ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ରାଜାକୁ ମାରିଦେଲା ରାଜଧାନୀ ଡ୍ରେନ!

0

ଭୁବନେଶ୍ବର: ମାଆ ମୁଁ ୫ ମିନିଟରେ ଆସୁଛି..ଏତିକି କହି ରାଜା ଯାଇଛି ଯେ ଯାଇଛି …। ରାଜଧାନୀର ମୁକୁଳା ଡ୍ରେନ ରାଜାକୁ ସବୁଦିନ ପାଇଁ ଭସାଇନେଇଛି । ୧୯ ଘଂଟା ଧରି ପାଣି ଭିତରେ ପୁଅକୁ ଖୋଜାଚାଲିଥିଲା, ଏପଟେ ମାଆ ଅନ୍ଧ ଲଉଡିର ଆସିବା ବାଟକୁ ଚାହିଁ ରହିଥିଲା । ରାତି ପାହିଗଲା.. ହେଲେ ସକାଳୁ ରାଜଧାନୀର ଛାତି ଉପରୁ ମାଆ ପାଖକୁ ଆସିଲା ଛାତିଥରା ଖବର। ପୁଅ ଆଉ ନାହିଁ…ରାଜା ଆଉ ନାହିଁ..। ରାଜଧାନୀର ମୁକୁଳା ଡ୍ରେନ ରାଜାର ଜୀବନ ନେଇଯାଇଛି।

ମରଣଯନ୍ତା ପାଲଟିଛି ରାଜଧାନୀର ମୁକୁଳା ଡ୍ରେନ । ଗୋଟେ ପଟେ ଗୋଟେ ମୁଣ୍ଡ ନେଉଛି । କିନ୍ତୁ ବିଏମସି ବିଛଣାରୁ ଉଠୁନି । କେବଳ ଏହା ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ବର୍ଷା ଦିନେ ଅନେକଙ୍କ ଏଭଳି ଅସଜଡା ଡ୍ରେନରେ ଜୀବନ ଯାଇଛି । ନେତା ଯାଉଛନ୍ତି, ମନ୍ତ୍ରୀ ଯାଉଛନ୍ତି ଆଶ୍ୱସନା ଦେଉଛନ୍ତି । ମୁକୁଳା ଡ୍ରେନର ମରାମତି କରାଯିବ ଆଗକୁ ଯେମିତି ଏପରି ଅଘଟଣର ପୁନରାବୃତ୍ତି ନହୁଏ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କିଛି ଦିନ ଗଲା ପରେ ପୁଣି ସବୁ ଭୁଲି ଯାଉଛନ୍ତି । ପାଣିର ଗାର ପରି ଏମାନଙ୍କ ପ୍ରତିଶ୍ରୁତି ବି ବର୍ଷାରେ ଧୋଇହୋଇଯାଉଛି।

ଦଶମ ଶ୍ରେଣୀର ପଢୁଥିବା ୧୫ ବର୍ଷର ପୁଅକୁ ହରାଇବା ପରେ ଏବେ ବାପା, ମାଆଙ୍କ ହୃଦୟ ଫାଟିପଡୁଛି । ଆଖିରେ ଲୁହ ରହୁନି । କାନ୍ଦ ବୋବାଳିରେ ଫାଟି ପଟୁଛି ଘର । ପୁଅ ହରାଇବା ଖବର ଶୁଣି ମାଆ ବାରମ୍ବାର ବେହୋସ ହୋଇଯାଇଛି । ମୋ ଧନକୁ ଫେରାଇଆଣ ବୋଲି ଅଳି କରୁଛି । ଭୁବନେଶ୍ୱର ଶତାଦ୍ଦୀ ନଗରରେ ଛୋଟବେଳୁ ବଢିଆସିଥିବା ରାଜାକୁ ସମସ୍ତେ ଜାଣନ୍ତି । ତେଣୁ ଏକ ନିଶ୍ୱାସ ବନ୍ଦ ହେଲା ଭଳି ଖବର ସ୍ଥାନୀୟ ଅଂଚଳକୁ ସ୍ତବ୍ଧ କରିଦେଇଛି।

ମୃତ୍ୟୁର ଆଭାସ ମିଳିଲା ପରି ରାଜା ଯେତେବେଳେ କାଲି ଅପରାହ୍ନରେ ଟିଉସନ ଯିବା ପାଇଁ ବାହରିଥିଲା ମାଆ ମନା କରିଥିଲେ । ପ୍ରବଳ ବର୍ଷା ପାଇଁ ପୁଅ ଘରୁ ବାହାରିବାକୁ କହିଲା ବେଳେ ମାଆ କହିଥିଲେ ନା ତୁ ଆଜି ଟିଉସନ ଯାଆନି । ହେଲେ ମନା କରିବା ସତ୍ୱେ ୫ ମିନିଟରେ ସାଂଗେ ସାଂଗେ ଆସୁଛି କହି ରାଜା ଘରୁ ବାହାରିପଡିଥିଲା । ହେଲେ ସେ କଣ ଜାଣିଥିଲା ବାଟରେ ତାକୁ ଜଗିକି ରହିଛି ମୃତ୍ୟୁ । ବର୍ଷା ପାଇଁ ରାସ୍ତା ଓ ଡ୍ରେନ ଜଣାପଡିନଥିବାରୁ ଗଣ୍ଡମୁଣ୍ଡା ମୁଖ୍ୟ ନାଳର ସ୍ରୋତରେ ପଡିଯାଇଥିଲା ରାଜା । ସାଇକେଲ ସିନା ରହିଯାଇଥିଲା ହେଲେ ଆଖି ପିଛୁଳାକେ ରାଜା ପାଣିର ସୁଅରେ ଭାସିଯାଇଥିଲା।

ଗତକାଲି ଅପରାହ୍ନଠୁ ରାତି ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ ବହୁ ଖୋଜାଖୋଜି ପରେ ରାଜାକୁ ପାଇନଥିଲେ । ରାତିର ଅନ୍ଧାର ଯୋଗୁଁ ଖୋଜିବା ମଧ୍ୟ କଷ୍ଟକର ହୋଇପଡିଥିଲା। ଏହା ପରେ ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ବହୁ ଖୋଜାଖୋଜି ଶେଷରେ ୧୦ଟା ବେଳେ ପଞ୍ଚସଖା ଅଂଚଳ ନିକଟ ନାଳରୁ ରାଜାର ମୃତଦେହ ମିଳିଥିଲା।

ରାଜାର ମୃତ୍ୟୁ କେବଳ ତା ମାଆ ବାପାଙ୍କ କୋଳକୁ ଖାଲି କରିଦେଇନି; ପୁରା ରାଜଧାନୀବାସୀଙ୍କ ଦୋହଲାଇଦେଇଛି । ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ଯାହାର ଉତ୍ତର ନାହିଁ । ୬ ବର୍ଷ ମଧ୍ୟରେ ଏଭଳି ମୁକୁଳା ଡ୍ରେନରେ ଅନେକ ଜୀବନ ଗଲାଣି । ୨୦୧୫ ଅଗଷ୍ଟ ୨୬ରେ ସମାନ ଭାବରେ ସ୍ମାର୍ଟ ସିଟିର ଏମିତି ମୁକୁଳା ଡ୍ରେନ ଭିତରେ ଜଣେ ୯ ବର୍ଷର ବାଳକ ଭାସିଯାଇଥିଲେ । ନୟାପଲ୍ଲୀ ବେହେରା ସାହି ନିକଟରେ ମୁକୁଳା ପଡିଥିବା ଡ୍ରେନ ଛାତ୍ରଙ୍କ ପାଇଁ କାଳ ସାଜିଥିଲା । ସେହିପରି ୨୦୧୭ରେ ଜଣେ ଟ୍ୟୁସନ ସାର , ୨୦୧୮ରେ ଜଣେ ଛୋଟ ପିଲା ମଧ୍ୟ ହୁଗୁଳା ଡ୍ରେନରେ ଭାସିଯାଇଥିଲେ।

ସେହିପରି ୨୦୧୯ରେ ମଧ୍ୟ ମୁକୁଳା ଡ୍ରେନ ଯୋଗୁଁ ନୟାପଲ୍ଲୀ ସାଲିଆସାହି ଏକାମ୍ର ଭିଲ୍ଲା ନିକଟରେ ଜଣେ ବୃଦ୍ଧା ଭାସିଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣି ଥରେ ପଦାରେ ପକାଇଛି।

Leave A Reply

Your email address will not be published.