ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ନିଶାମାଫିଆଙ୍କ ଗଡ୍‌ଫାଦର କିଏ ?(୨)

0

ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଲାଣି ଉପକୂଳ ଓ ଉତ୍ତର ଓଡ଼ିଶା

ଦିନ ଦି’ପହରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର କାରବାର ଚାଲିଛି

ସମସ୍ତେ ସବୁ ଜାଣୁଛନ୍ତି, କାହାର କିନ୍ତୁ ନିଦଭାଙ୍ଗୁନି କି ମିଳିତ ଚଢାଉ ନାହିଁ

ରାଜ୍ୟରେ କାହା ସ୍ବାର୍ଥରେ କାମ କରୁଛି ଅବକାରୀ ବିଭାଗ?

ମନ୍ତ୍ରୀ କି କାମରେ ବ୍ୟସ୍ତ? ମୁଖ୍ୟସଚିବ, ଡିଜିପିଙ୍କର ବି ତନାଘନା ନାହିଁ

ସମସ୍ତେ ବେଫିକର; ବିରୋଧୀ ରାଜନୈତିକ, ସାମାଜିକ ସଂଗଠନ ମଧ୍ୟ ଚୁପ୍

ଭୁବନେଶ୍ବର: ଗୋଟିଏ ସମୟରେ ଆଜାଦ୍ ପରଭେଜ୍ ଓଡ଼ିଶାର ନିଶା ସମ୍ରାଟ ସାଜି ରାଜ୍ୟରେ ବିଷ ବାଣ୍ଟୁଥିଲା। ନବେ ଦଶକର ଏହି ଘଟଣା ଆଜି ବି ଅନେକ ବରିଷ୍ଠ ଆଇପିଏସ୍ ଅଫିସର ବୟାନ କରିବା ବେଳେ ତାଙ୍କ ଲୋମ ଟାଙ୍କୁରି ଉଠେ। ଏହା ପଛରେ ବି କିଛି ରାଜନେତାଙ୍କ ପରୋକ୍ଷ ହାତ ଥିବା ସେବେ ସୂଚନା ମିଳୁଥିଲା। ତଫାତ୍ ହେଉଛି, ନବେ ଦଶକରେ ଯେତିକି ନିଶା କାରବାର ହେଉଥିଲା, ଆଜିର ଦିନରେ ତା ଠାରୁ ଢେର୍ ଗୁଣ ଅଧିକ ଟଙ୍କା ଓ ପରିମାଣର ନିଶା ଓଡ଼ିଶା ବଜାରରେ ବୁଲୁଛି। କେଉଁଠି ନା କେଉଁଠି ଏକାଧିକ ଆଜାଦ୍ ପରଭେଜ୍ ଓଡ଼ିଶାରେ ସୃଷ୍ଟି ହୋଇଗଲେଣି। ପୂରା ଉତ୍ତର ଏବଂ ଉପକୂଳ ଓଡିଶାରେ ଏମାନେ ପଞ୍ଝା ମେଲାଇ ସାରିଲେଣି।

ବିଡମ୍ବନା ହେଲା, ଚିଣ୍ଟୁଆ, ମଣ୍ଟୁଆ, ଅମୁକ, ସମୁକଙ୍କୁ ଧରି କେବେ ଏସଟିଏଫ୍, କେବେ ଅବକାରୀ ବିଭାଗ ବାହାଦୁରି ନେଉଛନ୍ତି ସିନା, ହେଲେ ଏ ଆଜାଦ୍ ପରଭେଜ୍ ମାନଙ୍କ ପାଖରେ କିନ୍ତୁ କେହି ପହଞ୍ଚି ପାରୁନାହାନ୍ତି। ନିଶା ସମ୍ରାଟମାନେ କୋଟି କୋଟି ଟଙ୍କାର କାରବାର ଓଡ଼ିଶା ବଜାରରେ କରୁଛନ୍ତି। ବିଷ ବାଣ୍ଟି ପରବର୍ତ୍ତୀ ପିଢିକୁ ବିପଦ ଭିତରକୁ ଠେଲି ଦେଉଛନ୍ତି।

ପୁଲିସ ଯାହାକୁ ଧରୁଛି, କେଇ ଦିନ ଭିତରେ ରହି ସେ ବାହାରିବା ପରେ କଣ କରୁଛି, ତାର ଟ୍ରାକିଂ ହେଉଛି? ଓଡ଼ିଶା ପୁଲିସ ମୁଖିଆ ଅଭୟ କେତେଥର ବରିଷ୍ଠ ପୁଲିସ ଅଫିସରଙ୍କୁ ବସାଇ ଏ ସଂପର୍କରେ ଠୋସ୍ ରାସ୍ତା କାଢିଲେଣି? ପୁଲିସ ବିଭାଗରେ ଟିମ୍ ମ୍ୟାନେଜ୍‌ମେଣ୍ଟ ଫର୍ମୁଲା ଇତିମଧ୍ୟରେ ଫେଲ୍ ମାରିଗଲାଣି କି? ଆଉ କେତେ ନିଶା କାରବାର ହେଲେ ଓଡ଼ିଶାର ବରିଷ୍ଠ ପୁଲିସ ଅଫିସରମାନଙ୍କୁ ଏ ପ୍ରସଙ୍ଗଟି ଛୁଇଁବ? ଆଉ କେତେ କୋଟି ଟଙ୍କାର ବ୍ରାଉନସୁଗାର, ଗଞ୍ଜେଇ କାରବାର ହେଲେ, ଆମ ଲୋକପ୍ରତିନିଧିମାନେ ଏ ପ୍ରସଙ୍ଗରେ ବିଧାନସଭାରେ ମୁହଁ ଖୋଲିବେ? କେତେ ଯୁବକ ବିପଥଗାମୀ ହୋଇଗଲା ପରେ ଆମ ସାମାଜିକ ସଂଗଠନମାନେ ରାସ୍ତାକୁ ଓହ୍ଲାଇବେ? ଏମିତି ଅନେକ ପ୍ରଶ୍ନ ଏବେ ସବୁଠି ବୁଲୁଛି।

କୌତୂହଳ କଥା ହେଲା, ନିୟମିତ ବ୍ୟବଧାନରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଚଢାଉ କରି ବାଲେଶ୍ବରର ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଜବତ କରୁଛନ୍ତି। ଭୁବନେଶ୍ବର ବିଭିନ୍ନ ବସ୍ତି ଅଞ୍ଚଳରେ ମଧ୍ୟ କମିସନରେଟ୍ ପୁଲିସ ଚଢାଉ କରୁଛି। ହେଲେ ବାଲେଶ୍ବର ପୁଲିସକୁ କାହିଁକି ଏ ଦିଗରେ ସଫଳତା ମିଳୁନାହିଁ? କେଉଁ କାରଣ ପାଇଁ ବାଲେଶ୍ବର ଏସପି ତାଙ୍କ ଜିଲ୍ଲାରୁ ନିଶା କାରବାରର ବିଲୋପ କରିପାରୁନାହାନ୍ତି? ସେ ଆଉ କେଉଁ ମହତ୍ ସେବାରେ ଲାଗିଛନ୍ତି ଯେ ନିଶା କାରବାରଟି ତାଙ୍କୁ ଅତ୍ୟନ୍ତ ଛୋଟ ଲାଗୁଛି? ବାଲେଶ୍ବର ରେଂଜରେ କାମ କରୁଥିବା ଡିଆଇଜି, ଆଇଜି ମାନେ କେତେ ଥର ଟିମ୍ ଗଠନ କରି ଚଢାଉ କଲେଣି? ଡିଜି ତାଙ୍କୁ ଥରେ ଡାକି ପଚାରିଲେଣି ଯେ କାହିଁକି ତାଙ୍କ ଅଞ୍ଚଳଟି ପୁଣି ଥରେ ନିଶା ବଜାରରେ ପରିଣତ ହେଲାଣି?

(ଆହୁରି ପଢନ୍ତୁ: ପୂରା ଓଡ଼ିଶାରେ ମାତିଛନ୍ତି ନିଶା ମାଫିଆ (୧) https://reportersnewsagency.com/2021/08/28/canabis-and-brown-sugar-hub/)

ଏକଥା ଯେ କେହି ସ୍ପଷ୍ଟ ଭାବେ କହିପାରିବ ଯେ ବାଲେଶ୍ବରରୁ ଭୁବନେଶ୍ବର ଯାଏ ବା ଉପକୂଳ ଅଞ୍ଚଳକୁ ଆସୁଥିବା ବ୍ରାଉନ୍ ସୁଗାର ଆକାଶ ମାର୍ଗରେ ଆସୁନଥିବ। ଟ୍ରେନରେ ବା ସଡକ ପଥରେ ଆସୁଥିବ। ଭଦ୍ରକ, ଯାଜପୁର, କଟକ ଜିଲ୍ଲା ପୁଲିସ କେତେ ଥର ବାଟରେ ଏ ରାକେଟକୁ ଟ୍ରାକ୍ କରି ଧରିଛନ୍ତି? ଜିଲ୍ଲା ଜିଲ୍ଲା ଭିତରେ ପୁଲିସ ସମନ୍ବୟ ଆଉ ନାହିଁ କି? ରେଳବାଇ ପୁଲିସ କାହାକୁ ଜଗୁଛି?

ରାଜ୍ୟରେ ଅବକାରୀ ମନ୍ତ୍ରୀଙ୍କର କାମ କ’ଣ? ଯେବେ ଓଡ଼ିଶା ନିଶା ମାଫିଆଙ୍କ କବଜାକୁ ଚାଲିଗଲେଣି, ତାଙ୍କ ନିଦ ଭାଙ୍ଗୁନି? ମନ୍ତ୍ରୀ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ଭବନ (ଲୋକସେବା ଭବନ)ରେ ବସି କେତେ ଥର ପୁଲିସ, ଅବକାରୀ ବିଭାଗର ବୈଠକ ଡାକିଲେଣି? ଯଦି ମନ୍ତ୍ରୀ କିଛି କରିବେନି, ତେବେ ସେ ବିଭାଗ ତାଙ୍କ ହାତରେ କାହିଁକି ରହିବ? ଲୋକଙ୍କ ଟିକସ ଅର୍ଥରେ ସେ ଗାଡି ଚଢିବେ। ମାଳ ମାଳ ପିଅନ, ଚପରାସୀ, କର୍ମଚାରୀ ତାଙ୍କ ପାଇଁ ଖଞ୍ଜି ଦିଆଯାଇଛି। ସେ ରାଜଭୋଗ କରିବେ, ଅଥଚ ରାଜକାର୍ଯ୍ୟ କାହିଁକି କରିବେ ନାହିଁ? ସରକାରୀ ଫାଇଲ୍ ଦସ୍ତଖତ କରିବା ମନ୍ତ୍ରୀଙ୍କର ଗୋଟିଏ ନିୟମିତ କାର୍ଯ୍ୟ। ହେଲେ ତାଙ୍କ ବିଭାଗଟି କେମିତି କାମ କରୁଛି, ଏକଥା ମନ୍ତ୍ରୀ ଦେଖିବେନି ଯଦି ଆଉ କିଏ ଦେଖିବ? ସରକାରରେ ଗୋଟିଏ ପରେ ଗୋଟିଏ ବିଭାଗରେ ଘୁଣ ଲାଗିଲାଣି, ଏକଥା କଣ କେହି ଦେଖିପାରୁନାହାନ୍ତି?

ରାଜ୍ୟରେ ନିଶା କାରବାର କେଉଁସ୍ତରରେ ପହଞ୍ଚିଲେ, ବିରୋଧୀ ରାଜନୈତିକ ଦଳ ମୁହଁ ଖୋଲିବେ? ପୂର୍ବତନ ଅବକାରୀ ମନ୍ତ୍ରୀ ସୁରେଶ ରାଉତରାୟ ପ୍ରତିଦିନ ଭୁବନେଶ୍ବରରେ ଗର୍ଜନ ତର୍ଜନ କରୁଛନ୍ତି। ଯେ କୌଣସି ପ୍ରସଙ୍ଗ ରାଜ୍ୟ ସ୍ବାର୍ଥରେ ଥାଉ ବା ନ ଥାଉ ବହେ ଗଣମାଧ୍ୟମକୁ କହିଦେଇ ସେ ଖୁସି। କେବେ ସରକାରଙ୍କୁ ଟେକି ଦେଉଛନ୍ତି, ଆଉ କେବେ କଚାଡି ଫିଙ୍ଗୁଛନ୍ତି। ତାଙ୍କ ମୁହଁରେ ବି ବ୍ରାଉନସୁଗାର କାରବାର ପ୍ରସଙ୍ଗଟି ପଶୁନି।

ବିଜେପି ଦଳର ସ୍ଥିତି ତଦ୍ରୁପ। ସେମାନେ ଯେ ବିରୋଧୀ ଦଳରେ ବସିବା ପାଇଁ ଯୋଗ୍ୟତା ରଖନ୍ତି ନାହିଁ, ଏକଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଖୋଦ୍ ବିଜେପି ନେତାମାନେ ତାଙ୍କର ଦଳର ଶୀର୍ଷ ନେତୃତ୍ବର ଆଚରଣ ଏବଂ ଉଚ୍ଚାରଣ ଦେଖି କ୍ଷୁବ୍ଧ। ଓଡ଼ିଶାର ନିଶା କାରବାର ନୂଆ ପିଢିକୁ ବରବାଦ କରୁଛି, ତାହା କଣ ଗୋଟିଏ ପ୍ରସଙ୍ଗ ନୁହେଁ?

ରାଜ୍ୟରେ ବ୍ରାଉନସୁଗାର କାରବାର ରୋକିବା ଅବକାରୀ ସଚିବଙ୍କ କାମ ନା ନାହିଁ? ମଦ ଦୋକାନ ଖୋଲିବା ନେଇ ସରକାରୀସ୍ତରରେ ଯେତିକି ତତ୍ପରତା ପ୍ରକାଶପାଉଛି, ସରକାର ଟିକସ ଗୋଟାଇ ରାଜସ୍ବ ବଢାଇବା ଦିଗରେ ଯେଭଳି ଉଦ୍ୟମ କରୁଛନ୍ତି, ନିଷିଦ୍ଧ ନିଶା କାରବାର ଯେବେ ବେଧଡକ ଭାବେ ଚାଲିଛି, ସେବେ ଏହାକୁ ରୋକିବା ଦାୟିତ୍ବଟି ତେବେ ସରକାରରେ କିଏ ବୁଝୁଛନ୍ତି?

ମୁଖ୍ୟଶାସନ ସଚିବ କେତେ ଥର ସମୀକ୍ଷା ନେଲେଣି? ପ୍ରତି ମାସରେ ବସୁଥିବା ସଚିବସ୍ତରୀୟ ବୈଠକରେ ରାଜ୍ୟର ଆୟ ସଂପର୍କରେ ଆଲୋଚନା ହେଉଛି। ଓଡ଼ିଶାର ମାନବ ସମ୍ବଳ ନିଶା କବଳରେ ପଡି ବରବାଦ ଆଡକୁ ଗଲେଣି, ଏକଥା କଣ ଆଇଏଏସ୍ ବାବୁମାନଙ୍କ ମୁଣ୍ଡରେ ପଶୁନି? କାହିଁକି ସରକାର ଓଡ଼ିଶାରୁ ବ୍ରାଉନ୍ ସୁଗାର କାରବାରକୁ ମୂଳପୋଛ କରିବା ଲାଗି ଅଭିଯାନ ଆରମ୍ଭ କରୁନାହାନ୍ତି।

ଇତିମଧ୍ୟରେ କମିସନରେଟ୍ ପୁଲିସ ନିଶା ବିରୋଧରେ ଗୋଟିଏ ଅଭିଯାନ ଆରମ୍ଭ କରିଥିବା ପୁଲିସ କମିସନର କହିଛନ୍ତି। ହେଲେ ଭୁବନେଶ୍ବର-କଟକରେ ନିଆଯାଇଥିବା ଏହି ନିଷ୍ପତ୍ତିଟି ଏଠାରେ ଥିବା ପୁଲିସ ମୁଖ୍ୟାଳୟକୁ ପ୍ରଭାବିତ କରିପାରିନି। ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନେତୃତ୍ବରେ ଅଥବା କ୍ରାଇମବ୍ରାଞ୍ଚରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଏହା ବିରୋଧରେ ଅଭିଯାନ ଆରମ୍ଭ କରିବା ଲାଗି ଡିଜି କାହିଁକି ଚାହୁଁନାହାନ୍ତି, ତାହା ବୁଝାପଡୁନି।

ଏଠାରେ ଉଲ୍ଲେଖଥାଉକି, କୋଟି କୋଟି ଟଙ୍କାର ନିଶା କାରବାର ହେଉଛି। ଅଥଚ ସ୍ଥାନୀୟ ପ୍ରଶାସନ ବିନ୍ଦୁ ବିସର୍ଗ ଜାଣି ପାରୁନାହାନ୍ତି, ଏକଥା ସହଜରେ ହଜମ ହେଉନାହିଁ।

Leave A Reply

Your email address will not be published.