ନେପାଳ: ନେପାଳରେ ପୁଣି ପ୍ରକୃତିର ତାଣ୍ଡବ। ରବିବାର ଭୋର ପ୍ରାୟ ୪ଟାରେ ଗୋରଖା ଜିଲ୍ଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନଦୀର ପ୍ରଖର ସ୍ରୋତରେ ଘର, ପୋଲ ଓ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ ଭାସିଯାଇଥିବା ଖବର ମିଳିଛି। ଗୋରଖା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ପ୍ରାୟ ୧୦୦ଟି ଘର ବନ୍ୟାରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ଛୋଟବଡ଼ ମିଶାଇ ପ୍ରାୟ ୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ଚୁମାନୁବ୍ରିରୁ ନ୍ୟାକଚେତ-ସିର୍ଦିବାସକୁ ସଂଯୋଗ କରୁଥିବା ପୋଲଟି ମଧ୍ୟ ଭାସିଯାଇଛି। ସଲ୍ଲେରୀରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଦୋଭାନ, ଘଟ୍ଟେଖୋଲା, ଜଗତ, ସଲ୍ଲେରୀ, ଚୁମାନୁବ୍ରି ଓ ଧାର୍ଚେ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଏଯାଏଁ ମୃତାହତଙ୍କ ସଂଖ୍ୟା ଓ ମୋଟ କ୍ଷୟକ୍ଷତିର ସଠିକ୍ ଆକଳନ ହୋଇନାହିଁ। ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗଙ୍କ ନିର୍ଦ୍ଦେଶରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ ହୋଇଛି। ବନ୍ୟାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି।
ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ରବିବାର ସକାଳ ୬ଟା ୪୦ରେ ବନ୍ୟା ସତର୍କତା ଜାରି କରିଛନ୍ତି। ନଦୀର ଜଳସ୍ତର ହ୍ରାସ ନପାଇବା ପର୍ଯ୍ୟନ୍ତ ତ୍ରିଶୂଳୀ-ଦୋଭାନ ଅଞ୍ଚଳରେ ନଦୀକୂଳକୁ ନଯାଇ ଉଚ୍ଚ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ରେ ମଧ୍ୟ ନେପାଳର ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀ ଅବବାହିକା ସମେତ ରସୁୱା, ନୁୱାକୋଟ, ଧାଦିଙ୍ଗ ଓ ଚିତୱନ ଜିଲ୍ଲାରେ ବନ୍ୟା ଆସିଥିଲା। ପୁଣି ଥରେ ବନ୍ୟା ଆସିବା ପରେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ବଢ଼ିଛି।