ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ବିଲୁପ୍ତ ହୋଇଯିବ କି ମହାପ୍ରଭୁଙ୍କର ବିରଳ ପରମ୍ପରା!

0

ମହାପ୍ରଭୁଙ୍କର ବିରଳ ରଘୁନାଥ ବେଶ ଉପରେ କାହାର ନଜର ନାହିଁ

୧୯୦୫ ମସିହାରେ ଶେଷ ଥର ପାଇଁ ହୋଇଥିଲା, ୧୧୬ବର୍ଷ ହେଲାଣି

ମହତାବ, ନନ୍ଦିନୀଙ୍କ ଠାରୁ ଜାନକୀ ଏବଂ ବିଜୁ ପଟ୍ଟନାୟକ ସମସ୍ତେ ବିଫଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମହାପ୍ରଭୁଙ୍କର ଏହି ବେଶ ଆହ୍ବାନ ରଖୁଛି

ମୋଦୀ ରାମ ମନ୍ଦିର ନିର୍ମାଣ କରି ଦେଶରେ ଉଦାହରଣ ରଖିବାକୁ ଚାହୁଁଛନ୍ତି

ନବୀନ ରଘୁନାଥ ବେଶ କରି ବିଲୁପ୍ତ ପ୍ରାୟ ଏହି ପରମ୍ପରା ସୁରକ୍ଷା କରନ୍ତୁ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ବିଶ୍ବସ୍ତରୀୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପ୍ରକଳ୍ପ ହାତକୁ ନେଇଛନ୍ତି। ଶ୍ରୀମନ୍ଦିର ବାହାର ଓ ଭିତର ବିକାଶ ଚାଲିଛି। ଶ୍ରୀମନ୍ଦିର ଭିତରେ ରୁୁପା କବାଟ ଠାରୁ ଆରମ୍ଭ କରି ବାହାର ପରିକ୍ରମା ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଛି। ହେଲେ କାହିଁକି କେଜାଣି, ମହାପ୍ରଭୁଙ୍କର ଗୋଟିଏ ସ୍ବତନ୍ତ୍ର ପରମ୍ପରା ପ୍ରତି କାହାର ନଜର ପଡୁନାହିଁ।

ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶାର ଚାରିଜଣ ଅତ୍ୟନ୍ତ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଆଲୋଚନା ହୁଏ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ ଏହା ହୋଇପାରିନାହିଁ କି ନନ୍ଦିନୀ ଶତପଥୀ କେବେ ଏ ଦିଗରେ ମନୋନିବେଶ କରିନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜୁ ପଟ୍ଟନାୟକ ମଧ୍ୟ ତାଙ୍କ ଶାସନ କାଳରେ ମହାପ୍ରଭୁଙ୍କର ଏହି ବିରଳ ପରମ୍ପରାର ସୁରକ୍ଷା କରି ଶ୍ରୀମନ୍ଦିର ପ୍ରତି ନିଜର ଥିବା ଉତ୍ତରଦାୟିତ୍ବ ନିର୍ବାହରେ ବିଫଳ ହୋଇଛନ୍ତି। ଆଉ ପାଦେ ଆଗକୁ ଯାଇ କହିଲେ, ଜାନକୀ ଓ ବିଜୁ ଉଭୟ ଶ୍ରୀଜଗନ୍ନାଥଙ୍କର ଭକ୍ତ ବୋଲି ସମୟ କ୍ରମେ ସେମାନେ ଜଣାଇଛନ୍ତି। ଜଣେ ଗତ ଶତାଦ୍ଦୀର ଏକମାତ୍ର ଶୃଙ୍ଖଳିତ ନବକଳେବର (୧୯୯୫) କରିଥିଲେ, ଅନ୍ୟଜଣେ ଶ୍ରୀମନ୍ଦିର ପଥର ଖସି ଯେବେ ବିପଦ ପୂର୍ଣ୍ଣ ହୋଇଯାଇଥିଲା, ସେବେ (୧୯୯୨-୯୩) ତାର ସୁରକ୍ଷା ଦିଗରେ ନେଇଥିବା ପଦକ୍ଷେପକୁ ଇତିହାସ ସବୁଦିନ ମନେ ରଖିବ। ହେଲେ ମହାପ୍ରଭୁଙ୍କର ଏହି ଗୋଟିଏ ବିରଳ ପରମ୍ପରା ବିଲୁପ୍ତ ହୋଇଯିବାକୁ ବସିଛି, ସେଥିପ୍ରତି ସେମାନଙ୍କର ନଜର ପଡିନାହିଁ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଭକ୍ତ। ଏକଥା ଜଣାଇ ସେ ପୁରୀ ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେ ମଧ୍ୟ ମହାପ୍ରଭୁଙ୍କ ଏହି ପରମ୍ପରା ସୁରକ୍ଷା ସଂପର୍କରେ ଗତ ୨୧ ବର୍ଷ ମଧ୍ୟରେ ଆଦୌ ଉଦ୍ୟମ କରିନାହାନ୍ତି।

ହଁ, ଆଜ୍ଞା ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ କଥା କହୁଛୁ। ବର୍ଷେ କି ପଚାଶ ବର୍ଷ ନୁହେଁ, ୧୧୬ ବର୍ଷ ହେଲା ମହାପ୍ରଭୁଙ୍କର ଏହି ବେଶ ହୋଇପାରିନାହିଁ। ଏମିତି ଆଶଙ୍କା ହେଉଛି, ଯେମିତି ରାଜ୍ୟ ସରକାରମାନଙ୍କର ବିଫଳତା କାରଣରୁ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ସବୁଦିନ ପାଇଁ ବୋଧହୁଏ ଲୋପ ପାଇଯିବ। ସରକାର ଆର୍ଥିକ ଦୃଷ୍ଟିରୁ ଏହି ବେଶ କରିବାକୁ ଚାହୁଁନାହାନ୍ତି କିମ୍ବା ସେବାୟତମାନଙ୍କର ସାହସ ହେଉନାହିଁ ଅଥବା ରଘୁନାଥ ବେଶ ନଷ୍ଟ ହୋଇଯାଇଥିବା କାରଣରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି, ଏମିତି ଯୁକ୍ତି କୌଣସି ରାଜ୍ୟ ସରକାରଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କାରଣ ଏହି ତିନିଟି ଯାକ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖେ ସମ୍ଭବ। ତା ସତ୍ତ୍ବେ ସେ ରଘୁନାଥ ବେଶ କରି ଏହି ବିରଳ ଯାତ୍ରା ରେକର୍ଡରେ ନିଜ ନାମକୁ ଯୋଡିବାକୁ କାହିଁକି କୁନ୍ଥକୁନ୍ଥ ହେଉଛନ୍ତି।

ଅଯୋଧ୍ୟାରେ ଯେବେ ରାମ ଜନ୍ମଭୂମି ନିର୍ମାଣ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉଦ୍ୟମ କରି ତମାମ ଦେଶରେ ଗୋଟିଏ ବାତାବରଣ କରିବାକୁ ସକ୍ଷମ ହୋଇଛନ୍ତି, ସେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବ ବ୍ରହ୍ମାଣ୍ଡର ନିଅନ୍ତା ମହାପ୍ରଭୁଙ୍କର ଏହି ବିରଳ ବେଶ କରି ଦେଶ ସାମ୍ନାରେ ରଖିବାକୁ ଚାହୁଁନାହାନ୍ତି ଯେ ସବୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆରମ୍ଭ ଓ ସେଇଠି ଶେଷ। ପୁରୀ ହେଉଛି, ବିଶ୍ବରେ ଏକମାତ୍ର କ୍ଷେତ୍ର, ଯେଉଁଠି ସବୁ ମତ ଏକାଠି ହୋଇଛି। ଶଙ୍କରଙ୍କ ଠାରୁ ଆରମ୍ଭ କରି ନାନକ, ଚୈତନ୍ୟ ପର୍ଯ୍ୟନ୍ତ, ଭକ୍ତ ସାଲବେଗ ଠାରୁ ଆରମ୍ଭ କରି ନାଥ ସଂପ୍ରଦାୟ , ଭଟ୍ଟ ଗଣେଶଙ୍କ ଠାରୁ ଆରମ୍ଭ କରି ଦାସିଆ ବାଉରୀ ଯାଏ ସମସ୍ତେ ମହାପ୍ରଭୁଙ୍କ ଉପସ୍ଥିତିକୁ ସ୍ବୀକାର କରିଯାଇଛନ୍ତି। ପୁରୀର ଏହି ବିରଳ କାର୍ଯ୍ୟକ୍ରମ କେବଳ ଓଡ଼ିଶା ଭିତରେ ସୀମିତ ନୁହେଁ, ବରଂ ସାରା ଭାରତବର୍ଷରେ ଆଲୋଡନ କରିବାଭଳି ଗୋଟିଏ କଥା, ଯାହା ରାଜ୍ୟ ସରକାରଙ୍କୁ ଆଉ ଗୋଟିଏ ସ୍ତରକୁ ନେଇଯାଇପାରେ।

ଏଠାରେ ଉଲ୍ଲେଖଥାଉକି, ବୈଶାଖମାସରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଦେବଙ୍କ ଅଭିଷେକ ଦିବସରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ହେଲେ ଅତି ବ୍ୟୟସାପେକ୍ଷ ବୋଲି କୁହାଯାଉଥିବା ଏହି ଦୁର୍ଲଭ ବେଶ କାହିଁକି କେଜାଣି ସବୁବେଳେ କରାଯାଇପାରିନାହିଁ। ମହାପ୍ରଭୁ ଯଦି ପ୍ରତିବର୍ଷ ଶ୍ରୀରାମଙ୍କ ବେଶରେ ଦର୍ଶନ ଦିଅନ୍ତେ, ତେବେ ଅଯୋଧ୍ୟା ସମେତ ସମଗ୍ର ଉତ୍ତର ଭାରତରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଆକର୍ଷଣ କାହିଁ କେତେ ବଢନ୍ତା ଓ ପୁରୀ ବିଶ୍ବର ଅନନ୍ୟ କ୍ଷେତ୍ର ଭାବେ ପରିଗଣିତ ହୋଇପାରନ୍ତା। କିନ୍ତୁ ରାଜ୍ୟ ସରକାରମାନେ ଶ୍ରୀଜଗନ୍ନାଥଙ୍କ ମନସ୍କ ହୋଇନଥିବା କାରଣରୁ ଏହା ସମ୍ଭବତଃ ଗତ ଦିନମାନଙ୍କରେ ହୋଇପାରିନାହିଁ।

ଶ୍ରୀମନ୍ଦିରର ରେକର୍ଡ ରୁମ୍‍ ତଥ୍ୟ ଅନୁଯାୟୀ, ମାତ୍ର ୯ଥର ମହାପ୍ରଭୁ ଏହି ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ୧୯୦୫ ମସିହାରେ ଶେଷଥର ପାଇଁ ଏହି ବେଶ ଅନୁଷ୍ଠିତ ହୋଇଥିଲା। ସେହିବର୍ଷ ଉତ୍କଳ ଦୀପିକାର ତଥ୍ୟ ଅନୁସାରେ ଏପ୍ରିଲ ୨୭ ତାରିଖରେ ଏହି ବେଶ କରାଯାଇଥିଲା ।  ଶ୍ରୀମନ୍ଦିର ତଡାଉକରଣଙ୍କ ରିପୋର୍ଟ ଅନୁସାରେ, ଏହି ବେଶ ୧୯୦୫ ମେ ୪ ତାରିଖରେ ଶେଷ ଥର ପାଇଁ ହୋଇଥିଲା । ତେବେ ସେ ଯାହାହେଉ, ସେ ସମୟରେ ୫୦ରୁ ୬୦ ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କର ଏହି ବେଶ ଦର୍ଶନ କରିଥିଲେ । 

ଉତ୍କଳ ଦୀପିକାର ତଥ୍ୟ ଅନୁଯାୟୀ, ଶ୍ରୀଜଗନ୍ନାଥ ରାମଚନ୍ଦ୍ର ବେଶ ଧାରଣ କରିଥିଲେ । ଶ୍ରୀ ବଳଭଦ୍ରଙ୍କୁ ଲକ୍ଷ୍ମଣ ବେଶରେ ସଜା ଯାଇଥିଲା । ରାମଚନ୍ଦ୍ରଙ୍କ ବାମ ପାର୍ଶ୍ୱରେ ଭରତ, ଶତୃଘ୍ନ ଠିଆ ହୋଇ ଚାମର ଏବଂ ଛତ୍ର ଧରିିଥିଲେ । ବଳଦେବଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠଙ୍କୁ ରଖାଯାଇଥିଲା । ରାମଚନ୍ଦ୍ରଙ୍କ ଜାନୁ ଉପରେ ଲକ୍ଷ୍ମୀ ସୀତା ରୂପେ ବସିଥିଲେ । ହନୁମାନ କରଯୋଡି ସାମ୍ନାରେ ବସିଥିଲେ । ସୁଭଦ୍ରା କିନ୍ତୁ ବେଶ ହୋଇନଥିଲେ । ତାଙ୍କର କେବଳ ସୁନାବେଶ ହୋଇଥିଲା।

ତଥ୍ୟ ଆହୁରି କହୁଛି, ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩ ଓ ୧୮୯୬ ମସିହା ଏବଂ ଶେଷ ଥର ପାଇଁ ୧୯୦୫ ମସିହାରେ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିଲା । 

ଯଦି ରାଜ୍ୟ ସରକାର ଏବେଠାରୁ ଏହି ପ୍ରସ୍ତୁତି ଆରମ୍ଭ କରିବେ, ତେବେ ମହାପ୍ରଭୁଙ୍କର ଏହି ବିରଳ ବେଶ, ଆସନ୍ତାବର୍ଷ ସମଗ୍ର ବିଶ୍ବ ଦେଖିପାରିବ। ପୁରୀ ଶ୍ରୀଜଗନ୍ନାଥଙ୍କ ବିମାନ ବନ୍ଦର ଯେବେ କାର୍ଯ୍ୟକ୍ଷମ ହେଉଥିବ, ସେବେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ଲାଗି ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହେଉଥିବ। ଟ

ଏମିତିରେ ବି ଯେତେବେଳେ ଶ୍ରୀରାମ ମନ୍ଦିର ନିର୍ମାଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲୋକଙ୍କ ମନରେ ବିଶ୍ବାସ ସୃଷ୍ଟି କରୁଥିବେ, ସେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ରାଜନୀତିର ୨୫ବର୍ଷରେ ତଥା ସ୍ବାଧୀନ ଭାରତର ୭୫ବର୍ଷରେ ସମଗ୍ର ବିଶ୍ବକୁ ଓଡ଼ିଶା ମନସ୍କ କରିପାରିବେ, ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.