ଗତ ୨୪ ଘଣ୍ଟାରେ ୪୨୫ ଜଣ କରୋନା ପଜିଟିଭ
୦-୧୮ ବର୍ଷରେ ୭୧ ଜଣଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ
ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟ ୪୫୫୪ ରହିଛି
ରାଜ୍ୟର ବିଭିନ୍ନ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ଛୁଇଁଲା ୮୩୧୨
ମୋଟ ଉପରେ ୬୪,୭୦୯ ନମୁନା ପରୀକ୍ଷଣ ହୋଇଥିଲା, ଟିପିଆର୍, ୦.୬୫%
ରାଜ୍ୟରେ ସମୁଦାୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ହଜାର ୮୩୬
ଖୋର୍ଦ୍ଧାରେ ୨୧୧ କୋଭିଡ୍ ପଜିଟିଭ୍ ଚିହ୍ନଟ ଓ କଟକ ୪୦

କିଏ ହେବେ ପରବର୍ତ୍ତୀ ପୁଲିସ ଡିଜି?

0

ବରିଷ୍ଠ ତିନିଜଣଙ୍କ ଭିତରେ ଆସିବେ ପ୍ରଦୀପ କାପୁର, ବିଜୟ ଶର୍ମା ଓ ସୁନୀଲ ବଂଶଲ

ବିଜୟ ଶର୍ମାଙ୍କ କ୍ଷେତ୍ରରେ ସରକାରଙ୍କ ଭୂମିକା କଣ ହେବ ତାହା ଉପରେ ନଜର

ଶର୍ମା ଯଦି ତାଲିକାରୁ ବାଦ୍ ପଡିଲେ,ଦୌଡରେ ସାମିଲ ହୋଇପାରନ୍ତି ମନୋଜ ଛାବ୍ରା

ସନ୍ତୋଷ ଉପାଧ୍ୟାୟଙ୍କୁ ଡିଜି କରିବାକୁ ହେଲେ ଜଣେ ନେବେ ଆଗୁଆ ଅବସର

୩୦ବର୍ଷ ଆଇପିଏସ୍ ଥିବା ସବୁ ଅଫିସରଙ୍କ ନାମ ତାଲିକା କେନ୍ଦ୍ରକୁ ଦେବେ ସରକାର

ଡିଜିଙ୍କ ଅବସରର ୩ମାସ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହେବା କଥା, ଏଯାଏ ହୋଇନି

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ପୁଲିସ ମହାନିର୍ଦେଶକ। ପୁଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେଉଥିବା ପରିପ୍ରେକ୍ଷୀରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ କାହାକୁ ନିଯୁକ୍ତି ମିଳିବ, ତାକୁ ନେଇ ରାଜନୈତିକ ମହଲଠାରୁ ଆରମ୍ଭ କରି ପ୍ରଶାସନ, ବିଶେଷକରି ପୁଲିସ ମହଲରେ ଚର୍ଚ୍ଚା ଜମିଲାଣି। ଅକ୍ଟୋବର ଅଧା ହେଲାଣି, ରାଜ୍ୟ ସରକାର ଡିଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରୁନଥିବାରୁ ଉତ୍କଣ୍ଠା ବହୁଗୁଣିତ ହେବାରେ ଲାଗିଛି। ସମସ୍ତେ ନିଜ ନିଜ ଅନ୍ଦାଜରେ ଆକଳନ ଚଳାଇଛନ୍ତି।

ଏକଥା ସତ୍ୟ ଯେ ପରବର୍ତ୍ତୀ ପୁଲିସ ମହାନିର୍ଦେଶକ ଯିଏ ବି ହୁଅନ୍ତୁ ନା କାହିଁକି, ତାଙ୍କର ଭୂମିକା ଶାସକ ଦଳର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣରେ ପ୍ରମୁଖ ଭୂମିକା ରହିବ। କାରଣ ତାଙ୍କ ସମୟରେ ପଞ୍ଚାୟତ ନିର୍ବାଚନ ହେବ, ପୌର ନିର୍ବାଚନ ବି। ଯଦି ଆଗୁଆ ଲୋକସଭା ନିର୍ବାଚନ ହୁଏ, ସେ ଦାୟିତ୍ବ ବି ତୁଲାଇବେ। କେବଳ ସେତିକି ନୁହେଁ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପରବର୍ତ୍ତୀ ନିର୍ବାଚନ ଅନେକାଂଶରେ ନିର୍ଭର କରିବ। ସଂପ୍ରତି ରାଜ୍ୟ ରାଜନୀତିରେ କଂଗ୍ରେସ ପଛକୁ ଠେଲି ହୋଇଯିବା ଓ ଆସନ୍ତା ଦିନରେ ସବୁ ନିର୍ବାଚନରେ ବିଜେଡି-ବିଜେଡି ପ୍ରତ୍ୟକ୍ଷ ଲଢ଼େଇ ହେବାକୁ ଯାଉଥିବା କାରଣରୁ ରାଜ୍ୟ ସରକାରଙ୍କ ପାଇଁ ପୁଲିସ ମୁଖିଆ ନିଯୁକ୍ତି ଯେତିକି ମହତ୍ତ୍ବ ରଖୁଛି, ଓଡ଼ିଶାର ବିରୋଧୀ ଦଳ ତଥା ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପାଇଁ ଏହା ସେତିକି ଗୁରୁତ୍ବପୂର୍ଣ୍ଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି।

କେନ୍ଦ୍ର ସରକାର ଡିଜି ନିଯୁକ୍ତି ନିୟମ ପରିବର୍ତ୍ତନ କରିବା ପରେ ଅଭୟ ଥିଲେ ପ୍ରଥମ ପୁଲିସ ମହାନିର୍ଦେଶକ। ୧୯୮୬ ବ୍ୟାଚର ଏହି ଅଫିସର ଗତ ଜୁନ୍ ୩୦ ତାରିଖରେ ଅବସର ନେଉଥିଲେ ହେଁ, ନିୟମ ଅନୁସାରେ, ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ରାଜ୍ୟ ସରକାର ନୂଆ ଡିଜି ନିଯୁକ୍ତି ଦେବାକୁ ବାଧ୍ୟ ଓ ସେ ୨୦୨୨ ପ୍ରଥମ ଦିନରୁ ରାଜ୍ୟ ପୁଲିସର ନେତୃତ୍ବ ନେବେ।

କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ଡିଜି ଅବସର ନେବାର ୩ମାସ ପୂର୍ବରୁ ରାଜ୍ୟ ସରକାର ଏ ସଂକ୍ରାନ୍ତ ପ୍ରକ୍ରିୟା ଆରମ୍ଭ କରିବେ ଓ ଯୋଗ୍ୟ ପୁଲିସ ଅଫିସରମାନଙ୍କର ତାଲିକା କେନ୍ଦ୍ରକୁ ପଠାଇବେ। ଯେଉଁ ଆଇପିଏସ୍ ଅଫିସରମାନଙ୍କର ଚାକିରି ୩୦ବର୍ଷ ହୋଇଥିବ, ସେମାନଙ୍କ ନାମ ତାଲିକା ରାଜ୍ୟ ସରକାର ପଠାଇବାକୁ ପଡିବ। ତେବେ ଅବସର ସମୟ ବେଳକୁ ସଂପୃକ୍ତ ଆଇପିଏସଙ୍କ ଚାକିରି ଅନ୍ତତଃ ୬ମାସ ଥିବ। ଏହି ତାଲିକା କେନ୍ଦ୍ର ୟୁପିଏସସିଙ୍କୁ ପ୍ରଦାନ କରିବେ। ୟୁପିଏସସି ଏକ ପାଞ୍ଚ ଜଣିଆ କମିଟି ଗଠନ କରିବେ, ଯେଉଁଥିରେ କି ଗୃହ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ୟୁପିଏସସି କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କର ଯେ କୌଣସି ଜଣେ ଡିଜି ଅର୍ଥାତ୍ ତିନି ଜଣ ସଭ୍ୟ ରହିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟଶାସନ ସଚିବ ଏବଂ କାର୍ଯ୍ୟରତ ପୁଲିସ ମହାନିର୍ଦେଶକ ରହିବେ। ଅର୍ଥାତ୍ କେନ୍ଦ୍ରର ନିଷ୍ପତ୍ତି ସବୁବେଳେ ଅଗ୍ରାଧିକାର ପାଇବ। ଯଦି ଡିଜି ଅବସର ନେଇଯାଇଥିବେ ଓ ପରେ ଏହି କମିଟି ବୈଠକ ବସିଲା, ତେବେ ରାଜ୍ୟ ପକ୍ଷରୁ କେବଳ ଜଣେ ମୁଖ୍ୟସଚିବ ଏଥିରେ ପ୍ରତିନିଧିତ୍ବ କରିବେ।

କମିଟି ଯୋଗ୍ୟ, ବରିଷ୍ଠତା ଭିତ୍ତିରେ ତିନିଜଣଙ୍କୁ ଚୟନ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ରାଜ୍ୟ ସରକାର ସଂପୃକ୍ତ ଅଧିକାରୀଙ୍କ ଭିତରୁ ଜଣକୁ ଡିଜି କରିବେ ଓ ସେ ନିଶ୍ଚିତ ଭାବେ ଦୁଇ ବର୍ଷ ଏହି ପଦବିରେ ରହିବେ। ଏପରିିକି ତାଙ୍କର ଚାକିରି ୬୦ବର୍ଷ ହୋଇଥିଲେ ବି ନିଯୁକ୍ତି ପାଇବାର ଦୁଇବର୍ଷ ଯାଏ ସେ ଏହି ଗୁରୁଦାୟିତ୍ବ ସମ୍ଭାଳିବେ।

ମିଳୁଥିବା ସୂଚନା ଅନୁସାରେ, ଯଦିଓ ଡିଜି ଅବସର ନେବାକୁ ଆଉ ତିନିମାସ ବି ନାହିଁ। ରାଜ୍ୟ ସରକାର କିନ୍ତୁ ଏଯାଏ ଅଫିସରମାନଙ୍କ ନାମ ତାଲିକା ପଠାଇନାହାନ୍ତି। ନିୟମ ଅନୁସାରେ, ୧୯୯୧ ବ୍ୟାଚ୍ ପର୍ଯ୍ୟନ୍ତ ଯେତେ ଆଇପିଏସ୍ ଅଫିସର ଅଛନ୍ତି, ସେମାନଙ୍କ ନାମ ତାଲିକା କେନ୍ଦ୍ର ସରକାରଙ୍କୁ ରାଜ୍ୟ ପଠାଇବାକୁ ହେବ। ଏହି ନୂଆ ନିୟମ ଲାଗୁ ହେବା ପରଠାରୁ ଦେଖାଯାଇଛି ଯେ ୟୁପିଏସସି ବିବାଦଠାରୁ ଦୂରରେ ରହିବା ଲାଗି ଦକ୍ଷତା ଓ ବରିଷ୍ଠତା ଭିତରକୁ ବରିଷ୍ଠତା ସପକ୍ଷରେ ଅଧିକ ଗୁରୁତ୍ବ ଦେଇ ଆସିଛନ୍ତି। କାରଣ କିଛି ବାଦ୍ ଦେଲେ ପ୍ରାୟ ସବୁ ଅଫିସରମାନଙ୍କ ଚରିତ୍ର ପଞ୍ଜିକା ବେଶ୍ ଭଲ ଥାଏ।

ଓଡ଼ିଶା କ୍ଷେତ୍ରରେ ବିଚାରକଲେ, ଅଭୟଙ୍କ ପରେ ସେହି ବ୍ୟାଚର ଅନ୍ୟତମ ଆଇପିଏସ୍ ପ୍ରଦୀପ କାପୁରଙ୍କ ନାମ ଶୀର୍ଷରେ ରହିବ। ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଶ୍ରା କାପୁରଙ୍କ ଅବସର ୨୦୨୨ ନଭେମ୍ବର ୩୦ ଯାଏ ରହିଛି। ସେ ପ୍ରଥମ ଦାବିଦାର ରହିବେ। ତାଙ୍କ ପରେ ଅଛନ୍ତି ସେହି ବ୍ୟାଚର ଅନ୍ୟତମ ଅଫିସର ବିଜୟ କୁମାର ଶର୍ମା। ଶ୍ରୀ ଶର୍ମାଙ୍କ ଚାକିରି ୨୦୨୨ ଅକ୍ଟୋବର ୩୧ଯାଏ ରହିଛି। ଶ୍ରୀ ଶର୍ମାଙ୍କ ବିରୋଧରେ ଅଭିଯୋଗ ଆଣି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ତାଙ୍କୁ ପ୍ରିଣ୍ଟିଂ ପ୍ରେସ ନିର୍ଦେଶକ ଭାବେ ନିଯୁକ୍ତି ଦେଇସାରିଲେଣି।

କିଛି ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ଶ୍ରୀ ଶର୍ମାଙ୍କ ନାମ ରାଜ୍ୟ ସରକାର ନିଜ ଆଡୁ କାଟିପାରିବେ ନାହିଁ। ରାଜ୍ୟ ସରକାର ତାଙ୍କ ନାମ କେନ୍ଦ୍ରକୁ ପଠାନ୍ତୁ ବା ନ ପଠାନ୍ତୁ, ୟୁପିଏସସି କିନ୍ତୁ ବିଚାରକୁ ନେବ ହିଁ ନେବ। ଯଦି ସରକାରଙ୍କ ପକ୍ଷରୁ ଅତି ଗୁରୁତ୍ବର କୌଣସି ଅଭିଯୋଗ ଅଣାଯାଇ ଦସ୍ତାବିଜ ଦାଖଲ କରାଯାଏ, ତେବେ ହୁଏତ ଚୟନ କମିଟି ଏସବୁକୁ ଅନୁଧ୍ୟାନ କରି ତାଙ୍କ ନାମ ଚୂଡାନ୍ତ ତାଲିକାରୁ ବାଦ୍ ଦେଇପାରନ୍ତି। ତେବେ ରାଜ୍ୟ ସରକାର ଏ କ୍ଷେତ୍ରରେ କି ଆଭିମୁଖ୍ୟ ରଖିବେ, ସର୍ବୋପରି ୟୁପିଏସସି ଏବଂ ଚୟନ କମିଟିର ଆଭିମୁଖ୍ୟ କଣ ହେବ, ତାହା ଏବେ ଠାରୁ ଠୋସ୍ ଭାବେ କହିବା ମୁସ୍କିଲ୍ ବ୍ୟାପାର।

ଡିଜି ପଦବି ପାଇଁ ତୃତୀୟ ଦାବିଦାର ରହିବେ, ୧୯୮୭ ବ୍ୟାଚ ଆଇପିଏସ୍ ସୁନୀଲ କୁମାର ବଂଶଲ। ଶ୍ରୀ ବଂଶଲ ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ୨୦୨୨ ଜୁନ୍ ୩୦ ତାରିଖରେ ସେ ଅବସର ନେବେ। ଯେହେତୁ ନିୟମ ଅନୁସାରେ, ଅଭୟ ଅବସର ନେବା ବେଳକୁ ତାଙ୍କ ଚାକିରି ୬ମାସ ଥିବ, ଏଣୁ ଯେବେ ବି ଡିଜି ଚୟନ ହେବ, ତାଙ୍କ ନାମ ବିଚାରକୁ ଯିବ ହିଁ ଯିବ। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାରେ ଦୀର୍ଘବର୍ଷର ଅଭିଜ୍ଞତା ରଖିଥିବା ଶ୍ରୀ ବଂଶଲ ମଧ୍ୟ ପୁଲିସ ମହାନିର୍ଦେଶକ ହେବା ପାଇଁ ଆଶାୟୀ ଥିବା ସୂଚନା ମିଳୁଛି। ତାଙ୍କର ରେକର୍ଡ ମଧ୍ୟ ବେଶ୍ ଭଲ।

ଏଇଠାରେ ପ୍ରଶ୍ନ ଉଠୁଛି, ଯଦି ଶ୍ରୀ ଶର୍ମାଙ୍କ ନାମ ବାଦ ପଡେ, ତେବେ ଶ୍ରୀ ବଂଶଲ ଦ୍ବିତୀୟ ସ୍ଥାନରେ ରହିବେ। ଏହି କ୍ଷେତ୍ରରେ ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ ଛାବ୍ରାଙ୍କ ନାମ ତିନି ନମ୍ବର ସ୍ଥାନକୁ ଆସିବ। ଶ୍ରୀ ଛାବ୍ରା ୨୦୨୩ ଅକ୍ଟୋବର ୩୧ ତାରିଖରେ ଅବସର ନେବେ। ଅର୍ଥାତ୍ ଏହି ତିନିଜଣଙ୍କ ନାମ ଭିତରୁ ସରକାରଙ୍କୁ ଜଣକୁ ବାଛିବାକୁ ହେବ। ତେବେ ଏମାନଙ୍କ ମଧ୍ୟରୁ ଯିଏ ବି ଡିଜି ହୁଅନ୍ତୁ, ନୂଆ ନିୟମ ଅନୁସାରେ, ତାଙ୍କର କାର୍ଯ୍ୟକାଳ ବଢାଇବାକୁ ହେବ।

ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ୧୯୮୮ ବ୍ୟାଚ୍ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଭଳି ଅଫିସରଙ୍କୁ ସରକାର ଡିଜି କରିବାକୁ ଚାହିଁପାରନ୍ତି। ଏହା ହିଁ ସମୟର ଆବଶ୍ୟକତା। ଯଦି ଏମିତି ହେବ, ତେବେ ସରକାର ମନୋଜ ଛାବ୍ରାଙ୍କୁ ମନାଇ ଆଗୁଆ ଅବସର ନେବାର ବାଟ ଖୋଲିପାରନ୍ତି। ତାଙ୍କୁ କୌଣସି ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଯାଇପାରେ। ତେବେ ଯାଇ ଶ୍ରୀ ଉପାଧ୍ୟାୟଙ୍କ ରାସ୍ତା ଖୋଲିବ। ଏହାଭିନ୍ନ ଅନ୍ୟକିଛି ବାଟ ନାହିଁ। କାରଣ ଡିଜି ନିଯୁକ୍ତି ଯେତେ ବିଳମ୍ବ କଲେ ବି ଶ୍ରୀ ବଂଶଲଙ୍କୁ ବାଦ୍ ଦିଆଯାଇପାରିବ ନାହିଁ। ଯେହେତୁ ନିୟମରେ ସ୍ପଷ୍ଟ ରହିଛି ଯେ ଡିଜି ନିଯୁକ୍ତି ସମୟ ନୁହେଁ, ବରଂ ଡିଜିଙ୍କ ଅବସର ସମୟକୁ ତାଙ୍କର ୬ମାସ ଚାକିରି ଥିବା ଦରକାର, ଏଣୁ ସେ ତାଲିକାରେ ରହିବେ। ଏଭଳିସ୍ଥିତିରେ ଶ୍ରୀ ଉପାଧ୍ୟାୟଙ୍କୁ ତିନି ବରିଷ୍ଠଙ୍କ ଭିତରେ ସରକାର କିପରି ସାମିଲ କରିବେ ନା ଅନ୍ୟ କୌଣସି ବିକଳ୍ପ ରାସ୍ତା ଦେଖି ଶ୍ରୀ କାପୁରଙ୍କୁ ଲାଭଜନକ ପଦବି ଦେଇ ଦୌଡରୁ ଦୂରେଇବେ, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.