ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ପୁଣିଥରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍ବିୟୁ) ପକ୍ଷରୁ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରାଯାଇଛି। ପାଞ୍ଚଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ, ପେନସନ୍ ସମ୍ପର୍କିତ ବକେୟା ପ୍ରସଙ୍ଗର ସମାଧାନ, ଖାଲି ପଦବୀ ପୂରଣ ଏବଂ ପରଫର୍ମାନ୍ସ ଲିଙ୍କ୍ଡ ଇନ୍ସେଣ୍ଟିଭ୍ (ପିଏଲ୍ଆଇ) ବ୍ୟବସ୍ଥାକୁ ନେଇ ୟୁନିଅନ୍ଗୁଡ଼ିକର ବିଭିନ୍ନ ଦାବି ରହିଛି। ପାଞ୍ଚଦିନିଆ ବ୍ୟାଙ୍କିଂ ଓ ପିଏଲ୍ଆଇ ପ୍ରସଙ୍ଗ ଏହି ଆନ୍ଦୋଳନର ପ୍ରମୁଖ ଦାବି ମଧ୍ୟରେ ରହିଛି।
ଧର୍ମଘଟ ଯୋଗୁଁ ଗ୍ରାହକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ସୋମବାର ସରକାରୀ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ନାବାର୍ଡ ଓ ଭାରତୀୟ ବ୍ୟାଙ୍କ ସଂଘର ଶୀର୍ଷ ଅଧିକାରୀଙ୍କ ସହ ବୈଠକ କରିବ। ବ୍ୟାଙ୍କିଂ କାରବାର ଓ ଜରୁରୀ ଗ୍ରାହକ ସେବା ଜାରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନେଇ ଏଥିରେ ଆଲୋଚନା ହେବ।
ସେପ୍ଟେମ୍ବର ୨୮ରୁ ୩୦ ଯାଏ ଧର୍ମଘଟ ରହିଥିବା ବେଳେ ୨୬ ଓ ୨୭ ତାରିଖ ସାପ୍ତାହିକ ଛୁଟି ଥିବାରୁ ଅନେକ ବ୍ୟାଙ୍କ ଶାଖାରେ ଲଗାତାର ୫ ଦିନ ସାଧାରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଏସ୍ବିଆଇ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ଆଗୁଆ ସାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଆଲୋଚନା ମାଧ୍ୟମରେ ସମାଧାନର ସମ୍ଭାବନା ରହିଛି। ଆସନ୍ତା ୨୨ ଓ ୨୩ ସେପ୍ଟେମ୍ବରରେ ମୁଖ୍ୟ ଶ୍ରମ କମିସନରଙ୍କ ନିକଟରେ ଆଇବିଏ, ବ୍ୟାଙ୍କ ପରିଚାଳନା ଓ ଅର୍ଥ ମନ୍ତ୍ରଣାଳୟ ପ୍ରତିନିଧିଙ୍କ ସହ ଆଲୋଚନା ହେବାକୁ ଥିବା ରିପୋର୍ଟ ରହିଛି। ଆଲୋଚନା ବିଫଳ ହେଲେ ଧର୍ମଘଟ ଯୋଜନା ଅନୁଯାୟୀ ଆଗକୁ ବଢ଼ିବ।