- ୨୦୨୨-୨୩ ଆର୍ଥିକ ବର୍ଷରୁ ନୂଆ ସିଲାବସରେ ପଢ଼ିବେ ଦେଶର ସମସ୍ତ ଛାତ୍ରଛାତ୍ରୀ
- ନିଜ ଓଜନର ସର୍ବାଧିକ ୧୦ ପ୍ରତିଶତ ଓଜନ ସ୍କୁଲ ବ୍ୟାଗ୍ ଧରିପାରିବେ ୧-୧୦ମ ପିଲା
- କୋର୍ଡିଂ, ଆର୍ଥିକ ସାକ୍ଷରତା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କୁ ମିଳିବ ସର୍ବାଧିକ ଗୁରୁତ୍ବ
- ଜାତୀୟସ୍ତରରୁ ଖସଡ଼ା ପ୍ରସ୍ତୁତି ହେବ, ରାଜ୍ୟ ନିଜର କଳା, ସଂସ୍କୃତି ଆଦି ମିଶାଇପାରିବେ
- ଡ୍ରପ୍ ଆଉଟ୍ ବଢାଉଛି ଚିନ୍ତା, ପ୍ରାଥମିକ ବିଦ୍ୟାଳୟରେ ୪.୧୩%, ମାଧ୍ୟମିକରେ ୧୭.୦୬%
- ରାଜ୍ୟମାନଙ୍କ ସହିତ ବିଚାର ଆଲୋଚନା ଜାରି, ଏଇ ମାସ ଶେଷ ସୁଦ୍ଧା ରାସ୍ତା ନିର୍ଣ୍ଣୟ ହେବ
ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ବୟନ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଗମ୍ଭୀରତାର ସହିତ ଏହି ନୀତିର କାର୍ଯ୍ୟାନ୍ବୟନ ଲାଗି ରାସ୍ତା ଖୋଲୁଛନ୍ତି। ନୂଆଦିଲ୍ଲୀରୁ ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି ଯେ ନୂଆ ପାଠ୍ୟକ୍ରମ ଢାଞ୍ଚାରେ ପରିବର୍ତ୍ତନ ଅଣାଯିବ। ପିଲାମାନେ କମ୍ ବହି ଧରିବେ ଓ ସ୍କୁଲ୍ ବ୍ୟାଗ ଓଜନ ବି ହ୍ରାସ ପାଇବ। ଅନ୍ୟପକ୍ଷରେ ଶିକ୍ଷକ-ଛାତ୍ରଛାତ୍ରୀ ପାରସ୍ପରିକ ଆଲୋଚନା ମାଧ୍ୟମରେ ଅନେକ ବିଷୟରେ ଜ୍ଞାନ ପ୍ରଦାନ ହେବ।
ସୂତ୍ର ଅନୁଯାୟୀ, କୁନି ପିଲା ହୁଅନ୍ତୁ କି ବଡ଼ ପିଲା। ସ୍କୁଲ ବ୍ୟାଗ୍ ଦିନକୁ ଦିନ ଓଜନିଆ ହେବା ଘଟଣା ସେମାନଙ୍କୁ ଚାପଗ୍ରସ୍ତ କରୁଛି। ଏହାର ଶାରୀରିକ ପ୍ରଭାବ ରହିଛି ଓ ମାନସିକସ୍ତରରେ ବି ସେମାନେ ଭାରାକ୍ରାନ୍ତ ହେଉଛନ୍ତି। ବିଶେଷଜ୍ଞମାନେ ପ୍ରଥମେ ଯେଉଁ ଗୁରୁତ୍ବପୂର୍ଣ୍ଣ ଦିଗଟିରେ ପରିବର୍ତ୍ତନ ଚାହୁଁଛନ୍ତି, ତାହା ହେଉଛି ସ୍କୁଲ ବ୍ୟାଗର ଓଜନ ନିହାତି ହ୍ରାସ ପାଇବା ଦରକାର। ଏଣୁ ଆସନ୍ତାବର୍ଷ ସୁଦ୍ଧା କେନ୍ଦ୍ର ସରକାର ସର୍ବପ୍ରଥମେ ଏହି ଦିଗ ଉପରେ ପଦକ୍ଷେପ ନେବାକୁ ଯାଉଛନ୍ତି।
ଏହି ସୂତ୍ରରୁ ଆହୁରି ଖବର ଆସୁଛି ଯେ ଆଗକୁ ବିଦ୍ୟାଳୟକୁ ପିଲାମାନେ କେତେ ଓଜନର ବ୍ୟାଗ ନେବେ ସେ ନେଇ କଟକଣା ଜାରି କରାଯିବ। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କର ଓଜନର ୧୦ ପ୍ରତିଶତରୁ ଅଧିକ ଓଜନର ବ୍ୟାଗ୍ ତାଙ୍କୁ ଧରିବାକୁ ଦିଆଯିବ ନାହିଁ। ଏଥିଲାଗି ପାଠପଢାକୁ ସରଳୀକରଣ କରାଯିବ।
ସମାନ୍ତରାଳ ଭାବେ ସାରା ଦେଶ ପାଇଁ ଗୋଟିଏ ଢାଞ୍ଚାରେ ପୁସ୍ତକ ପ୍ରସ୍ତୁତି ଲାଗି ମଧ୍ୟ କେନ୍ଦ୍ର ସରକାର ବିଚାର କରୁଛନ୍ତି।ଏଥିପାଇଁ ବିଦ୍ଯାଳୟ ପାଠ୍ୟକ୍ରମ ଏବଂ ବହିରେ ଅନେକ ପରିବର୍ତ୍ତନ କରାଯିବ। ଜଣେ ଅଧିକାରୀଙ୍କ କହିବା କଥା ହେଉଛି, ବର୍ତ୍ତମାନର ବହି ସମ୍ପୂର୍ଣ୍ଣ ଥିଓରି ଉପରେ ହିଁ ପର୍ଯ୍ୟବେସିତ। ଏହାକୁ ପତଳା କରିବାକୁ ହେବ। ପିଲାମାନଙ୍କ କାନରେ ଅଧିକରୁ ଅଧିକ କଥା ପକାଇବା ଓ ତାଙ୍କୁ ଦେଖାଇବା ଦ୍ବାରା ହିଁ ସେମାନଙ୍କ ମନରେ ସେସବୁ ପଶିବ। ଏ ସଂପର୍କରେ ସବୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଚାଲିଛି। ଜୁଲାଇ ମାସ ଶେଷ ସୁଦ୍ଧା କିଛି ଗୋଟିଏ ନିଷ୍ପତ୍ତି ନିଆଯିବ ବୋଲି ଖବର ମିଳିଛି।
ଆହୁରି କୁହାଯାଇଛି ଯେ ଜାତୀୟସ୍ତରରୁ ଯେଉଁ ପାଠ୍ଯକ୍ରମ ତିଆରି ହେବ, ତାହାକୁ ସମସ୍ତେ ମାନିବାକୁ ହେବ। କିନ୍ତୁ ରାଜ୍ୟମାନଙ୍କର କଳା ଓ ସଂସ୍କୃତି ଏବଂ ସେମାନଙ୍କ ଆବଶ୍ୟକ ପାଠ୍ୟକ୍ରମକୁ ସେମାନେ ନିଜ ନିଜ ବହିରେ ସ୍ଥାନ ଦେଇପାରିବେ। ଅଧିକାଂଶ ପାଠ୍ୟକ୍ରମକୁ ଡିଜିଟାଲ ମୋଡକୁ ନିଆଯିବ। ଇ-ପାଠ୍ୟପୁସ୍ତର ଜାରି ହେବ। କୋଡିଂ ଠାରୁ ଆରମ୍ଭ କରି ଆର୍ଥିକ ସାକ୍ଷରତା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ୨୦୨୨-୨୩ରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଯୋଜନା ଚାଲିଛି।
ଡ୍ରପ୍ ଆଉଟ୍ ହାର ହ୍ରାସ ଲାଗି ଆଉ କି କି ଆକର୍ଷଣୀୟ ପଦକ୍ଷେପ ନିଆଯାଇପାରିବ ସେ ନେଇ ମଧ୍ୟ ଚିନ୍ତନ ଚାଲିଛି। ଏଠାରେ ଉଲ୍ଲେଖଥାଉକି, ପ୍ରାଥମିକ ବିଦ୍ୟାଳୟସ୍ତରରେ ଡ୍ରପ୍ ଆଉଟ୍ ହାର ୪.୧୩ ପ୍ରତିଶତ ଥିବା ବେଳେ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଏହା ଏବେ ବି ୧୭.୦୬ ପ୍ରତିଶତ ରହିଛି।