ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ
୦-୧୮ ବର୍ଷରେ ୭୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ
ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ ୪୫୫୪ ରହିଛି
ରାଜ୍ୟର ବିଭିନ୍ନ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୩୧୨
ମୋଟ ଉପରେ ୬୪,୭୦୯ ନମୁନା ପରୀକ୍ଷଣ ହୋଇଥିଲା, ଟିପିଆର୍, ୦.୬୫%
ରାଜ୍ୟରେ ସମୁଦାୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬
ଖୋର୍ଦ୍ଧାରେ ୨୧୧ କୋଭିଡ୍ ପଜିଟିଭ୍ ଚିହ୍ନଟ ଓ କଟକ ୪୦

ଓଡ଼ିଶାର ଭାତହାଣ୍ଡି ବରଗଡରୁ ଉଠିଲା ଭିନ୍ନ ମତ

0
  • କାହିଁକି ଧାନ ଚାଷୀ ଲାଭ ପାଉନାହାନ୍ତି ବୟାନ କଲେ ସମ୍ବିତ୍ ଆଚାର୍ଯ୍ୟ
  • ଅରୁଆ ଚାଉଳ ଓ ଉଷୁନା ଚାଉଳ ବିବାଦ ସଂପର୍କରେ ବି କହିଲେ
  • ସରକାରଙ୍କ ଶୀତଳଭଣ୍ଡାର, ତ୍ରୁଟିଶୂନ୍ୟ ବଜାର ସଂପର୍କରେ ଠାରିଲେ
  • କେବଳ ଧାନ ନୁହେଁ, ବିକଳ୍ପ ଜୈବିକ ଚାଷର ଆବଶ୍ୟକତା ରହିଛି

ଭୁବନେଶ୍ବର: ଆସନ୍ତୁ,  ସଭିଏଁ ବିକଳ୍ପ ଜୈବିକ ଚାଷକୁ ଆଦରି ନେବା ଓ ଏକ ସୁସ୍ଥ ସମୃଦ୍ଧ କୃଷି ଉନ୍ନତ ଓଡ଼ିଶା ରାଜ୍ୟ ଗଠନରେ ସହାୟକ ହେବା। ଏ ଦାବି କୌଣସି ସାଧାରଣ ଲୋକର ନୁହେଁ, ବରଂ ବରଗଡ ଜିଲ୍ଲାର ଚାଷୀ ତଥା ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ବିଜେଡି ନେତା ସମ୍ବିତ ଆଚାର୍ଯ୍ୟ (ଫିଗ୍‌) ଏଭଳି ଏକ ମତ ରଖିଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ ଭାଇ ଦେବେଶ ଆଚାର୍ଯ୍ୟ ଏବେ ବରଗଡ ବିଧାୟକ ଥିବା ବେଳେ କାକା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସଦସ୍ୟ ଅଛନ୍ତି। ସମ୍ବିତ୍ ସମ୍ବଲପୁରୀ ବସ୍ତ୍ରାଳୟ ସହିତ ବେଶ୍ କିଛି ବର୍ଷ ଯୋଡି ହେବା ପରେ ଏବେ ଚାଷୀଙ୍କ ପାଇଁ ପାଗ ଭିଡ଼ିଛନ୍ତି। ହେଲେ ସମ୍ବିତ୍ କିନ୍ତୁ କେଉଁଠି ନା କେଉଁଠି ରାଜ୍ୟ ସରକାରଙ୍କ ବଜାର, ଶୀତଳଭଣ୍ଡାର ନୀତି, ମିଲ୍ ମାଲିକଙ୍କ ପ୍ରତି ପ୍ରଦର୍ଶନ କରୁଥିବା ଆଚରଣକୁ ଗ୍ରହଣ କରିପାରିନାହାନ୍ତି। ମାପିଚୁପି ମନ୍ତବ୍ୟ ଦେବା ବେଳେ ଏସବୁ ସାମ୍ନାକୁ ଆସିଯାଇଛି।

ଶ୍ରୀ ଆଚାର୍ଯ୍ୟଙ୍କର କହିବା କଥା ହେଉଛି, ସରକାର କୃଷିକୁ ଶିଲ୍ପର ମର୍ଯ୍ୟାଦା ଦେଉଛନ୍ତି । ମାତ୍ର ଶିଳ୍ପ ଯେପରି କଞ୍ଚାମାଲର ହିସାବ, ଲାଭ ଖର୍ଚ୍ଚର ହିସାବ ରଖେ ,ଆମ ଚାଷୀମାନେ ମଧ୍ୟ ଅନୁରୂପ ଢ଼ଙ୍ଗରେ ଲାଭ କ୍ଷତି ,ଖର୍ଚ୍ଚର ପ୍ରକୃତ ହିସାବ ରଖିବା ଏବେ ଜରୁରୀ।

‘ ମୁଁ ବି ଜଣେ ଚାଷୀ। ମୋର ବ୍ୟକ୍ତିଗତ ଅନୁଭବକୁ କହିପାରିବି ଯେ ଧାନ ଚାଷ ତୁଳନାରେ ଅନ୍ୟାନ୍ୟ ଅର୍ଥକରୀ ଫସଲ ଓ ଫଳ ଚାଷରେ ଅଧିକ ଲାଭ ରହିଛି। ଆମର ଚାଷୀଭାଇ ମାନେ ପାରମ୍ପରିକ ଧାନଚାଷ ପରିବର୍ତେ ବିକଳ୍ପ ଚାଷକୁ ଗ୍ରହଣ କରିବା ଆବଶ୍ୟକ। ଏହା ସହିତ ଚାଷୀ ମଧ୍ୟ ଯଥାସମ୍ଭବ ଜୈବିକ ଚାଷ କରିବା ସହ ତାର ଗୁଣାବତ୍ତା ରକ୍ଷା କରିବାର ଆବଶ୍ୟକତା ରହିଛି । ଏଥି ସକାଶେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବଜାର ନୀତିରେ ସୁଧାର ଆଣିବା ସହ ଆବଶ୍ୟକ ସ୍ଥଳେ ଗୋଦାମ ବା ଶୀତଳ ଭଣ୍ଡାର ସୃଷ୍ଟି ଏବଂ ବିଦେଶକୁ ରପ୍ତାନି ନୀତିରେ ମଧ୍ୟ ପରିବର୍ତନ କରିବା ଦରକାର।  ଚାଷୀ ଯେ ପର୍ଯ୍ୟନ୍ତ ବିକଳ୍ପ ଚାଷ ଓ ଚାଷ ପ୍ରଣାଳୀକୁ ଗ୍ରହଣ କରିନାହିଁ, ଯେ ଯାଏ ବାସ୍ତବରେ ଚାଷୀର ବାସ୍ତବ ଆୟ ବୃଦ୍ଧିପାଇବା କଷ୍ଟକର।’

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଲୋକେ ଉଷୁନା ଚାଉଳ ଖାଇବାରେ ଅଭ୍ୟସ୍ତ। ମାତ୍ର କେନ୍ଦ୍ର ସରକାର ଉଷୁନା ଚାଉଳ ପରିବର୍ତେ ଅରୁଆ ଚାଉଳକୁ ପ୍ରାଧାନ୍ୟ ଦେଉଛନ୍ତି। ଚାଷୀ କେବଳ ଧାନ ଉତ୍ପାଦନ କରୁଛି।  ଉଭୟ ଅରୁଆ ଚାଉଳ ଓ ଉଷୁନା ଚାଉଳ ପ୍ରସ୍ତୁତ କରିବା ଦାୟିତ୍ୱ ମିଲ୍‌ ମାଲିକଙ୍କର।  ଏଥିପାଇଁ ଚାଷୀ କାହିଁକି କ୍ଷତି ସହିବ? ସରକାର ମିଲ ମାଲିକଙ୍କୁ କୁହନ୍ତୁ ସେମାନେ ବଜାର ଚାହିଦା ଅନୁଯାୟୀ ଅରୁଆ ଓ ଉଷୁନା ଚାଉଳ ପ୍ରସ୍ତୁତ କରନ୍ତୁ। ସରକାର ଚାଷୀର ଉତ୍ପାଦିତ କୃଷିଜାତ ସାମଗ୍ରୀର ତ୍ରୁଟିଶୂନ୍ୟ ବଜାର ବ୍ୟବସ୍ଥା ସୃଷ୍ଟିପାଇଁ ଅନୁକୂଳ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଯେହେତୁ ଅରୁଆ ଚାଉଳ କମ୍ ଉତ୍ପାଦନ ହେବ, ସେଥିପାଇଁ ମିଲ୍ ମାଲିକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏକଥା ପ୍ରତି ସରକାର ଧ୍ୟାନ ଦେବା ଜରୁରୀ।

କୃଷି ସଂପର୍କରେ ପରିସଂଖ୍ୟାନ ରଖି ଶ୍ରୀ ଆଚାର୍ଯ୍ୟ ଏହି ଅବସରରେ ଦେଶ ଓ ରାଜ୍ୟରେ ଚାଷୀ ସ୍ଥିତି ବୟାନ କରିଛନ୍ତି। ସେ କହିଛନ୍ତି ଯେ ଗତ ୨୫ ମାର୍ଚ୍ଚ ୨୦୨୦ରୁ ସମଗ୍ର ରାଷ୍ଟ୍ର କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମ୍ପୂର୍ଣ୍ଣ ଲକଡ଼ାଉନରେ ରହିଛି। ଏହା ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷର ଅର୍ଥନୀତିର ସ୍ଥିତିକୁ ଦୋହଲାଇ ଦେଇଛି। ଦେଶର ୫୦%ରୁ ଊର୍ଦ୍ଧ୍ୱ ବ୍ୟକ୍ତି କୃଷିକୁ ନିଜ ଆୟର ପ୍ରମୁଖ ସ୍ରୋତ ରୂପେ ଦର୍ଶାଇଥାନ୍ତି। ଏହା ସତ୍ତ୍ୱେ ଦେଶରେ କୃଷି କ୍ଷମତାର ସମ୍ପୂର୍ଣ୍ଣ ବିନିଯୋଗ ହୋଇପାରି ନାହିଁ।

ସେହିଭଳି ଦେଶର ଅର୍ଥ ବ୍ୟବସ୍ଥା ଓ ଜିଡ଼ିପିକୁ କୃଷି କ୍ଷେତ୍ରର ଯୋଗଦାନ ମାତ୍ର ୧୩.୫% ରହିଛି।  ଭାରତର ପ୍ରାୟ ୮୫% କୃଷକ କ୍ଷୁଦ୍ର ଅଥବା ନାମମାତ୍ର ଚାଷୀ ଅଟନ୍ତି; ଯେଉଁ ମାନଙ୍କ ନିକଟରେ ଦୁଇ ହେକ୍ଟରରୁ କମ ଜମି ରହିଛି। ଦେଶରେ କରୋନା ସଙ୍କଟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ରବି ଫସଲ ପରିପକ୍ୱ ଅବସ୍ଥାକୁ ଆସିଥିଲା। ଏଭଳି ସମୟରେ ଦେଶବ୍ୟାପୀ ଲକଡ଼ାଉନ ଯୋଗୁଁ କୃଷକ ନିଜକୁ ଘରେ ବନ୍ଦୀ କରି ରଖିଛି ଓ କଳକାରଖାନା, ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି। ପରିବହନ କଟକଣା ଯୋଗୁଁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବିପଣନ ହୋଇ ପାରୁ ନଥିବାରୁ ଚାଷୀ ବାଧ୍ୟ ହୋଇ ତାହାକୁ ନାମମାତ୍ର ମୂଲ୍ୟରେ ବିକ୍ରୀ କରୁଛି ଅଥବା କ୍ଷେତରେ ଫସଲ ନଷ୍ଟ ହେଉଛି।

 ଦେଶର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ତୁଳନାରେ ଖାଦ୍ୟାନ୍ନର ଆବଶ୍ୟକତା ବୃଦ୍ଧି ପାଉଛି ବୋଲି ଦର୍ଶାଇ ସମ୍ବିତ କହିଛନ୍ତି ଯେ ଭାରତରେ ସଂପ୍ରତି ୧୮୦ ମିଲିୟନ ହେକ୍ଟର କୃଷି କ୍ଷେତ୍ର ରହିଛି।  ଆମେରିକା ଓ ଚୀନ ବ୍ୟତୀତ ଭାରତ ବିଶ୍ୱର ତୃତୀୟ ବୃହତ କୃଷି କ୍ଷେତ୍ର ଅଟେ। ଏଗ୍ରିକଲରାଲ ସେନସସ ରିପୋର୍ଟ ୨୦୧୧ ଓ ନାସୋ ରିପୋର୍ଟ ୨୦୧୪ ଅନୁସାରେ ଓଡ଼ିଶାର ୯୧.୯% କୃଷକ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଏବଂ ଏମାନଙ୍କ ପାଖରେ ହାରାହାରି ଏକ ଏକର ଲେଖାଏଁ ଚାଷଜମି ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଜମିକୁ ସମ୍ପୂର୍ଣ୍ଣ ଜଳସେଚିତ କରାଯାଇ ପାରି ନାହିଁ। କର୍ଣ୍ଣାଟକରେ  ଚାଷୀଙ୍କ ଘର ପିଛା ଆୟ ୮୮୩୨ ଟଙ୍କା ରହିଥିବା ସମୟରେ ଗୁଜରାଟରେ ତାହା ୭୯୨୬  ଟଙ୍କା ଏବଂ ଓଡ଼ିଶାରେ ମାତ୍ର ୪୯୭୬ ଟଙ୍କା ରହିଛି।

ଏକଥା ସତ ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଚାଷୀ ଅଧିକ କ୍ଷତିଗ୍ରସ୍ତ। ହେଲେ ରାଜ୍ୟର ଚାଷୀମାନେ ସେମାନଙ୍କର କୌଳିକ ବୃତ୍ତିକୁ ଛାଡ଼ି ପାରି ନାହାନ୍ତି।  ଆମ ଚାଷୀ ମାନେ ସାଧାରଣତଃ ଚାଷ କାର୍ଯ୍ୟରେ ଲାଭ କ୍ଷତିର ହିସାବ ରଖନ୍ତି ନାହିଁ । ଏଣୁ ବାସ୍ତବରେ ଚାଷ କାର୍ଯ୍ୟରେ ହେକ୍ଟର ପିଛା କେତେ ଖର୍ଚ୍ଛ ହେଉଛି କି ଲାଭ ହେଊଛି ତାର ସଠିକ ଆକଳନ ଓ ତଥ୍ୟ ସେମାନଙ୍କ ପାଖରେ ନାହିଁ । ପାରମ୍ପରିକ ପଦ୍ଧତିରେ ଧାନ ଚାଷ ଦ୍ୱାରା ଚାଷୀର କୌଣସି ପ୍ରକାର ଲାଭ ହେଉ ନାହିଁ ବରଂ ଚାଷୀ କ୍ଷତି ସହୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।  ସମ୍ବିତଙ୍କର ଏହି ମନ୍ତବ୍ୟ ଏବେ ଓଡ଼ିଶା ରାଜନୀତି ଓ କୃଷି କ୍ଷେତ୍ରରେ ଏକ ବଡ଼ ବିତର୍କ ପାଇଁ ସୁଯୋଗ ରଖିଛି।

Leave A Reply

Your email address will not be published.