ପଶ୍ଚିମବଙ୍ଗ: ଲିଓନେଲ ମେସିଙ୍କ କୋଲକାତା ଗସ୍ତ ସମୟରେ ଯୁବ ଭାରତୀ ଷ୍ଟାଡିୟମରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବଡ଼ ଘୋଷଣା କରିଛନ୍ତି। ଇଭେଣ୍ଟ ପାଇଁ ଟିକେଟ କିଣିଥିବା ପ୍ରାୟ ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରସ୍ତ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି। ଏଥିପାଇଁ ରାଜ୍ୟ କ୍ରୀଡ଼ା ବଜେଟରୁ ଅର୍ଥ ବ୍ୟବହାର କରାଯାଇପାରେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।
ଜାତୀୟ କ୍ରୀଡ଼ା ଦିବସ ଅବସରରେ ନବାନ୍ନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଅନେକ ଦର୍ଶକ ୪ ହଜାର ଓ ୬ ହଜାର ଟଙ୍କା ଦେଇ ଟିକେଟ କିଣିଥିଲେ। ସେମାନେ ନିଜ ଟଙ୍କା ଫେରିପାଆନ୍ତୁ ବୋଲି ତାଙ୍କର ଇଚ୍ଛା ଏବଂ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଛି। ୨୦୨୫ ଡିସେମ୍ବର ୧୩ରେ ମେସି କୋଲକାତାର ଯୁବ ଭାରତୀ ଷ୍ଟାଡିୟମ ପରିଦର୍ଶନ କରିଥିଲେ। ତେବେ ଇଭେଣ୍ଟରେ ଅବ୍ୟବସ୍ଥା ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଟିକେଟ ଟଙ୍କା ଫେରସ୍ତ ପାଇଁ ଦର୍ଶକମାନେ ଦାବି କରିଥିଲେ।
ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ପୂର୍ବ ସରକାରଙ୍କ ଭୂମିକାକୁ ମଧ୍ୟ ଅଧିକାରୀ ସମାଲୋଚନା କରିଥିଲେ। ବହୁ ଖେଳାଳିଙ୍କ ନିଯୁକ୍ତି ସମ୍ପର୍କିତ କାଗଜପତ୍ର ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଡ଼ିରହିଥିବା ସେ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କରାଯିବା ସହ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।