ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ମୋଦୀଙ୍କ ଲେନ୍‌ସକୁ ଏବେ ଓଡ଼ିଶା ଆସିଲା

0
  • ୟୁ ଟର୍ଣ୍ଣ ମାରିଲା ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅର
  • ପ୍ରଥମଥର ପାଇଁ ଓଡ଼ିଶା ହାତରେ ଲାଗିଲା ରେଳ ବିଭାଗ
  • ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଜେଡି ହାତରୁ ଚାଲିଗଲା
  • ଅଶ୍ବିନୀଙ୍କୁ ପ୍ରଭାବିତ କରିବ କିଏ, ବିଜେଡି ନା ବିଜେପି
  • କେନ୍ଦ୍ର ସହିତ ସଂପର୍କ ବଢିପାରେ,କିନ୍ତୁ ଘାତକ ହେବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମନ୍ତ୍ରିମଣ୍ଡଳର ନବକଳେବର କରିଛନ୍ତି। ଦୀର୍ଘ ସାତବର୍ଷ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗ କାଢ଼ି ନିଆଯାଇଛି। ଏହି ସରକାର ସମୟରେ ତାଙ୍କୁ ମିଳିଥିବା ଇସ୍ପାତ ବିଭାଗ ବି ସେ ରଖିପାରିନାହାନ୍ତି। ଏହା ବଦଳରେ ତାଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଧରାଇଛନ୍ତି ପ୍ରଧାନମନ୍ତ୍ରୀ। ଗତ ସରକାର ସମୟରେ ତାଙ୍କୁ ଦକ୍ଷତା ବିକାଶ ବିଭାଗ ମିଳିଥିଲା।

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହାତରୁ କେନ୍ଦ୍ରମନ୍ତ୍ରୀ ପଦବି ଛଡ଼ାଇ ନେଇଛନ୍ତି ମୋଦୀ। ତାଙ୍କ ସ୍ଥାନରେ ମୟୂରଭଂଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଟୁଡୁଙ୍କ ହାତରେ ଆଦିବାସୀ ବିକାଶ ଏବଂ ଜଳଶକ୍ତି ବିଭାଗ ଦେଇଛନ୍ତି।

ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ ସିଧାସଳଖ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ରେଳ ବିଭାଗ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପ୍ରଦାନ କରାଯାଇଛି। ଅର୍ଥାତ୍ ଓଡ଼ିଶା ନେତାଙ୍କ ହାତରେ ଏବେ କେନ୍ଦ୍ର ସରକାରଙ୍କର ସାତଟି ବିଭାଗ ରହିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ରେଳ ବିଭାଗ ପାଇଛି ଓଡ଼ିଶା। ପୂର୍ବରୁ କାହ୍ନୁଚରଣ ଲେଙ୍କା ଓ ଭକ୍ତ ଦାସଙ୍କୁ ଏହି ବିଭାଗ ମିଳିଥିଲା, କିନ୍ତୁ ଉଭୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ପ୍ରଥମଥର ପାଇଁ ରେଳ ବିଭାଗ (କ୍ୟାବିନେଟ୍ ମନ୍ତ୍ରୀ) ଓଡ଼ିଶା ଖାତାକୁ ଆସିଲା। ପରୋକ୍ଷରେ ବିଜେଡି-ବିଜେପି ଉଭୟ ଲାଭାଂଶୀ ହେବା କଥା।

ହେଲେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଓଡ଼ିଶା ପାଇଁ ବଡ଼ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଯେଉଁ ତିନି ଚାରିଟି ଘଟଣା ଏହା ସହିତ ଯୋଡି ହୋଇଛି, ତାହାର ପ୍ରଭାବ କଣ ହେବ, ସେ ନେଇ ରାଜନୈତିକ ପଣ୍ଡିତ, ରଣନୀତିକାରମାନେ ପର୍ଯ୍ୟାଲୋଚନା ଆରମ୍ଭ କରିଦେଲେଣି।

୨୦୧୯ରେ ଶପଥ ନେବା ପରେ ଜାତୀୟ ରାଜନୀତିରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ତାଙ୍କର ଜୀବନ ଶୈଳୀ ଓ ଭାଷଣ ତାଙ୍କୁ ଏଭଳି ସଫଳତା ଆଣିଦେଇଥିଲା। ହେଲେ ସାମଗ୍ରିକ ଭାବେ କିନ୍ତୁ ତାଙ୍କର ପ୍ରଦର୍ଶନ ନା ମୋଦୀଙ୍କ ନଜରକୁ ଆସିଲା ନା ରାଜ୍ୟବାସୀ ଅନୁଭବ କରିପାରିଲେ। ବରଂ ବାଲେଶ୍ବର ବିଧାନସଭା ଆସନ ପାଇଁ ହୋଇଥିବା ଉପର୍ନିବାଚନରେ ବିଜେପି ପରାସ୍ତ ହେଲା ଓ ଦଳ ଗୋଟିଏ ଆସନ ବିଜେଡି ହାତକୁ ଟେକିଦେଲା। ଜାତୀୟ ରାଜନୀତିରେ ନ ହେଲେ ନାହିଁ, ରାଜ୍ୟ ରାଜନୀତିରେ, ବିଜେପିରେ ପ୍ରତାପ ନିଜର ଦବଦବା ଦେଖାଇବାରେ ଏକପ୍ରକାର ଅସମର୍ଥ ହେଲେ। ଆଉ ଯେବେ ଅନୁସୂଚିତ ଜନଜାତି କାର୍ଡ ଖେଳ ହୁଏ, ସେବେ ତାଙ୍କୁ ବାଦ୍ ଦିଆଯିବାରେ ଅସ୍ବାଭାବିକତା କିଛି କିମ୍ ନାହିଁ।

ସ୍ବାଧୀନ ପରବର୍ତ୍ତୀ ଭାରତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ଭବତଃ ପ୍ରଥମ ମନ୍ତ୍ରୀ ହେବେ ଯାହା ହାତରେ ପେଟ୍ରୋଲିୟମ ମନ୍ତ୍ରାଳୟ ଭଳି ବିଭାଗ ଏତେ ଦିନ ରଖାଯାଇଥିଲା। ଏହି ଦୁଧିଆଳୀ ବିଭାଗକୁ ପ୍ରଧାନମନ୍ତ୍ରୀ ଅତି ନିର୍ଦୟ ଭାବେ ଶ୍ରୀ ପ୍ରଧାନଙ୍କ ହାତରୁ ମୋଦୀ ଛଡାଇ ନେଇଛନ୍ତି। ତାଙ୍କ ହାତରୁ ଇସ୍ପାତ ବିଭାଗ ବି ଯାଇଛି। ଓଡ଼ିଶା ରାଜନୀତିରେ ପୂର୍ବରୁ ବିଜୁ ବାବୁ, ନବୀନ ବାବୁ, ବ୍ରଜ କିଶୋର ତ୍ରିପାଠୀ ପ୍ରମୁଖ ଏହି ବିଭାଗ ଦାୟିତ୍ବରେ ଥାଇ ଚର୍ଚ୍ଚାକୁ ଆସିଥିଲେ। ଏଣୁ ଯେ କେହି କହିବା ଆଦୌ ଅପ୍ରାସଙ୍ଗିକ ହେବନାହିଁ ଯେ ତାଙ୍କ ଉପରେ ବୋଧହୁଏ ପ୍ରଧାନମନ୍ତ୍ରୀ ଆଦୌ ଖୁସିନାହାନ୍ତି। ଅନ୍ୟଥା ଏତେ ବଡ଼ ବଜ଼ ବିଭାଗ ତାଙ୍କ ହାତକୁ କାହିଁକି କାଢ଼ି ଦିଆଗଲା?

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଭିନ୍ନ ଏକ ଦିଗକୁ ବିଚାରକୁ ନେଉଛନ୍ତି। ସବୁଠୁ ଲମ୍ବା ସମୟ ଧରି ପେଟ୍ରୋଲିୟମ୍ ବିଭାଗ ଧର୍ମେନ୍ଦ୍ରଙ୍କ ହାତରେ ରହିଲା। ଏବେ ଶ୍ରୀ ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ ଦିଆଯିବା ଘଟଣା ପ୍ରଧାନମନ୍ତ୍ରୀଙ୍କର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଅଂଶବିଶେଷ। ଅଟଳ ବିହାରୀ ବାଜପେୟୀ ସରକାରରେ ମୂରଲୀ ମନୋହର ଯୋଶୀଙ୍କ ଭଳି ଅତି ଦକ୍ଷ ମନ୍ତ୍ରୀଙ୍କୁ ଏହି ବିଭାଗ ଦାୟିତ୍ବ ଦିଆଯାଇଥିଲା। ନିଜେ ବାଜପେୟୀ କିଛି ସମୟ ନିଜ ହାତରେ ଏହି ବିଭାଗ ରଖିଥିଲେ। ଅର୍ଜୁନ ସିଂହ, କପିଳ ଶିବଲ ପ୍ରମୁଖ ଟାଣୁଆ ମନ୍ତ୍ରୀଙ୍କୁ କଂଗ୍ରେସ ବି ଏହି ବିଭାଗରେ ରଖୁଥିଲା।

ଏକଥାଟି ଅତ୍ୟନ୍ତ ସ୍ପଷ୍ଟ ଯେ ବାହ୍ୟ ଶତ୍ରୁ ବା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଚାଷୀ ପ୍ରସଙ୍ଗକୁ ବାଦ୍ ଦେଲେ ଯେଉଁ ବଡ଼ ପ୍ରସଙ୍ଗଗୁଡିକ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଶେଷ ଆହ୍ବାନ ସୃଷ୍ଟି କରିଛି, ତାହା ହେଲା ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବେରୋଜଗାରୀ। ଶିକ୍ଷା ବିଭାଗଟି ବିଜେପିର ଆରଏସଏଏସ ବିଚାରଧାରାର ଏକ ବଡ଼ ଏଜେଣ୍ଡାକୁ ପ୍ରତିନିଧିତ୍ବ କରେ। ବିଜେପିର ବାରମ୍ବାର ଅଭିଯୋଗ କରିଆସିଛି ଯେ ଭାରତବର୍ଷରେ କଂଗ୍ରେସ ସରକାର ଆସିବା ପରେ ଶିକ୍ଷା ପାଠ୍ୟକ୍ରମରେ ଗାନ୍ଧୀ, ନେହେରୁ ଗୁରୁତ୍ବ ପାଇଛନ୍ତି ଓ ସ୍ବାଧୀନତା ଆନ୍ଦୋଳନର ଗୋଟିଏ ଦିଗ ଅତ୍ୟନ୍ତ ପରିସ୍ଫୁଟିତ ହୋଇଛି। ବାମପନ୍ଥୀ ବିଚାରାଧାରାକୁ ଗୁରୁତ୍ବ ମିଳିଆସିଛି।  

ଏଣୁ ଏବେ ସେମାନେ କ୍ଷମତାକୁ ଆସିବା ପରେ ଦକ୍ଷିଣପନ୍ଥୀ ବିଚାରାଧାରାର ଗୋଟିଏ ଛାପ ରଖିବାକୁ ଉଦ୍ୟମ କରୁଛନ୍ତି, ଯେଉଁଥିପାଇଁ ବିବାଦ ସୃଷ୍ଟି ହେଉଛି। ଯେଉଁ ରାଜ୍ୟରେ ସେମାନେ ଶାସନକୁ ଆସିଗଲେଣି ବା କରୁଛନ୍ତି, ତାର ଶିକ୍ଷା ପାଠ୍ୟକ୍ରମ ଟିକେ ଅଲଗା।  ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ବୟନ ଆଳରେ ବିଜେପି ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ କରିବା ଲାଗି ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା  ପଛରେ ଅନେକ ଗୁଢ ତତ୍ତ୍ବ ଆଜି ବି ଲୁଚି ରହିଛି। ଏ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ନିଯୁକ୍ତି ଗୋଟିଏ  ବଡ଼ କାର୍ଯ୍ୟକ୍ରମ ବା ଲକ୍ଷ୍ୟର ଅୟମାରମ୍ଭ ମାତ୍ର।

ଏକଥା ସତ ଯେ ଏହା ପତିଆରା ବଢ଼ାଇବା ପାଇଁ ତୈଳ ବିଭାଗ ଭଳି ଶିକ୍ଷା ପ୍ରସଙ୍ଗ ଗୋଟିଏ ଲାଭଜନକ ବିଭାଗ ନୁହେଁ। ହେଲେ ଏହା ଦ୍ବାରା ଧର୍ମେନ୍ଦ୍ର କିନ୍ତୁ ଭୋଟ ବ୍ୟାଙ୍କ ରାଜନୀତିରେ ପ୍ରବେଶ କରିବାର ଏକ ବଡ଼ ସୁଯୋଗ ପାଇଲେ। ଏବେ ଧର୍ମେନ୍ଦ୍ରଙ୍କର ପ୍ରଥମ ଲାଭ ହେଲା ଯେ ତୈଳ ଦର ବୃଦ୍ଧି କାରଣରୁ ସେ ଯେଉଁ ବିରୋଧାଭାସ ସାମ୍ନା କରୁଥିଲେ, ତାହା ହଟିଯିବ। ବିଜେଡି ବିରୋଧରେ ଆକ୍ରମଣାତ୍ମକ କାର୍ଯ୍ୟକ୍ରମ ଗ୍ରହଣ ନ କରି ସେ ଯେତେ ନିନ୍ଦିତ ହୋଇନାହାନ୍ତି,  ତୈଳ ଦର ବୃଦ୍ଧିକୁ ନେଇ ସେ ତା ଠାରୁ ଅଧିକ ବିପଦରେ ଥିଲେ।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶିକ୍ଷା ପ୍ରସଙ୍ଗଟି ପ୍ରତି ଘର ସହିତ ଯୋଡି ହୋଇଛି। ତାଙ୍କର ସାମାନ୍ୟ କାର୍ଯ୍ୟକ୍ରମ ପ୍ରତି ଘରକୁ ଛୁଇଁଯିବ। ପ୍ରତି ଗାଁକୁ ଯିବା ଲାଗି ତାଙ୍କୁ ଏହି ଆଳରେ ମଉକା ମି​ଳିଲା ଯାହା ଓଡ଼ିଶା ସରକାରଙ୍କ ଉପରେ ପ୍ରବଳ ଚାପ ରଖିବ। ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ଏବେ ରାଜ୍ୟ ରାଜନୀତିରେ ଅତି ସମ୍ବେଦନଶୀଳ ବିଭାଗ ଭାବରେ ଚିହ୍ନଟ ହେବ।

ଯେହେତୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଏଯାଏ ବଡ଼ ପରିବର୍ତ୍ତନ ହୋଇନାହିଁ, ଏଣୁ ରାଜ୍ୟ ସରକାର ଅଧିକ ସମାଲୋଚିତ ହେବେ। ନୂଆ ଶିକ୍ଷା ଆଇନ ଲାଗୁ, ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ହସ୍ତକ୍ଷେପ ଯୁବ ବର୍ଗରେ ବିଜେପିର ପ୍ରବେଶକୁ ସହଜ କରିପାରେ। କଲେଜ କ୍ୟାମ୍ପସରେ ଧର୍ମେନ୍ଦ୍ର ପ୍ରବେଶ କଲେ ବିଜେଡିକୁ ଭିନ୍ନ ପରିସ୍ଥିତି ସାମ୍ନା କରିବାକୁ ପଡିପାରେ। ଏବିଭିପି ଏବେ ଅଧିକ ସକ୍ରିୟ ହେବ। ସେଥିପାଇଁ ଛାତ୍ର ବିଜେଡିକୁ ଏବେଠାରୁ ସତର୍କ ହେବାକୁ ପଡିବ।

ଦକ୍ଷତା ବିକାଶ ଧର୍ମେନ୍ଦ୍ରଙ୍କର ପୁରୁଣା ବିଭାଗ। ଏହା ମଧ୍ୟ ଶିକ୍ଷା ସହିତ ଯୋଡି ହୋଇଥିବା କାରଣରୁ ଟିକେ ଅଧିକ  ପ୍ରଭାବ ରଖିବ। ତୈଳ ଓ ଇସ୍ପାତ ବିଭାଗ ପାଇଁ ବାରମ୍ବାର ବିଦେଶ ଯିବା ଏବଂ ଦିଲ୍ଲୀରେ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ମ ହୋଇଥିବା ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ନିର୍ବାଚନମଣ୍ଡଳୀ ରାଜନୀତି ଠାରୁ ବି ଦୂରେଇ ଯାଇଥିଲେ। ଏବେ ଦେଖିବା କଥା ନୂଆ ଶିକ୍ଷା ବିଭାଗକୁ ଧରି ଓଡ଼ିଶାରେ ତାଙ୍କର ପ୍ରବେଶ କିଭଳି ରହୁଛି।

ବିଜେଡି ପାଇଁ ଅନ୍ୟ ପ୍ରସଙ୍ଗଟି ହେଲା ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ଦଳ ଏବେ ବି ନିରୁତ୍ତର ରହିବ। କାରଣ ଧର୍ମେନ୍ଦ୍ର ଯିବା ପରେ ଦଳ ରାସ୍ତାକୁ ଓହ୍ଲାଇଲେ ,ଏକଥା ଧରାପଡିଯିବ ଯେ ବିଜେଡି ରଣନୀତି ବିଜେପିର କେନ୍ଦ୍ରମନ୍ତ୍ରୀଙ୍କୁ ତୁଷ୍ଟୀକରଣ ଚାଲ୍ ଥିଲା। ଏଣୁ ଗୋଟିଏ ବଡ଼ ପ୍ରସଙ୍ଗ ବିଜେଡି ହାତରୁ ବେଶ ଲମ୍ବା ସମୟ ପାଇଁ ଖସିଗଲା।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ରେଳ ବିଭାଗ ଦିଆଯିବା ଓ କେନ୍ଦ୍ର ସରକାରରେ ଓଜନିଆ ମନ୍ତ୍ରୀ ଭାବେ ଗଣାଯିବା ପଛରେ ଗୋଟିଏ ବଡ଼ ଯୁକ୍ତି ରହିଛି। ଏବେ ଓଡ଼ିଶା ଉପରେ ଏହାର ଭିନ୍ନ ଦୃଷ୍ଟିରୁ ପ୍ରଭାବ ପଡିବ। ଗୋଟିଏ କଥା ସ୍ପଷ୍ଟ ଯେ ଓଡ଼ିଶା ରେଳବାଇ କ୍ଷେତ୍ରରେ ଅଳ୍ପ କିଛି ଲାଭ ପାଇପାରେ, କିନ୍ତୁ ଆଞ୍ଚଳିକ ଦଳ ଭାବେ ରେଳବାଇ କ୍ଷେତ୍ରରେ ଯେଉଁ ଐତିହାସିକ ଅବହେଳାକୁ ଧରି ବିଜେଡି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଘେରୁଥିଲା, ତାହା ବି ଏବେ ହାତ ଛଡ଼ା ହୋଇଗଲା।

ଅଶ୍ବିନୀ ଓଡ଼ିଶା ରାଜନୀତିରେ ଆଜି ପାଦ ଥାପିଛନ୍ତି ସତ। କିନ୍ତୁ ସେ ୧୦ ବର୍ଷ ପାଖାପାଖି ଜିଲ୍ଲା ପ୍ରଶାସନରେ ସକ୍ରିୟ ଥିଲେ। ଓଡ଼ିଶା ପାଣିପାଗ ବୁଝିଛନ୍ତି ଓ ତାଙ୍କର ପରିଚୟ ବି କିଛି କମ୍ ନାହିଁ। ଅତ୍ୟନ୍ତ ମିଠା କଥା କହୁଥିବା ଅଶ୍ବିନୀଙ୍କର ରାଜ୍ୟ ରାଜନୀତିର ଆବିର୍ଭାବ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ। କିନ୍ତୁ ଓଡ଼ିଶା ଯେ କେନ୍ଦ୍ର ସରକାରଙ୍କର ପୂରା ଫୋକସକୁ ଆସିଗଲା, ଏକଥା ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ସୂଚାଇ ଦେଲା।

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ନବାଗତ ହେଲେ ବି ବିଜେଡି ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହେବେ। ମୟୂରଭଂଜ ରାଜନୀତି ଦୃଷ୍ଟିରୁ ମଧ୍ୟ ତାଙ୍କର ନିଯୁକ୍ତି ଭିନ୍ନ ସଙ୍କେତ ଦେଉଛି।

Leave A Reply

Your email address will not be published.