ଝରକାରୁ ବାହାରକୁ ଚାହିଁଛି ଅନୁଭବ । ରାସ୍ତାରେ ଲୋକଙ୍କ ଗହଳି, ଯିବା ଆସିବା । ଦୃଷ୍ଟିକୁ ନିଜ ପାଖ ପରିସରରେ ଖେଳାଇ ଦେଲା । ତା’ ଆପାର୍ଟମେଣ୍ଟର ବେସମେଣ୍ଟରେ ଜୀବନ କେତେ ରଙ୍ଗିନ୍ ମନେ ହଉଛି । ପିଲାଛୁଆ ଧରି କିଛି ବାପା, ମା’ ଖୁସି ଗପରେ ମସ୍ଗୁଲ । ରୋଲର ସ୍କେଟିଙ୍ଗରେ ସାଇଁ ସାଇଁ ଭାସୁଛନ୍ତି କିଛି ଦଶ/ବାର ବର୍ଷର ପୁଅ ଝିଅମାନେ । ଶୁକ୍ରବାର ରାତି, ସଫ୍ଟୱେର ପ୍ରଫେସନାଲ୍ସ୍ ପ୍ରାୟ ରହନ୍ତି ଏଇ ଆପାର୍ଟମେଣ୍ଟରେ । ସପ୍ତାହର ଏହି ଦିନଟି ସେମାନଙ୍କ ପାଇଁ କିଛି ଉତ୍ସବରୁ କମ୍ ନୁହଁ, ଶୁକ୍ରବାର ଅଫିସ୍ରୁ ଫେରିବା ପରେ ନିଜ କଥା ଓ ନିଜ ପରିବାର କଥା ସେମାନେ ଭାବିବା ପାଇଁ ଦେଖିବା ପାଇଁ ସମୟ ପାଆନ୍ତି । ସୋମବାର ଠାରୁ ଶୁକ୍ରବାର ସେମାନେ କ୍ରୀତଦାସ । ସେମାନେ ଭେଣ୍ଡର ପାଖରେ କ୍ରୀତଦାସ । ଘଣାରେ ତେଲ ବାହାର କରିବା ପାଇଁ ଗାଈ ଗୋରୁ ବା ମଣିଷମାନେ ଯେମିତି ଘୁରୁଥାଆନ୍ତି ନିଜକୁ ଚିପୁଡ଼ି ଚାଲିଥାଆନ୍ତି, ଏଇମାନେ ବି ସେମିତି। ଉଚ୍ଚ ଶିକ୍ଷିତ ଅସହାୟ ଜୀବନର ଆଠ ଘଣ୍ଟା ଅଫିସ୍ । ତା ପରେ ବି ଦରକାର ପଡ଼େ ଆଉ ଦୁଇ, ତିନି ଘଣ୍ଟା ଅଫିସରେ। ପୁଣି ଘରକୁ ଫେରିବା ପରେ ବି ମୁଣ୍ଡରୁ ୱାର୍କ ପ୍ରେସର ଯାଏନି । ଲାପଟପ୍ ଖୋଲି ଆଗାମୀ କାଲି ଥିବା ଜୀବନ ଯୁଦ୍ଧ ପାଇଁ ନିଜକୁ ସଜ କରିନିଏ ଅନୁଭବ । ଦୈନିକ ୧୨/୧୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କିଏ କରେ? ମୁଲିଆ, ମଜଦୁରମାନଙ୍କର ଅବଶ୍ୟ ସମୟସୀମା ରହିଛି ।
କିନ୍ତୁ କେବଳ କ’ଣ ଅନୁଭବ? ତା ଭଳି ବିଚରା ପ୍ରାଣୀ ବହୁତ ଅଛନ୍ତି । ଏମାନଙ୍କ ଭୁଲ ହେଲା, ଏମାନେ ବହୁତ ଭଲ ପଢ଼ନ୍ତି, ଜୀବନ ସାରା ପଢ଼ୁଥାଆନ୍ତି । ପଢ଼ନ୍ତି ଓ କୋର୍ଡ୍ ଲେଖନ୍ତି । ମାସିକ ବେତନ ଛଅ ଅଙ୍କରେ ଆସେ କିନ୍ତୁ ସେ ଧନକୁ ନିଜ ଉପରେ ଖର୍ଚ୍ଚ କରିବା ପାଇଁ ସମୟ କାହିଁ? ଖାଦ୍ୟ, ପୋଷାକ-ସବୁଥିରେ ସାଲିସ୍ । ମସ୍ତିଷ୍କର ପ୍ରତିଟି ସ୍ନାୟୁରେ ଯେମିତି ରହିପାଇଛି କାମ….
କାମ…. ଅଫିସ୍…… କୋଡ଼…… ମ୍ୟାନେଜର…… କ୍ଲାଏଣ୍ଟ ।
ପାଠ ପଢ଼ିବା ସମୟରେ ‘ଗୁଡ଼ବୟ’ ଥପ୍ପା ବାଜିଥିବା ଅନୁଭବ ଚାକିରି ପରେ କିଛି ଦିନ ସ୍ୱଚ୍ଛନ୍ଦ ଜୀବନ ଓ ନିଜ ବୟସକୁ ଉପଭୋଗ କରିବା ପାଇଁ ଚାହିଁଥିଲା । ବାପାଙ୍କ ସ୍ୱଳ୍ପ ବେତନରେ ଅନୁଭବ କେବେ ସୁଯୋଗ ପାଇ ନଥିଲା କିଛି ଆବଶ୍ୟକତା ଠାରୁ ଅଧିକ କରିବା ପାଇଁ । ନିଜ ଇଚ୍ଛାମାନଙ୍କୁ ଯେମିତି ବାନ୍ଧି ଗଣ୍ଠିଲି ପକାଇ ଦେଇଥିଲା । ଏତେ ବର୍ଷର ପରିଶ୍ରମ ଆଇ.ଟି ଇଂଞ୍ଜିନିୟରିଂ ପରେ ସେ ପାଇଛି ଚାକିରି । କେବେ ଭାବି ନଥିବା ଅଙ୍କରେ ମାସିକ ବେତନ । ବ୍ୟାଙ୍କ ବ୍ୟାଲେନ୍ସ ଦେଖି ସେ ଅତିମାତ୍ରାରେ ଖୁସି ଥିଲା ।
ଚାକଚକ୍ୟରେ ଭସାଇ ଦେଇଥିଲା ନିଜକୁ । ଦାମୀ ପୋଷାକ, ତାରକା ହୋଟେଲ ଓ ନୁଆ କରି ତା’ ଜୀବନରେ ଆସିଥିଲା ସ୍ୱପ୍ନା ।
ସ୍ୱପ୍ନ ଭଳି ତା ଜୀବନରେ ଆସିଲା ସ୍ୱପ୍ନା । ସୁନ୍ଦର ଓ ଖୋଲା ସ୍ୱଭାବର ଝିଅଟି, ଅନୁଭବର ଚାକିରି ଥାଏ ଗୋଟିଏ ବଡ଼ ସହରରେ । ମଧ୍ୟବିତ୍ତ ପରିବାରର ସଂଯମ ବା ରୁଢ଼ିବାଦୀ ବିଚାରର ଚାଲି ଚଳଣ ସ୍ୱପ୍ନ ଜାଣେନି। ଏହି ସହରରେ କେହି କାହାରହିସାବ ରଖେନି । ଏଠି ସବୁ ଖୋଲା କୋଉଠି କିଛି ଲଗାମ୍ କାହାକୁ ପସନ୍ଦ ନାହିଁ । ପିନ୍ଧାରେ ଖୋଲା, କଥାରେ ଖୋଲା । ବିଚାର ଧାରା ନିଶ୍ଚିତ ଖୋଲା, ଏଠି ସମସ୍ତେ ‘ମଡ଼ର୍ଣ୍ଣ’ ।
ଅନୁଭବ ବି ବେଶ୍ କିଛି ବର୍ଷ ମଡ଼ର୍ଣ୍ଣ ଲାଇଫର ମଜା ନେଲା । ସାଙ୍ଗ, ସାଥି, ମଉଜ ମଜଲିସ୍ ସାଥିରେ ସ୍ୱପ୍ନା । ଜୀବନଟା ଯେମିତି ଆଖି ମିଟକା ମାରି କହୁଛି “ମତେ ଧର” “ମତେ ଛୁଁ” ।
ଜୀବନରେ ପ୍ରଥମ ଚାକିରି ଓ ପ୍ରଥମ ପ୍ରେମ ଭଳି ରୋମାଞ୍ଚ ଆଉ ମିଳେନି । ସ୍ୱପ୍ନା ସାଥିରେ ଖୁବ୍ ଉପଭୋଗ କରିଦେଲା
ସୁନ୍ଦର ଦିନମାନ । ଅନୁଭବ ଭାବିଲା ସ୍ୱପ୍ନା ଉପରେ କେବଳ ତା’ର ଆଧିପତ୍ୟ । ସ୍ୱପ୍ନା ଚାହିଁଲା। ଅନୁଭବର ସମୟ । କିନ୍ତୁ ସେହି ସମୟ ହିଁ ଧିରେ ଧିରେ ଅନୁଭବ ହାତରୁ ଖସି, ଅଫିସ୍, କ୍ଳାଏଣ୍ଟ ଓ ଭେଣ୍ଡର ହାତରେ ରହିଗଲା । ଯେମିତି ହଠାତ୍ ସୁନ୍ଦର ସମୟ ସବୁ ଦୁରେଇ ଚାଲିଗଲା ଓ ସ୍ୱପ୍ନ ଭଳି ଆସିଥିବା ସ୍ୱପ୍ନା ବି ସ୍ୱପ୍ନ ହୋଇ ରହିଗଲା ।
ଏଠି ସମ୍ପର୍କର କୌଣସି ସ୍ଥାୟିତ୍ୱ ନଥାଏ । “ହାୟ ବେବି!! ୟୁ ଆର୍ ସୋ’ ସୁଇଟ୍” ରେ ସମ୍ପର୍କ ଆରମ୍ଭ ହୋଇ ବେଡ଼ରୁମ୍ ଯାଏଁ ଚାଲିଯାଏ । ‘ଲେଟସ୍ ବ୍ରେକ୍ଅପ୍’ରେ ଭାଙ୍ଗି ବି ଯାଏ । ମଡ଼ର୍ଣ୍ଣ ଲାଇଫରେ ସବୁ ‘ଇନଷ୍ଟାଣ୍ଟ’ କେବଳ ରହିଯାଏ ‘ଏକାକୀତ୍ୱ’ ।
ଅନୁଭବ ବର୍ତ୍ତମାନ ସେଇ ଏକାକୀତ୍ୱର ଦାସ । ତା’ରି ହାତରେ ନିଜକୁ ଛାଡ଼ି ଦେଇଛି । କିଛି ବର୍ଷ ହେଲା ଘର ସାଥିରେ କିଛି ଖାସ ସମ୍ପର୍କ ନାହିଁ । ଘର ହାନି, ଲାଭ ବା କାହାର ଦେହ ଖରାପ କିଛି ପଚାରି ବୁଝେନି । ବାପା, ବୋଉ ବି ମାସରେ ଥରେ ଅଧେ ପଚାରି ବୁଝନ୍ତି କାରଣ ଅନୁଭବ ତା ‘ମଡ଼ର୍ଣ୍ଣ’ ଲାଇଫ୍ ରେ ବାପା ଓ ବୋଉଙ୍କ ପାଇଁ ସ୍ଥାନ ଟା ଠିକ୍ ନିରୁପଣ କରିପାରିନଥିଲା ।
ସେମାନେ ବି ପକ୍ଷୀର ପର ଲାଗିବା ଜାଣିପାରୁଥିଲେ । ପାଠ ପଢ଼ା ପୁଅ ଚାକିରି ସେ, ବି ବାପାଙ୍କ ଠାରୁ ଢ଼େର ଅଧିକ ଦରମା ପାଇବା ଚାକିରି କଲେ ବାପାଙ୍କ ନଜରରେ ପୁଅ ଏତେ ବଡ଼ ହେଇ ଯାଏ ଯେ ବାପା ନିଜକୁ ନିଜେ ଛୋଟ ମଣନ୍ତି । ‘ଥାଉ ଏବେ କଲ୍ କରି ତାକୁ ହଇରାଣ କରନା, ସେ ଥକ୍କା ହେଇ ଅଫିସ୍ରୁ ଫେରି ଥିବ । ରହ, ଗୋଟିଏ ତ ଛୁଟି ପାଉଛି ହପ୍ତାରେ ସେଥିରେ ବି ତୁ ଆଡ଼ୁ ସାଡ଼ୁ ଗପିବୁ ।’ ଏମିତି କହି ତା ବୋଉଙ୍କୁ ଚୁପ୍ କରେଇ ଦିଅନ୍ତି। ସାଙ୍ଗ ସାଥି ପ୍ରାୟ କେହି ନାହାନ୍ତି । ଅନୁଭବର ଏହି ସହରରେ । ସ୍ୱପ୍ନା ସାଥିରେ ରହୁଥିଲା ଏଇ ଫ୍ଲାଟ୍ରେ । ସଥିରେ ଖାଇବା, ପିଇବା, ଶୋଇବା ଏମିତି କି ସ୍ୱପ୍ନା ଠାରୁ ତ ସ୍ମୋକିଙ୍ଗ ଶିଖିଲା ଅନୁଭବ ।
‘ଡ଼ଫର୍ ଭିତରକୁ ଟାଣ ଆରେ ଏଥର ପାଟି ବନ୍ଦ କରି…… ଆଃ…… ଦାଟସ୍ ହ୍ୱାଇ ଆଇ କଲଡ଼୍ ୟୁ ଡ଼ଫର୍……
ଅନୁଭବର କାଶ ଦେଖି କହିଥିଲା ସ୍ୱପ୍ନା । ଜୀବନର ପ୍ରଥମ ସ୍ମୋକିଙ୍ଗର ନିଆରା ସ୍ମୃତି ।
କାନ୍ଥଘଣ୍ଟାକୁ ଚାହିଁଲା ଅନୁଭବ ୨/୩ ପେଗ୍ ରୁ ସାତ ଆଠ ପେଗ୍ ହେଲାଣି, ଧିରେ ଧିରେ ପିଆ ବଢ଼ୁଛି ତା’ର । ସେ ନିଜେ ଚାହିଁଲେ ବି କମ୍ କରିପାରୁନି । ଜୀବନରେ ଆଉ ଖୁସି ନାହିଁ । ପାଠ ପଢ଼ିବା ଦିନରୁ ଅନୁଭବ ଏୟା ହିଁ ତ ଚାହିଁଥିଲା । ଭଲ ଚାକିରି, ଦରମା, ବଡ଼ ସହର… ସବୁ ତ ଅଛି । ତଥାପି ନିଜ ଭିତରେ କିଛି ଯେମିତି ବାକି ରହି ଯାଉଛି ।
ରାତି ଦୁଇଟାରେ ସହରର କୋଳାହଳ କିଛି ଥମି ଆସିଛି । ଆକାଶରେ ଚିକ୍ମିକ୍ ପଦାର୍ଥମାନେ ତା ଉପରେ ଜୋରରେ ହସୁଛନ୍ତି । ଘର ଭିତରକୁ ଚାହିଁଲେ ଅନ୍ଧାର ହାତ ଗୋଡ ହଲେଇ ମାଡ଼ି ଆସୁଛି । ଘଣ୍ଟାର ଟିକ୍ ଟିକ୍କୁ ଶୁଣିଲା । ଆଉ କିଛି ଜୀବନ୍ତ ସ୍ୱର ସେ ଖୋଜୁଥିଲା । କିଛି ଦିନ ହେଲା ଅନ୍ଧାର ଭଲ ଲାଗୁଛି ତା’କୁ । କିନ୍ତୁ ଆଜି ସେ ଆକ୍ତାମାକ୍ତା ହୋଇ ପଡ଼ିଲାଣି । ଅନ୍ଧାର ଭିତରେ ତା ପିଲାବେଳ ମୁହଁ ବାରମ୍ବାର ସାମ୍ନାକୁ ଆସୁଛି । ‘ବୋଉର ବାପା ଖାଇବୁ ଆ ଡାକ ଶୁଭୁଛି’ । ସ୍ୱପ୍ନାର ସ୍ପର୍ଶ ଦେହକୁ ଛୁଉଁଛି ।
ଏତେ ପି’ ବା ପରେ ବି ନିଦ ଆସୁନି ।
ଲାଇଟ୍ ଅନ୍ କରି ଟିଭି ସୁଇଚ୍ ପାଖକୁ ହାତ ନେଇଛି ଗୋଟେ କାର୍ଡ଼ ପାଇଲା ସୁରେଶ । ସୁରେଶ ଦେଇଥିଲା। ‘ଫିଲିଙ୍ଗ ସ୍ୟାଡ଼୍, କଲ ମି’, ଲେଖା କାର୍ଡ଼ ଟି ।
ଏହି ଦରଦର ଭାଷା ବୁଝିଛି ଅନୁଭବ । ବଡ଼ ସହରରେ ସବୁ ମିଳେ । ତଥାପି ସେ ଚାହିଁଲା କଲ କରିବା ପାଇଁ। ଇନଷ୍ଟାଣ୍ଟ୍ ସହରରେ ଇନଷ୍ଟାଣ୍ଟ୍ ସର୍ଭିସ୍ । ଖୁବ୍ କମ୍ ସମୟରେ ଝିଅଟିଏ ଆସି ଦସ୍ତଖତ ଦେଲା ।
ଅନୁଭବ କିଂକର୍ତ୍ତବ୍ୟ ବିମୁଢ଼ ହୋଇ ଡ଼ୋର ଖୋଲି ତାକୁ ଭିତରକୁ ଆସିବାକୁ ଦେଲା । ସାହାସ୍ୟ ବଦନରେ ମେକ୍ଅପରେ ପୋତି ହୋଇ ଆସିଥିବା ଝିଅଟି ହ୍ୟାଣ୍ଡସେକ୍ କଲା ।
‘ହାୟ, ସୋନି ହିୟର,’
‘ହାୟ!!! ବାସ୍ ଏତିକି ପାଟିରୁ ବାହାରି ପାରିଲା । ଟାଇମ୍, ରେଟ୍, ଘଣ୍ଟା ପ୍ରତି ଚାର୍ଜ ସବୁ କହି ଚାଲିଥିଲା । ଝିଅଟି ଅନୁଭବର ଚିଲ୍ଡ ଏସିରେ ବି ଝାଳରେ ଲଟପଟ।
ଓ.କେ…..!
ଓ ଓ…. କେ!!
ଏମିତି ଶବ୍ଦ ମଧ୍ୟରେ ନିଜ ମାନସିକ ସ୍ତରକୁ ନିଜ ଅଧିନକୁ ଆଣିବା ଅଯଥା ଚେଷ୍ଟା କରୁଥାଏ ଅନୁଭବ ।
କିନ୍ତୁ ଖୁସି ଯେ କେହି ଜଣେ ତା ସହିତ ଅଛି ।
ରେଟ୍ ଫାଇନାଲ ହେଲା, ସକାଳ ୭ ଯାଏଁ ସେ ଝିଅ ରହିବ ।
ବର୍ତ୍ତମାନ ଅନୁଭବର ଦେହ ଉପରେ ଅଧିକାର ସହିତ ହାତ ବୁଲେଇ ଆଣିଲା ସୋନି ।
‘ଡୁ ୟୁ ନିଡ୍ ଏ ଡ୍ରିଙ୍କ୍’?
ଅନୁଭବ ପଚାରିଲା, ଯେତେବେଳେ ଝିଅଟିର ଓଠ ତା, ଓଠକୁ ଛୁଇଁବାକୁ ଯାଉଥିଲା । ‘ଓଃ ଇୟେସ୍’ । ଖୁସିରେ କହିଲା ସୋନି । ପେଗ୍ ତିଆରିରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରି ଭାବିଲା, ଏଇଟା ତ କିଛି ଖରାପ୍ ନୁହଁ । ମନ ଭଳି ଦେହର ମଧ୍ୟ କିଛି ଆବଶ୍ୟକତା ରହିଛି ।
ସ୍ୱପ୍ନା ଖୁବ୍ ମନେ ପଡ଼ିଲା । ସୋନି କୁ ପେଗ୍ ଟି ଧରାଇ କିଛି ସମୟ ଚାହିଁଲା ଅନୁଭବ ତା’କୁ ।
କିନ୍ତୁ ଇୟେ କ’ଣ? ବେକରୁ ତଳକୁ ଚାହିଁ ପାରୁନି । ସୋନି ଭିତରେ ସ୍ୱପ୍ନାକୁ ସେ ପାଉନି । ଅପରିଚିତା ସେ ।
ବ୍ୟତିବ୍ୟସ୍ତରେ ଅନୁଭବ ଟଏଲେଟ୍ ଚାଲିଗଲା । ନିଜକୁ ପ୍ରସ୍ତୁତ କରିବା ପାଇଁ କିଛି ସମୟ ଚାହୁଁଥିଲା ସେ । କିଛି ସେକ୍ସି ଭିଡ଼ିଓ ଦେଖିବାକୁ ଚେଷ୍ଟା କଲା । ଭକ୍ ଭକ୍ ବାନ୍ତି ଉଠେଇଲା । “ପୁଣି ନିଜକୁ ସଜାଗ କଲା । ନିଜ ଭିତରେ ନିଜକୁ କହିଲା”, କମ୍ ଅନ୍, ୟୁ ଆର୍ ଏ ମ୍ୟାନ୍” ।
ବାହାରକୁ ଆସି ଅନୁଭବ ମ୍ୟାନ୍ ଭଳି ହେବା ସାହସ ନେଇ ଗଲା ସୋନି ପାଖକୁ । ପେଗ୍ ପରେ ପେଗ୍ ପି’ ସୋନି ଉତ୍ଶୃଙ୍ଖଳ ହୋଇ ଅନୁଭବ ଗଳାରେ ବାହୁ ଛନ୍ଦି ନାଚିବାକୁ ଲାଗିଲା। ପୋଷାକ ନାଁରେ ସ୍ୱଳ୍ପ କପଡ଼ା ଦେହରେ ଅଛି ।
କେଜାଣି କାହିଁ ଅନୁଭବକୁ କାନ୍ଦ ମାଡ଼ିଲା ବୋଉର ପଣତ ତଳେ ଶୋଇବାକୁ ଇଚ୍ଛା ହେଲା । ବାପାଙ୍କଠାରୁ ଗାଳି ଶୁଣିବାକୁ ଇଚ୍ଛା ହେଲା । ନିଜକୁ ସେ ଥାପଡ ଥାପଡ ବାଡ଼େଇ ଚାଲିଲା ।
ରାତିର ଅନ୍ଧାର ଦୁର ହେଇ ସୂର୍ଯ୍ୟ ସୁନେଲି ଆଭା ବିଛାଡ଼ି ଆସିଲେଣି ।
ଅନୁଭବର କାନ୍ଦ ଓ କୋହ ମିଶା ସ୍ୱର ଦୂର ଯାଏଁ ଶୁଭୁଥାଏ, ବୋଉ ବାପା ମୁଁ ଏଠି ଏକୁଟିଆ । ତମେ ମନେ କେବେ ଆସିବ? ଟିକଟ୍ ପଠଉଚି ।
ଚଢ଼େଇ ଗୋଟେ ରାବ ଦେଇ ଉଡ଼ି ଯାଉଥାଏ ।
ଚିନ୍ମୟୀ ପଣ୍ଡା