ଉଜବେକିସ୍ତାନ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଦିନିଆ ଗସ୍ତ ସମୟରେ ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଉଜବେକିସ୍ତାନ ସରକାର ଓ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ଭାରତ-ଉଜବେକିସ୍ତାନର ଦୀର୍ଘସ୍ଥାୟୀ ବନ୍ଧୁତ୍ୱ ଓ ଦୃଢ଼ ସମ୍ପର୍କକୁ ସମର୍ପିତ କରିଛନ୍ତି। ସମ୍ମାନ ପ୍ରଦାନ ଅବସରରେ ରାଷ୍ଟ୍ରପତି ମିର୍ଜିୟୋୟେଭ୍ ମୋଦିଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମୋଦି କେବଳ ଜଣେ ଦକ୍ଷ ରାଜନେତା ନୁହନ୍ତି, ଜଣେ ଦୂରଦର୍ଶୀ ନେତା ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ମୋଦିଙ୍କ ପ୍ରତି ଥିବା ବିଶ୍ୱାସ ଓ ସମ୍ମାନ ତାଙ୍କ ନେତୃତ୍ୱର ପ୍ରଭାବକୁ ପ୍ରତିଫଳିତ କରୁଥିବା ସେ ଉଲ୍ଲେଖ କରିଥିଲେ।
ମିର୍ଜିୟୋୟେଭ୍ ଆହୁରି କହିଥିଲେ ଯେ, ଗତ କିଛି ବର୍ଷରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହ ବିଶ୍ୱ ମଞ୍ଚରେ ଏହାର ପ୍ରଭାବ ବୃଦ୍ଧି ପାଇଛି। ଏହି ପରିବର୍ତ୍ତନ ପଛରେ ମୋଦିଙ୍କ ନେତୃତ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସେ ମତ ଦେଇଥିଲେ। ମୋଦିଙ୍କ ଗସ୍ତ ସମୟରେ ଉଭୟ ଦେଶର ପ୍ରତିନିଧିମଣ୍ଡଳ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ କରିବା ସହ ଭାରତ-ଉଜବେକିସ୍ତାନ ସମ୍ପର୍କକୁ ବ୍ୟାପକ ରଣନୈତିକ ଭାଗିଦାରିରେ ପରିଣତ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଛି।ବର୍ତ୍ତମାନ ପ୍ରାୟ ୧ ବିଲିୟନ ଆମେରିକୀୟ ଡଲାର ଥିବା ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରଥମେ ୫ ବିଲିୟନ ଡଲାର ଏବଂ ପରବର୍ତ୍ତୀ ସମୟରେ ୧୦ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଭାରତ ଓ ଉଜବେକିସ୍ତାନ ମଧ୍ୟରେ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏବଂ ଦୁଇ ଦେଶର ସମ୍ପର୍କକୁ ଆହୁରି ନିବିଡ଼ କରିବାରେ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ଦିଆଯାଇଥିବା କୁହାଯାଇଛି।