ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ନବୀନ ହେଲଥ କାର୍ଡ: ମାଲକାନଗିରିରୁ ଆରମ୍ଭ, ଯାଜପୁରରେ ଶେଷ

0

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଦେଲା ବଡଧରଣର ରାଜନୈତିକ ଖେଳ

ସରକାରଙ୍କ କାର୍ଯ୍ୟକ୍ରମ ଧରି ଅଧା ଓଡ଼ିଶା ବୁଲିଆସିଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍

ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ, ଶହ ଶହ କୋଟିର ପ୍ରକଳ୍ପ ଭେଟିଦେଲେ ଲୋକଙ୍କୁ

ଏପଟେ ରାଜ୍ୟର ୩୦ ଜିଲ୍ଲାରେ ସଂଗଠନକୁ ସକ୍ରିୟ କରିଦେଲେ ବବି ଦାସ

ଏବେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଓ ମିଶ୍ରଣ ପର୍ବ ଜରିଆରେ ବିରୋଧୀଙ୍କୁ ଆକ୍ରମଣ

ମମିତା ମେହର ହତ୍ୟା ସଂପର୍କିତ ରାଜନୈତିକ କାର୍ଯ୍ୟକ୍ରମରେ ଅଟକିଗଲେ ବିରୋଧୀ

ସମୟ କହିବ ନବୀନଙ୍କ ବିକାଶ; ବିରୋଧୀଙ୍କ ବିରୋଧ ଭିତରେ କାହାର ଦମ୍ କେତେ

ଭୁବନେଶ୍ବର: କୌଣସି ପୁଞ୍ଜିପତି କି ଧନୀକ ବର୍ଗ ନୁହେଁ। ବରଂ ଜୀବନ ଜୀବିକା ସଂଘର୍ଷ ଭିତରେ ଥିବା ଖଟିଖିଆ, ମେହନତୀ ମଣିଷ ହାତରେ ତାର ଏବଂ ତା’ ପରିବାରର ସ୍ବାସ୍ଥ୍ୟ ସେବାର ଚାବି ଧରାଇବା ଲାଗି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟା ଆରମ୍ଭ କରିଥିଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ଆସନ୍ତା ୧୫ ତାରିଖ ଦିନ କାର୍ଡ ବଣ୍ଟା କାର୍ଯ୍ୟ ଶେଷ ହେବ। ଉପକୂଳ ଓଡ଼ିଶାର ରାଜନୀତି ଦୃଷ୍ଟିରୁ ସମ୍ବେଦନଶୀଳ ଜିଲ୍ଲା ଯାଜପୁରରେ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଛେଦ ଟାଣିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ରାଜ୍ୟ ରାଜନୀତି ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି। ପ୍ରଥମତଃ ଆସନ୍ତା ଫେବ୍ରୁଆରି ମାସରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଧାଧିକ ଜିଲ୍ଲା ବୁଲିଆସିଲେ। ତାହା ପୁଣି ଖାଲି ହାତରେ ନୁହେଁ ବରଂ ସ୍ମାର୍ଟ ହେଲଥ କାର୍ଡ ସହିତ ପ୍ରତି ଜିଲ୍ଲାପାଇଁ ଶହ ଶହ କୋଟିର ପ୍ୟାକେଜ ସହିତ। ଏହାକୁ ନେଇ ସଂପୃକ୍ତ ଜିଲ୍ଲାମାନଙ୍କରେ ଏବେ ସରକାର ସପକ୍ଷରେ ଗୋଟିଏ ବାତାବରଣ ସୃଷ୍ଟି ଲାଗି ଖୋରାକ ସୃଷ୍ଟି ହେଲା। ଦ୍ବିତୀୟତଃ ସ୍ମାର୍ଟ ବିଦ୍ୟାଳୟ ଜରିଆରେ ମଧ୍ୟ ଆଉ କିଛି ଅଞ୍ଚଳକୁ ଭର୍ଚୁଆଲରେ ଯୋଡି ହୋଇ ଲୋକଙ୍କ ଭିତରକୁ ଚାଲିଗଲେ ମୁଖ୍ୟମନ୍ତ୍ରୀ। ତୃତୀୟତଃ ପ୍ରତି କାର୍ଯ୍ୟକ୍ରମ ପୂର୍ବରୁ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସ ସେସବୁ ଜିଲ୍ଲାରେ ଦଳକୁ ସକ୍ରିୟ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ଦଳର ଛାମୁଆ ନେତାଙ୍କ ଠାରୁ ଆରମ୍ଭ କରି ଯୁବ, ଛାତ୍ର, ମହିଳା ସମସ୍ତଙ୍କୁ ସକ୍ରିୟ କରିଦେଇଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ମୁଖ୍ୟମନ୍ତ୍ରୀ ମାତ୍ର ତିନିମାସ ମଧ୍ୟରେ ପୂରା ରାଜ୍ୟକୁ ନିଜ ସପକ୍ଷରେ ନେଇଯିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିଦେଲେ। ବିରୋଧୀ ରାଜନୈତିକ ଦଳ ମମିତା ହତ୍ୟା ପ୍ରସଙ୍ଗ ଓ ସେ ସଂକ୍ରାନ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟରେ ଅଟକିଗଲେ। ଏବେ ନବୀନଙ୍କ ବିକାଶ ଏବଂ ବିରୋଧୀଙ୍କ ବିରୋଧ ଭିତରେ କାହାର କେତେ ଦମ୍ ଅଛି, ତାହା ପଞ୍ଚାୟତ ନିର୍ବାଚନ ଫଳାଫଳରୁ ନିର୍ଣ୍ଣୟ ହେବ। ଆହୁରି ସରଳ ଭାବେ କହିଲେ, ନିଜେ ମୁଖିଆ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାର କିଭଳି କାର୍ଯ୍ୟାନ୍ବୟନ ହୁଏ ସେ ସଂକ୍ରାନ୍ତରେ ପୂରା ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଜରିଆରେ ଜଣାଇଲେ। ସମାନ୍ତରାଳ ଭାବେ ବା ଠିକ୍ ସେହି ସମୟରେ ବିଜେଡି ସଂଗଠନ ସଂପାଦକ ବବି ଦାସ ଦଳକୁ ସକ୍ରିୟ କରିଦେଲେ।

ଏବେ ବିଜେଡି ଆଉ ପାଦେ ଆଗକୁ ଯାଇ ବିରୋଧୀଙ୍କୁ ମାତ୍ ଦେବା ଲାଗି ଦୁଇଟି ନୂଆ କୌଶଳ ଆପଣାଇଛି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ସାମ୍ନାକୁ ଆଣି ବିରୋଧୀ ରାଜନୈତିକ ଦଳ ବିଶେଷକରି ବିଜେପି ବିରୋଧରେ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିଛି। ତା ସହିତ ଜଣେ ପରେ ଜଣେ ନେତା ଯେଉଁଭଳି ବିଜେଡି ଶିବିରକୁ ଡେଉଁଛନ୍ତି, ସେଥିରୁ ଗୋଟିଏ ବାର୍ତ୍ତା ଦଳ ଦେଉଛି ଯେ ବିରୋଧୀ ଶିବିର ଦୁର୍ବଳ, ଏପରିକି ସେମାନଙ୍କ ଦଳର ବି ତାଙ୍କ ଉପରେ ଭରସା ନାହିଁ। ପଞ୍ଚାୟତ ନିର୍ବାଚନ ପାଇଁ ଏତିକି କୌଶଳ କିଛି କମ ନୁହେଁ। ଏହା ବ୍ୟତୀତ ମିସନ ଶକ୍ତି ଠାରୁ ଆରମ୍ଭ କରି ମାଳ ମାଳ ଯୋଜନା ଚାଲିଛି, ଯାହାର ସିଧା ପ୍ରଭାବ ପଞ୍ଚାୟତ ଉପରେ ରହିଛି।

ଉଲ୍ଲେଖଥାଉକି, ଏସବୁ ମଧ୍ୟରୁ ସ୍ମାର୍ଟ ହେଲଥ କାର୍ଡକୁ ବିଜେଡି ପଞ୍ଚାୟତରେ ମାଷ୍ଟର କାର୍ଡ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଏହାର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଯାଏ ରହିବ ବୋଲି ଆଶା କରି ଦଳ ଏହି ଖେଳ ଆରମ୍ଭ କରିଛି। ଏମିତିରେ ବି ରାଜ୍ୟ ସରକାର ସ୍ବାସ୍ଥ୍ୟ ନିରାପତ୍ତାକୁ ଅଧିକ ସୁଦୃଢ କରିବା ସହିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ଯେଉଁ ଉତ୍ତରଦାୟିତ୍ବ ନେଇଛନ୍ତି, ସେହି କ୍ରମରେ ସବୁ ଜିଲ୍ଲାରେ ନିଜେ ନବୀନ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟୁଛନ୍ତି। ଫଳରେ ଗାଁ ଗଣ୍ଡା, ପଡା ବା ଉପାନ୍ତ ଅଞ୍ଚଳରେ ବାସ କରୁଥିବା ଅନୁସୂଚିତ ଜନଜାତି ବର୍ଗର ଆବାଳ ବୃଦ୍ଧବନିତା, ଚିକିତ୍ସା ଅଭାବରୁ ଜୀବନ ମରଣ ଦୋଛକି ଭିତରେ ଆଉ ଧନ୍ଦି ହେବେ ନାହିଁ। ଓଲଟା ଏବେ ଦେଶର ପ୍ରମୁଖ ୨୦୦ ହସ୍ପିଟାଲରେ ନିଜର ଓ ନିଜ ପରିବାରର ଚିକିତ୍ସା କରାଇପାରିବେ।

ମୁଖ୍ୟ ଜିଲ୍ଲାମାନଙ୍କରେ କିଛି ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ହାତରୁ ଏହି ସ୍ବାସ୍ଥ୍ୟ କବଚ ବା ସ୍ମାର୍ଟ କାର୍ଡ ନେଉଛନ୍ତି ଓ ପରବର୍ତ୍ତୀ ତିନି ଦିନରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ପଦସ୍ଥ ବ୍ୟକ୍ତିବିଶେଷ ଜିଲ୍ଲାର କୋଣ ଅନୁକୋଣରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ହାତରେ ସ୍ମାର୍ଟ ହେଲ୍‌ଥ କାର୍ଡ ଧରାଇ ଦେଇ ଆସୁଛନ୍ତି। ଆଜି ନବୀନ ଏହି କ୍ରମରେ କଟକ ଯାଉଛନ୍ତି। ଏହା ପରେ ୧୪ ତାରିଖରେ ଖୋର୍ଧା- ନୟାଗଡ ଓ ୧୫ ତାରିଖରେ ଯାଜପୁରରେ କାର୍ଯ୍ୟକ୍ରମ ଶେଷ ହେବ। ଅର୍ଥାତ୍ ବବି ନିଜ ଜିଲ୍ଲାରେ ନବୀନଙ୍କୁ ନେଇ ପଞ୍ଚାୟତ ପୂର୍ବରୁ ଏକ ବଡ କାର୍ଯ୍ୟକ୍ରମ କରି ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ଟାଣିବେ।

ସ୍ମରଣଯୋଗ୍ୟ, ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ  ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ ସ୍ମାର୍ଟ କାର୍ଡ ପ୍ରଦାନ ସଂପର୍କିକ ଐତିହାସିକ ଘୋଷଣା କରିଥିଲେ। ସେବେ ମୁଖ୍ୟମନ୍ତ୍ରୀ କହିଥିଲେ,  ‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ। ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି ।’

ସରକାର ରାଜ୍ୟର ୯୬ ଲକ୍ଷ ପରିବାର, ସାଢେ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିଲେ। ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବାକୁ ସ୍ଥିର ହୋଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯାଉଛି। ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିପାରିବ।  ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲ ଚେନ୍‌ ମାନଙ୍କରେ  ଚିକିତ୍ସା ସୁବିଧା ଲୋକେ ପାଇପାରିବେ।  ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ।

Leave A Reply

Your email address will not be published.