ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭୁବନେଶ୍ବର କ୍ଲବରେ ଇଏ କି ଫାର୍ସ ଚାଲିଛି?

0

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ନିଜର କନିଷ୍ଠ ଅଫିସର, ବ୍ୟବସାୟୀଙ୍କୁ ଭୋଟ ମାଗିବେ?
ଅସିତ ତ୍ରିପାଠୀ ନିଜ ପଦବିର ଗୁରୁତ୍ବ ବୁଝିପାରୁନାହାନ୍ତି କି?ତାଙ୍କ ପଦବି ପ୍ରଭାବିତ ହେବ କି ନାହିଁ?
ରାଜ୍ୟ ସରକାରଙ୍କ ଅଫିସରମାନେ ଏଠି ନିର୍ବାଚନ ଲଢି ବାହାର ଲୋକଙ୍କୁ ସହଯୋଗ ମାଗିବେ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ମଧ୍ୟରୁ ଗୋଟିଏ ‘ଟି’ ସଙ୍କଟରେ; ଏଇଠୁ ବାଟହୁଡିଲା!
ସରକାରରେ ପ୍ରଭାବଶାଳୀ ଦେଖାଉଥିବା ବାବୁମାନଙ୍କ ନିରବତା ଅସହାୟତାକୁ ଇଙ୍ଗିତ କରୁଛି
କାହା ଚାପରେ ସମସ୍ତେ ଚୁପ୍, ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ, ଓଏଏସ୍ କେହି ମୁହଁ ଖୋଲିବେନି?
କାହିଁକି ମୁଖ୍ୟସଚିବ କିମ୍ବା ପ୍ରଶାସନର ସବୁଠାରୁ ବରିଷ୍ଠ ଅଫିସର ଏଠାରେ ମନୋନୀତ ସଭାପତି ହେବେନି?

ଭୁବନେଶ୍ବର: ଏକଦା ରାଜ୍ୟର ଅତ୍ୟନ୍ତ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ବୋଲି କୁହାଯାଉଥିବା ଭୁବନେଶ୍ବର କ୍ଲବ ସଂପର୍କରେ ଧୀରେ ଧୀରେ ଚାଞ୍ଚଲ୍ୟକର ଖବରମାନ ଆସିବାରେ ଲାଗିଲାଣି। ଆହୁରି ସରଳ ଭାବେ କହିବାକୁ ଗଲେ, ରାଜ୍ୟ ପ୍ରଶାସନର ସବୁ ପ୍ରମୁଖ ଅଫିସର ସଦସ୍ୟ ଥିବା ଏହି କ୍ଲବରେ ବ୍ୟାବସାୟିକ ସଂସ୍ଥା, କର୍ପୋରେଟ୍ ବାବୁମାନଙ୍କ ପତିଆରା ବଢ଼ିଯାଇଛି,ରାଜ୍ୟ ସରକାରଙ୍କ ବରିଷ୍ଠ ଅଫିସରମାନେ ଏବେ ଗୌଣ ହୋଇଗଲେଣି।

କେବଳ ସେତିକି ନୁହେଁ, କ୍ଲବରେ ନିକଟରେ ଯେଉଁମାନେ ସଦସ୍ୟ ହୋଇଛନ୍ତି, ସେମାନଙ୍କ ବ୍ୟକ୍ତିତ୍ବକୁ ଅନୁଶୀଳନ କଲେ କେଉଁଠି ନା କେଉଁଠି ସୂଚନା ମିଳୁଛି ଯେ ଏହା ଆଉ ଏକ ପ୍ରଭାବଶାଳୀ ଅନୁଷ୍ଠାନ ହୋଇ ରହିନାହିଁ। ଏଥିରେ କାର୍ପଟଦାର ବାବୁମାନେ ଯେ କୌଣସି ବ୍ୟକ୍ତିକୁ ଟଙ୍କା ବିନିମୟରେ ସଦସ୍ୟ କରିନେବା ଲାଗି ସର୍ବନିମ୍ନ ସଙ୍କୋଚ ଦେଖାଇନାହାନ୍ତି। ଏହି ଘଟଣାକୁ ନେଇ କିଛି ବରିଷ୍ଠ ଆଇଏଏସ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ଅବସରପ୍ରାପ୍ତ ଆଇଏଏସ୍ ବି ଚିନ୍ତାରେ।

ସବୁଠାରୁ ବଡ଼ କଥା ହେଲା, ଏହି କ୍ଲବରେ ଚାଲିଥିବା ଘଟଣା ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସମ୍ପୂର୍ଣ୍ଣ ଉଦାସୀନତା ତଥା ନିରବତା ଆଉ ଏକ ସଙ୍କେତ ଦେଉଛି। ସରକାରରେ ଯେଭଳି ମନ୍ତ୍ରୀ, ବିଧାୟକମାନଙ୍କ ସାମ୍ନାରେ ଆଇଏଏସ୍, ଆଇପିଏସ୍ ଅଫିସରମାନେ ନିଜକୁ ପ୍ରଭାବଶାଳୀ ବୋଲି ଦାବି କରନ୍ତି, ଏଠାରେ ତାର ଓଲଟା ସ୍ଥିତି ଦେଖିବାକୁ ମିଳୁଛି। ଏହି କ୍ଲବରେ ଏବେ ମୁଖ୍ୟଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସରକାରର ଶୀର୍ଷରେ ଥିବା ପ୍ରଶାସନିକ ଅଧିକାରୀମାନେ ଗୌଣ ହୋଇଯାଇଛନ୍ତି ଓ ହାତଗଣତି କେତେଜଣ ସେମାନଙ୍କ ଉପରେ ମାମଲତି କରୁଛନ୍ତି। କାହାର ଛତ୍ରଛାୟାରେ ରହି କିଛି ବ୍ୟକ୍ତି ଯେମିତି ଚାହୁଁଛନ୍ତି, ସେମିତି କରୁଛନ୍ତି, ତାହା ବୁଝାପଡୁନି।

ଆହୁରି ସାଂଘାତିକ କଥା ହେଲା, ସମ୍ପୂର୍ଣ୍ଣ ଘଟଣାରେ ମୁଖ୍ୟଶାସନ ସଚିବ ନିରବଦ୍ରଷ୍ଟା ସାଜିବା, ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ସଂଘ ସବୁକଥାକୁ ନିରବରେ ସହିଯିବା ପଛରେ କାହାର ଚାପ ରହିଛି?

ଚାଲି ଆସିଥିବା ପରମ୍ପରା ଅନୁସାରେ, ମୁଖ୍ୟଶାସନ ସଚିବ ଏହାର ମନୋନୀତ ସଭାପତି ହେବା କଥା। ଆଇଏଏସ୍ ପ୍ରିୟବତ୍ତ ପଟ୍ଟନାୟକଙ୍କ ସମୟରେ ଏହା ବାଟ ହୁଡିଲା। କିନ୍ତୁ ଚଳୁଥିଲା, ଏଇଥିପାଇଁ ଯେ ସେ ବି ଜଣେ ବରିଷ୍ଠ ଆଇଏଏସ୍ ଅଫିସର।କିନ୍ତୁ ବ୍ୟବସ୍ଥାକୁ ଏମିତି ମୋଡ଼ି ଦିଆଯାଇଛି ଯେ ସେଠାରେ ନିର୍ବାଚନ ହେଉଛି।

କୌଣସି ଆଇଏଏସ୍, ଆଇପିଏସ୍ କିମ୍ବା ଅନ୍ୟ ପ୍ରଶାସନିକ ଅଫିସରଙ୍କୁ କଷ୍ଟ ଲାଗୁନି ଯେ ଏଠାରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଅଧିକାରୀମାନେ ନିର୍ବାଚନ ଲଢିବେ? କେହି ଏକଥା ବି ପ୍ରତିବାଦ କରୁନାହାନ୍ତି ଯେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ନିର୍ବାଚନ ଲଢିବେ କେମିତି? ନିଜେ ଅସିତ୍ ତ୍ରିପାଠୀ କଣ ନିଜ ପଦବିର ଗୁରୁତ୍ବ ବୁଝିପାରୁନାହାନ୍ତି? ନିକଟରେ ସେ ମୁଖ୍ୟସଚିବ ପାହ୍ୟାରେ ଅବସର ନେଇଛନ୍ତି। ରାଜ୍ୟ ସରକାର ତାଙ୍କୁ ଆହୁରି ଗୁରୁ ଦାୟିତ୍ବ ଦେଇଛନ୍ତି। ସେ କଣ ଏକଥା ବୁଝିପାରୁନାହାନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ହୋଇ ସେ ଯେଉଁ ଅଫିସରଙ୍କୁ ଭୋଟ୍ ମାଗିଲେ ତାଙ୍କର ଗୁରୁତ୍ବ କମିବ କି ବଢ଼ିବ? ସେ କଣ ଏକଥା ବୁଝିପାରୁନାହାନ୍ତି ଯେ କ୍ଲବରେ ଯେଉଁ ସଦସ୍ୟ ଅଛନ୍ତି, ତାଙ୍କ ଭିତରୁ ଅଧିକାଂଶ ବ୍ୟାବସାୟିକ ଗୋଷ୍ଠୀ ବା କର୍ପୋରେଟ ସଂସ୍ଥାରୁ। ତାଙ୍କୁ ଯଦି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭୋଟ ମାଗନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବଢିବ ନା କମିବ?

କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଘଟଣାରେ ନିରବ ବସିଛନ୍ତି? ଭୁବନେଶ୍ବର କ୍ଲବରେ ଇଏ କି ଫାର୍ସ ଚାଲିଛି? ଯଦି ମୁଖ୍ୟଶାସନ ସଚିବ ଅରାଜି ହେବେ, ତେବେ ଉନ୍ନୟନ କମିସନର ବା ରାଜ୍ୟ ପ୍ରଶାସନର ସବୁଠାରୁ ବରିଷ୍ଠ ଅଧିକାରୀଙ୍କୁ ଏଠାରେ ମନୋନୀତ ସଭାପତି କଲେ ଏହାର ଗରିମା ବଢିପାରେ। କିନ୍ତୁ ପ୍ରଶାସନିକ ଅଧିକାରୀ ଯାଇ ବ୍ୟବସାୟୀ, ଅନ୍ୟ ବର୍ଗ ସହିତ ନିର୍ବାଚନ ଲଢିବେ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ସହୁଛନ୍ତି କେମିତି? ରାଜ୍ୟ ସରକାରଙ୍କ ୫ଟି ସଚିବ, ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କଣ ବୁଝିପାରିନାହାନ୍ତି ଯେ ଏହାଦ୍ବାରା ସମାଜକୁ କିଭଳି ବାର୍ତା ଯାଉଛି? ଏକଥା କେହି ଅନୁମାନ କରିପାରୁନାହାନ୍ତି ଯେ ରାଜ୍ୟ ସରକାରଙ୍କ ୫ଟି ମଧ୍ୟରୁ ଗୋଟିଏ ଟି (ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତା) ଚୁଲିକୁ ଯିବ। ଏହା ହିଁ ସମୁଦାୟ ପ୍ରଶାସନରେ ବ୍ୟଭିଚାର ଓ ଭ୍ରଷ୍ଟାଚାର ବଢ଼ାଇବାରେ ସାହାଯ୍ୟ କରିପାରେ।

ଭୁବନେଶ୍ବର କ୍ଲବରେ ଯେଉଁମାନଙ୍କୁ ନିକଟରେ ସଦସ୍ୟ କରାଯାଇଛି, କିଏ ସେମାନଙ୍କ ବ୍ୟକ୍ତିତ୍ବ ଯାଞ୍ଚ କରିଥିଲେ? ପରିଚାଳନା ଗୋଷ୍ଠୀ ସେମାନଙ୍କ ସଦସ୍ୟତାକୁ ଅନୁଧ୍ୟାନ କରିଥିଲେ କି? ସରକାର ଚଳାଉଥିବା ତଥା ଲୋକମାନଙ୍କୁ ଆଇନ କାନୁନ ପାଠ ପଢାଉଥିବା ଅଫିସର ଗୋଷ୍ଠୀ ନିରବରେ ସବୁ କଥା ଦେଖିବେ ଓ ପ୍ରତିବାଦ କରିବେନି? ଯଦି ଏ କ୍ଷେତ୍ରରେ ଏୟା, ତେବେ ରାଜ୍ୟ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଏମାନଙ୍କ ଭୂମିକା କଣ ହେଉଥିବ, ଏମାନେ କି ଦାୟିତ୍ବ ନିର୍ବାହ କରୁଥିବେ, ତାହା ଅନୁଧ୍ୟାନ ଯୋଗ୍ୟ।

କାହିଁକି ମୁଖ୍ୟଶାସନ ସଚିବ ଭୁବନେଶ୍ବର କ୍ଲବର ବାଇ-ଲ ଅନୁଧ୍ୟାନ କରୁନାହାନ୍ତି? କାହିଁକି ରାଜସ୍ବ ବିଭାଗର ପ୍ରମୁଖ ସଚିବ ଏ ସଂପର୍କରେ ଟିକିନିଖି ଅନୁଧ୍ୟାନ କରି ବ୍ୟବସ୍ଥାକୁ କିଭଳି ସେଠାରେ ଦଳିଚକଟି ଦିଆଯାଉଛି, ତାର ପ୍ରତିବାଦ କରିବେନି?

ଆହୁରି ସାଂଘାତିକ କଥା ହେଲା, ଭୁବନେଶ୍ବର କ୍ଲବ ବାଟବଣା ହୋଇଯିବା ସତ୍ତ୍ବେ ଅଧିକାରୀମାନେ ଅନ୍ତତଃ ନିଜକୁ ଏଥିରୁ ଦୂରେଇ ରଖି ପ୍ରତିବାଦ କରିବା କଥା। ସମସ୍ତେ ଏଭଳି କ୍ଲବକୁ ବୟକଟ୍ କରିଦେବା କଥା। କାହାକୁ ନ ଜଣାଇ ପାରିଲେ ବି ଅନ୍ତତଃ ନିଜ ସଂଘ ଜରିଆରେ ମୁଖ୍ୟଶାସନ ସଚିବଙ୍କୁ ଜଣାଇବା କଥା ଯେ ଭୁବନେଶ୍ବର କ୍ଲବ ବାଟ ହୁ଼ଡିଗଲାଣି। ସେମାନଙ୍କ ମାନ ମର୍ଯ୍ୟାଦା ଏବେ ସଙ୍କଟରେ ବା ପ୍ରଭାବିତ ହେବାକୁ ଯାଉଛି।

ହେଲେ ରାଜ୍ୟର ଅତ୍ୟନ୍ତ ପାଠୁଆ ବାବୁମାନେ ଯେଭଳି ନିରବ ରହିଛନ୍ତି ଓ ଭୁବନେଶ୍ବର କ୍ଲବର ନିର୍ବାଚନ ଫାର୍ସକୁ ସମସ୍ତେ ଉପଭୋଗ କରୁଛନ୍ତି, ତାହା ସଙ୍କେତ ଦେଉଛି ଯେ ରାଜ୍ୟ ସରକାର ବୋଧେ ବାଟବଣା ହେବା ଆରମ୍ଭ କଲେଣି।

Leave A Reply

Your email address will not be published.