ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା କରାଯାଇଛି। ୨୩ ଓ ୨୪ ତାରିଖ ପାଇଁ କୋରାପୁଟ, ଗଜପତି ଓ ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ୨୪ ଓ ୨୫ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ରହିଛି।
ପାଣିପାଗ ବିଭାଗ ଅନୁସାରେ ଉପକୂଳ ଅଞ୍ଚଳରେ ପବନର ବେଗ ୫୦ରୁ ୬୦ କିମି ଏବଂ ଝଟକାରେ ୭୦ କିମି ପର୍ଯ୍ୟନ୍ତ ବଢ଼ିପାରେ। ୨୩ରୁ ୨୪ ତାରିଖ ମଧ୍ୟରେ ଏହା ୫୫ରୁ ୬୫ କିମି ଓ ଝଟକାରେ ୭୫ କିମି ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବା ଆଶଙ୍କା ଥିବାରୁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ୩୩ଟି ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ୨୪ଟି ଟିମ୍ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଛି। ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଆବଶ୍ୟକ ସାମଗ୍ରୀ ମହଜୁଦ କରିବା ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ସତର୍କ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ସମସ୍ତ ବରିଷ୍ଠ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଲେ ଅଟକିଥିବା ଯାତ୍ରୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯିବ। ସାଧାରଣ ଲୋକଙ୍କୁ ତଳିଆ ଓ ଜଳମଗ୍ନ ଅଞ୍ଚଳକୁ ନଯିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।