଲ କଲେଜର କର୍ମଚାରୀଙ୍କ ଦରମା ସମ୍ପର୍କିତ ତଥ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ମାଧ୍ୟମରେ ପରିଚାଳିତ ହେଉଥିଲା। ଅଡିଟ୍ ସମୟରେ ଦରମା ତଥ୍ୟରେ ହେରଫେର କରାଯାଇଥିବା ଏବଂ ଏହା ମାଧ୍ୟମରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଏସିବି ଅଧୀକ୍ଷକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଦୀନେଶ ରାଉତଙ୍କୁ ଗିରଫ କରିଛି। ଆର୍ଥିକ ହେରଫେରରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।