ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି

0

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି। ୮୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।କଟକସ୍ଥିତ ବାସ ଭବନରେ ରବିବାର ସନ୍ଧ୍ୟାରେ ସେ ପରଲୋକ ଗମନ କରିବା ଘଟଣା ସାହିତ୍ୟ ଜଗତକୁ ଦାରୁଣ ଆଘାତ ଦେଇଛି।  ଅନ୍ତିମ ଶଯ୍ୟା ନିକଟରେ ଭାଇ ଡାକ୍ତର ବିବେକାନନ୍ଦ ମହାନ୍ତି, ଅବନୀନ୍ଦ୍ର ମହାନ୍ତି, ପୁତୁରା ବିଶ୍ବଦାସ ମହାନ୍ତି, ପୁତୁରାବୋହୂ ସୁଶ୍ରୀ ସଂଗୀତା ଦାସ, ଝିଆରୀ ଡାକ୍ତର ସମିତା ମହାନ୍ତି, ଡାକ୍ତର ସୁଜାତା ଭଟ୍ଟ, ପୁତୁରାବୋହୂ ସୁସ୍ମିତା ରଥଙ୍କ ‌ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଆଜି ପୂର୍ବାହଣରେ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।

୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମିତ ବୀଣାପାଣି ବୃତ୍ତିରେ ଜଣେ ଅର୍ଥନୀତି ଅଧ୍ୟାପିକା ଥିଲେ। ସେ ହେଉଛନ୍ତି କେନ୍ଦ୍ରାପଡ଼ା ସବ୍‌-ଡିଭିଜନ୍‌ ଚାନ୍ଦୋଳର ସ୍ବର୍ଗତ ଚତୁର୍ଭୁଜ ମହାନ୍ତି ଓ କୁମୁଦିନୀ ମହାନ୍ତିଙ୍କ ଝିଅ।  କେଇ ଦଶନ୍ଧି ଧରି ସାହିତ୍ୟ ଜଗତକୁ ଛାଇଯାଇଥିଲେ। ଅବସର ପରେ ବି ସାହିତ୍ୟରୁ ମନ ଫେରାଇନଥିଲେ। ୧୯୬୫ ମସିହାରୁ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ରଚିତ ୩୦ରୁ ଅଧିକ ଗଳ୍ପ ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶ ପାଇଛି। ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ପାଟଦେଈ’ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଥିଲା।୨୦୨୦ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୯ରେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ।

ବୀଣାପାଣିଙ୍କ ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶା ସାହିତ୍ୟ ବିଶେଷ କରି ଗଳ୍ପ ଏବଂ ଉପନ୍ୟାସ ରଚନା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଅନ୍ୟଭାଷାରେ ଅନୁବାଦିତ ତାଙ୍କର ସୃଷ୍ଟି ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶୋକ ବ୍ୟକ୍ତ କରି କହଛନ୍ତି ଯେ ବୀଣାପାଣି ଓଡ଼ିଆ ଭାଷାକୁ ସେ ବହୁ ଭାବରେ ସମୃଦ୍ଧ କରିଛନ୍ତି। ତାଙ୍କର ସୃଷ୍ଟି ମାଧ୍ୟମରେ ସେ ଚିର ସ୍ମରଣୀୟ ରହିବେ।

ଯଶସ୍ବୀ ସାରସ୍ୱତ ସାଧକ ବୀଣାପାଣି ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସ ରେ ନାରୀ ଜୀବନ ର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି। ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ। ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇବା ସହିତ ସ୍ବର୍ଗତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ଘୋଷଣା କରିଛନ୍ତି।

ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ନିଜର ଉତ୍କୃଷ୍ଟ ଗଳ୍ପ ଓ ଉପନ୍ୟାସ ପାଇଁ ସେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ି ଜଗନ୍ନାଥ ଦାସ, ସାହିତ୍ୟ ଏକାଡ଼େମୀ ଏବଂ ସାରଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦି ଭାଷା ସମେତ ଅନେକ ଆଞ୍ଚଳିକ ଭାଷାରେ ଅନୁବାଦିତ ହୋଇ ପାଠକଙ୍କ ଦ୍ବାରା ଆଦୃତ ହୋଇପାରିଛି । ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଚ୍ଚକୋଟିର ସାହିତ୍ୟିକାଙ୍କୁ ହରାଇଲା।

Leave A Reply

Your email address will not be published.