ପ୍ରମୁଖ ଖବର

ବାଲେଶ୍ବର; ବିଚ୍‌ ରାସ୍ତାରେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ତାମିଲନାଡୁରେ ବାତ୍ୟା, ଓଡ଼ିଶାରେ ୨ ଯାଏଁ ବର୍ଷା
ରାଜଧାନୀ ଭୁବନେଶ୍ବର ସହିଦନଗର ରାସ୍ତାକଡରୁ ଶିଶୁ କନ୍ୟା ଉଦ୍ଧାର
ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୦ ମୃତ, ୩୦ ଆହତ
ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟରେ ଇଡିର ଚଢାଉ
ଭୁବନେଶ୍ବରରେ ଆୟୋଜିତ ତିନି ଦିନିଆ ସମ୍ମଳନୀରେ ଯୋଗ ଦେଲେ ପ୍ରଧାନ ମନ୍ତ୍ରୀ

ବିଧାନସଭା ଶୀତ ଅଧିବେଶନରୁ କି ବାର୍ତ୍ତା ଗଲା?

0

ବର୍ଷକୁ ୬୦ଦିନ ବି ବସିପାରୁନି ବିଧାନସଭା, ଏଥର ୪୩

ଦିନକୁ ଦିନ ଶିକ୍ଷିତ ବିଧାୟକ ଯାଉଛନ୍ତି, ବିତର୍କ ହେଉନାହିଁ

ବାଚସ୍ପତି ସମ୍ମିଳନୀର ନିଷ୍ପତ୍ତି ବିଧାନସଭାରେ ପାଳନ ହେଲାନି

ବିଶୃଙ୍ଖଳିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଲେନି

ସରକାରଙ୍କ ବିରୋଧରେ ଅଭିଯୋଗ ରେକର୍ଡ ହୋଇପାରିଲାନି

ସଂସଦରେ ବିଜେଡି ଦଳର ଆଚରଣ ଠାରୁ ବିଧାନସଭାରେ ଅଲଗା

ଭୁବନେଶ୍ବର: ମହେଶ୍ବର ମହାନ୍ତି ବାଚସ୍ପତି ଥିବା ବେଳେ ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମରେ ପରିବର୍ତ୍ତନ କରାଗଲା। ସେବେ ଗୃହ ନିଷ୍ପତ୍ତି ନେଇଥିଲା ଯେ ବର୍ଷକୁ ଅତି କମରେ ୬୦ଦିନ ବୈଠକ ବସିବ। ଗତ ପାଞ୍ଚବର୍ଷ ଧରି ବିଧାନସଭା ୫୦ଦିନ ବି ବସିପାରିଲା ନାହିଁ। ଏହି ନିୟମ କାର୍ଯ୍ୟକାରୀ ହେବା ଦିନଠାରୁ ହାତଗଣତି କିଛି ବର୍ଷକୁ ଛାଡିଦେଲେ ସବୁବେଳେ ବାଚସ୍ପତିଙ୍କୁ ଏହି ନିୟମକୁ ସସପେଣ୍ଡ କରିବାକୁ ପଡ଼ିଛି, ଠିକ୍ ଏହିବର୍ଷ ଭଳି। ଚଳିତବର୍ଷ ମଧ୍ୟ ଗୃହ ୪୩ ଦିନ ବସିଛି।

ସୁସ୍ଥ ବିତର୍କ ବା ଆଲୋଚନା ଗଣତନ୍ତ୍ରକୁ ସଶକ୍ତ ଓ ସମୃଦ୍ଧ କରେ। ଏଣୁ ଗୋଟିଏ ମହଲ ମତ ପ୍ରକାଶ କରି ଆସୁଥିଲେ ଯେ ବିଧାନସଭାକୁ ଯେତିକି ଜ୍ଞାନୀ ଓ ବୁଦ୍ଧିଜୀବୀ ନିର୍ବାଚିତ ହେବେ, ବ୍ୟବସ୍ଥାପକ ସଭାରେ ଆଲୋଚନା, ତର୍କ ସେତିକି ଅଧିକ ଗୁଣାତ୍ମକ ରହିବ। ଆଜି ଦିନରେ ପୂର୍ବାପେକ୍ଷା ବହୁ ବେଶୀ ଶିକ୍ଷିତ ନିର୍ବାଚିିତ ହୋଇଛନ୍ତି। ହେଲେ ବିଧାନସଭା ଅଧିବେଶନକୁ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବନ୍ଦ କରିବାକୁ ପଡ଼ିଲା ଓ ଯେଉଁ ୯ଦିନ ବୈଠକ ବସିଲା, ସେଥିିରେ ସମୁଦାୟ ଅଢେଇ ଘଣ୍ଟା ବି ଆଲୋଚନା ହୋଇପାରିଲା ନାହିଁ।

ଆହୁରି ଆଚମ୍ବିତ କରିବା ଭଳି ଘଟଣା ହେଲା, ନିଜେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧିବେଶନ ପୂର୍ବ ସର୍ବଦଳୀୟ ବୈଠକ ପରେ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ବାଚସ୍ପତି ସମ୍ମିଳନୀର ନିଷ୍ପତ୍ତି ଆଧାରରେ ଶ୍ରୀ ପାତ୍ର କହିଥିଲେ ଯେ ଯିଏ ଗୃହ ମଧ୍ୟଭାଗକୁ ଆସି ବିଭ୍ରାଟ କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଗଣମାଧ୍ୟମ ସାମ୍ନାରେ ବାଚସ୍ପତି ସମ୍ପୂର୍ଣ୍ଣ ଅସହାୟତା ପ୍ରକାଶ କଲେ। ଏପରିକି କିଏ ତାଙ୍କ ଉପରକୁ ପୋଷ୍ଟର ଫିଙ୍ଗିଲା, କିଏ ବ୍ୟାନର। ଜଣକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।

ବିଧାନସଭା ଇତିହାସରେ ଏହି ଶୀତ ଅଧିବେଶନ ସବୁଦିନ ପାଇଁ ଗୋଟିଏ ଭିନ୍ନ ଉଦାହରଣ ହୋଇରହିଗଲା। ଲୋକଙ୍କ ଟିକସ ଅର୍ଥ (କୋଟି କୋଟି ଟଙ୍କା) ବରବାଦ ହେଲା। ହଜାର ହଜାର କର୍ମଚାରୀ ଦିନରାତି ଏକାକାର କରି ଅଧିବେଶନ ପାଇଁ ପ୍ରସ୍ତୁତି କଲେ। ସାରା ଓଡ଼ିଶା ଅପେକ୍ଷା କରିଥିଲା ବିଧାନସଭାରୁ ସେମାନଙ୍କ ପାଇଁ କିଛି ବାର୍ତ୍ତା ଆସିବ। ହେଲେ ବିଧାନସଭାରେ ଯେଉଁମାନଙ୍କୁ ନୀତି ନିୟମ ପ୍ରସ୍ତୁତ କରିବା ଲାଗି ଦାୟିତ୍ବ ଦିଆଯାଇଛି, ଯେଉଁମାନଙ୍କୁ ଲୋକମାନେ ଗୃହକୁ ନିର୍ବାଚିତ କରି ପଠାଇଛନ୍ତି; ସେମାନେ ରାଜରାସ୍ତାରେ ଦଳୀୟ କର୍ମୀ ଯେଭଳି ପ୍ରଦର୍ଶନ କରନ୍ତି, ଠିକ୍ ସେମିତି ଗୃହ ଭିତରେ ଆଚରଣ ଦେଖାଇଲେ। କିଏ ଘଣ୍ଟ ବାଡେଇଲା, ଆଉ କିଏ ଗଙ୍ଗା ପାଣି ଛିଞ୍ଚିଲେ। ବିଧାନସଭା ପରିସରରେ ବି ଏମିତି ଘଟିଲା। ପୋଷ୍ଟର, ବ୍ୟାନର, ଗର୍ଜନ, କମ୍ପନରେ ଥରିଉଠିଲା ବିଧାନସଭା। କେହି ଗୃହ ଚଳାଇବାକୁ ଚାହୁଁନାହାନ୍ତି ବୋଲି ସୂଚାଇ ବାଚସ୍ପତି ଜଣାଇଦେଲେ ଯେ ଉଭୟ ସରକାରୀ ଓ ବିରୋଧୀ ରାଜନୈତିିକ ଦଳର ରାସ୍ତା ଅଲଗା ନଥିଲା।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଲା, ସଂସଦର ଶୀତ ଅଧିବେଶନ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବାଦୀୟ ତିନି ଚାଷୀ ବିଲକୁ ପ୍ରତ୍ୟାହାର କରିବା ସହିତ ଦେଶବାସୀଙ୍କୁ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି। ଗୃହରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ ବୋଲି ୧୪ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିରୋଧ ଚାଲିଛିି, ଅଧିବେଶନ ବି ଜାରିି ରହିଛି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଭୂମିକା ଗଣତନ୍ତ୍ରର ଗରିମା ବୃଦ୍ଧି କଲା। ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗୃହ ଜଣାଇଛି ଯେ ଅନୁଶାସନ ଭିତରେ ରହିବାକୁ ହେବ।

ଓଡ଼ିଶାରେ ବିରୋଧୀ ରାଜନୈତିକ ଦଳ ମମିିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇଲେ। ହେଲେ ଦୁର୍ଭାଗ୍ୟଜନକ ଘଟଣା ହେଲା, ବିରୋଧୀ ଦଳର ମତ ବିଧାନସଭା ପ୍ରୋସିଡିଂରେ ସ୍ଥାନ ପାଇପାରିଲା ନାହିଁ। ବିଧାୟକମାନଙ୍କର ବିଧାନସଭା ବାହାର ଓ ଭିତର ଆଲୋଚନା ମଧ୍ୟରେ ତେବେ ପୃଥକ୍ କଣ ରହିଲା? କାହିଁକି ତାଙ୍କୁ ସମ୍ବିଧାନ ସ୍ବତନ୍ତ୍ର ମର୍ଯ୍ୟାଦା ଦେଇଛି? ଅଭିଜ୍ଞ ନେତାମାନେ ସବୁବେଳେ ଗୃହ ପ୍ରୋସିଡିଂରେ ଅନେକ କଥା ଲିପିବଦ୍ଧ କରାଇଥାନ୍ତି। କାରଣ ସେମାନଙ୍କର ଆଜି ଦିନର ଆନ୍ଦୋଳନ କିମ୍ବା ଖବରକାଗଜ ପୃଷ୍ଠାରେ ପ୍ରକାଶ ପାଉଥିବା ଖବର ଉଭୟ ହଜିଯିବ। ବିଧାନସଭା ପ୍ରୋସିଡିଂ କିନ୍ତୁ ସବୁ କଥାକୁ ସବୁଦିନ ପାଇଁ ମନେ ରଖିବ, ଏଇଟା ହିଁ ବ୍ୟବସ୍ଥା। ସେମିତି କିଛି ବି ହେଲାନି।

କେବଳ ସେତିକି ନୁହେଁ, ଆହୁରି ଆଚମ୍ବିତ କଥା ହେଲା, ରାଜ୍ୟରେ ଜଓ୍ବାଦ ପ୍ରଭାବରେ ଯେବେ ଚାଷୀର ଧାନ ଉଜୁ଼ଡିଯାଇଛି, ଚାଷୀ ମୁଣ୍ଡରୁ ହାତ ଖସୁନି ସେବେ ବିଧାନସଭାରେ ଏ ପ୍ରସଙ୍ଗ ଉଠିପାରିଲା ନାହିଁ। ଏସଆରସି ଯେଉଁ ସହାୟତା ଦେବେ, ବର୍ତ୍ତମାନ ପରିସ୍ଥିତିରେ ତାହା ଚାଷୀର ଭୋକ ବା ସଙ୍କଟ ଦୂର କରିପାରିବ ନାହିଁ। ଏଥିପାଇଁ ସ୍ବତନ୍ତ୍ର ସହାୟତା ଦରକାର। ଏକଥା ବିରୋଧୀ ଦଳ ବିଧାନସଭାରେ କହିଥିଲେ, ସମ୍ଭବତଃ ସରକାର ଏ ପ୍ରସଙ୍ଗରେ ଠୋସ୍ ଭାବେ କିଛି ଗୋଟିଏ ପଦକ୍ଷେପ ନେଇଥାନ୍ତେ। ଏମିତି ବି ହେଲାନି।

ଆହୁରି ବିସ୍ମିତ କରିବା ଭଳି କଥା ହେଲା, ରାଜ୍ୟରେ ମମିତା ଘଟଣାକୁ ଛାଡି ଆଇନଶୃଙ୍ଖଳା କ୍ଷେତ୍ରରେ ଅନେକ ଉଦାହରଣ ରହିଥିଲା, ଯାହା ଗୃହ ସାମ୍ନାକୁ ଆସିଥାନ୍ତା। ମାତ୍ର ସେସବୁ ପ୍ରସଙ୍ଗ ବି ଉଠିଲାନି। ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ କୋର୍ଟଙ୍କ ଆଭିମୁଖ୍ୟ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ବିତର୍କ ପାଇଁ ଗୋଟିଏ ସୁଯୋଗ ରଖିଥିଲା। ସର୍ବୋପରି ଅତିରିକ୍ତ ବଜେଟ୍ ଯେବେ ଆଗତ ହୋଇଛି, ବର୍ତ୍ତମାନ ଓଡ଼ିଶାର ଅର୍ଥନୀତି କିଭଳି ଓ କେଉଁଠି ରହିଛି, ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ମୂଳ ବଜେଟରୁ କେତେ ଅର୍ଥ ଖର୍ଚ୍ଚ ହେଲାଣି ଓ ଏହାର ପ୍ରଭାବ କଣ ପଡିଛି, ଏ ସଂପର୍କରେ ଆଲୋଚନା ଲାଗି ଏ ଅଧିବେଶନ ସୁଯୋଗ ଦେଇଥିଲା। ସେମିତି ହୋଇଥିଲେ, ଅତିରିକ୍ତ ବଜେଟ୍ ମୋହର ପୂର୍ବରୁ ବିଧାନସଭା ଜରିଆରେ ରାଜ୍ୟ ଅନେକ କଥା ଜାଣିପାରିଥାନ୍ତା। ତାହା ମଧ୍ୟ ସମ୍ଭବ ହେଲାନାହିଁ। ଗୋଟିଏ ଦିନ ମଧ୍ୟ ଗୃହ ଚାଲିପାରିଲା ନାହିଁ।

ସରକାରୀ ଦଳ ମଧ୍ୟ ସେମିତି ଆଗ୍ରହ ଦେଖାଇନାହାନ୍ତି। ଦରଦାମ ବୃଦ୍ଧି ହେଉ କି ପାଇକ ବିଦ୍ରୋହ ପ୍ରସଙ୍ଗ। ଏସବୁ ପ୍ରସଙ୍ଗ ଉପରେ ବିତର୍କ ହୋଇଥିଲେ, କିଛି ଗୋଟିଏ ନିର୍ଣ୍ଣୟ ହୋଇପାରିଥାନ୍ତା। ହେଲେ ସେମାନେ ମଧ୍ୟ ଏସବୁ ଘଟଣାକୁ ଗୃହରେ ଆଲୋଚନା ଲାଗି ସୁଯୋଗ ରଖିପାରିଲେ ନାହିଁ। ମମିତା ପ୍ରସଙ୍ଗରେ ବିରୋଧୀ ଦଳର ଅଭିଯୋଗ ଯେ ଭିତ୍ତିହୀନ ଥିଲା, ଏକଥା ବିଧାନସଭାରେ ରେକର୍ଡ କରାଇ ସରକାରର ସ୍ବଚ୍ଛତା ପ୍ରତିପାଦିତ କରିପାରିଥାନ୍ତେ। ସବୁଠାରୁ ବଡ କଥା ହେଲା, ବିଧାନସଭା ଚଳାଇବା ଦାୟିତ୍ବ ହେଲା ଗୃହର ନେତାଙ୍କର। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କର ଏ କ୍ଷେତ୍ରରେ ଗୋଟିଏ ବଡ ଭୂମିକା ରହିଛି। ଗୃହ ନ ଚାଲିପାରିବାର ବିଫଳତା ତାଙ୍କ ପାଇଁ ମଧ୍ୟ ଏକ ଆହ୍ବାନ ହେଲା।

ଉଦବେଗର ବିଷୟ ହେଲା, ସଂସଦରେ ବିଜେଡିକୁ ଖୋଦ୍ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଉଦ୍ଦେଶ୍ୟ ଥିଲା ଯେ ଅନ୍ୟ ରାଜନୈତିକ ଦଳ ଭଳି ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ନ ଯାଇ ତାଙ୍କର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଏହି ସଙ୍କେତଟି ବିଜେଡି, ସର୍ବୋପରି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଭାବମୂର୍ତିକୁ ବହୁ ପିରମାଣରେ ବଢାଇ ଦେଇଥିଲା। ହେଲେ ସଂସଦରେ ଦଳର ଆଚରଣ ଯାହା, ବିଧାନସଭାରେ ବିଜେଡି ବିଧାୟକମାନେ ତା ଠାରୁ ଅଲଗା। ସେମାନେ ସଂସଦ ଭଳି ଉଦାହରଣ ରଖିପାରିନାହାନ୍ତି।

ଏସବୁ ଭିତରେ ଏବେ ପ୍ରଶ୍ନ ଉଠୁଛି, ବିଧାନସଭା ଆଗୁଆ ବନ୍ଦ ହେବା ଓ ବିରୋଧୀ ଏବଂ ଶାସକ ଦଳର ପ୍ରଦର୍ଶନରୁ ଓଡ଼ିଶାକୁ କି ବାର୍ତ୍ତା ଗଲା? ରାଜନୈତିକ ଦଳ ଏତିକି କଥା ଠଉରାଇପାରିଥିଲେଣି ନା ନାହିଁ? ସେମାନଙ୍କ ପ୍ରତି ସାଧାରଣରେ ସମ୍ମାନ ବଢ଼ୁଛି କି?

Leave A Reply

Your email address will not be published.