ପ୍ରମୁଖ ଖବର

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ
ସାମ୍ପୁଲ୍ ଟେଷ୍ଟରେ ଫେଲ୍ ହେଲା ୧୩୫ଟି ଔଷଧ
ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୩୦ରୁ ଉର୍ଦ୍ଧ୍ବ ଆହତ
ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା, ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା
ସରୋଜ ସାବତ ଗଞ୍ଜାମ ଜିଲ୍ଲାର ନୂତନ ବିଜେପି ସଭାପତି ନିର୍ବାଚିତ

ଆଗେଇଯାଉଛି ବିଜେଡି; ପାରୁନାହାନ୍ତି ବିଜେପି, କଂଗ୍ରେସ

0
  • କଂଗ୍ରେସକୁ କନ୍ଦଳ ରୋଗ ଛାଡୁନି, ସଂଗଠନରେ ନିଷ୍କ୍ରିୟତା ଜଳ ଜଳ
  • ରାଜ୍ୟ ବିଜେପି ଶିବିରରୁ ବେଶୀ ଗର୍ଜନ ଶୁଭୁଛି, ହେଲେ ଆକ୍ରମଣ ନାହିଁ
  • ବରିଷ୍ଠଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦେଇ ଯୁବକଙ୍କୁ ଭରସା କରିଛି ବିଜେଡି
  • ନବୀନ ଏକମାତ୍ର ଅସ୍ତ୍ର, ତଥାପି ସାଂଗଠନିକ କାର୍ଯ୍ୟକ୍ରମରେ ସମସ୍ତଙ୍କଠୁ ଆଗରେ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶାର ପ୍ରତି ରାଜନୈତିକ ଦଳର ନବକଳେବର ହୋଇଛି। ବିଜେଡି ଓ କଂଗ୍ରେସର ମୁଖିଆ ବଦଳିନାହାନ୍ତି ସତ, ହେଲେ ସଂଗଠନରେ ଅନେକ ପରିବର୍ତ୍ତନ ହେଉଛି। ସେହିଭଳି ବିଜେପି ସଭାପତି ବଦଳିଛନ୍ତି। ସଂଗଠନରେ ମଧ୍ୟ ଅଦଳବଦଳ ହୋଇଛି। ହେଲେ ରାଜନୈତିକ ଦଳମାନେ ଯେବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି, ସେବେ ରାଜନୈତିକ ସମୀକ୍ଷକ ବି ବିଭିନ୍ନ ଦଳର ସ୍ଥିତି ସଂପର୍କରେ ଅନୁଧ୍ୟାନ ଆରମ୍ଭ କଲେଣି।

ଏହି ମହଲର ମତ ହେଉଛି, ବିଜେଡି ଶୀର୍ଷସ୍ତରରେ ସବୁ କିଛି ଠିକ୍ ଠାକ୍ ନାହିଁ ଏକଥା ଅସ୍ବୀକାର କରିହେବ ନାହିଁ। ହେଲେ ବିଜେଡି ସଂଗଠନର ସକ୍ରିୟତା କଂଗ୍ରେସ କିମ୍ବା ବିଜେପିରେ ନାହିଁ। ବିରୋଧୀ ଦଳ ସରକାରୀ ଦଳ ଅପେକ୍ଷା ଅଧିକ ତତ୍ପରତା ପ୍ରକାଶ କରିବା କଥା। ଓଡ଼ିଶାର ରାଜନୀତିରେ କିନ୍ତୁ ଏହି ବିଲକ୍ଷଣ ହିଁ ବିରୋଧୀଙ୍କ ଆସନ ପରିବର୍ତ୍ତନ ନ ହେବା ପଛର ଏକ ବଡ କାରଣ ବୋଲି କୁହାଯାଇପାରେ। ତଥାପି ନା ସଂପୃକ୍ତ ଦଳର ଛାମୁଆ ନେତା ଚେତୁଛନ୍ତି, ନା ଶୀର୍ଷ ନେତୃତ୍ବ।

ପର୍ଯ୍ୟବେକ୍ଷକ ମହଲର ଆକଳନ ଅନୁସାରେ, ୨୦୧୯ ନିର୍ବାଚନ ପରେ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା କହିଥିଲେ। ପରେ ଏକଥା ବି କୁହାଗଲା ଯେ ଦଳ ଇସ୍ତଫା ଗ୍ରହଣ ନ କରି ତାଙ୍କୁ ଦାୟିତ୍ବରେ ରହିବାକୁ କହିଛି। ସମ୍ଭବତଃ କଂଗ୍ରେସ ଭାରତ ବର୍ଷରେ ଏକମାତ୍ର ରାଜନୈତିକ ଦଳ, ଯେଉଁଠାରେ ଦଳର ଶୀର୍ଷ ନେତୃତ୍ବ ବି ଅନୁରୂପ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ପିସିସି ସଭାପତି କାହିଁକି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଗୋଟିଏ ସମୟରେ ତାଙ୍କ ପଦରୁ ଇସ୍ତଫା ଦେଇଥିବା କଥା କୁହାଗଲା। ଓଡ଼ିଶା ପ୍ରଭାରୀ ଇସ୍ତଫା ପତ୍ର ପଢିଲେ, ହେଲେ ଏହାକୁ ଗୁରୁତ୍ବ ଦେଲେନି। ବରଂ ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଲେ। ଏଯାଏ କଂଗ୍ରେସ ବିଧାୟକ ଦଳ ନେତାଭାବେ ସେ କାର୍ଯ୍ୟ କରୁଛନ୍ତି।

ସବୁଠାରୁ କୌତୂହଳ କଥା ହେଲା, ସଭାପତି, କାର୍ଯ୍ୟକାରୀ ସଭାପତି, ମହିଳା ଓ୍ବିଙ୍ଗ୍, ଛାମୁଆ ସଂଗଠନ ଅଛନ୍ତି। ହେଲେ ଦଳର ଉପସଭାପତି, ସାଧାରଣ ସଂପାଦକ, ସଂପାଦକ ଆଦି ପଦବିରେ କାହାକୁ ଏଯାଏ ନିଯୁକ୍ତି ଦିଆଯାଇନାହିଁ। ସାମ୍ବାଦିକ ସମ୍ମିଳନୀ, ହାତଗଣତି କିଛି ବିକ୍ଷୋଭ ମଧ୍ୟରେ ନେତାମାନେ ସୀମିତ ଅଛନ୍ତି। ନୂଆ ପିସିସି ମୁଖପାତ୍ର ନିଯୁକ୍ତ ପରେ ଯୁବ ନେତାମାନେ ସରକାରଙ୍କୁ ଘେରୁଥିବା ଦେଖାଯାଉଛି। ବାସ୍, ସେତିକି।

ଓଲଟା କଂଗ୍ରେସକୁ ନିର୍ବାଚନ ବେଳେ ପୁରୁଣା ରୋଗ ସଂକ୍ରମିତ କଲାଣି। ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଓ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସଂପର୍କକୁ ନେଇ ବିବାଦ ରାଜ୍ୟ ନେତୃତ୍ବକୁ ଅକଳରେ ପକାଇ ସାରିଲାଣି। ଶୃଙ୍ଖଳା ଏମିତି ଭୁଶୁଡି ଗଲାଣି ଯେ ପିସିସି ସଭାପତିଙ୍କ ବିରୋଧରେ ନେତାମାନେ ଗଣମାଧ୍ୟମରେ ତୁହାକୁ ତୁହା ବର୍ଷୁଛନ୍ତି, ଅଥଚ ସମସ୍ତେ ଚୁପ୍। ଏହା ପଞ୍ଚାୟତ ନିର୍ବାଚନ ବେଳକୁ କେବଳ କୋରାପୁଟକୁ ପ୍ରଭାବିତ କରିବ ତା ନୁହେଁ, କଂଗ୍ରେସ ସୁଧୁରିବ ନାହିଁ ବୋଲି ଗୋଟିଏ ବାର୍ତ୍ତା ଯେବେ ତଳମୁଣ୍ଡ ଯାଏ ଯିବ, ସେବେ ସମୁଦାୟ ଦଳ କ୍ଷତିରେ ପଡିପାରନ୍ତି।

ବିଜେପି ସଂଗଠନରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଉପସଭାପତି ପଦରେ ଥିବା ବେଳେ ପାରଦର୍ଶିତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ତାଙ୍କର ଆନୁଗତ୍ୟର ପ୍ରଭାବରେ ସମୀର ମହାନ୍ତି ସଭାପତି ହେଲେ। ଦଳର ସାଂଗଠନିକ ପୁନର୍ବିନ୍ୟାସ ଆପାତତଃ ସରିଯାଇଛି। ହେଲେ ବିଜେପିର ସାଂଗଠନିକ ଦୁର୍ବଳତା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଗଣମାଧ୍ୟମରେ ନେତାମାନେ ଯେତେ ଜୋରରେ ଗର୍ଜୁଛନ୍ତି, ୧୪୭ ନିର୍ବାଚନମଣ୍ଡଳୀରେ ତାର ପ୍ରଭାବ ଥିବା ଭଳି ଚିତ୍ର ଦେଖିବାକୁ ମିଳୁନାହିଁ। କିଛି ପ୍ରସଙ୍ଗରେ ହଲ୍ଲାବୋଲ କରୁଛନ୍ତି, ହେଲେ ଅଧାରୁ ଛାଡି ଦେଉଛନ୍ତି। ଆଉ କିଛି ପ୍ରସଙ୍ଗରେ ପୂରା ନିରବ। ଅଳ୍ପ କିଛି ପ୍ରସଙ୍ଗରେ ନେତାମାନେ ରାଜରାସ୍ତାକୁ ଓହ୍ଲାଉଥିଲେ ବି ଏହାକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବା ଅବସ୍ଥାରେ ନାହାନ୍ତି।

ସବୁଠାରୁ ବଡ କଥା ହେଲା, ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଅନେକ ବିଜେଡି ଓ କଂଗ୍ରେସ ନେତାଙ୍କୁ ଦଳକୁ ଆମଦାନୀ କରି ଆଣିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକେଟ୍ ପାଇଥିଲେ। ନିର୍ବାଚନ ପରେ ରାଜ୍ୟ ସଭାପତିଙ୍କର ମୁଖ୍ୟ ଦାୟିତ୍ବ ଥିଲା, ଆଣିଥିବା ନେତାମାନଙ୍କୁ ସରକାର ବିରୋଧରେ କେତେ ଅଧିକ ବ୍ୟବହାର କରାଯାଇପାରିବ, ତେଣିକି ସେ ଜିତନ୍ତୁ ବା ହାରନ୍ତୁ। ହେଲେ ସେମିତି କିଛି ହେଲାନି। ପୁରୀ ଜିଲ୍ଲାର ସତ୍ୟବାଦୀ ଠାରୁ ଆରମ୍ଭ କରି ଯାଜପୁର ଯାଏ ଏମିତି ମାଳ ମାଳ ଉଦାହରଣ ଦେଖିବାକୁ ମିଳୁଛି। ତୃଣମୂଳସ୍ତରର ସ୍ଥିତି ତା’ ଚାହିଁ ଖରାପ। ସରକାରୀ ବିରୋଧୀ ସ୍ବର ଅତ୍ୟନ୍ତ କ୍ଷୀଣ ହୋଇଥିବା କାରଣରୁ ତଳେ କର୍ମୀଙ୍କୁ ଉତ୍ସାହିତ କରିବା ଭଳି କୌଣସି କଥା ଆଉ ରାଜ୍ୟ ନେତୃତ୍ବ ପାଖରେ ବଞ୍ଚିନାହିଁ। ପଞ୍ଚାୟତ ନିର୍ବାଚନ ସମୟରେ ଆସିଥିବା ନେତାମାନଙ୍କ ମଧ୍ୟରୁ ଅନେକ ଏବେ ମୁହଁମୋଡିଲେଣି।

କେବଳ ସେତିକି ନୁହେଁ, ଦଳର ଶୀର୍ଷନେତୃତ୍ବକୁ ମଧ୍ୟ ସଭାପତି କିମ୍ବା ତାଙ୍କ ଟିମ୍ ନିଜ ପାଖକୁ ଟାଣି ନେଇପାରିଲେ ନାହିଁ। ବିଜେପିରେ ଗୋଟିଏ ଭଲ ପରମ୍ପରା ଥିଲା। ତାହା ହେଉଛି, ଯିଏ ଯେତେ ବି ଗଣମାଧ୍ୟମକୁ କୁହନ୍ତୁ, ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ। ହେଲେ ବର୍ଷାଧିକ ଧରି ବିଜେପି ନେତା ବିଜୟ ମହାପାତ୍ର ଦଳୀୟ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଏମିତି ଅନେକ ନେତା ଅଛନ୍ତି, ଯେଉଁମାନଙ୍କ ସହିତ ଆଉ ବିଜେପି ନେତାଙ୍କ ସଂପର୍କରେ ବିଶେଷ ମଧୁରତା ନାହିଁ। ଅବଶ୍ୟ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ନେତା ଶ୍ରୀ ମହାପାତ୍ରଙ୍କ ସହିତ ବୈଠକ କରିଛନ୍ତି। ହେଲେ ରାଜ୍ୟ ସଭାପତି କାହିଁକି ବୈଜୟନ୍ତ, ବିଜୟ, ଅପରାଜିତା ପ୍ରମୁଖଙ୍କୁ ଗୋଟିଏ ସ୍ଥାନରେ ବସାଇ ବାର୍ତ୍ତା ଦେବେନି?

ବିଜୁ ଜନତା ଦଳ ମୁଖିଆ ନବୀନ ପଟ୍ଟନାୟକ କିନ୍ତୁ ସଂଗଠନକୁ ଅତି ଚତୁରତାର ସହିତ ପରପିଢିକୁ ନେଇଯାଇଛନ୍ତି। ପ୍ରଥମବର୍ଷରେ ସେ ଏହି କାର୍ଯ୍ୟ କରିଦେଲେ, କେହି କିଛି ବୁଝିପାରିଲେ ନାହିଁ। ଏବେ ରଣନୀତି ବଦଳାଇ ବରିଷ୍ଠଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଗୋଟିଏ ବାର୍ତ୍ତା ତିଆରି କରୁଛନ୍ତି ଯେ ସମସ୍ତେ ସାଙ୍ଗ ହୋଇ ସଂଗଠନ କରିବେ।

ଏଥର ବିଜେଡି ମୁଖିଆ ନିଜେ ନିର୍ବାଚିତ ହେବା ପରେ ପ୍ରଥମେ ନିଜ ଠାରୁ ପାଖାପାଖି ୩୦ବର୍ଷ ସାନ ପ୍ରଣବ ପ୍ରକାଶ ଦାସଙ୍କୁ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦେଲେ। ସଂଜୟ ଦାସବର୍ମାଙ୍କୁ ସଂଗଠନ ସଂପାଦକ (ମୁଖ୍ୟାଳୟ) ଭାବେ ନିଯୁକ୍ତି ଦିଆଗଲା। ଦଳର ସବୁ ବରିଷ୍ଠଙ୍କୁ ନବୀନ ତାଙ୍କ ଟିମରେ ନେଲେ, ହେଲେ ଦୈନନ୍ଦିନ କାମ ପାଇଁ ନୁହେଁ, ବରଂ ମାର୍ଗଦର୍ଶନ ପାଇଁ। କେବଳ ସେତିକି ନୁହେଁ, ଆଗପଛ ନ ବିଚାରି କଂଗ୍ରେସ ଦଳର ସବୁ ଟାଣୁଆ ନେତାଙ୍କୁ ଆଉ ଗୋଟିଏ ପାହାଚ ଉପର ଚଢାଇଦେଲେ ଓ ସେସବୁ ସ୍ଥାନକୁ ଅନେକ ଯୁବ ନେତା ଉଠିଗଲେ। ଏହି ଗୋଟିଏ ଗୋଟିଏ ପାହାଚରେ ପରିବର୍ତ୍ତନ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ପ୍ରଭାବିତ କରିଥାଇପାରେ, କିନ୍ତୁ ଦଳକୁ ତୃଣମୂଳସ୍ତରରେ ଅନେକ ନୂଆ ନେତୃତ୍ବ ସହିତ ଯୋଡିଦେଇଛି।

ଏକଥା ସତ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ କେବଳ ଭୋଟ ଅଛି। ସୁତରାଂ ଯିଏ ଯେତେ ବି ଦାୟିତ୍ବ ନିଅନ୍ତୁ, ଶେଷରେ ନବୀନଙ୍କୁ ହିଁ ସାମ୍ନାରୁ ଗୋଟି ଚଲାଇବାକୁ ହେବ, ତା ପୁଣି ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ। ନେତାମାନେ ବୁଝିଛନ୍ତି କି ନାହିଁ, କେଜାଣି। ଭୋଟର କିନ୍ତୁ ଏକଥା ଜାଣନ୍ତି।

Leave A Reply

Your email address will not be published.