ପ୍ରମୁଖ ଖବର

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ଦିନେ ଏଠାରେ ନରବଳି ଦିଆଯାଉଥିଲା!

0

ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଆସ ପରିସରରେ ମାଆ ମାଣିକେଶ୍ୱରୀ ପୂଜା ପାଆନ୍ତି। ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା। ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି। 

କିମ୍ୱଦନ୍ତୀ କହେ, ନାଗବଂଶୀ ରାଜା ଫତେ ନାରାୟଣ ଦେଓ ବିପତ୍ତିରୁ ରକ୍ଷାପାଇବା ପାଇଁ ଭବାନୀପାଟଣା ଠାରେ ଆଦିବାସୀ ପୂଜିତା ଦେବୀ ମାଆ ମାଣିକେଶ୍ୱରୀଙ୍କ ଶରଣାପନ୍ନ ହୋଇଥିଲେ। ଆଉ ମାଣିକେଶ୍ୱରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ପୂଜା କରୁଥିଲେ। ମନ୍ଦିରରେ ମହାକାଳ ଭୈରବ ବୁଢ଼ା ରାଜା ନାମରେ ପୂଜା ପାଇଥାନ୍ତି। ତାଙ୍କ ମନ୍ଦିରର ଦ୍ୱାର ବର୍ଷସାରା ବନ୍ଦ ଥିବା ବେଳେ କେବଳ ମହାଷ୍ଟମୀ, ଦଶହରା ଦିନ ମଧ୍ୟ ରାତ୍ରରେ ଖୋଲାଯାଇ ଗଣ୍ଡ ପୂଜା ହୋଇଥାଏ। କଳାହାଣ୍ଡି ଜିଲ୍ଲାର ଥୂଆମୂଳ ମାଣିକେଶ୍ୱରୀଙ୍କ ଆଦ୍ୟପୀଠ ବୋଲି କୁହାଯାଏ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ୟତୀତ ଥୂଆମୂଳ, ଥୂଆମୂଳ-ରାମପୁର, ଯୁଗସାଇ ପାଟଣା ଓ କାଶୀପୁର ଠାରେ ମାଣିକେଶ୍ୱରୀଙ୍କ ମନ୍ଦିର ଥିବାବେଳେ ମୁଖିଗୁଡ଼ା ନିକଟରେ ଥିବା ତାଳଗୁଡଠାରେ ଡୋକରୀ ମନ୍ଦିର ରହିଛି।

ମାଆ ମାଣିକେଶ୍ୱରୀଙ୍କ ଆଶ୍ୱିନ ମାସରେ ଅନୁଷ୍ଠିତ ହୋଇଥିବା ଛତର୍‍ ଯାତ୍ରା ସର୍ବଶ୍ରେଷ୍ଠ ଓ ପ୍ରସିଦ୍ଧ ଯାତ୍ରା। ମହାଷ୍ଟମୀର ମଧ୍ୟରାତ୍ରରେ ମାଆ ମାଣିକେଶ୍ୱରୀଙ୍କ ପୀଠରେ ଛାଗଳ, ମହାପଶୁ(ପୋଢ଼),ବନ୍ୟ ପଶୁ (ବାରହା) ଆଦି ବଳି ଦିଆଯାଏ। ପୂର୍ବରୁ ମାଆଙ୍କ ସମ୍ମୁଖରେ ମେରିଆ ବା ନରବଳି ଦିଆଯାଉଥିଲା। ବିଜୟା ଦଶମୀ ତିଥିରେ ଭବାନୀପାଟଣା ସହରର ନକଟିଗୁଡାର ଲାଖମରା ପଡ଼ିଆକୁ ମାଆ ମାଣିକେଶ୍ୱରୀଙ୍କ ଛତର୍‍କୁ ନିଆଯାଇଥାଏ। ସେଠାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ସହ ଲାଖବିନ୍ଧା ଯାଇଥାଏ। ପୂଜାମଣ୍ଡପ ନିକଟରେ ଥିବା ଆମ୍ୱଗଛ ଉପରେ ଛୋଟଛୋଟ ହାଣ୍ଡିରେ ନିର୍ମିତ ଲାଖ ବନ୍ଧା ଯାଇଥାଏ। ଲାଖମରା ସରିବା ପରେ ମାଆଙ୍କ ଛତର୍‍କୁ ମନ୍ଦିରକୁ ଅଣାଯାଇଥାଏ। ଏହାକୁ ବାହୁଡା ଛତର୍‍ ଯାତ୍ରା କୁହାଯାଏ।

ଲୋକ ବିଶ୍ୱାସ ରହିଛି, ମାଆ ମାଣିକେଶ୍ୱରୀ ବର୍ଷକେ ଥରେ ଛତର୍‍ ଭାବେ ବାହାରକୁ ଆସି ଭକ୍ତମାନଙ୍କ ଦୁଃଖ ଶୁଣିଥାଆନ୍ତି। 

Leave A Reply

Your email address will not be published.