ପ୍ରମୁଖ ଖବର

୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି, ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି

କରୋନା ମୁକାବିଲା: ନବୀନଙ୍କ ରାସ୍ତାରେ ହର୍ଷ

0
  • ‘ଓନାମ୍‌’ ଅବହେଳାର ଫଳ ଭୋଗୁଛି କେରଳ
  • ସବୁ ରାଜ୍ୟ ସରକାର ସତର୍କ ହେବାକୁ ପରାମର୍ଶ
  • ନିଜ ଘରେ ରହି ପାର୍ବଣ ପାଳନ୍ତୁ ବୋଲି କହିଲେ
  • ସମ୍ବାଦପତ୍ର ସୁରକ୍ଷିତ, କରୋନାର ଉତ୍ସ ନୁହେଁ

ନୂଆଦିଲ୍ଲୀ: ଗତ ସପ୍ତାହରେ ପୂଜା ଓ ଶୀତ ଋତୁ ପାଇଁ କରୋନା ସଂକ୍ରମଣ ସଂକ୍ରାନ୍ତ ସତର୍କ ସୂଚନା ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳର ଓନାମ୍ ପର୍ବ ସଂପର୍କରେ ଉଦାହରଣ ଦେଇଥିଲେ। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦୋହରାଇଛନ୍ତି ଯେ ଓନାମ୍ ପର୍ବ ପାଳନ ବେଳେ ପ୍ରଶାସନ ଓ ଲୋକେ ଯେଭଳି ଅବହେଳା ପ୍ରଦର୍ଶନ କଲେ, ଏବେ କେରଳକୁ ତାର ଫଳ ଭୋଗିବାକୁ ପଡୁଛି। ଏହିଥିରୁ ସବୁ ରାଜ୍ୟ ଶିଖିବା ଉଚିତ୍ ଓ ସତର୍କତା ଅବଲମ୍ବନ କରିବାର ଆବଶ୍ୟକ ରହିଛି ବୋଲି ଡାକ୍ତର ହର୍ଷବର୍ଦ୍ଧନ ଚେତାଇ ଦେଇଛନ୍ତି।

ଆଜି ‘ସଣ୍ଡେ ସମ୍ବାଦ’ର ଷଷ୍ଠ ଅଧ୍ୟାୟରେ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସମସ୍ତେ ନିଜ ନିଜ ଘରେ ପ୍ରିୟଜନମାନଙ୍କ ସହିତ ପାରମ୍ପରିକ ପଦ୍ଧତିରେ ପାର୍ବଣକୁ ଉପଭୋଗ କରନ୍ତୁ। ଏହି ପାର୍ବଣ ଋତୁରେ ଉତ୍ସବ ପରିବର୍ତ୍ତେ ଦାନକୁ ଗୁରୁତ୍ୱାରୋପ କରାଯିବା ଉଚିତ। ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ବଦଳରେ ନିଜ ପ୍ରିୟଜନମାନଙ୍କ ସହିତ ଘରେ ହିଁ ପାର୍ବଣ ପାଳନ କଲେ ସମସ୍ତେ ଭଲରେ ରହିପାରିବେ।

କେରଳ ସଂକ୍ରମଣ ସଂପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଜାନୁଆରି ୩୦ ତାରିଖରୁ ମେ’ ୩ ତାରିଖ ମଧ୍ୟରେ ମାତ୍ର ୪୯୯ କରୋନା ମାମଲା ଚିହ୍ନଟ େହାଇଥିଲା। କିନ୍ତୁ ଓନାମ୍‌ ବ୍ୟବସାୟ ଓ ପର୍ଯ୍ୟଟନ ପାଇଁ ରାଜ୍ୟରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ଫଳରେ ଅନେକ ଜିଲ୍ଲା କରୋନା ସଂକ୍ରମଣ କବଳକୁ ଚାଲିଆସିଲା। କରୋନା ସଂକ୍ରମଣର ଗ୍ରାଫ ସମ୍ପୂର୍ଣ୍ଣ ଭାବେ ବଦଳିଗଲା ଏବଂ ଦୈନିକ ନୂଆ ମାମଲା ଦୁଇ ଗୁଣା ବୃଦ୍ଧି ପାଇଲା। ସବୁ ସରକାର ଏଥିରୁ ଶିକ୍ଷା ଲାଭ କରିବା ଉଚିତ ଯେଉଁମାନେ ପାର୍ବଣ ଋତୁ ପାଇଁ ଯୋଜନା ପ୍ରସ୍ତୁତିରେ ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଚୀନ ନିର୍ମିତ ଅକ୍ସିମିଟର ସଂପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଲୋକମାନେ ବଜାରରୁ କିମ୍ବା ଅନ୍‌ଲାଇନ ରିଟେଲରମାନଙ୍କ ଠାରୁ ପଲ୍ସ ଅକ୍ସିମିଟର କିଣିବା ସମୟରେ ଏଫଡିଏ/ସିଇ ମଞ୍ଜୁରି ଯୁକ୍ତ ଉତ୍ପାଦ ତଥା ଆଇଏସ୍‌ଓ /ଆଇଇସି ମାନକ ଦେଖିବା ଆବଶ୍ୟକ। ଅକ୍ସିଜେନ ସ୍ତର ହ୍ରାସ ପାଇବା କୋଭିଡ-୧୯ର କୌଣସି ଲକ୍ଷଣ ନୁହେଁ ଏବଂ ଏହା ଅନ୍ୟ ଚିକିତ୍ସା ସମ୍ବନ୍ଧୀୟ ସମସ୍ୟା କାରଣରୁ ମଧ୍ୟ ହୋଇପାରେ।

ଏହି ଅବସରରେ ସେ କହିଥିଲେ ଯେ ସମ୍ବାଦପତ୍ର ଦ୍ୱାରା କରୋନା ଭୂତାଣୁ ବ୍ୟାପିବାର କୌଣସି ପ୍ରମାଣ ନାହିଁ। ସମ୍ବାଦପତ୍ର କରୋନା ଭୂତାଣୁ ମହାମାରୀ ସମୟରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ।

Leave A Reply

Your email address will not be published.